Categories
ଆଞ୍ଚଳିକ ରାଜ୍ୟ ଖବର

ବାଣପୁର : ଭୟାବହ ଅଗ୍ନିକାଣ୍ଡରେ ଦୁଇ ଗୋଟି ଘର ପୋଡି ପାଉଁଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଦୋଳଗୋବିନ୍ଦ ନୁଆସାହିରେ ଗତକାଲି ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଗୋଟି ଘର ଜଳିପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

ସୂଚନା ମୁତାବକ ଉକ୍ତ ଗ୍ରାମର ସନିଆ ପ୍ରଧାନ ନିଜ ପରିବାର ସହ ଗତକାଲି ରାତିରେ ଶୋଇଥିବା ବେଳେ ପ୍ରାୟ ରାତି 3 ଘଟିକା ସମୟରେ ସର୍ଟ ସର୍କିଟ ହୋଇ ସାନିଆଙ୍କ ଚାଳ ଘରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ସମ୍ପୂର୍ଣ ଘର ଧୂଳିସାତ ହୋଇଯାଇଥିବା ବେଳେ ପଡୋଶୀ ସୁଦର୍ଶନ ପ୍ରଧାନଙ୍କ ଚାଳ ଘରକୁ ମଧ୍ୟ ନିଆଁ ଧରିଥିଲା ଯାହାଦ୍ୱାରା ଦୁଇ ପରିବାରଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ତେବେ ଉଭୟ ପରିବାର ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଏଯାବତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉଭୟ ଙ୍କୁ ଘର ଖଣ୍ଡେ ମିଳିନଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ଉଭୟ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ତୁରନ୍ତ ଉକ୍ତ ଦୁଇ ପରିବାର କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଅଗ୍ନିକାଣ୍ଡ କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ନୀଳାଦ୍ରିପ୍ରସାଦରେ ଅଗ୍ନିକାଣ୍ଡ, ୩ ଘର ଜଳି ପାଉଁଶ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ର ମାଳୁଆଝୋଲା ଗ୍ରାମରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିର ପ୍ରକୋପରେ ତିନି ଗୋଟି ଘର ଭସ୍ମୀଭୂତ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳବାସି କହିଛନ୍ତି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ କରାଯାଇଥିବା ବେଳେ ବିଳମ୍ବରେ ହେଲେବି ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି।

କ୍ଷତିଗ୍ରସ୍ତ ଘର ମାଲିକ ହେଲେ ତ୍ରିନାଥ ଯାନୀ, ଶଙ୍କର ଯାନୀ ଓ କୃଷ୍ଣ ଯାନୀ। ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜାଣିବା ପାଇଁ ବାଣପୁର ଅଗ୍ନିଶମ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ଭବ ହୋଇପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ସୀତାରାମ ଅଗ୍ରୱାଲ

ବାଣପୁର: କାଠଚୁଲିରୁ ନିଆଁ ଧରି ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରୁ ବୃଦ୍ଧ ଦମ୍ପତି ଦ୍ୱୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି।

ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ନୀଳାଦ୍ରିପ୍ରସାଦ ଗ୍ରାମର ଗଙ୍ଗାଧର ନାୟକ ଏବଂ ଅନ୍ନପୂର୍ଣ୍ଣା ନାୟକ ନାମକ ବୃଦ୍ଧ ଦମ୍ପତି ଏକ ଛୋଟ ଚାଳ ଘରେ ବସବାସ କରନ୍ତି।  ତେବେ ଆଜି ପୂର୍ବାହ୍ନ ୧୧.୩୦ ଘଟିକାରେ ଅନ୍ନପୂର୍ଣ୍ଣା କାଠ ଚୁଲିରେ ରୋଷେଇ କରୁଥିବା ବେଳେ କୌଣସି କରଣ ବଶତଃ ଚୁଲିରୁ ନିଆଁ ଚାଳକୁ ଲାଗିଯାଇଥିଲା। ଏବଂ ଦେଖୁ ଦେଖୁ ସାରା ଘରେ ନିଆଁ ଧରିଦେଇଥିଲା। ଉଭୟ ବୃଦ୍ଧ ସ୍ୱାମୀ ସ୍ତ୍ରୀ ଚିତ୍କାର କରିବାରୁ ଗ୍ରାମବାସୀ ମାନେ ସଙ୍ଗେସଙ୍ଗେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା ଜାରିରଖିଥିବା ବେଳେ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ।

ସୂଚନା ମୁତାବକ ଘରର ସତୁରି ଭାଗ ପୋଡି ପାଉଁଶ ହୋଇଯାଇଛି। ତେବେ ଗଙ୍ଗାଧର ନିହାତି ଗରିବ ହୋଇଥିବାରୁ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ଅନାହାରଙ୍କୁ ଆହାର ଯୋଗଉଛି ଅରାଙ୍ଗ ଗ୍ରାମର ସ୍ବେଚ୍ଛାସେବୀ ସଙ୍ଗଠନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳାଦ୍ରିପ୍ରସାଦରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି ପିପୁଲ୍‌ ଫଣ୍ଡ ଅଫ୍‌ ଅରାଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚୁ ନଥିବା ବେଳେ ଲକ୍‌ଡାଉନ୍‌ରେ ଅନାହାରଙ୍କୁ ରାସନଠୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ କରୁଛି ଏହି ସଙ୍ଗଠନ। ନିଳାଦ୍ରିପ୍ରସାଦ ଅନ୍ତର୍ଗତ ଅରାଙ୍ଗ ଗ୍ରାମର କିଛି ଯୁବକ ନିଜ ନିଜ ପକେଟ ଖର୍ଚ୍ଚରୁ କାଟି ନିୟମିତ ଭାବରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ଗାଁରେ ବୁଲି ବୁଲି ରାସନ ଏବଂ ରନ୍ଧାଖାଦ୍ୟ ବାଣ୍ଟିବା ସହିତ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି।

ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜରୀପଡା, ମୁଦୁଲିଡିହ, ଖୁଣ୍ଟପଲ୍ଲୀ, ନିଳାଦ୍ରୀ, ବ୍ରହ୍ମପଡା, ହାତୀବାରି, କଶୀପଡା ଏବଂ କରଞ୍ଜପଲ୍ଲି ଅଞ୍ଚଳରେ ସହାୟତା କରାଯାଉଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରଠାରୁ ପ୍ରତ୍ୟହ ଯୁବକ ମାନେ ଏହି ମହନୀୟ କାର୍ଯ୍ୟ କରୁଛନ୍ତି। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯୁବକ ମାନଙ୍କର ଏହି ପରୋପକାରିତା ଏବଂ ବଦାନ୍ୟତା ମନୋଭାବକୁ ଉକ୍ତ ଅଞ୍ଚଳରେ ଭୁରିଭୁରି ପ୍ରଶଂସା କରାଯାଉଛି।