Categories
ଆଜିର ଖବର ଜାତୀୟ ଖବର

ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ସ୍ନାତକୋତ୍ତର ପ୍ରାର୍ଥୀମାନଙ୍କ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ ଆସୋସିଏସନ ଦ୍ୱାରା ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମେ ୪ ତାରିଖ ବୁଧବାର ଦିନ ସୁପ୍ରିମକୋର୍ଟର ଓକିଲ ସନ୍ଦୀପ ଏସ ତିୱାରୀ ଏହି ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ଆଡଭୋକେଟ୍ ସନ୍ଦୀପ ଏସ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ, “ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ତରଫରୁ ଆମେ ମଇ ୨୧ ତାରିଖ ୨୦୨୨ରେ ଧାର୍ଯ୍ୟ ହୋଇଥିବା ନିଟ୍ ପିଜି ୨୦୨୨ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛୁ। ପ୍ରାର୍ଥୀମାନେ ସେମାନଙ୍କର ପ୍ରସଙ୍ଗ ଉଠାଇଛନ୍ତି। ନିଟ୍ ପିଜି ୨୦୨୧ ପାଇଁ ଚାଲିଥିବା କାଉନସେଲିଂ ତାରିଖର ଅସଙ୍ଗତି / ବିବାଦ ହେତୁ ଅଭିଯୋଗ କରାଯାଇଛି।

ଯେହେତୁ ନିଟ୍ ପିଜି କାଉନସେଲିଂ ବିଳମ୍ବ ହେଉଛି, ନିଟ୍ ପିଜି ପରୀକ୍ଷା ଦିନ ଏବଂ କାଉନସେଲିଂ ମଧ୍ୟରେ କମ୍ ବ୍ୟବଧାନ ହେତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ତାରିଖ ସ୍ଥଗିତ ରଖିବାକୁ ଅନୁରୋଧ କରୁଛନ୍ତି। ସମ୍ପ୍ରତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ନିଟ୍ ପିଜିର ସ୍ଥଗିତାଦେଶ ସମ୍ଭବ ନୁହେଁ ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ମେ ୨୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ଉପସ୍ଥିତିରେ ଏପ୍ରିଲ ୩୦ ତାରିଖ ଶନିବାର ଦିନ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସମୟରେ, ନିଟ୍ ପିଜିର ଆଶାୟୀ ଏବଂ ଅନେକ ଡାକ୍ତର ସଙ୍ଗଠନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପରୀକ୍ଷା ସ୍ଥଗିତ ରଖିବା ଲାଗି ଚିଠି ଲେଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା, ଶହେ ଦିନ କୋଭିଡ କାର୍ଯ୍ୟ କରିଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ, ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି। ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।

ନିଟ୍‌-ପିଜି ପରୀକ୍ଷା ଚାରିମାସ ନିମନ୍ତେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ଏବଂ ଏହା ୩୧ ଅଗଷ୍ଟ ୨୦୨୧ ଆଗରୁ ଅନୁଷ୍ଠିତ ହେବନାହିଁ । ପରୀକ୍ଷା ସମୟ ଘୋଷଣା ହେବାର ଅନ୍ତତଃ ମାସକ ପୂର୍ବରୁ ଏହା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ । ଏହା ଫଳରେ କୋଭିଡ ଡ୍ୟୁଟି ନିମନ୍ତେ ଅନେକ ଯୋଗ୍ୟ ଡାକ୍ତର ସେମାନଙ୍କ ସେବା ପ୍ରଦାନ କରିପାରିବେ ।

ଇଣ୍ଟର୍ଣ୍ଣସିପ୍‌ର ଅଂଶସ୍ୱରୂପ କୋଭିଡ ପରିଚାଳନା ନିମନ୍ତେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ସେମାନଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ସେବାରେ ନିୟୋଜିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି । ଅନ୍ତିମବର୍ଷ ଏମବିବିଏସ୍ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଟେଲି ପରାମର୍ଶ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ ରୋଗୀଙ୍କ ଚିକିତ୍ସା ସେବା ସେମାନଙ୍କ ଅଧ୍ୟାପକ ବା ଅଧ୍ୟାପିକାଙ୍କ ତତ୍ତ୍ଵାବଧାନରେ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା କୋଭିଡ ଚିକିତ୍ସାରେ ନିୟୋଜିତ ଚିକିତ୍ସକଙ୍କ କାମ ବାଝ ମଧ୍ୟ ହ୍ରାସ କରିବାରେ ସହାୟକ ହେବ ।

ଅନ୍ତିମବର୍ଷ ସ୍ନାତକୋତ୍ତର ବା ତା’ଠାରୁ ଅଧିକ ଅଧ୍ୟୟନରତ ସୁପର ସ୍ପେଶିଆଲିଷ୍ଟ ମାନଙ୍କ ସେବା ମଧ୍ୟ ନୂତନ ପିଜି ବ୍ୟାଚ ଛାତ୍ରଛାତ୍ରୀ ଯୋଗଦେବା ପର‌୍ୟ୍ୟନ୍ତ ନିଆଯିବ । ବରିଷ୍ଠ ଡାକ୍ତର ବା ନର୍ସଙ୍କ ତତ୍ୱାବଧାନରେ ବିଏସସି ଏବଂ ଜିଏନଏମ ଯୋଗ୍ୟତାପ୍ରାପ୍ତ ସେବିକାମାନଙ୍କୁ ପୂର୍ଣ୍ଣକାଳୀନ କୋଭିଡ ନର୍ସିଂ ଡ୍ୟୁଟିରେ ଲଗାଯାଇପାରିବ ।

କୋଭିଡ ପରିଚାଳନାରେ ଅନ୍ୟୁନ ଶହେ ଦିନ କାମ କରିଥିବା ବ୍ୟକ୍ତିଙ୍କୁ ନିୟମିତ ସରକାରୀ ନିଯୁକ୍ତିକାଳରେ ଅଗ୍ରାଧିକାର ଦିଆଯିବ ।

ମେଡିକାଲ ଛାତ୍ରଛାତ୍ରୀ ବା ବୃତିଧାରୀ ବ୍ୟକ୍ତି ଯେଉଁମାନେ କୋଭିଡ ସମ୍ପର୍କୀତ କାର‌୍ୟ୍ୟରେ ନିୟୋଜିତ ହେବେ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯିବ । କୋଭିଡ-୧୯ ପରିଚାଳନାରେ ଯେଉଁ ଚିକିତ୍ସା କର୍ମୀମାନେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବୀମା ଯୋଜନା ମଧ୍ୟ ନୂତନ ନିଯୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଲାଗୁ ହେବ । ଯେଉଁମାନେ ଅନ୍ୟୁନ ଶହେ ଦିନ କୋଭିଡ୍ ଚିକିତ୍ସା ସେବାରେ ନିୟୋଜିତ ହେବେ, ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ଉତ୍କର୍ଷ କୋଭିଡ ଜାତୀୟ ସେବା ସମ୍ମାନ ମଧ୍ୟ ପ୍ରଦାନ କରାଯିବ ।

ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ବୃତ୍ତିଧାରୀମାନେ କୋଭିଡ ପରିଚାଳନା କାର‌୍ୟ୍ୟକ୍ରମର ମେରୁଦଣ୍ଡ ସଦୃଶ ଓ ସେମାନେ ସମ୍ମୁଖ ଯୋଦ୍ଧାଭାବେ ପରିଚିତ । ରୋଗୀମାନଙ୍କ ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଯଥାସମ୍ଭବ ଉପସ୍ଥିତି ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମେଡିକାଲ ଗୋଷ୍ଠୀଙ୍କ ଉଲ୍ଲେଖନୀୟ ସେବା ଓ ଗଭୀର ଅଙ୍ଗୀକାରବଦ୍ଧତା ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାର ଜୁନ ୧୬, ୨୦୨୦ ମସିହାରେ କୋଭିଡ ରୋଗୀ ସେବାରେ ଡାକ୍ତର ଓ ନର୍ସମାନଙ୍କ ନିଯୁକ୍ତି ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଥିଲେ । କୋଭିଡ ପରିଚାଳନାରେ ମାନବସମ୍ବଳ ଉପଯୋଗ ନେଇ ସ୍ୱତନ୍ତ୍ର ୧୫ହଜାର କୋଟି ଟଙ୍କାର ଜନସ୍ୱାସ୍ଥ୍ୟ ଆପାତକାଳୀନ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ଜରିଆରେ ୨୨୦୬ ଜଣ ବିଶେଷଜ୍ଞ, ୪୬୮୫ମେଡିକାଲ ଅଧିକାରୀ ଓ ୨୫, ୫୯୩ ଷ୍ଟାଫ ନର୍ସଙ୍କୁ ମଧ୍ୟ କୋଭିଡ ମୁକାବିଲା ପାଇଁ ନିଯୁକ୍ତି କରାଯାଇଛି ।