Categories
ଆଜିର ଖବର ରାଜ୍ୟ ଖବର

ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶିକୁ ଗୁରତ୍ୱ ଦିଅନ୍ତୁ ସବୁ ଅଫିସର କର୍ମଚାରୀ

ଭୁବନେଶ୍ୱର: ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ଏକ ଜରୁରୀକାଳୀନ ବୈଠକ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦ ସୁବାସ ସିଂ କହିଲେ ଯେ, ଉଠାଦୋକାନୀମାନେ ହେଉଛନ୍ତି ସହରର ଏକ ଅଙ୍ଗ। ଆଇନ୍ ଅନୁଯାୟୀ ସେମାନଙ୍କୁ କେହି ଉଚ୍ଛେଦ କରିପାରିବେ ନାହିଁ। ଯଦି ଦରକାର ପଡ଼େ ପ୍ରଥମେ ଦୋକାନୀ ବା ସଂଘ ସହିତ ଆଲୋଚନା କରି ସର୍ଭେ କରାଯାଇ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇପାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଦାସର୍ବଦା ଦୋକାନୀମାନଙ୍କ ସହିତ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ ମଧ୍ୟ। ଏବେ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ସହାୟତା ପ୍ରଦାନ ସହ ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା ପାଇଁ ୬୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥକୁ ସରକାରୀ କର୍ମଚାରୀମାନେ ଠିକ୍ ଭାବରେ ବିନିଯୋଗ କରିବା ଦରକାର। ଏତଦ୍‌ବ୍ୟତୀତ ବିଏମ୍‌ସି କମିଶନରଙ୍କ ସହିତ ମୁଁ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉଠାଦୋକାନୀମାନଙ୍କ ଥଇଥାନ ପାଇଁ ଆଲୋଚନା କରିବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ପିପୁଲ୍ସ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ ଡ଼େରାଡ଼ୁନର ନିର୍ଦ୍ଦେଶକ ଡଃ ଦେବାଶିଷ ସେନ୍ ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏତେମାତ୍ରାରେ ବଢିଚାଲିଛି ଯେ, ତାକୁ ରୋକିବାକୁ ହେଲେ ଉଠାଦୋକାନୀ ଓ ବସ୍ତିବାସିନ୍ଦାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଦରକାର। ସଂଘର ସାଧାରଣ ସମ୍ପାଦକ ସୁରେଶ ପଟ୍ଟନାୟକ କହିଲେ ଯେ, କରୋନାରେ ମୃତ୍ୟୁବରଣ କରିଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ଭେଣ୍ଡିଂଜୋନ ଯୋଗାଇଦେବା, ଗ୍ରାଉଣ୍ଡ ରେଣ୍ଟ, ୟୁଜର ଫି ବିଏମ୍‌ସି ନେବା ପାଇଁ ଅପିଲ୍ କରିଥିଲେ। ଏଥିରେ ଉପଦେଷ୍ଟା ବିପିନ ବିହାରୀ ଦାସ, ନିରଞ୍ଜନ ପାଣ୍ଡେ, ସୁଦର୍ଶନ ପୃଷ୍ଟି, ଅନୁ ମିଶ୍ର, ମିଲି ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩୧ଟି  ସଂଘର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ।