ବାଣପୁର : ଭୟାବହ ଅଗ୍ନିକାଣ୍ଡରେ ଦୁଇ ଗୋଟି ଘର ପୋଡି ପାଉଁଶ

Published: Jan 16, 2023, 9:11 am IST
Fire

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଦୋଳଗୋବିନ୍ଦ ନୁଆସାହିରେ ଗତକାଲି ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଗୋଟି ଘର ଜଳିପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

ସୂଚନା ମୁତାବକ ଉକ୍ତ ଗ୍ରାମର ସନିଆ ପ୍ରଧାନ ନିଜ ପରିବାର ସହ ଗତକାଲି ରାତିରେ ଶୋଇଥିବା ବେଳେ ପ୍ରାୟ ରାତି 3 ଘଟିକା ସମୟରେ ସର୍ଟ ସର୍କିଟ ହୋଇ ସାନିଆଙ୍କ ଚାଳ ଘରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ସମ୍ପୂର୍ଣ ଘର ଧୂଳିସାତ ହୋଇଯାଇଥିବା ବେଳେ ପଡୋଶୀ ସୁଦର୍ଶନ ପ୍ରଧାନଙ୍କ ଚାଳ ଘରକୁ ମଧ୍ୟ ନିଆଁ ଧରିଥିଲା ଯାହାଦ୍ୱାରା ଦୁଇ ପରିବାରଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ତେବେ ଉଭୟ ପରିବାର ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଏଯାବତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉଭୟ ଙ୍କୁ ଘର ଖଣ୍ଡେ ମିଳିନଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ଉଭୟ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ତୁରନ୍ତ ଉକ୍ତ ଦୁଇ ପରିବାର କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଅଗ୍ନିକାଣ୍ଡ କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Related posts