Categories
ବିଶେଷ ଖବର

ନାରୀଶକ୍ତି ବନ୍ଦନ ଅଧିନିୟମକୁ ନୂଆ ସଂସଦ ଭବନର ଲୋକସଭାରେ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ସ୍ୱତନ୍ତ୍ର ଅବସରର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଭାରତ ନୂଆ ସାଂସଦଭବନରେ ପ୍ରବେଶ କରି ଭବିଷ୍ୟତ ନିମନ୍ତେ ଏକ ସଂକଳ୍ପ ନେଇ ଆଗକୁ ବଢୁଛି । ସମ୍ପ୍ରତି ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ସଫଳତା ଏବଂ ଜି-୨୦ର ସଫଳ ଆୟୋଜନ କରି ଭାରତ ବିଶ୍ୱ ସ୍ତରରେ ତାହାର ପ୍ରଭାବ ଓ ପ୍ରତିଷ୍ଠା ବଢାଇଛି। ଭାରତକୁ ଏଥି ସହିତ ଆଉ ଏକ ଅନୁପମ ସୁଯୋଗ ମିଳିଛି । ଆମେ ନୂଆ ସଂସଦ ଭବନକୁ ଆଜି ପ୍ରବେଶ କରିଛନ୍ତି ।

ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ଗଣେଶ ଚତୁର୍ଥୀର ଶୁଭ ଲଗ୍ନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଗଜାନନ ସମୃଦ୍ଧି, ଶୁଭ ବିଚାର ଓ ଜ୍ଞାନର ଦେବତା । ଅତଏବ ତାଙ୍କ୍ ଜନ୍ମ ଦିବସରେ ନୂଆ ଉତ୍ସାହ ଓ ଶକ୍ତି ନେଇ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ଯାତ୍ରା ଆରମ୍ଭ କରିବାର ଏହା ଉପଯୁକ୍ତ ଦିନ । ନୂଆ ଆରମ୍ଭ ଓ ଗଣେଶ ଚତୁର୍ଥୀ ଅବସରରେ ଲୋକମାନ୍ୟ ତିଳକ ଗଣେଶ ଚତୁର୍ଥୀକୁ ଦେଶରେ ସ୍ୱରାଜର ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ଏକ ମାଧ୍ୟମ ବା ମଂଚରେ ପରିଣତ କରିଥିଲେ । ଆଜି ମଧ୍ୟ ଆମେ ସମାନ ପ୍ରେରଣା ନେଇ ଆଗକୁ ବଢୁଛୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମଧ୍ୟ ସମ୍ଭତ୍ସାରି ପର୍ବ ପାଳିତ ହେଉଛି । ଏହା କ୍ଷମା କରିବା ବା କ୍ଷମା ଦେବାର ଉତ୍ସବ । କେହି ଯଦି କାହା ପ୍ରତି ଉଦ୍ଦେଶ୍ୟମୂଳକ ବା ଅଣ ଉଦ୍ଦେଶ୍ୟମୂଳକ ଭାବେ କିଛି କାମ କରି କ୍ଷତି ସାଧନ କରିଥାଏ ତା’ ହେଲେ ସେଥିରୁ ମୁକ୍ତି ବା କ୍ଷମା ପାଇବା ପାଇଁ ଏହି ପର୍ବ ପାଳିତ ହୋଇଥାଏ । ଏହି ଉତ୍ସବର ମହତ୍ୱ ହେଲା ମିଚ୍ଛାମି ଦୁକ୍କଦମ ବା ସମସ୍ତଙ୍କୁ କ୍ଷମା କରି ଦେଇ ବା ନିଜ କୃତକର୍ମ ପାଇଁ କ୍ଷମା ଯାଚନା କରି ଅତୀତରେ ସବୁ ତିକ୍ତତାକୁ ଭୁଲି ଆଗକୁ ବଢିବା ।

ଲୋକସଭାରେ ସ୍ଥାପିତ ହୋଇଥିବା ପବିତ୍ର ସେଙ୍ଗଲ ବା ରାଜଦଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂଆ ଓ ପୁରୁଣା ମଧ୍ୟରେ ଏକ ସଂଯୋଗ । ଏହି ରାଜଦଣ୍ଡ ସ୍ୱାଧୀନତାର ପ୍ରଥମ ଆଲୋକ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ପବିତ୍ର ସେଙ୍ଗଲକୁ ପ୍ରଥମେ ସ୍ପର୍ଶ କରିଥିଲେ । ତେଣୁ ସେଙ୍ଗଲ ଆମକୁ ଆମ ଇତିହାସର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହିତ ସଂଯୁକ୍ତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ସଂସଦ ଭବନର ଭବ୍ୟତା ଅମୃତକାଳକୁ ଅଭିଷିକ୍ତ କରୁଛି । ଏହା ମଧ୍ୟ ଏହି ଭବନ ନିର୍ମାଣେରେ ନିୟୋଜିତ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଶ୍ରମ ତଥା ଅବଦାନକୁ ସ୍ମରଣ କରାଉଛି । ମହାମାରୀ ସମୟରେ ମଧ୍ୟ ସେମାନେ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହର ସମସ୍ତ ସଦସ୍ୟ ଇ-ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ହଜାରରୁ ଅଧିକ ଶ୍ରମିକ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିଲେ । ସଂସଦରେ ରହିଥିବା ଏକ ଡିଜିଟାଲ ବୁକ୍ରେ ସବୁ ଶ୍ରମିକଙ୍କ ନାମ, ଧାମ ଓ ଠିକଣା ସବିଶେଷ ଉଲ୍ଲେଖ ଅଛି ।ଏହି ଭବନ ନିର୍ମାଣରେ ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କର ଝାଳ ଲାଗିଛି ।

ଆମ କ୍ରିୟା ପରେ ସୃଷ୍ଟି ହେଉଥିବା ପ୍ରଭାବ ଓ ଭାବପ୍ରବଣତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଜିକାର ଭାବନା ଆମ ବ୍ୟବହାରରେ ପ୍ରତିଫଳିତ ହେବ । ଭବନ ବଦଳିଛି ତେଣୁ ଭାବ ମଧ୍ୟ ବଦଳିବା ଆବଶ୍ୟକ ।

ସଂସଦ ଦେଶସେବାର ସର୍ବୋଚ୍ଚ ପୀଠ । ଏହା କୌଣସି ରାଜନୀତିକ ଦଳର ଲାଭ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଦେଶର ବିକାଶ ପାଇଁ ଅଭିପ୍ରେତ । ଏହି ଗୃହର ସଦସ୍ୟ ଭାବେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ଚେତନାକୁ ବଜାୟ ରଖିବା ଆବଶ୍ୟକ । ଏହା ଆମର କଥା, ବିଚାର ଓ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ ।

ଶ୍ରୀ ମୋଦୀ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦିଗ୍ଦର୍ଶନରେ ଗୃହର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ଆଚରଣ ପ୍ରଦର୍ଶନ କରି ସଂସଦର ଆଶା ଆକାଂକ୍ଷା ପୂରଣ କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୃହରେ ସଦସ୍ୟମାନଙ୍କ ଆଚରଣ ଉପରେ ସର୍ବସାଧାରଣଙ୍କର ନଜର ରହୁଛି । ସେମାନେ ଶାସକ କିମ୍ବା ବିରୋଧୀ ଯେଉଁ ପକ୍ଷରୁ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ଆଚରଣ ସମ୍ପର୍କରେ ଲୋକେ ଅବଗତ ହେଉଛନ୍ତି ।

ସାଧାରଣ କଲ୍ୟାଣ ପାଇଁ ସମ୍ମିଳିତ ଆଲୋଚନା ଓ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ବଳରେ ଆମେ ଲକ୍ଷ୍ୟ ସାଧନ ସହଜରେ କରିପାରିବା । ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣରେଖାକୁ ମାନିବା ଆବଶ୍ୟକ ।

ସମାଜର ସଫଳ ପରିବର୍ତ୍ତନରେ ରାଜନୀତିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ବେଳେ ଖେଳକୁଦଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନ ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ । ଜି-୨୦ ବୈଠକରେ ସମଗ୍ର ବିଶ୍ୱ କିପରି ମହିଳା ନେତୃତ୍ୱଧୀନ ବିକାଶ ସୂତ୍ରକୁ ଗ୍ରହଣ କଲା ସେ ବିଷୟରେ କହିଥିଲେ । ଏ ଦିଗରେ ସରକାରଙ୍କ ପ୍ରୟାସ ଅର୍ଥପୂର୍ଣ୍ଣ ଓ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦କୋଟି ଜନଧନ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କର ବ୍ୟାଙ୍କ ଖାତା ରହିଛି । ମୁଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଛି ତାହା ମଧ୍ୟ ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଏପରି ଏକ ସମୟ ଆସେ ଯେତେବେଳେ ଇତିହାସ ସୃଷ୍ଟି ହୁଏ । ଆଜି ସେମିତି ଭାରତର ବିକାଶ ଯାତ୍ରାରେ ଏକ ସମୟ ଆସିଛି ଯେଉଁଠି ଇତିହାସ ଲେଖା ହେଉଛି । ସଂସଦରେ ମହିଳା ସଂରକ୍ଷଣ ନେଇ ହୋଇ ଆସୁଥିବା ବିଚାର ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତ ପ୍ରଥମ ବିଲ୍ ସଂସଦରେ ୧୯୯୬ରେ ଉପସ୍ଥାପିତ ହୋଇଥିଲା । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ବିଲ୍ ଏକାଧିକବାର ଉପସ୍ଥାପିତ ହୋଇ ପାରିତ ହୋଇ ପାରି ନ ଥିଲା। କାରଣ ଏଥିପାଇଁ ଆବଶ୍ୟକ ସମର୍ଥନର ଅଭାବ ଥିଲା । ତେଣୁ ମହିଳାମାନଙ୍କର ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ମୁଁ ଭାବୁଛି ଏହି କାମଟିକୁ କରିବା ପାଇଁ ଈଶ୍ୱର ମୋତେ ବାଛିଛନ୍ତି। ସେ କହିଥିଲେ ଯେ ସଂସଦର ମହିଳାମାନଙ୍କ ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ସେ କହିଥିଲେ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । “୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହେବାକୁ ଯାଉଛି।” ମହିଳାମାନେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବାରୁ ରାଷ୍ଟ୍ର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ ଓ ପ୍ରସ୍ତୁତିରେ ସେମାନଙ୍କୁ ଉଲ୍ଲେଖନୀୟ ଭାବେ ପ୍ରତିନିଧିତ୍ୱ ଦିଆଯିବା ଉଚିତ । ଏହି ଐତିହାସିକ ଦିବସରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବାକୁ ସେ ସବୁ ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ମହିଳା ନେତୃତ୍ୱାଧୀନ ବିକାଶ ସଂକଳ୍ପକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆଜି ଏକ ବୃହତ୍ ସମ୍ବିଧାନ ସଂଶୋଧନ ବିଲ୍ ସଦନରେ ଉପସ୍ଥାପିତ କରୁଛି । ଏହି ବିଲ୍ର ଉଦ୍ଦେଶ୍ୟ ହେଲା ଲୋକସଭା ଓ ସବୁ ରାଜ୍ୟର ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରାଇବା ଓ ସେମାନଙ୍କୁ ଅଧିକ ଆସନ ଦେବା । ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ମୁଁ ଆମର ମା’,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍କୁ ଆଇନରେ ପରିଣତ କରିବାକୁ ଆମେ ଦୃଢ ସଂକଳ୍ପ । ମୁଁ ସଦନରେ ଉପସ୍ଥିତ ଥିବା ସବୁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଏହି ବିଲ୍ଟି ଯଦି ସର୍ବସମ୍ମତିକ୍ରମେ ପାରିତ ହୋଇ ଆଇନରେ ପରିଣତ ହୁଏ ତା’ହେଲେ ଏହା ଆମ ପାଇଁ ଏକ ପବିତ୍ର ଶୁଭାରମ୍ଭ ହେବ । ତାହା ହୋଇପାରିଲେ ନୂଆ ଆଇନର ଶକ୍ତି ଓ ସାମର୍ଥ୍ୟ ଅନେକ ବଢିଯିବ ।

ଅତଏବ ଉଭୟ ଗୃହ ଏହି ମହିଳା ସଂରକ୍ଷଣ ବିଲ୍କୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଁ ସବୁ ସଦସ୍ୟଙ୍କୁ ଅନୁରୋଧ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ନୂଆ ସଂସଦ ଭବନ ଉଦଘାଟନରେ ଯୋଗଦେବା ପାଇଁ ବିରୋଧୀଙ୍କୁ ଅନୁରୋଧ କଲେ ରାଜନାଥ

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବିରୋଧୀ ଦଳର ନିଷ୍ପତିକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ଏହି ନୂତନ କୋଠାକୁ ଗଣତନ୍ତ୍ରର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିରୋଧୀ ଦଳମାନଙ୍କୁ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପରେ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଆସନ୍ତା ୨୮ ରେ ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏଥିରେ କୌଣସି ରାଜନୀତି କରିବା ଅନୁଚିତ ବୋଲି ରାଜନାଥ କହିଛନ୍ତି। ଏହି ଐତିହାସିକ ମୂର୍ତ୍ତରେ ସମସ୍ତେ ସାମିଲ ହେବା ଉଚିତ ହେବ ବୋଲି ସେ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ବିରୋଧୀ ଦଳଗୁଡିକ ସାମ୍ବିଧାନିକ ଅଧିବେଶନ ଏବଂ ସାମାଜିକ ସମାବେଶ ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ୍। ଏହା ସଂସଦର ଏକ ଅଧିବେଶନ ନୁହେଁ, ଏହା କେବଳ ଉଦ୍ଘାଟନୀ ସମାରୋହ ବୋଲି ରାଜନାଥ ସିଂ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠା କରିବେ ‘ସେଙ୍ଗୋଲ’, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ , ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ଦିନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ। ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ।

ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ ସ୍ମରଣ କରି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, “ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା। ଅଗଷ୍ଟ ୧୪, ୧୯୪୭ ର ରାତିରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେଉଁଠାରେ ଭାରତର ସ୍ୱାଧୀନତାକୁ ପାଳନ କରା ଯାଉଥିଲା।

ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ) ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପୁରୋହିତ) ଙ୍କ ଠାରୁ ‘ସେଙ୍ଗୋଲ’ ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ। ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେଙ୍ଗୋଲ ପ୍ରଦାନ କରା ଯାଇଥିଲା। ଆମେ ସ୍ୱାଧୀନତା ଭାବରେ ଯାହା ପାଳନ କରୁଛୁ, ତାହା ପ୍ରକୃତରେ ‘ସେଙ୍ଗୋଲ୍’ ହସ୍ତାନ୍ତର କରିବାର କ୍ଷଣ ଦ୍ୱାରା ଚିହ୍ନିତ।”

ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ଅମୃତ କାଳର ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦର ନୂତନ ଭବନ ମଧ୍ୟ ସମାନ ଘଟଣାର ସାକ୍ଷୀ ରହିବ, ଯେଉଁଠାରେ ଆଧୀନାମ ମାନେ (ପୁରୋହିତ) ସେହି ସମାରୋହର ପୁନରାବୃତ୍ତି କରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ୍ ପ୍ରଦାନ କରିବେ।

କେନ୍ଦ୍ର ଗୃହ ମନ୍ତ୍ରୀ ସେଙ୍ଗୋଲ ଉପରେ ଅଧିକ ବର୍ଣ୍ଣନା କରି କହିଛନ୍ତି, “ସେଙ୍ଗୋଲର ଅର୍ଥ ବହୁତ ଗଭୀର ଅଟେ, ଯାହା ତାମିଲ ଶବ୍ଦ “ସେମାଇ ”ରୁ ସୃଷ୍ଟି ହୋଇଛି, ଯାହାର ଅର୍ଥ “ନୀତିପରାୟଣତା”। ତାମିଲନାଡୁର ଏକ ଅଗ୍ରଣୀ ଧର୍ମ ମଠର ଆଧୀନାମ (ପୁରୋହିତ) ମାନଙ୍କ ଦ୍ୱାରା ଏହା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହାର ଶୀର୍ଷ ଦେଶରେ ହାତରେ ଖୋଦେଇ ହୋଇଥିବା ନନ୍ଦୀ ‘ନ୍ୟାୟ’ର ଦର୍ଶକ ଭାବରେ ଅପଲକ ନୟନରେ ଚାହିଁ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଙ୍ଗୋଲର ପ୍ରାପ୍ତକର୍ତ୍ତାଙ୍କୁ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନ କରିବାକୁ “ଆଦେଶ” (ତାମିଲରେ “ଅନାଇ”) ରହିଛି। ଏହା ସବୁଠାରୁ ଆକର୍ଷକ ଅଟେ, ଯେଉଁମାନେ ଲୋକଙ୍କର ସେବା କରିବାକୁ ମନୋନୀତ ହୋଇଛନ୍ତି ସେମାନେ ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ।”

୧୯୪୭ ର ସେହି ସେଙ୍ଗୋଲ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ସ୍ଥାପନ କରାଯିବ, , ଯାହା ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ଅବସ୍ଥିତ। ଏହାକୁ ସମଗ୍ର ରାଷ୍ଟ ଦେଖିବା ପାଇଁ ପ୍ରଦର୍ଶିତ କରାଯିବ ଏବଂ ବିଶେଷ ଉତ୍ସବରେ ଏହାକୁ ବାହାରକୁ ନିଆଯିବ। ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଐତିହାସିକ “ସେଙ୍ଗୋଲ” ସ୍ଥାପନ ପାଇଁ ସଂସଦ ଭବନ ହେଉଛି ସବୁଠାରୁ ଉପଯୁକ୍ତ ଏବଂ ପବିତ୍ର ସ୍ଥାନ।

“ସେଙ୍ଗୋଲ” ର ପ୍ରତିଷ୍ଠା, ୧୫ ଅଗଷ୍ଟ ୧୯୪୭ ର ଭାବନାକୁ ଅବିସ୍ମରଣୀୟ କରିଥାଏ। ଏହା ସୀମାହୀନ ଆଶା, ସୀମାହୀନ ସମ୍ଭାବନା ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପର ପ୍ରତୀକ ଅଟେ। ଏହା ଅମୃତ କାଳର ପ୍ରତିବିମ୍ବ ହେବ, ଯାହା ନୂତନ ଭାରତକୁ ବିଶ୍ୱରେ ନିଜର ଯଥୋଚିତ ସ୍ଥାନ ଗ୍ରହଣ କରିବାର ଗୌରବମୟ କ୍ଷଣର ସାକ୍ଷୀ ହେବ।

ତାମିଲନାଡୁ ସରକାର ୨୦୨୧ – ୨୨ ର ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗ (ଏଚ୍ଆର୍ ଆଣ୍ଡ ସିଇ) ପଲିସି ନୋଟରେ ରାଜ୍ୟର ମଠ ମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଭୂମିକାକୁ ଗର୍ବର ସହିତ ପ୍ରକାଶ କରିଛନ୍ତି। ଏହି ଦସ୍ତାବିଜର ପାରା ୨୪ ସ୍ପଷ୍ଟ ଭାବରେ ରୟାଲ୍ କାଉନ୍ସିଲ୍ ଭାବରେ ମଠ ଦ୍ୱାରା ନିର୍ବାହ କରାଯାଉଥିବା ଭୂମିକାକୁ ସ୍ପଷ୍ଟ ଭାବରେ ଦର୍ଶାଏ।

ଏହି ଐତିହାସିକ ଯୋଜନା ଆଧୀନାମର ଅଧ୍ୟକ୍ଷ ମାନଙ୍କ ସହିତ ବିଚାର ବିମର୍ଶ କରି ପ୍ରସ୍ତୁତ ହୋଇଛି। ଏହି ପବିତ୍ର ରୀତିନୀତିର ସ୍ମରଣରେ ସେମାନଙ୍କର ଆଶୀର୍ବାଦ ପ୍ରଦାନ କରିବା ପାଇଁ ସମସ୍ତ ୨୦ ଟି ଆଧୀନାମର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଖୁସି ଯେ ଏହାର ନିର୍ମାଣ ସହିତ ଜଡିତ ୯୬ ବର୍ଷୀୟ ଶ୍ରୀ ୱିମ୍ମିଦିି ବଙ୍ଗାରୁ ଚେଟ୍ଟି ଜୀ ମଧ୍ୟ ଏହି ପବିତ୍ର ସମାରୋହରେ ଅଂଶଗ୍ରହଣ କରିବେ। ମୁଁ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।

