Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର:  ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ଏବେ ପ୍ରଚାର ଚାଲିଛି । ଏବେ ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ସେ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭୋଟ ଦେଲେ ସବୁ ସୁବିଧା ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ ରାସନ କାର୍ଡ ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ କହୁଥିବା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ସମ୍ପୃକ୍ତ  ଦୁଇ ମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଲାଗି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆସନ୍ତା ନଭେମ୍ବର ତିନି ତାରିଖରେ ଭୋଟ ଓ ନଭେମ୍ବର 10 ତାରିଖରେ ଭୋଟଗଣତି ହେବ ।  ଉଭୟ ଦୁଇ ଆସନରେ  ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।