Categories
ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

କିଡନୀରେ ପଥର ଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର, ଏନବିଆରଆଇ ବାହାର କଲେ ହର୍ବାଲ ଔଷଧ

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି।

ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା କମିଯାଇଛି। ଧିରେଧିରେ ପଥରର ଆକାର ମଧ୍ୟ ହ୍ରାସ ପାଇଛି।

ଏକ ସେଣ୍ଟିମିଟର ପଥରର ଆକାର ପର୍ଯ୍ୟନ୍ତ ଏହି ଔଷଧ ବେଶ୍ ଭଲ ଭାବେ କାମ କରୁଛି ବୋଲି ଟଣ୍ଡନ୍ କହିଛନ୍ତି। ପ୍ରାରମ୍ଭିକ ଫଳାଫଳରେ ପଥରର ଆକାର ପ୍ରାୟ 75 ପ୍ରତିଶତ ହ୍ରାସ ଘଟିଥିଲା। ଏହାର କୈଣସି ପାଶ୍ବ ପ୍ରତିକ୍ରିୟା ନ ଥିଲା।

ଗାଙ୍ଗେଟିକ୍ ଅଞ୍ଚଳରୁ ମିଳୁଥିବା ପାଞ୍ଚଟି ଉଦ୍ଭିଦରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଏଥିରେ ବ୍ୟବହୃତ ଉଦ୍ଭିଦ ମଧ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ। ଫଳରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର କୌଣସି ଅସୁବିଧା ହେବ ନାହିଁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ହର୍ବାଲ ମେଡିସିନ୍, ପଥର ପାଇଁ ଦିଆଯାଉଥିବା ଏଲୋପାଥିକ୍ ଔଷଧ ଟେମସୁଲୋସିନ୍ ପରି ବେଶ୍ ପ୍ରଭାବଶାଳୀ।