Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବେଙ୍ଗାଲୁରୁରେ ଦକ୍ଷତା ପ୍ରଦର୍ଶନ କରି ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ କେବଳ ଜ୍ଞାନ ଆହରଣ କରି ନାହାନ୍ତି ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯେ ଯଥେଷ୍ଟ ପାରଦର୍ଶତା ରହିଛି ତାହା ସେମାନେ ଦର୍ଶାଇ ପାରିଛନ୍ତି। ନିକଟରେ ବେଙ୍ଗାଲୁରୁ ଠାରେ ଆଗଧାଡିର ପ୍ରାୟ ୪୫ଟି ମଲ୍ଟି ନ୍ୟାସ୍‌ନାଲ କମ୍ପାନୀର ନିଯୁକ୍ତିଦାତାଙ୍କ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜର ନିପୁଣତା ପ୍ରଦର୍ଶନ କରିଛନ୍ତି ସୋଆର ଛାତ୍ରଛାତ୍ରୀ।

ବେଙ୍ଗାଲୁରୁରେ ଆୟୋଜିତ “ସୋଆ ପ୍ରକ୍ସିମା-୨୦୨୨” କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୬୨ଟି ମଲ୍ଟି ନ୍ୟାସ୍‌ନାଲ୍‌  କମ୍ପାନୀର ମାନବ ସମ୍ବଳ ଏବଂ ପ୍ରତିଭା ଅଧିଗ୍ରହଣ ବିଭାଗର ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ ସହିତ କଳା ଏବଂ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଦେଖି ବେଶ ବିମୋହିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ହେଡ୍‌, ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ଶ୍ରୀ ରିପ୍ତି ରଞ୍ଜନ ଦାଶ ଏବଂ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ସ, ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଇଟିଇଆର୍ ଛାତ୍ରୀ ସ୍ମୃତି ପ୍ରଜ୍ଞା ବିଶ୍ୱାଳ, ଅନିଷା ସ୍ୱାଇଁ ଏବଂ ପ୍ରିୟଦର୍ଶନୀ ପରିଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଆଇସି ଆଇଚ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଭବେଶ ମିଶ୍ରଙ୍କ ମ୍ୟାଜିକ୍ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।