ସେଙ୍ଗୋଲ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏବଂ ଡାଉନଲୋଡ୍ କରିବା ଯୋଗ୍ୟ ଭିଡିଓ ସହିତ ଏକ ସ୍ୱତନ୍ତ୍ର ୱେବସାଇଟ୍ (ଗ୍ଦରଦ୍ଭଶକ୍ଟକ୍ଷ୧୯୪୭.ସଶଦ୍ଭମବ.ଶକ୍ଟଙ୍ଖ.ସଦ୍ଭ) ଆଜି ଏହି କାର‌୍ୟ୍ୟକ୍ରମରେ ଗୃହ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସେ କହିଛନ୍ତି, “ଆମେ ଚାହୁଁ ଭାରତର ଲୋକମାନେ ଏହାକୁ ଦେଖନ୍ତୁ ଏବଂ ଏହି ଐତିହାସିକ ଘଟଣା ବିଷୟରେ ଜାଣନ୍ତୁ। ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ”

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ, ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଶ୍ରୀ ଗୋବିନ୍ଦ ମୋହନ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି

ଭୁବନେଶ୍ବର: ଆସନ୍ତା 28 ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ଏ ନେଇ ଆଜି ଦଳ ତରଫରୁ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରମୁଖ୍ୟ ଏବଂ ସଂସଦ ହେଉଛି ଭାରତ 140 କୋଟି ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କ ଭବନ।  ବିଜେଡି ସବୁବେଳେ ଉଭୟଙ୍କୁ ସମ୍ମାନ ଦେଇ ଆସିଛି। ତେଣୁ ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ବିଜେଡି ଯୋଗଦେବ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ: ବିରୋଧୀଙ୍କ ବର୍ଜନ ପରେ କଣ କରିବ ବିଜେଡି?

ଭୁବନେଶ୍ବର: ନୂଆ ସଂସଦ ଭବନ ଉଦଘାଟନ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହି ଭବନକୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯାଉ ବୋଲି ବିରୋଧୀ ଦାବୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ନିଷ୍ପତି କରିଛନ୍ତି। ଫଳରେ ୧୯ଟି ବିରୋଧୀ ଦଳ ଏହି ଉଦଘାଟନ ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ଏପରି କ୍ଷେତ୍ରରେ ବିଜେଡି କଣ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। କାରଣ ଓଡିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଅପମାନ ବୋଲି ବିରୋଧୀ କହିଆସୁଛନ୍ତି। ସେଥିପାଇଁ ଓଡିଶା ମାଟିର ଦଳ ବିଜେଡି ଓଡିଶା ମାଟିର ଝିଅ ପ୍ରତି ହେଉଥିବା ଅପମାନ ଉପରେ କଣ କରିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା।

ଧିରେ ଧିରେ ଏହି ଘଟଣାଟି ଏକ ଭିନ୍ନ ମୋଡ ନେବାରେ ଲାଗିଛି। ଗୋଟିଏ ପଟେ ମୋଦୀ ସରକାରଙ୍କ ନିଷ୍ପତି ଅନ୍ୟପଟେ ଓଡିଶା ମାଟିର ଝିଅକୁ ଅପମାନ। ଏହି ଦୋଛକିରେ ରହିଛି ବିଜୁ ଜନତା ଦଳ। ତେବେ ବିଭିନ୍ନ ଦଳର ନେତା ବିଜେଡି ଏହି ଉତ୍ସବରୁ ଦୂରେଇ ରହିବା ଉଚିତ ବୋଲି କହିଛନ୍ତି। ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି ଯେ, ବିଜେଡି ଏଥିରୁ ଦୂରେଇ ରହିବା ଉଚିତ ହେବ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ଏ ନେଇ କଣ କରିବ ସେ ସଂପର୍କରେ କୌଣସି ନିଷ୍ପତି ଗ୍ରହଣ କରିପାରି ନାହିଁ। ତେବେ ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ସେମାନେ ସେହି ଉତ୍ସବକୁ ଯିବେ କି ନାହିଁ ନବୀନ ନିବାସରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଉଦଘାଟନ ପୂର୍ବଦିନ କେତେକ ସାଂସଦ ନବୀନଙ୍କ ସହିତ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ରାଜନୀତି, ଉତ୍ସବକୁ ବିରୋଧୀ ଦଳର ବର୍ଜନ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି  ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ସେମାନେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଆସନ୍ତା ୨୮ ତାରିଖରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସଦୃଶ୍ୟ। କାରଣ ଗଣତନ୍ତ୍ରର ମନ୍ଦିରକୁ ଗଣତନ୍ତ୍ରର ମୁଖ୍ୟ ରାଷ୍ଟ୍ରପତି ଉଦଘାଟନ କରିବା କଥା। ହେଲେ ତାହା ହେଉ ନାହିଁ। ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି ଯେ ସଂସଦ ଭବନର ଉଦଘାଟନ ଏକ ମହତ୍ବପୂର୍ଣ୍ଣ ଘଟଣା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସେଥିରେ ଖାତିର ନାହିଁ।

କେଉଁ କେଉଁ ଦଳ ଏହି ଉତ୍ସବକୁ ବର୍ଜନ କରୁଛନ୍ତି

କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜନତା ଦଳ (ୟୁନାଇଟେଡ୍), ଆପ୍, ସିପିଆଇଏମ, ସିପିଆଇ,ଏସପି, ଏନସିପି, ଏସଏସ( ୟୁବିଟି), ଆରଜେଡି, ଆଇୟୁଏମଏଲ, ଜେଏମଏମ, ଏନସି, କେସିଏମ, ଆରଏସପି, ଭିସିକେ, ଏମଡିଏମକେ ଏବଂ ଆରଏଲଡି ଏହି ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ମେ ୨୮ ତାରିଖରେ ନୂତନ ସଂସଦ ଭବନ ହେବ ଉଦଘାଟନ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିମନ୍ତ୍ରଣ ପରେ ମୋଦୀ ଆସନ୍ତା ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ସେହିଦିନ ସାବରକର ଜନ୍ମ ବାର୍ଷିକୀ ମଧ୍ୟ ରହିଛି। ଫଳରେ ନୂତନ ସଂସଦ ଭବନ ଉଦଘାଟନ ଦିନକୁ ନେଇ ମଧ୍ୟ ବିରୋଧୀ ଖପ୍ପା। ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବା ପାଇଁ ବିରୋଧୀ ଅଡି ବସିଛନ୍ତି। ହେଲେ ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବାରୁ ତାହାକୁ ନେଇ ବିରୋଧୀ ବିରୋଧ କରିବା ସହ ବର୍ଜନ ଘୋଷଣା କରିଛନ୍ତି।

ସେମାନେ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ। ଆଉ ସଂସଦ ଭବନ ମଧ୍ୟ ସେହିପରି ସମ୍ବିଧାନର ଅବିଚ୍ଛେଦ ଅଂଗ। ଏଥିରେ ପ୍ରଧାନମନ୍ତ୍ରୀ କଣ ପାଇଁ ଉଦଘାଟନ କରିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଏହାଦ୍ବାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆମେରିକାରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଚାନକ ନିର୍ମାଣଧିନ ନୂଆ ସଂସଦ ଭବନ ପରିଦର୍ଶନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ 3 ଦିନିଆ ଆମେରିକା ଗସ୍ତରୁ ଫେରିବା ପରେ ଦୁଇଟି ବୈଠକ କରି  ନୂତନ ସଂସଦ ଭବନର ନିର୍ମାଣ ସ୍ଥାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପୂର୍ବରୁ ସୂଚନା ନ ଦେଇ ଏବଂ ବିନା ସୁରକ୍ଷାରେ ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ରାତି 8 ଟା 45 ରେ ନିର୍ମାଣ ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି ନୂତନ ସଂସଦ ଭବନର ନିର୍ମାଣ ସ୍ଥିତିର ଯାଞ୍ଚ କରିଥିଲେ। ଏହି ନୂତନ ସଂସଦ ଭବନ ନିର୍ମାଣ ଏବଂ କେନ୍ଦ୍ର ଭିସ୍ତା ଆଭେନ୍ୟୁର ପୁନଃ ନିର୍ମାଣ ପାଇଁ ସରକାର ଏପର୍ଯ୍ୟନ୍ତ 238 କୋଟି ଖର୍ଚ୍ଚ କରିଛନ୍ତି। ସେଥିରେ କେବଳ ନିର୍ମାଣ ପାଇଁ 63 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଆନୁମାନିକ 971 କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା ଏହା ଶେଷ ହେବାର ଲକ୍ଷ୍ୟ ରହିଛି। ଏଥିସହ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁର ପୁନଃନିର୍ମାଣ ପାଇଁ 608 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରକଳ୍ପ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି। ସରକାରଙ୍କ ଅନୁଯାୟୀ, 2021-22 ଆର୍ଥିକ ବର୍ଷ ପାଇଁ ଏହି ଦୁଇଟି ପ୍ରକଳ୍ପରେ ଆନୁମାନିକ ଖର୍ଚ୍ଚ 1,289 କୋଟି ଟଙ୍କା ହେବ।

