ଲକ୍‌ଡାଉନ୍‌ରେ ଅନାହାରଙ୍କୁ ଆହାର ଯୋଗଉଛି ଅରାଙ୍ଗ ଗ୍ରାମର ସ୍ବେଚ୍ଛାସେବୀ ସଙ୍ଗଠନ

Published: May 10, 2020, 6:30 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳାଦ୍ରିପ୍ରସାଦରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି ପିପୁଲ୍‌ ଫଣ୍ଡ ଅଫ୍‌ ଅରାଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚୁ ନଥିବା ବେଳେ ଲକ୍‌ଡାଉନ୍‌ରେ ଅନାହାରଙ୍କୁ ରାସନଠୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ କରୁଛି ଏହି ସଙ୍ଗଠନ। ନିଳାଦ୍ରିପ୍ରସାଦ ଅନ୍ତର୍ଗତ ଅରାଙ୍ଗ ଗ୍ରାମର କିଛି ଯୁବକ ନିଜ ନିଜ ପକେଟ ଖର୍ଚ୍ଚରୁ କାଟି ନିୟମିତ ଭାବରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ଗାଁରେ ବୁଲି ବୁଲି ରାସନ ଏବଂ ରନ୍ଧାଖାଦ୍ୟ ବାଣ୍ଟିବା ସହିତ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି।

ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜରୀପଡା, ମୁଦୁଲିଡିହ, ଖୁଣ୍ଟପଲ୍ଲୀ, ନିଳାଦ୍ରୀ, ବ୍ରହ୍ମପଡା, ହାତୀବାରି, କଶୀପଡା ଏବଂ କରଞ୍ଜପଲ୍ଲି ଅଞ୍ଚଳରେ ସହାୟତା କରାଯାଉଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରଠାରୁ ପ୍ରତ୍ୟହ ଯୁବକ ମାନେ ଏହି ମହନୀୟ କାର୍ଯ୍ୟ କରୁଛନ୍ତି। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯୁବକ ମାନଙ୍କର ଏହି ପରୋପକାରିତା ଏବଂ ବଦାନ୍ୟତା ମନୋଭାବକୁ ଉକ୍ତ ଅଞ୍ଚଳରେ ଭୁରିଭୁରି ପ୍ରଶଂସା କରାଯାଉଛି।

Related posts