Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଭାରତର ବିଶ୍ୱ ଶକ୍ତି ଉପରେ ମତ ରଖିବେ ନୀତା ଅମ୍ବାନୀ 

ବୋଷ୍ଟନ୍‌: ଫେବୃଆରୀ ୧୫-୧୬, ୨୦୨୫ ରେ ବୋଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ହାର୍ଭାର୍ଡ ଇଣ୍ଡିଆ କନଫରେନ୍ସ (ଆଇସିଏଚ) ରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ଭାରତର ବିଶ୍ୱ ଶକ୍ତି ଏବଂ ସମ୍ଭାବନା ଉପରେ ନିଜର ମତ ରଖିବେ। ଏଥିନେଇ ରବିବାର ଦିନ ଆଇସିଏଚ ପକ୍ଷରୁ ଘୋଷଣା କରାଯାଇଛି। ଏହି ବର୍ଷର ଥିମ୍ ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ରଖାଯାଇଛି।

ନୀତା ଅମ୍ବାନୀ ତାଙ୍କ ସାମାଜିକ କାର୍ଯ୍ୟ ମାଧ୍ୟମରେ ୮ କୋଟିରୁ ଅଧିକ ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛନ୍ତି। ନିକଟରେ ନିଜର ସଫଳ ଉଦ୍ୟମ ବଳରେ ସେ ଚାରି ଦଶନ୍ଧି ପରେ ଭାରତରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନ ଆୟୋଜନ କରିବା ସହିତ ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତର ଆବେଦନକୁ ମଜବୁତ କରିଛନ୍ତି। ତାଙ୍କର ଏହି ସଫଳତା ଭାରତର ବିଶ୍ୱ ପ୍ରଭାବ ଏବଂ ନେତୃତ୍ୱ ସାମର୍ଥ୍ୟର ପ୍ରତୀକ।

ଆୟୋଜକଙ୍କ ସୂଚନା ଅନୁସାରେ ଏହି ସମ୍ମିଳନୀରେ ୮୦ ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ନୀତା ଅମ୍ବାନୀଙ୍କ ସହ ଫାୟାରସାଇଡ ବାର୍ତ୍ତାଳାପରେ ଭାରତର ବିଶ୍ୱ ସ୍ତରରେ ଭୂମିକା ଏବଂ ଦୃଷ୍ଟିକୋଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ôଥକ ଅନ୍ତର୍ଭୂକ୍ତିକୁ ନେଇ ଏକ ପଲିସି ହ୍ୟାକାଥନ୍ ଏବଂ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍ ପିଚ୍ ପ୍ରତିଯୋଗିତା ଆୟୋଜିତ ହେବ।

ଅନ୍ୟାନ୍ୟ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସର ପ୍ରତିଷ୍ଠାତା ଡିନ୍ ପ୍ରମଥ ରାଜ ସିହ୍ନା, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସିଇଓ ଅନିଶ ଚୌହାନ, ଫ୍ୟାଶନ୍ ଡିଜାଇନର୍ ସାବ୍ୟାସାଚୀ ମୁଖାର୍ଜୀ ଏବଂ ଅଞ୍ଜଳି ବଂଶଲ।

ସମ୍ମିଳନୀର ସହ-ଚେୟାରମ୍ୟାନ୍ ଆୟୁଷ ଶୁକ୍ଲା କହିଛନ୍ତି ଯେ ଏହି ମଞ୍ଚ ଭାରତର ବୈଷୟିକ ପ୍ରଗତି, ସାଂସ୍କୃତିକ ବିବିଧତା ଏବଂ ସମୁଦାୟିକ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତ ଉପରେ ପର୍ଯ୍ୟବେସିତ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପ୍ରଭାବଶାଳୀ ସମ୍ମିଳନୀ ମଧ୍ୟରେ ହାର୍ଭାର୍ଡ ଇଣ୍ଡିଆ କନଫରେନ୍ସ ଅନ୍ୟତମ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସ ଯୁବ କ୍ରିକେଟରଙ୍କୁ ପ୍ରସ୍ତୁତ କରିବାର ପରମ୍ପରା ଜାରି ରଖିବ: ନୀତା ଅମ୍ବାନୀ

ମୁମ୍ବାଇ: ସୋମବାର ଦିନ ଅନୁଷ୍ଠିତ ଆଇପିଏଲ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତା ଏମ ଅମ୍ବାନୀ। ସେ ନୂତନ ପ୍ରତିଭା ପ୍ରତିପୋଷଣ ଏବଂ ଭାରତୀୟ କ୍ରିକେଟ୍ ପାଇଁ ବିଶ୍ୱ ସ୍ତରୀୟ ଖେଳାଳି ପ୍ରସ୍ତୁତ କରିବା ଦିଗରେ ଦଳର ରହିଆସିଥିବା ପରମ୍ପରା ଉପରେ ଆଲୋକପାତ କରିଛନ୍ତି।

ନୀତା ଅମ୍ବାନୀ କହିଛନ୍ତି, “ମେଗା ନିଲାମର ଅର୍ଥ ହେଉଛି ଏକ ନୂତନ ଆରମ୍ଭ ଏବଂ ଏକ ନୂତନ ଦଳ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଉତ୍ସାହ ଏବଂ ଆତ୍ମା​​ସର୍ବଦା ପୂର୍ବ ଭଳି ରହିଛି। କିଛି ନୂତନ ପ୍ରତିଭାବାନ ଚେହେରାକୁ ସ୍ୱାଗତ କରି ଆମେ ଗର୍ବିତ ଏବଂ ଆମର ପୁରୁଣା ଖେଳାଳିଙ୍କୁ ଫେରାଇ ଆଣିବାରେ ମଧ୍ୟ ଆମେ ସଫଳ ହୋଇଛୁ। ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ପରି ମଜଭୁତ ମୂଳ ଖେଳାଳିଙ୍କୁ କେନ୍ଦ୍ରରେ ରଖି ନେଇ ଏକ ନୂତନ ଦଳ ଗଠନ କରାଯାଇଛି।”

ସେ କହିଛନ୍ତି, “ଏହା ଆମ ପାଇଁ ଗର୍ବର ବିଷୟ ଯେ, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଭଳି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରି ଭାରତୀୟ ଦଳରେ ନିଜ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଆମ ପାଖରେ ନମନ ଧୀର, ରବିନ୍ ମିଞ୍ଜ, ଅଶ୍ୱିନୀ କୁମାର ଏବଂ ରାଜ ଅଙ୍ଗଦ ବାୱାଙ୍କ ଭଳି ଯୁବ ଖେଳାଳି ଅଛନ୍ତି, ଯାହାଙ୍କୁ ଆମେ ପ୍ରସ୍ତୁତ କରି ସଫଳତାର ନୂତନ ଶିଖରରେ ପହଞ୍ଚିବା ପାଇଁ ସୁଯୋଗ ଦେବୁ।”

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ୧୪୦ ଜଣ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ ଆଥଲେଟ୍

ମୁମ୍ବାଇ: ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୯, ୨୦୨୪) ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ନୀତା ଏମ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନୀତା ଏମ ଅମ୍ବାନୀ କହିଛନ୍ତି ଯେ, “ଏହା ବାସ୍ତବରେ ଏକ ଐତିହାସିକ ମୁହୂର୍ତ୍ତ। ଗତ ଦୁଇମାସ ମଧ୍ୟରେ, ଆମର ଅଲିମ୍ପିଆନ୍ ଏବଂ ପାରାଅଲିମ୍ପିଆନମାନେ ଗର୍ବର ସହିତ ସମଗ୍ର ବିଶ୍ୱରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି! ପ୍ରଥମ ଥର ପାଇଁ ସେମାନେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି। ପ୍ରଥମ ଥର ପାଇଁ ୧୪୦ ରୁ ଅଧିକ ଅଲିମ୍ପିକ୍ ଏବଂ ପାରାଅଲିମ୍ପିକ୍ ଆଥଲେଟ୍ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ବିଜୟରେ ଏକଜୁଟ, ଉତ୍ସବରେ ଏକଜୁଟ ଏବଂ କ୍ରୀଡାର ସମାଵେଶୀ ଭାବନାରେ ଏକଜୁଟ ହୋଇଛନ୍ତି।”

ଶ୍ରୀମତୀ ଅମ୍ବାନୀ ମଧ୍ୟ ‘କ୍ରୀଡ଼ାର ପରିବର୍ତ୍ତନ ଆଣିବାର ଶକ୍ତି’ ସମ୍ପର୍କରେ ମତ ରଖିଥିଲେ। ଅଲିମ୍ପିକ୍ସରେ ଭାରତର ମହିଳା ଆଥଲେଟମାନଙ୍କ ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି, “ସେମାନଙ୍କର ସଫଳତା ଅଧିକ ସ୍ୱତନ୍ତ୍ର କାରଣ ବୃତ୍ତିଗତ ଭାବେ କ୍ରୀଡ଼ାକୁ ଆଗକୁ ବଢାଇବା ଦିଗରେ ମହିଳାମାନଙ୍କୁ ଅନେକ ପ୍ରକାରର କଠିନତାର ସମ୍ମୁଖୀନ ହେବାକୁ ପଡିଥାଏ।

କେବଳ ଆର୍ଥିକ ଆହ୍ୱାନ ନୁହେଁ, ବରଂ ସେମାନଙ୍କ ପରିବାରରୁ ଅନୁମତି ଲାଭ କରିବା, କିମ୍ବା ପ୍ରଶିକ୍ଷଣ ପାଇଁ ସୁବିଧା ଖୋଜିବା, ଫିଜିଓ ଏବଂ ପୁନର୍ବାସ କେନ୍ଦ୍ରରେ ପହଞ୍ଚିବା, ଏପରିକି କୋଚମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ସେମାନଙ୍କୁ ନିଜ ଗ୍ରାମଠାରୁ ବହୁ ଦୂର ଯାତ୍ରା କରିବାକୁ ପଡିଥାଏ। ଝିଅମାନଙ୍କ ପାଇଁ କ୍ରୀଡ଼ାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏକ ଦୀର୍ଘ ଏବଂ କଠିନ ଯାତ୍ରା। ଏହା ସତ୍ତ୍ୱେ ଆମର ମହିଳା ଆଥଲେଟମାନେ ସଫଳତାର ଶିଖରରେ ପହଞ୍ଚିଛନ୍ତି। ସେମାନେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛନ୍ତି – ଏକ ବାର୍ତ୍ତା ଯାହା କହୁଛି ସେମାନେ ଅଜେୟ ଅଟନ୍ତି ଏବଂ ସେମାନଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ! ”

ଆକାଶ ଅମ୍ବାନୀ ଖେଳାଳିମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି, “ସମଗ୍ର ରିଲାଏନ୍ସ ପରିବାର ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହି ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଁ ମୋର ମା’ ନୀତା ଅମ୍ବାନୀଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି। ରିଲାଏନ୍ସ ଫାଉଣ୍ଡେସନରେ ହେଉଥିବା ସମସ୍ତ କାର୍ଯ୍ୟ ଭଳି ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍’ମଧ୍ୟ ତାଙ୍କ ଦୂରଦର୍ଶିତାର ଫଳ।”

ଏହି ଅବସରରେ ବିଭିନ୍ନ କ୍ରୀଡା କ୍ଷେତ୍ରରୁ ଆସିଥିବା ଆଥଲେଟମାନଙ୍କୁ ସେମାନଙ୍କ ପରିଶ୍ରମ, ଉତ୍ସାହ ଏବଂ ଉଭୟ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସରେ ଭାରତକୁ ବିଶ୍ୱ ସ୍ତରରେ ଆଗକୁ ନେଇଥିବାରୁ ସମ୍ମାନିତ କରାଯାଇଥିଲା ଏଥିରେ ନୀରଜ ଚୋପ୍ରା, ମନୁ ଭାକର ଏବଂ ଭାରତର ପ୍ରଥମ ପାରାଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ଭଳି ଅଲିମ୍ପିକ ଏବଂ ପାରାଅଲିମ୍ପିକ ପଦକ ବିଜେତାମାନେ ଯୋଗ ଦେଇଥିଲେ।

ଦୁଇଟି ପାରାଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ତଥା ଭାରତୀୟ ପାରାଅଲିମ୍ପିକ୍ ସମିତିର ସଭାପତି ଦେବେନ୍ଦ୍ର ଝାଝରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସୁମିତ ଆଣ୍ଟିଲ, ନୀତେଶ କୁମାର, ହରବିନ୍ଦର ସିଂ, ଧର୍ମବୀର ନୈନ, ନବଦୀପ ସିଂ ଏବଂ ପ୍ରବୀଣ କୁମାର ମଧ୍ୟ ଉପସ୍ଥିତ ରହିଥିଲେ। ଏମାନେ ସମସ୍ତେ ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରୀତି ପାଲ, ମୋନା ଅଗ୍ରୱାଲ, ସିମରନ୍ ଶର୍ମା, ଦୀପ୍ତି ଜୀବଞ୍ଜୀ ଏବଂ ସରବଜୋତ ସିଂ, ସ୍ଵପ୍ନିଲ କୁସାଲେ ଓ ଅମନ ସେହରାୱତଙ୍କ ଭଳି ଅଲମ୍ପିଆନଙ୍କ ସମେତ ଅନେକ ପ୍ରମୁଖ ଆଥଲେଟମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ୟାରିସରେ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିବା ଅଧିନାୟକ ହରମନପ୍ରୀତ ସିଂ ଏବଂ ପି.ଆର ଶ୍ରୀଜେଶ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଲିମ୍ପିକ୍ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ୧୪ ବର୍ଷ ବୟସରେ ଭାରତୀୟ ଦଳର ସର୍ବ କନିଷ୍ଠ ସଦସ୍ୟ ଢ଼ିନିଢ଼ି ଦେସିଙ୍ଗହୁ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କର ଉପଲବ୍ଧି ଓ ସଫଳତା ଦେଶ ପାଇଁ ଗୌରବ ଆଣିବା ସହିତ ଭବିଷ୍ୟତ ପିଢ଼ିକୁ କ୍ରୀଡ଼ାରେ ଉତ୍କର୍ଷ ହାସଲ କରିବା ଦିଗରେ ପ୍ରେରଣା ଦେଇଛି।

ଏହି କାର୍ଯ୍ୟକ୍ରମରେ ଦୀପା ମଲିକ, ସାନିଆ ମିର୍ଜା, କର୍ଣ୍ଣମ ମଲେଶ୍ୱରୀ ଏବଂ ପୁଲେଲା ଗୋପୀଚାନ୍ଦଙ୍କ ଭଳି କିମ୍ବଦନ୍ତୀ ଖେଳାଳି ମାନେ ମଧ୍ୟ ଯୋଗ ଦେଇଥିଲେ, ଯେଉଁମାନେ ନିଜର ସଫଳତା ଏବଂ ଉତ୍କୃଷ୍ଟତା ଦ୍ୱାରା ଅଗଣିତ ଯୁବକଯୁବତୀଙ୍କୁ ପ୍ରେରଣା ଦେଇଛନ୍ତି।

କ୍ରୀଡା କେନ୍ଦ୍ରିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ସୁପରଷ୍ଟାର ରଣବୀର ସିଂ ଏବଂ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର କ୍ରୀଡ଼ା ହିରୋମାନଙ୍କ ପ୍ରତି ନିଜର ସମର୍ଥନ ଜଣାଇବା ସହ ଉତ୍ସାହବର୍ଦ୍ଧନ କରିଥିଲେ।

ଦେବେନ୍ଦ୍ର ଝାଝରିଆ, ସୁମିତ ଆଣ୍ଟିଲ ଏବଂ ଭାରତୀୟ ପାରାଲିମ୍ପିକ ସମିତିର ମୁଖ୍ୟ ପ୍ରଶିକ୍ଷକ ସତ୍ୟନାରାୟଣ ନୀତା ଅମ୍ବାନୀଙ୍କୁ ସମାନତା ଏବଂ ଏକତାର ପ୍ରତୀକ ପ୍ୟାରିସ ୨୦୨୪ ପାରାଅଲିମ୍ପିକ୍ସର ମଶାଲ ପ୍ରଦାନ କରିଥିଲେ। ଭାରତରେ କ୍ରୀଡାକୁ ଅଧିକ ସମାଵେଶୀ କରିବା ଦିଗରେ ତାଙ୍କର ଉଦ୍ୟମକୁ ପ୍ରଶଂସା କରି ଏହି ମଶାଲ ପ୍ରଦାନ କରାଯାଇଥିଲା।

ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ ଭାରତୀୟ କ୍ରୀଡ଼ାରେ ଏକ ନୂତନ ଅଧ୍ୟାୟ ଯୋଡିଛି। ଯେଉଁଠାରେ ପ୍ରତ୍ୟେକ ଆଥଲେଟଙ୍କୁ ତାଙ୍କର ନିଷ୍ଠା, ସମର୍ପଣ, ପରିଶ୍ରମ ଏବଂ ଉତ୍କର୍ଷ ପାଇଁ ସମ୍ମାନିତ କରାଯାଇଥିଲା। ଏକାଧିକ କ୍ରୀଡ଼ାରେ ସଫଳତା ସହ ଭାରତକୁ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବା ଦିଗରେ ସହଯୋଗ କରିବାକୁ ଶ୍ରୀମତୀ ଅମ୍ବାନୀଙ୍କ ରହିଥିବା ଲକ୍ଷ୍ୟକୁ ଆଥଲେଟମାନେ ସମର୍ଥନ ଜଣାଇଛନ୍ତି। ଏକତା ପ୍ରଦର୍ଶନ କରି ସମସ୍ତେ ସ୍ୱୀକାର କରିଛନ୍ତି ଯେ ଭାରତରେ ଅଲିମ୍ପିକ୍ ଆନ୍ଦୋଳନକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା ଅମ୍ବାନୀ

ମୁମ୍ବାଇ: ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ।

ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ମୁଁ ଭାରତର ଅସାଧାରଣ ଆଥଲେଟମାନଙ୍କ ପାଇଁ ବେଶ ଗର୍ବିତ ଅନୁଭବ କରୁଛି। ରେକର୍ଡ ୭ଟି ସ୍ବର୍ଣ୍ଣ ପଦକ ସହିତ ଏବେଯାଏଁ ସର୍ବାଧିକ ୨୯ ଟି ପଦକ ଏବଂ ଆମର ସର୍ବଶ୍ରେଷ୍ଠ ମେଡାଲ ତାଲିକା ରାଙ୍କିଙ୍ଗ (ସ୍ଥାନ) ସହ ଆପଣମାନେ କେବଳ ରେକର୍ଡ ଭାଙ୍ଗି ନାହାଁନ୍ତି, ବରଂ ଅନେକ ପ୍ରତିବନ୍ଧକ ଦୂର କରିଛନ୍ତି। ଆପଣମାନଙ୍କର ଦୃଢ଼ତା, ପ୍ରତିଭା ଏବଂ ସଫଳତା ଯୋଗୁଁ ଭାରତ ଆଜି ଉଚ୍ଚ ଭାବରେ ଛିଡା ହୋଇଛି।

ଏହି ସଫଳତାକୁ ପାଳନ କରିବାରେ ଆପଣମାନେ ସାରା ଦେଶକୁ ଏକତ୍ର କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ବଡ କରିବା ପାଇଁ ସ୍ବପ୍ନ ଦେଖିବାକୁ ପ୍ରେରିତ କରିଛନ୍ତି। ମୁଁ ଆପଣ ସମସ୍ତଙ୍କ ଯାତ୍ରାକୁ ସଲାମ କରୁଛି ଏବଂ ଆଗାମୀ ବର୍ଷ ମାନଙ୍କରେ ଆପଣମାନେ ସଫଳତାର ଆହୁରି ଉଚ୍ଚତର ସ୍ଥାନରେ ପହଞ୍ଚିବାର କାମନା କରୁଛି । ଜୟ ହିନ୍ଦ!”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟା ଭାବରେ ନିର୍ବାଚିତ ହେଲେ ନୀତା ଅମ୍ବାନୀ 

ପ୍ୟାରିସ୍‌: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି। ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି, ଅର୍ଥାତ୍ ୧୦୦ ପ୍ରତିଶତ ସମର୍ଥନ। ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ। ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି।

ପୁନଃ ନିର୍ବାଚିତ ହେବା ନେଇ ​​ନୀତା ଅମ୍ବାନୀ କହିଛନ୍ତି, “ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଛି। ମୁଁ ସଭାପତି ବାକ ଏବଂ ଆଇଓସିରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ମୋ ଉପରେ ବିଶ୍ୱାସ ଏବଂ ଭରସା ରଖିଥିବାରୁ ଧନ୍ୟବାଦ ଜଣାଉଛି। ଏହି ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି। ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଏବଂ ସାରା ଦୁନିଆରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଛି।

ସୂଚନାଯୋଗ୍ୟ ଯେ, ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା। ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା। ପ୍ରଥମ ଥର ପାଇଁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ୍ ନିର୍ମାଣ କରାଯାଇଛି। ଯାହା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି, ସମର୍ଥକ ଏବଂ ଦର୍ଶକଙ୍କ ପାଇଁ ଭାରତଠାରୁ ଦୂରରେ ଥିବା ଘର ପରି ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡା ଉତ୍କର୍ଷର ବର୍ଷ ହୋଇଛି। ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟମାନେ ବିଶ୍ୱ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱଦେଶ ପକ୍ଷରୁ ଭାରତୀୟ କଳା ଓ ହସ୍ତଶିଳ୍ପ ପାଇଁ ଏକ ନୂତନ ପେଣ୍ଠସ୍ଥଳ ଉନ୍ମୋଚିତ

ହାଇଦ୍ରାବାଦ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବୁଧବାର ତେଲେଙ୍ଗାନାରେ ରିଲାଏନ୍ସ ରିଟେଲ ର ପ୍ରଥମ ସ୍ୱଦେଶ ଷ୍ଟୋରକୁ ଉଦଘାଟନ କରିବା ସହ ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଧାରାର ଶୁଭାରମ୍ଭ ହୋଇଛି ।

ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଦୀର୍ଘ ଦିନର ପ୍ରତିବଦ୍ଧତା ଏବଂ ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବ୍ୟାପକ ଭାବେ ଲୋକମାନଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ନେଇ ଶ୍ରୀମତୀ ଅମ୍ବାନୀଙ୍କର ରହିଥିବା ଲକ୍ଷ୍ୟରୁ ଜନ୍ମିତ ସ୍ୱଦେଶ, ଭାରତର ଦୀର୍ଘ ଦିନର କଳା ଏବଂ ହସ୍ତଶିଳ୍ପର ବିଶ୍ୱସ୍ତରରେ ଗ୍ରହଣୀୟତା ତଥା ଭାବନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।

ରିଲାଏନ୍ସ ରିଟେଲ ର ସ୍ୱଦେଶ ଷ୍ଟୋରଗୁଡ଼ିକ କେବଳ ଶତାବ୍ଦୀ ପୁରୁଣା କଳା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ଭାରତକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ନାହିଁ ବରଂ କାରିଗର ତଥା ଶିଳ୍ପୀମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ଖୋଲିବ, ଯାହା ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ସେମାନଙ୍କ କାର୍ଯ୍ୟକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ )ର ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ଉଦ୍ଦେଶ୍ୟ ଅନୁଯାୟୀ ଅଭିନବ ତଥା ସ୍ଥାୟୀ ସମାଧାନ ମାଧ୍ୟମରେ ଭାରତର ବିକାଶମୂଳକ ଆହ୍ୱାନର ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା

ହାଇଦ୍ରାବାଦରେ ପ୍ରଥମ ଏକକ ସ୍ୱଦେଶ ଷ୍ଟୋରର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ, “ସ୍ୱଦେଶ ଭାରତର ପାରମ୍ପରିକ କଳା ଓ କାରିଗରମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଦେଶର ଦୀର୍ଘ ଦିନର କଳା ଓ ହସ୍ତଶିଳ୍ପ କୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହା ଆମର ବିନମ୍ର ଉଦ୍ୟମ।

ସ୍ୱଦେଶ ‘ମେକ୍ ଇନ୍ ଇଣ୍ଡିଆ’ର ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଆମର ଦକ୍ଷ କାରିଗରମାନଙ୍କୁ ସମ୍ମାନ ଓ ଜୀବିକା ପ୍ରଦାନ କରୁଛି। ସେମାନେ ପ୍ରକୃତରେ ଆମ ଦେଶର ଗର୍ବ ଅଟନ୍ତି ଏବଂ ସ୍ୱଦେଶ ମାଧ୍ୟମରେ ଆମେ ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିବାକୁ ଆଶା କରୁଛୁ ଯାହା ସେମାନେ ପାଇବାକୁ ଯୋଗ୍ୟ। ସେଥିପାଇଁ ଆମେ କେବଳ ଭାରତନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆମେରିକା ଓ ୟୁରୋପରେ ସ୍ୱଦେଶକୁ ବିସ୍ତାର କରିବାକୁ ଉତ୍ସାହିତ ରହିଛୁ। ”

ରିଲାଏନ୍ସ ଫାଉଣ୍ଡେସନର ନିରନ୍ତର ପ୍ରୟାସର ସାକ୍ଷୀ ସ୍ୱରୂପ, ଭାରତୀୟ କାରିଗରମାନେ ନିକଟରେ ମୁମ୍ବାଇରେ ଆରମ୍ଭ ହୋଇଥିବା ତଥା କଳା ଏବଂ ସଂସ୍କୃତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି)ରେ ସୁନ୍ଦର ସ୍ୱଦେଶ ଏକ୍ସପେରିଏନ୍ସ ଜୋନରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଅତିଥିଙ୍କ ଠାରୁ ବେଶ ପ୍ରଶଂସା ପାଇଥିଲେ। ପର୍ଯ୍ୟଟକମାନେ ଅଭିଜ୍ଞ / ମାଷ୍ଟର କାରିଗରମାନଙ୍କୁ ସେମାନଙ୍କର ପାରମ୍ପରିକ କର୍ମକ୍ଷେତ୍ରର କାର୍ଯ୍ୟ କରୁଥିବାର ଦେଖିବା ସହ ସେମାନଙ୍କ ସହିତ କଥାବାର୍ତା କରିଥିଲେ ଏବଂ ସେମାନଙ୍କ କଳାକୃତିକୁ ମଧ୍ୟ କିଣିଥିଲେ।

ମେ’ ମାସ ପ୍ରାରମ୍ଭରେ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏନ୍‌ଏମ୍‌ଏସିସି ସ୍ୱଦେଶ ପ୍ରଦର୍ଶନୀକୁ ଜନସାଧାରଣଙ୍କ ବ୍ୟାପକ ଚାହିଦା ଦୃଷ୍ଟିରୁ ସମୟ ସୀମା ବୃଦ୍ଧି କରାଯାଇଥିଲା। ସେଠାରେ ବହୁ ଲୋକଙ୍କ ଆଗମନ ହୋଇଥିଲା ଏବଂ କାରିଗରମାନଙ୍କୁ ଦୈନିକ ବରାଦ ମିଳୁଥିଲା ଯାହାର ସମଗ୍ର ପାଣ୍ଠି କାରିଗରମାନଙ୍କ ପାଖକୁ ଯାଇଥିଲା।

ଏହାବ୍ୟତୀତ ସ୍ୱଦେଶ ଅଭିଯାନର ଏକ ଅଂଶ ଭାବରେ ତୃଣମୂଳ ସ୍ତରରେ ପହଞ୍ଚିବା ସୁନିଶ୍ଚିତ କରିବା ଏବଂ ଆଞ୍ଚଳିକ କାରିଗର ସମ୍ପ୍ରଦାୟ ଏବଂ କଳାକୁ ବଜାୟ ରଖିବାରେ ଯୋଗଦାନ ଦେବା ପାଇଁ ସମଗ୍ର ଭାରତରେ ୧୮ଟି ରିଲାଏନ୍ସ ଫାଉଣ୍ଡେସନ ଆର୍ଟିସନ ଇନିସିଏଟିଭ୍ ଫର୍ ସ୍କିଲ୍ ଏନହାନସମେଣ୍ଟ (ଆରଏଆଇଏସଇ) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ଦ୍ୱାରା ୬୦୦ରୁ ଅଧିକ ପ୍ରକାରର ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦନ / ସଂଗ୍ରହ ସମ୍ଭବ ହେବ ବୋଲି ଆଶା କରାଯାଉଛି।

ରିଲାଏନ୍ସ ରିଟେଲ୍ ର ଅଭିଯାନ ସ୍ୱଦେଶ ଷ୍ଟୋର୍ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଏବଂ ଏହାର କଳାକୁ ସଂରକ୍ଷିତ ରଖିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଯାତ୍ରାର ଏକ ସ୍ୱାଭାବିକ ଅଗ୍ରଗତି। ତେଲେଙ୍ଗାନାର ଜୁବିଲି ହିଲ୍ସରେ ଖୋଲିଥିବା ପ୍ରଥମ ସ୍ୱଦେଶ ଷ୍ଟୋର ୨୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଯେଉଁଠାରେ ଭାରତର କୁଶଳୀ ଏବଂ ପ୍ରତିଭାବାନ କାରିଗରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ହାତରେ ପ୍ରସ୍ତୁତ ସାମଗ୍ରୀର ଏକ ସାମଗ୍ରିକ ସଂଗ୍ରହ ରହିବ ଯାହାକୁ ଲୋକମାନେ ବହୁ ଦିନ ଧରି ଭୁଲି ଯାଇଛନ୍ତି।

ପରିଦର୍ଶକମାଦନେ ଖାଦ୍ୟ ଉତ୍ପାଦଠାରୁ ଆରମ୍ଭ କରି ପୋଷାକ, ବୟନ ସାମଗ୍ରୀ ଏବଂ ହସ୍ତକଳା ଆଦିକୁ ବିଭିନ୍ନ ଜୋନରେ ଦେଖିପାରିବେ ଏବଂ ଏକ ଚମତ୍କାର ପରିବେଶରେ ଭାରତର ପାରମ୍ପରିକ ପରିକଳ୍ପନାକୁ ଉପଭୋଗ କରିପାରିବେ। ସେମାନେ ପ୍ରତିଟି ଉତ୍ପାଦ ପଛରେ ରହିଥିବା କାହାଣୀକୁ ‘ସ୍କାନ ଆଣ୍ଡ ନୋ’ ପ୍ରଯୁକ୍ତି ଫିଚର ଜରିଆରେ ଜାଣିପାରିବେ।

ଗ୍ରାହକମାନେ ସ୍ୱଦେଶ ଟିମ ସହିତ ମିଳିତ ଭାବରେ ସେମାନଙ୍କ ଚାହିଦା ମୁତାବକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ଚାହିଦା ମୁତାବକ ପ୍ରସ୍ତୁତି ସେବା ସହିତ ଏହି ଷ୍ଟୋରରେ କୃଷି କ୍ଷେତ୍ରରୁ ଟେବୁଲ ଚିନ୍ତାଧାରାରେ ଏକ କାଫେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ନଭେମ୍ବର ୧ ତାରିଖରେ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସାରା ଦେଶରେ ଅନ୍ନ ସେବା ଜରିଆରେ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନ୍ନ ସେବା ଜରିଆରେ ପ୍ରାୟ ୭୫୦୦୦ ଲୋକଙ୍କୁ ରନ୍ଧା ହୋଇଥିବା ଭୋଜନ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫୦୦୦ ଲୋକଙ୍କୁ ଶୁଖିଲା ରାସନ/ଗ୍ରୋସରୀ ପ୍ରଦାନ କରାଯାଇଛି।

ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଏହି ଅନ୍ନ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭୋଜନ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗରମ ଭୋଜନ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ୱୟଂସେବକ ମାନେ କରିଛନ୍ତି।

ନୀତା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବଞ୍ଚିତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ସମାରୋହ ବେଶ ସ୍ୱତନ୍ତ୍ର ଥିଲା କାରଣ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ଏଥିରେ ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ ଯେଉଁଥିରେ ନିଜର ୬୦ ତମ ଜନ୍ମଦିନରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥିଲେ।

ଓଡ଼ିଶାରେ ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ

ଭଦ୍ରକ, ବାଲେଶ୍ବର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ରେ ୫୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି। ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ, ମତ୍ସ୍ୟଜୀବୀ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ଜରିଆରେ ଏହି ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ନୀତା ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା। ନୀତା ଅମ୍ବାନୀଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି । ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସାରା ଦେଶରେ ସାତ କୋଟି ଦଶ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ପକ୍ଷରୁ ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ୍ ଚେୟାରମ୍ୟାନ୍ ଜନ୍ ଚେମ୍ବରସ୍ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ନୀତା ଅମ୍ବାନୀ କହିଛନ୍ତି, “ଏହି ସମ୍ମାନ ତଥା ପୁରସ୍କାର ପାଇ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ପ୍ରତିନିଧିତ୍ୱ କରେ, ଯାହା ମାଧ୍ୟମରେ ଆମେ ୭ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ଛୁଇଁଛୁ। “କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାନଦଣ୍ଡ ହେବାର ବହୁ ପୂର୍ବରୁ ରିଲାଏନ୍ସ କର୍ପୋରେଟ୍ ନୈତିକ ଦାୟିତ୍ୱବୋଧ ପୂର୍ଣ୍ଣ କରିଆସୁଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଏକ ବିବୃତ୍ତି ଜାରି କରି କହିଛି ଯେ ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଥିବା ଜଣେ ବିଜିନେସ ଲିଡର ଯାହାର ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷା, କଳା, କ୍ରୀଡା ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି। ବିଶେଷକରି ମହିଳା ସଶକ୍ତିକରଣ ଏବଂ ପିଲାମାନଙ୍କର ସ୍ୱାର୍ଥରକ୍ଷା ତଥା ହିତ ପାଇଁ ସେ କାର୍ଯ୍ୟ କରିଆସିଛନ୍ତି। ଲିଙ୍ଗଗତ ବିଭେଦକୁ ଦୂର କରିବା ଏବଂ ଭାରତର ବଢୁଥିବା ଅର୍ଥନୀତିରେ ମହିଳାଙ୍କ ଅବଦାନ ବୃଦ୍ଧିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