Categories
ଜାତୀୟ ଖବର ବିଶେଷ ଖବର

ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ, ଜାଣନ୍ତୁ କଣ ରହିଛି ଏଥିରେ

ନୂଆଦିଲ୍ଲୀ, ଡିସେମ୍ବର ୧୦, ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସଂସଦ ମାର୍ଗରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ନୂତନ ଅଟ୍ଟାଳିକା ଆତ୍ମନିର୍ଭର ଭାରତ’ ଦର୍ଶନର ଏକ ଗୁରୁତ୍ବପୂର୍ଣ ଅଂଶ ହେବ ଏବଂ ସ୍ଵାଧୀନତା ପରେ ପ୍ରଥମ ଥର ଲୋକଙ୍କ ପାଇଁ ସଂସଦ ଗଠନ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିବ। ଏହା ୨୦୨୨ ରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ।

ନୂତନ ସଂସଦ ଭବନ ଅତ୍ୟାଧୁନିକ ଓ ଶକ୍ତି ଦକ୍ଷ ହେବ ଏବଂ ବର୍ତ୍ତମାନର ସଂସଦ ନିକଟରେ ଏକ ତ୍ରିକୋଣୀୟ ଆକୃତିର କୋଠା ଭାବରେ ନିର୍ମାଣ କରାଯିବ। ଏହି ଅଟ୍ଟାଳିକାରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିବ। ଲୋକସଭା ବର୍ତ୍ତମାନ ଆକାରର ତିନି ଗୁଣ ହେବ ଏବଂ ରାଜ୍ୟସଭା ମଧ୍ୟ ଯଥେଷ୍ଟ ବଡ଼ ହେବ ।

ଏହି ନୂତନ କୋଠାର ଭିତର ଅଂଶରେ ଭାରତୀୟ ସଂସ୍କୃତି ଓ ଆଞ୍ଚଳିକ କଳା, ହସ୍ତଶିଳ୍ପ, ବସ୍ତ୍ର ଏବଂ ସ୍ଥାପତ୍ୟ ବିବିଧତାର ଏକ ସମୃଦ୍ଧ ମିଶ୍ରଣ ପ୍ରଦର୍ଶିତ ହେବ। ଉକ୍ତ କୋଠାରେ ଏକ କେନ୍ଦ୍ରୀୟ ସାମ୍ବିଧାନିକ ଗ୍ୟାଲେରୀ ରହିବ ଯାହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ।

ଏହି ନୂତନ ସଂସଦ ଭବନର ନିର୍ମାଣ ସମ୍ପଦ ଅନୁକୂଳ ପ୍ରଯୁକ୍ତି ଓ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ। ଏଥିରେ ଉଚ୍ଚମାନର ଅଡିଓ-ଭିଜୁଆଲ୍ ସୁବିଧା, ଉନ୍ନତ ଓ ଆରାମଦାୟକ ବସିବା ବ୍ୟବସ୍ଥା, ପ୍ରଭାବଶାଳୀ ଜରୁରୀକାଳୀନ ନିରାପତ୍ତା ବ୍ୟବସ୍ଥା ରହିବ।

ଏହି ଅଟ୍ଟାଳିକାର ନିର୍ମାଣ ସେସିମିକ ଜୋନ ୫ କୁ ଧ୍ୟାନରେ ରଖି କରାଯିବ । ସର୍ବୋଚ୍ଚ ଗଠନମୂଳକ ସୁରକ୍ଷା ମାନଦଣ୍ଡକୁ ପାଳନ କରିବା ସହିତ ରକ୍ଷଣାବେକ୍ଷଣ ଏବଂ କାର‌୍ୟ୍ୟର ସହଜତା ପାଇଁ ଏହି ଅଟ୍ଟାଳିକାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଭେଙ୍କଟେଶ ଯୋଶୀ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ପ୍ରମୁଖ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସଂସଦର ସଦସ୍ୟ, ରାଷ୍ଟ୍ରଦୂତ ସମେତ ପ୍ରାୟ ୨୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହା ଅନଲାଇନରେ ମଧ୍ୟ ସିଧା ପ୍ରସାରଣ ହେବ।