Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଘୋଷଣା ନେଇ ଉତକ୍ଷିପ୍ତ କଂଗ୍ରେସ, ନିର୍ବାଚନ କମିଶନରଙ୍କୁ କହିଲା ଏମିତି କଥା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର ବୋଲି କଂଗ୍ରେସ ଶାଣିତ କଟାକ୍ଷ କରିଛି।

ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ୬୮ ହଜାର। ରାଜ୍ୟରେ ତାହା ୭୦୭୧ । ବିଶେଷଜ୍ଞମାନେ ଏହି ସଂକ୍ରମଣ ଆସନ୍ତା ଫେବୃଆରୀରେ ଶୀର୍ଷରେ ଛୁଇଁବ ବୋଲି ସତର୍କ କରାଇଛନ୍ତି । ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ବିରୋଧୀମାନେ ବର୍ତ୍ତମାନ ସମୟରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି ରଖିଥିଲେ ।

ମାତ୍ର ନିର୍ବାଚନ କମିଶନ୍ ସେମାନଙ୍କ ଦାବିକୁ କର୍ଣ୍ଣପାତ କଲେନାହିଁ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରିକଲେ । ଏହା ନିର୍ବାଚନ କମିଶନଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ । ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏହା କରିଛନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି। ରାଜ୍ୟର ୫୪ ଶତାଂଶ ଲୋକ ଓବିସି ଓ ୨୨.୫ ଶତାଂଶ ଲୋକ ଜନଜାତି ସମ୍ପ୍ରଦାୟର। ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଞ୍ଚାୟତ ନିର୍ବାଚନାରେ ପ୍ରତାରିତ କରାଯାଇଛି। ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଞ୍ଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ। ଓ.ବି.ସି. ବର୍ଗଙ୍କ ପ୍ରତି ଅବିଚାର କରାଯାଇଛି।

ଓ.ବି.ସି. ସଂରକ୍ଷଣ ସଂକ୍ରାନ୍ତରେ ଆସନ୍ତା ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିବେ। ଯଦି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କର ଓବିସି ବର୍ଗର ସାମ୍ବିଧାନିକ ଅଧିକାର ପ୍ରତି ସମ୍ବେଦନଶୀଳତା ଥାଆନ୍ତା, ତେବେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ୧୭ ତାରିଖ ପରକୁ ଘୁଞ୍ଚାଇ ଦେଇ ପାରିଥାନ୍ତେ। କିନ୍ତୁ ତାହା ନ କରି ତରବରିଆ ଭାବରେ ବିଜ୍ଞପ୍ତି ଜାରି କରିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ।

ପଞ୍ଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଞ୍ଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି ।

ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଚିନ୍ମୟ ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
PanchayatElection ଆଜିର ଖବର ଜାତୀୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ତିନୋଟି ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶ ନିର୍ବାଚନ କମିଶନର ବସନ୍ତ ପ୍ରତାପ ସିଂ ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ମଧ୍ୟ ପ୍ରଦେଶରେ ଆସନ୍ତା ଜାନୁୟାରୀ 6 , 28 ତାରିଖ ଏବଂ ଫେବୃୟାରୀ 16 ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟର 850ଟି ଜିଲ୍ଲା ପଞ୍ଚାୟତ ସଦସ୍ୟ, 6727ଟି ଜନପଦ ପଞ୍ଚାୟତ ଏବଂ 22,581 ଟି ସରପଞ୍ଚ ଏବଂ 3,62,754 ଟି ପଞ୍ଚ ପଦବୀ ପାଇଁ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ 9ଟି ଜିଲ୍ଲାରେ, 2ୟ ପର୍ଯ୍ୟାୟରେ 7ଟି ଜିଲ୍ଲା ଏବଂ ତୃତୀୟ ପର୍ଯ୍ୟାୟରେ 36 ଟି ଜିଲ୍ଲାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଚଳିତ ବର୍ଷ ପାଞ୍ଚୋଟି ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛି

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଇଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଯାହା ଖର୍ଚ୍ଚ କରିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କେବଳ ପଶ୍ଚମବଂଗରେ ଯେତେ ଖର୍ଚ୍ଚ କରିଛି ତାହା ମଧ୍ୟ ବଡ ଆଶ୍ଚର୍ଯ୍ୟର ଘଟଣା ବୋଲି କୁହାଯିବ। କାରଣ ମମତା ବାନାର୍ଜିଙ୍କୁ ହରାଇବା ପାଇଁ ବିଜେପି ପାଣି ପରି ବିପୁଳ ଅର୍ଥ ବ୍ୟୟ କରିଛି। ହେଲେ ମଧ୍ୟ ସେଥିରେ ଦଳ ସଫଳ ହୋଇପାରିଲା ନାହିଁ।

ତେବେ ବିଜେପି ଆସାମ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ କେରଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୫୨ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଜଣାପଡିଛି। ନିକଟରେ ନିର୍ବାଚନ କମିଶନରଙ୍କୁ ବିଜେପି ଗତ ନିର୍ବାଚନରେ କେତେ ଖର୍ଚ୍ଚ କରିଛି ତାହାର ହିସାବ ପ୍ରଦାନ କରିଛି।  ସେହି ହିସାବ ଅନୁସାରେ ଦଳ ଏହି ପାଞ୍ଚଟି ରାଜ୍ୟରେ ପ୍ରଚାର ପାଇଁ ୨୫୨ କୋଟି ୨ ଲକ୍ଷ ୭୧ ହଜାର ୭୫୩ ଟଙ୍କା ଖର୍ଚ୍ଚ କରିଛି।

ଏଥିମଧ୍ୟରୁ କେବଳ ପଶ୍ଚିମବଂଗରେ ଦଳ ସର୍ବାଧିକ ୧୫୧ କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ ଦେଇଛି। ମମତା ବାନାର୍ଜିଙ୍କୁ ହରାଇବା ପାଇଁ ଦଳ ସର୍ବାଧିକ ଅର୍ଥ ବ୍ୟୟ କରିଛି। ବିଜେପିର ପାଞ୍ଚୋଟି ବିଧାନସଭା ନିର୍ବାଚନରେ ମୁଖ୍ୟ ଟାର୍ଗେଟ ଥିଲା ପଶ୍ଚିମବଂଗ। ଏହି ରାଜ୍ୟକୁ ଟିଏମସି ହାତରୁ ଛଡାଇବା ପାଇଁ ଦଳ ଯଥା ସମ୍ଭବ ଚେଷ୍ଠା କରିଥିଲା। ହେଲେ ତାହା ସଫଳ ହୋଇପାରିଲା ନାହିଁ। ବିଜେପିର ସର୍ବମୋଟ ଖର୍ଚ୍ଚରୁ ପ୍ରାୟ ୬୦ ପ୍ରତିଶତ ଟଙ୍କା କେବଳ ପଶ୍ଚିମବଂଗରେ ଖର୍ଚ୍ଚ କରିଛି।

ସେହିପରି ଦଳ ଆସାମ ନିର୍ବାଚନରେ ୪୩.୮୧ କୋଟି ଟଙ୍କା ଏବଂ ପୁଡୁଚେରୀରେ ୪.୭୯ କୋଟି ଟଙ୍କା ଖର୍ଚ୍ଚ କରିଛି। ତାମିଲନାଡୁରେ ଦଳ ୨୨.୯୭ କୋଟି ଟଙ୍କା ଖର୍ଚ୍ଚ କରିଛି। କେରଳରେ, ଯେଉଁଠାରେ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଖଊୠ) ଶାସନ କରିବାରେ ସଫଳ ହୋଇଛି ସେଠାରେ ବିଜେପି ୨୯.୨୪ କୋଟି ଟଙ୍କା ଖର୍ଚ୍ଚ କରିଛି।

ଗତ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଖର୍ଚ୍ଚ କରିଛି ତାହାର ହିସାବ ନିର୍ବାଚନ କମିଶନର ମାଗିଥିଲେ। ସେହି ଅନୁସାରେ ବିଭିନ୍ନ ଦଳ ସେମାନଙ୍କର ହିସାବ ପ୍ରଦାନ କରିଛନ୍ତି। ଯାହାକୁ କମିଶନର ସାର୍ବଜନୀନ କରିଛନ୍ତି। ସେହି ହିସାବରେ ବିଜେପି ସର୍ବାଧିକ ଟଙ୍କା ଖର୍ଚ୍ଚ କରିଥିବାର ଜଣାପଡିଛି।

Categories
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?

କେଦାର ମିଶ୍ର 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ମାନେ କଣ? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ। ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଳମ୍ବିତ କାର୍ୟକ୍ରମ ଘୋଷଣା କରାଯାଇଥିଲା।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ। ତେବେ ଆଜିର ପୃଷ୍ଠଭୂମିରେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଓ କାର୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। ପ୍ରଥମତଃ ଏହାକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ସହିତ ଏକାଠି ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିଲା। ବିଧାନସଭା ସମୟ ଅବଧି ସରିବାର  ୬ ମାସ ଆଗରୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ କମିଶନ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ଝାଡଖଣ୍ଡକୁ ଅନ୍ୟ ଦୁଇ ରାଜ୍ୟର ନିର୍ବାଚନଠାରୁ ଅଲଗା କରିବାର ଉଦ୍ଦେଶ୍ୟ କଣ? ଯଦିବା ଏହା ଅଲଗା ସମୟରେ ହେଉଛି, ମାତ୍ର ୮୧ ତ ବିଧାନସଭା ଲାଗି ୨୦ ଦିନ ବ୍ୟାପୀ ପାଞ୍ଚୋଟି ପର୍ୟାୟର ନିର୍ବାଚନ କାହିଁକି? ନିକଟରେ ମହାରାଷ୍ଟ୍ର ଭଳି ବଡ ରାଜ୍ୟ, ଯେଉଁଠି ୨୮୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିଲା, ତାହା ଗୋଟିଏ ଦିନରେ ସମ୍ପନ୍ନ ହୋଇଥିବା ବେଳେ ଝାଡଖଣ୍ଡ ଭଳି ଛୋଟ ରାଜ୍ୟରେ ପାଞ୍ଚ ଥାକିଆ ନିର୍ବାଚନ କାହିଁକି ?

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଝାଡଖଣ୍ଡରେ ନକ୍ସଲ ଅଞ୍ଚଳ ଓ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ହୁଏତ ଏ ପ୍ରକାର ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇପାରେ। ତେବେ ମହାରାଷ୍ଟ୍ରର ଗଡ ଚିରୋଲି ଅଞ୍ଚଳ ନକ୍ସଲ ପ୍ରଭାବିତ ନଥିଲା କି? ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା କେମିତି? ମହାରାଷ୍ଟ୍ରର ଭୌଗୋଳିକ ବିବିଧତା ଝାଡଖଣ୍ଡ ତୁଳନାରେ ଅଧିକ ବ୍ୟାପକ। ତା ସତ୍ତ୍ୱେ ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା। ଝାଡଖଣ୍ଡରେ କଣ ଏମିତି ହେଲା ଯେ ଏଠି ମାସେ ଯାଏ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବ? ନିର୍ବାଚନ କମିଶନଙ୍କ ଏ ପ୍ରକାର ସିଦ୍ଧାନ୍ତକୁ ନେଇ ଏବେ ସନ୍ଦେହ ଉଠୁଛି। ଉଠିବା ସ୍ଵାଭାବିକ ମଧ୍ୟ। ଭିନ୍ନ ରାଜ୍ୟ ଲାଗି ଭିନ୍ନ ନିର୍ବାଚନୀ ବ୍ୟବସ୍ଥା ଗ୍ରହଣ ପଛରେ ଠୋସ କାରଣ ନ ରହିଲେ, ନିର୍ବାଚନ କମିଶନ ପ୍ରତି ଲୋକଙ୍କ ଆସ୍ଥା କମିଯିବ। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଅନେକ ସମାଲୋଚନା ହୋଇଛି। ଏବେ ଝାଡଖଣ୍ଡ ନିର୍ବାଚନକୁ ବିଳମ୍ବିତ ଓ ପ୍ରଲମ୍ବିତ କରିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ଧାରଣା ସୃଷ୍ଟି ହୋଇଛି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।