କଳା ଏବଂ ସଂସ୍କୃତିରେ ନୀତା ଅମ୍ବାନୀଙ୍କର ମହତ୍ୱପୂର୍ଣ୍ଣ ଅବଦାନର ସ୍ୱୀକୃତି ସ୍ୱରୂପ ନିକଟରେ ସେ ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡରେ ସମ୍ମାନିତ ଟ୍ରଷ୍ଟି ଭାବରେ ମନୋନୀତ ହୋଇଥିଲେ। ଗତ ବର୍ଷ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ଶୁଭାରମ୍ଭ କରାଯାଇଥିଲା, ଯାହାକୁ ଅନେକ ପ୍ରଶଂସା ମିଳିଥିଲା। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ କ୍ରୀଡା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଛି। ଏହି ଫାଉଣ୍ଡେସନ ଭାରତର ଯୁବ ଆଥଲେଟ ମାନଙ୍କୁ ତୃଣମୂଳ ସ୍ତରରେ ତଥା ବିଶ୍ୱ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହୋଇଛି।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ରେ ଭାରତର ପ୍ରତିନିଧି ଭାବରେ ନୀତା ଅମ୍ବାନୀ ସଫଳତାର ସହ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ, ଯାହା ଚାରି ଦଶନ୍ଧି ପରେ ଭାରତରେ ୧୪୧ତମ ଆଇଓସି ଅଧିବେଶନ ଆୟୋଜନ କରିବାର ଅଧିକାର ଜିତିଥିଲା। ଅକ୍ଟୋବର ୨୦୨୩ ରେ ମୁମ୍ବାଇରେ ଏହି ଅଧିବେଶନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହା ଦ୍ୱାରା ୨୦୩୬ ରେ ଅଲିମ୍ପିକ୍ ଖେଳ ଆୟୋଜନ କରିବାର ଅଧିକାର ହାସଲ କରିବାକୁ ପାଇବାକୁ ଭାରତର ରହିଥିବା ଆଶାକୁ ଅଧିକ ବଳ ମିଳିଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଅଧ୍ୟକ୍ଷ ଜନ୍ ଚେମ୍ବରସ୍ ନୀତା ଅମ୍ବାନୀଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି: “ଯେଉଁମାନେ ଜୀବନରେ ସଫଳ ହୋଇଛନ୍ତି ସେମାନଙ୍କ ପାଇଁ ଅନ୍ୟମାନଙ୍କୁ ସଫଳ ହେବାରେ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୀତା ଏମ ଅମ୍ବାନୀ, ଯିଏ ପରୋପକାରିତାର ଉଦାହରଣ ଅଟନ୍ତି ଏବଂ ରିଲାଏନ୍ସ ଫାଉଣ୍ଡେସନରେ କଳା, କ୍ରୀଡା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଆଣ୍ଟିଲିଆ’ର ୨୭ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର?, କହିଲେ ନୀତା ଅମ୍ବାନୀ

ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଅମ୍ବାନୀ ପରିବାର ଏହି ଘରର ୨୭ ତମ ମହଲାରେ ରୁହନ୍ତି। ତାଙ୍କର ୨୭ ମହଲା ବିଶିଷ୍ଟ ମହଲ ‘ଆଣ୍ଟିଲିଆ’ ଦୁନିଆର ଦ୍ୱିତୀୟ ମହଙ୍ଗା ଏବଂ ବୃହତ୍ତମ ଘର ଅଟେ। କିନ୍ତୁ ଆପଣ ଜାଣନ୍ତି କି ଅମ୍ବାନୀ ପରିବାର କେବଳ ଏହି ଘରର ୨୭ ତମ ମହଲାରେ ରୁହନ୍ତି। ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା।

ନୀତା ଅମ୍ବାନୀଙ୍କ ଅନୁଯାୟୀ, ସେ ଚାହୁଁଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ କୋଠରୀକୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ପହଞ୍ଚୁ। ତେଣୁ ସେ ୨୭ ତମ ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ, କେବଳ ଅତି ନିକଟତର ଲୋକଙ୍କୁ ଏହି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

୬୦୦ କର୍ମଚାରୀ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ଘରେ କାମ କରନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ବେତନ ପାଆନ୍ତି। ପ୍ରକାଶ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ତିନି ପିଲା ବର୍ତ୍ତମାନ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି।

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ହୀରା ବ୍ୟବସାୟୀଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏଥି ସହିତ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିକଟରେ ହୀରା ବ୍ୟବସାୟୀଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସମସ୍ତ ପ୍ରତିଭାବାନ ଖେଳାଳି ଯୋଗ ଦେଇଛନ୍ତି: ନୀତା ଅମ୍ବାନୀ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ର ଉଦ୍ଘାଟନୀ ସଂସ୍କରଣ ଆରମ୍ଭ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ଏବଂ ରୋମାଞ୍ଚକର ଖେଳାଳି ନିଲାମ ଶେଷ ହୋଇଛି। ଉକ୍ତ ଖେଳାଳି ନିଲାମ ମହିଳା କ୍ରିକେଟ ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିବସ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ର ମୁଖ୍ୟ ନୀତା ଏମ୍. ଅମ୍ବାନୀ କହିଛନ୍ତି।

‘‘ନିଲାମ ସର୍ବଦା ରୋମାଞ୍ଚକର କିନ୍ତୁ ଆଜିର ନିଲାମ ବାସ୍ତବରେ ସ୍ବତନ୍ତ୍ର ଥିଲା। ଡବ୍ଲୁପିଏଲ୍ ପାଇଁ ଏହା ପ୍ରଥମ ନିଲାମ ଥିଲା, ତେଣୁ ବାସ୍ତବରେ ଆଜି ଏକ ଐତିହାସିକ ଦିନ ଥିଲା। ସବୁ ବିଶିଷ୍ଟ ଖେଳାଳିଙ୍କ ସହିତ ମହିଳା କ୍ରିକେଟରମାନଙ୍କର ଚମତ୍କାର ପ୍ରତିଭାକୁ ଦେଖି ସମସ୍ତେ ଅତ୍ୟଧିକ ମାତ୍ରାରେ ଉତ୍ସାହିତ ହେବା ଏବଂ ପାଳନ କରୁଥିବା ଦେଖିବାକୁ ମିଳିଥିଲା।’’

ନୀତା ଅମ୍ବାନୀଙ୍କ ସହିତ ନିଲାମରେ ଆକାଶ ଅମ୍ବାନୀ, ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ୍ ଅଫ୍ ପର୍ଫମାନ୍ସ, ମହିଳା ଟିମ୍ ପାଇଁ ନୂଆକରି ଗଠିତ କୋଚିଂ ଟିମ୍ ର ମୁଖ୍ୟ ଚାରଲୋଟ୍ ଏଡୱାର୍ଡସ (ମୁଖ୍ୟ କୋଚ), ଝୁଲଣ ଗୋସ୍ବାମୀ (ଟିମ୍ ମେଣ୍ଟର ଏବଂ ବୋଲିଂ କୋଚ) ଏବଂ ଦେବିକା ପାଲସିକର (ବ୍ୟାଟିଂ କୋଚ) ଉପସ୍ଥିତ ଥିଲେ।

