Categories
ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଷ୍ଟେସନ ନିକଟରେ ଅଘଟଣ: ମାଲବାହୀ ଟ୍ରେନ ଧକ୍କାରେ କାର୍ଯ୍ୟରଟ ଟ୍ରାକ୍ ମ୍ୟାନଙ୍କ ଗଲା ଜୀବନ

ନିରାକରପୁର: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ଭୂଷଣ୍ଡପୁର ମଧ୍ୟରେ ଏକ ଅଘଟଣ ଘଟିଯାଇଛି। ନିରାକାରପୁର-ଭୂଷଣ୍ଡପୁର ମଧ୍ୟରେ ରେଳ ଲାଇନ ମଧ୍ୟରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଟ୍ରାକ୍ ମ୍ୟାନଙ୍କ ମୃତ୍ୟୁ ହୋଇଯାଇଛି।

ସୂଚନା ମୁତାବକ, ନିରଞ୍ଜନ ଜେନା (୩୨) ନିରାକାରପୁର ଷ୍ଟେସନରେ ଟ୍ରାକ୍ ମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ହେଲେ ଆଜି ଅପରାହ୍ନରେ ଟ୍ରାକ୍ ତଦାରଖ କରୁଥିବା ବେଳେ ଡାଉନ ଲାଇନରେ ଆସି ଏକ ମାଲବାହୀ ଟ୍ରେନଟି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା। ଫଳରେ ନିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।  ନିରଞ୍ଜନଙ୍କ ଘର ନିରାକାରପୁର ଥାନା ଲେଣ୍ଡୋ ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି।

ଖବର ପାଇ ନିରାକାରପୁର ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି, ଓଆଇସି ଧରଣିଧର ପ୍ରଧାନ ଏବଂ ନିରାକରପୁର ଜିଆରପି ଫାଣ୍ଡି ଅଧିକାରୀ ଲିଙ୍ଗରାଜ ସେଠୀ ପହଞ୍ଚି କେସ ନମ୍ବର ୨୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି।