Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍ ୨୦୨୩: କେକେଆର ପାଇଁ ଲାଗିପାରେ ବଡ ଝଟକା, ଆହତ ହେଲେ ନୀତୀଶ ରାଣା

କଲିକତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳକୁ ଆଉ ଏକ ବଡ ଝଟକା ଲାଗିଛି। ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟାସ ଆୟର ଏହି ସିଜିନରୁ ବାଦ ପଡିଥିବା ନିଶ୍ଚିତ ହୋଇଥିବାବେଳେ ଚଳିତ ସିଜନରେ ଦଳର ଅଂଶ ହୋଇଥିବା ଦ୍ରୁତ ବୋଲର ଲକି ଫର୍ଗୁସନ୍‌ଙ୍କ ଆଘାତ ଖବର ମଧ୍ୟ ସାମ୍ନାକୁ ଆସିଛି। ଏଥି ସହିତ କେକେଆର ଦଳର ବ୍ୟାଟିଂ ଅର୍ଡରର ଏକ ଅଂଶ ନୀତୀଶ ରାଣା ମଧ୍ୟ ଅଭ୍ୟାସ ଅଧିବେଶନରେ ଆହତ ହୋଇଛନ୍ତି।

କୋଲକାତା ନାଇଟ୍ ରାଇଡର୍ସ ଦଳର ଖେଳାଳିମାନେ ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି, ଯେଉଁଥିରେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏପର୍ଯ୍ୟନ୍ତ ଯୋଗ ଦେଇଛନ୍ତି। ଏକ କ୍ରୀଡ଼ା ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ଅଭ୍ୟାସ ଅଧିବେଶନରେ ନୀତୀଶ ରାଣାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି। ବ୍ୟାଟିଂ ଅଭ୍ୟାସ ସମୟରେ ରାଣା ଆହତ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୧ ତାରିଖ ଦିନ ମୋହାଲି ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସ୍ ଦଳ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଦଳ ଏପ୍ରିଲ ୬ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ କେକେଆର ଦଳକୁ ମଧ୍ୟ ତାଙ୍କ ଦଳର ନୂତନ ଅଧିନାୟକ ଘୋଷଣା କରିବାକୁ ପଡିବ, ଯେଉଁଥିରେ ନୀତୀଶ ରାଣାଙ୍କ ବ୍ୟତୀତ ସୁନୀଲ ନାରିନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ନାମ ଆଗରେ ରହିଛି।