କ୍ରୀଡ଼ା ପ୍ରତି ତାଙ୍କର ରହିଥିବା ଗଭୀର ଆବେଗ ଏବଂ ଅଧିକରୁ ଅଧିକ ମହିଳା ଏବଂ ଝିଅମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତା ଯୋଗୁ ଖେଳାଳି ଚୟନ ଏବଂ ଭାରତୀୟ କ୍ୟାପଟେନଙ୍କୁ ଶୀଘ୍ର ନେବାରେ ଶ୍ରୀମତୀ ଅମ୍ବାନୀ ଅତ୍ୟନ୍ତ ଖୁସି ଥିଲେ। ନିଲାମରେ ଯେଭଳି ସଫଳତା ମିଳିଥିଲା ସେଥିରେ ଆମେ ଖୁସି। ଏକ ଟିମ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ପୁରୁଷ ଟିମ୍ ର କ୍ୟାପଟେନ ରହିଛନ୍ତି, ଏବେ ମହିଳା କ୍ୟାପଟେନଙ୍କୁ ପାଇ ଆମେ ଆମେ ଅତ୍ୟନ୍ତ ଖୁସି। ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଯୋଗଦେଉଥିବା ନାଟ୍ (ସ୍କିଭର-ବ୍ରଣ୍ଟ), ପୂଜା (ଭଷ୍ଟ୍ରାକର) ଏବଂ ସମସ୍ତ ପ୍ରତିଭାଦୀପ୍ତ ମହିଳାଙ୍କୁ ପାଇ ଆମେ ଅତ୍ୟନ୍ତ ରୋମାଞ୍ଚିତ।’’

ଆଇପିଏଲ୍ ର ଆଗାମୀ ସଂସ୍କରଣ ଆରମ୍ଭ ହେଉଥିବାବେଳେ ଦଶମ ବର୍ଷ ପାଇଁ ରୋହିତ ଶର୍ମା ଦାୟିତ୍ବ ନେଉଛନ୍ତି। ଉଭୟ କ୍ୟାପଟେନ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ହୋଇଥିବାରୁ ଟିମ୍ ର ଉଜ୍ଜ୍ବଳ ଭବିଷ୍ୟତ ନେଇ ଶ୍ରୀମତୀ ଅମ୍ବାନୀ ବେଶ୍ ଆଶାବାଦୀ।

ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିରୁ କ୍ୟାପଟେନ ହେବା ରୋହିତ (ଶର୍ମା) ଙ୍କୁ ମୁଁ ଦେଖିଛି ଏବଂ ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ହିସାବରେ ରୋହିତ ୧୦ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ଆମେ ହରମନ (ହରମନପ୍ରୀତ କୌର)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ବାଗତ କରୁଛୁ।

ଟି୨୦ ଇତିହାସରେ ଦୁଇ ସଫଳ କ୍ୟାପଟେନଙ୍କ ମଧ୍ୟରେ ଶ୍ରୀମତୀ ଅମ୍ବାନୀ ସମାନତାର ଛବି ଦେଖିଛନ୍ତି।

‘‘ଉଭୟଙ୍କ ନିକଟରେ ବିପୁଳ ଅଭିଜ୍ଞତା, ପେସାଦାର ଏବଂ ଜିତିବା ମାନସିକତା ରହିଛି। ଆମର ସବୁ ଯୁବ ଖେଳାଳିଙ୍କ ପାଇଁ ସେମାନେ ଏକ ବିରାଟ ପ୍ରେରଣା। ତେଣୁ ଏହି ଦୁଇ ଖେଳାଳିଙ୍କୁ ପାଇଁ ଆମେ ବାସ୍ତବରେ ଅତ୍ୟନ୍ତ ଉତ୍ସାହିତ।’’

୧୯ ବର୍ଷରୁ କମ୍ ଏବଂ ବରିଷ୍ଠ ଭାରତୀୟ ମହିଳା ଟିମ୍ର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ‘‘ଆମର ୧୯ବର୍ଷରୁ କମ୍ ମହିଳା କ୍ରିକେଟ ଟିମ୍ ବିଶ୍ବକପ ଜିତିଛନ୍ତି ଏବଂ ଦେଶ ପାଇଁ ପ୍ରବଳ ଖୁସି ଆଣିଛି। ସେମାନଙ୍କୁ ମୋର ଅଭିନନ୍ଦନ। ଆମର ମହିଳା(ବରିଷ୍ଠ) ଟିମ୍ ମଧ୍ୟ ଟି୨୦ ବିଶ୍ବକପ୍ର ପ୍ରାରମ୍ଭିକ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ’’

ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ପ୍ରଥମ ମହିଳା ସଦସ୍ୟ ହୋଇ ପାରିଥିବା ଶ୍ରୀମତୀ ଅମ୍ବାନୀ କୁହନ୍ତି ଡବ୍ଲୁପିଏଲ ଭାରତର ମହିଳାଙ୍କ ପାଇଁ କ୍ରୀଡ଼ା ଦୃଶ୍ୟପଟରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିପାରେ।

‘‘ଭାରତରେ ମହିଳାଙ୍କ ପାଇଁ କ୍ରୀଡ଼ା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି। ଆମର ସବୁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ପ୍ରଦର୍ଶନକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ।’’
ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଫାଉଣ୍ଡେସନ ମହିଳା କ୍ରୀଡ଼ାବିତ୍ମାନଙ୍କର ଜଣେ ବଡ଼ ସମର୍ଥକ ପାଲଟିଛି। ଶ୍ରୀମତୀ ଅମ୍ବାନୀ କୁହନ୍ତି ସେମାନଙ୍କୁ ସମର୍ଥନ ତାଙ୍କୁ ଅତିମାତ୍ରାରେ ଗର୍ବିତ କରିଥାଏ। ‘‘ ଏହି ଝିଅମାନଙ୍କୁ ଅଧିକ କ୍ଷମତା ମିଳିଛି। କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କ୍ରୀଡ଼ା ଏବଂ କ୍ରିକେଟରେ, ମହିଳାମାନଙ୍କୁ ସମର୍ଥନ ଦେବା ଓ ପ୍ରୋତ୍ସାହିତ କରିବାରେ ଆମେ ସମର୍ଥ ହୋଇପାରିଥିବାରୁ ଏହା ଆମ ପାଇଁ ଏକ ଗର୍ବର ବିଷୟ ପାଲଟିଛି।’’