Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶୁକପକ୍ଷୀକୁ ନେଇ ବାଣପୁରରେ ଉତ୍ତେଜନା, ନିଳାଦ୍ରିପ୍ରସାଦ ଗ୍ରାମବାସୀ ଓ ବନ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ  ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି।

ମିଳିଥିବା ସୂଚନା ଅନୁସାରେ ନିଳାଦ୍ରି ପ୍ରସାଦ ଗ୍ରାମବାସୀମାନେ ଏକ ଶୁଆକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ୧୧ ଘଟିକାରେ କିଛି ଛୋଟ ପିଲା ଶୁଆ ପକ୍ଷୀକୁ ନେଇ ଯାଉଥିବାବେଳେ କିଛି ଯୁବକ ସେହି ଶୁକପକ୍ଷୀକୁ ଉଦ୍ଧାର କରି ବଣରେ ଛାଡିବା ନିମନ୍ତେ ଚେଷ୍ଟା କରୁଥିବାବେଳେ ବନ ଅଧିକାରୀଙ୍କ କ୍ରୋଧର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ରେଞ୍ଜର ପାହ୍ୟାର ଅଫିସର ସହ ଫରେଷ୍ଟ ଗାର୍ଡ ସହ ନିଳାଦ୍ରିପ୍ରସାଦ ଗ୍ରାମର ବିଶ୍ବ ନାମ୍ନୀଜଣେ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀଙ୍କଠୁ ଶୁଆ ପକ୍ଷୀଟିକୁ ନେଇ ତାଙ୍କୁ ଗାଡ଼ିରେ ବସିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ସେହି ଯୁବକମାନେ ଏହାକୁ ବିରୋଧ କରିବା ସହିତ କ’ଣ ପାଇଁ ଗାଡ଼ିରେ ବସିବାକୁ କୁହାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଶୁକ ପକ୍ଷୀକୁ ଉଦ୍ଧାର କରିବା କ’ଣ ଭୁଲ ବୋଲି ଯୁବକମାନେ ବନ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଯଦି ଏହା ଭୁଲ୍‌ ତେବେ ଜଙ୍ଗଲରୁ କାଠ କିପରି ଚୋରି ହେଉଛି ବୋଲି ଯୁକ୍ତି କରିଥିଲେ ଯୁବକମାନେ।

ଏହା ପରେ ଫରେଷ୍ଟ ଗାର୍ଡ ଜଣକ ଯୁବକମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଯୁବକଙ୍କୁ ଧମକ ଦେଇଥିଲେ। ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ହେବାରୁ ଯୁବକମାନେ ଉପରିସ୍ଥ ଅଧିକାରୀଙ୍କୁ ଡାକି ଏହାର ସମାଧାନ ପାଇଁ କହିଥିଲେ। କିନ୍ତୁ ସେହି ବନ ଅଧିକାରୀମାନେ ସେମାନଙ୍କ ଷ୍ଟାପ୍‌ ଏବଂ ସ୍ପେଶିଆଲ ଫୋର୍ସଙ୍କୁ ଡାକି ଗ୍ରାମବାସୀଙ୍କ ସମେତ ଯୁବକଙ୍କୁ ନିର୍ଦ୍ଧୁମ ବାଡେଇ ଲହୁଲହାଣ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବନ ଅଧିକାରୀଙ୍କ ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସମ୍ପୃକ୍ତ ଗ୍ରାମବାସୀ ଥାନାରେ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ଡେପୁଟି ରେଞ୍ଜର ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି। ଶୁକ ପକ୍ଷୀକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ଗ୍ରାମବାସୀମାନଙ୍କ ସହିତ ବନ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର କହିଛନ୍ତି। ଗ୍ରାମବାସୀମାନେ ବନ ଅଧିକାରୀଙ୍କ ବହୁ ଗାଡି ଭାଙ୍ଗିଥିବାବେଳେ ଚାରି ଜଣ ଆହତ ହୋଇଥିବାର ଅଭିଯୋଗ କରିଛନ୍ତି ଡେପୁଟି ରେଞ୍ଚର୍। ଗତକାଲି ବାଣପୁର ଥାନା ତରଫରୁ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିବାବେଳେ ଏହା ସମ୍ଭବ ହୋଇପାରିନଥିଲା। ବାଣପୁର ଥାନାରେ ଏହାକୁ ନେଇ ଦୁଇ ପୃଥକ ପୃଥକ ଅଭିଯୋଗ ଦାଏର କରାଯାଇଥିଲା। ଆଜି ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଉଭୟ ପକ୍ଷଙ୍କ ସହ ଏହି ସମସ୍ୟାର ସମାଧାନ କରିବେ ବୋଲି ଜଣାପଡିଛି।

କରୋନା ଭାଇରସ୍‌କୁ ନେଇ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ସାମାନ୍ୟ ଶୁକ ପକ୍ଷୀକୁ ନେଇ ବାଣପୁରରେ ହୋଇଥିବା ଉତ୍ତେଜନାମୟ ପରିବେଶକୁ ସାଧାରଣରେ ନିନ୍ଦା କରାଯାଉଛି। ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଉଥିବାବେଳେ ଶୁକ ପକ୍ଷୀକୁ ନେଇ ବାଣପୁର ଅଞ୍ଚଳରେ ଦେଖାଦେଇଥିବା ଏପରି ପରିସ୍ଥିତିକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀମାନେ।