Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ତାତି : ମହିଳା କନେଷ୍ଟବଳଙ୍କୁ ଅଶାଳୀନ ବ୍ୟବହାର କରି ଆଠ ଗିରଫ

ରମେଶ ମହାନ୍ତି

ଜଗତସିଂହପୁର: ୧୦୨-ତିର୍ତୋଲ(ସଂ) ବିଧାନସଭା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣବିଧି ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଉଲ୍ଲଘଂନ ତଥା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡକୁ ଦୁଃବ୍ୟବହାର ଅଭିଯୋଗରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିରିଡ଼ି ବ୍ଲକ୍ ମଧ୍ୟଶାସନ ଗ୍ରାମର ୮ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ୍ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିରିଡ଼ି ପୋଲିସ୍ ପକ୍ଷରୁ ଅପରାଧିଙ୍କ ବିରୋଧରେ କେଶ୍ ନଂ.୧୮୮ ତା.୨୯.୧୦.୨୦୨୦ରିଖରେ ଧାରା ୩୨୨/୩୪୧/୩୪୨/୧୮୮/୧୮୬/୫୦୬/୩୩/୩୫୩/୩୫୪-ଇ/୩୭୯/୨୦୧/୩୪ ଓଚଉ/୩ ମହାମାରୀ ରୋଗ ଅଧିନିୟମ-୧୮୯୭/୫୧(ବ)/୫୧(ଭ) ମହାମାରୀ ଅଧିନିୟମ -୨୦୨୦ ଅନୁଯାୟୀ ମାମଲା ଦାୟର କରାଯାଇଛି। ଗିରଫ ହୋଇଥିବା ୮ ଜଣ ବ୍ୟକ୍ତିଙ୍କୁ ଅକ୍ଟୋବର ୩୦ ତାରିଖରେ କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏଠାରେ ପ୍ରକାଶ ଥାଉକି ଭାରପ୍ରାପ୍ତ ଅଧିକାରୀ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ଅକ୍ଟୋବର ୨୮ ତାରିଖ ରାତି ଘ.୧୦.୩୦ମି.ରେ ଜିଲ୍ଲା ନିର୍ବାଚନ ଅଭିଯୋଗ ନିୟନ୍ତ୍ରଣ କକ୍ଷରୁ ଖବର ପାଇଥିଲେ କି ବିରିଡ଼ି ବ୍ଲକ୍ ଉତରଶାସନ ଗ୍ରାମର ମହାବୀର ମନ୍ଦିର ନିକଟରେ ୪୦୦ ବ୍ୟକ୍ତି ଏକାଠି ହୋଇ ଭୋଜିଭାତ ଓ ମଦ୍ୟପାନ କରୁଛନ୍ତି। ଖବର ପାଇ ଅତିରିକ୍ତ ତହସିଲଦାର, ଜଗତସିଂହପୁର ତଥା ଭାରପ୍ରାପ୍ତ ଅଧିକାରୀ, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ସଦଳବଳ ଉକ୍ତ ସ୍ଥାନକୁ ଯାଇ ୨୦ ଜଣ ବ୍ୟକ୍ତି ଏକାଠି ହୋଇଥିବାର ଦେଖିବାକୁ ପାଇଥିଲେ। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଦଳ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ୍ ମାର୍ଗଦର୍ଶିକା ଓ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବାରୁ ତୁରନ୍ତ ସ୍ଥାନ ପରିତ୍ୟାଗ କରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ ବ୍ୟକ୍ତିମାନେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଦଳକୁ ଅପମାନିତ କରି କ୍ୟାମେରା ଛଡ଼ାଇ ନେଇ ଭିଡ଼ିଓକୁ ବିଲୋପ କରିବାକୁ ବାଧ୍ୟ କରିଥିଲେ।

ଅଭିଯୁକ୍ତମାନେ କ୍ୟାମେରା ଛଡ଼ାଇ ନେଇ ଜଣେ ମହିଳା କନେଷ୍ଟବଳଙ୍କୁ ଅଶାଳୀନ ଓ ଦୌରାତ୍ମ୍ୟ ବ୍ୟବହାର କରିଥିଲେ। ଏହାପରେ ବିରିଡ଼ି ଥାନାର ତଦନ୍ତ ଅଧିକାରୀ ତତ୍‌କ୍ଷଣାତ୍ ଉକ୍ତ ସ୍ଥାନକୁ ଯାଇ ଅଭିଯୋଗର ତଦନ୍ତ କରି ସାକ୍ଷ୍ୟପ୍ରମାଣ ଗ୍ରହଣ କରି ଆଘାତପ୍ରାପ୍ତ ଅଭିଯୋଗକାରୀଙ୍କୁ ବିରିଡ଼ି ସି.ଏଚ୍‌.ସିଙ୍କୁ ଚିକିତ୍ସା ଓ ଡାକ୍ତରୀମାଇନା ପାଇଁ ପଠାଇଥିଲେ। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।