Categories
ଆଜିର ଖବର ରାଜ୍ୟ ଖବର

ପୁଣ୍ଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡିଆ ଭାଷା ସାହିତ୍ୟର ଏକୋନିଷ୍ଠ ପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ବାଣପୁରର ହେହେରୁ ସେବାସଂଘ କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାଲୁଗାଁ -ବାଣପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚ଼ିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବା ବେଳେ “ବିଶ୍ଵ ମୁକ୍ତି”ର ସଂପାଦକ ପ୍ରାଧ୍ୟାପକ ଶଶାଙ୍କ ଚୂଡ଼ାମଣି ମୁଖ୍ୟ ଅତିଥି, ନାଚୁଣି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ରାଜକିଶୋର ସାହୁ ସମ୍ମାନିତ ଅତିଥି, ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ବିଭାଗର ପ୍ରମୁଖ ଅଧ୍ୟାପକ ଡ଼ଃ କୌଳାସଚନ୍ଦ୍ର ମହାରଣା ମୁଖ୍ୟବକ୍ତା, ସୁସାହିତ୍ୟିକ ଡ଼ଃ ଦେବାଶିଷ ମହାପାତ୍ର ସମ୍ମାନୀତ ବକ୍ତା ଏବଂ ସାହିତ୍ୟଏକାଡ଼େମୀର ପ୍ରତିନିଧି ସହ ସଚିବ ସଂଜୟକୁମାର ଛୁଆଳସିଂ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ପଣ୍ଡିତ ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିବା ସହିତ ଓଡିଆ ଭାଷା ସାହିତ୍ୟରେ କାଳିଜାଇ ଗାଥା କବିତା ତାଙ୍କୁ ଚିରକାଳ ଓଡ଼ିଆ ଜାତିର ପ୍ରତିଟି ହୃଦୟରେ ଚିରସ୍ମରଣୀୟ କରି ରଖିଥିବ ବୋଲି ପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରତ୍ୟୁଷରୁ ବାଣପୁର ଅଞ୍ଚଳର ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବଜାରରଶିଶୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵ , ଗବେଷକମଦନ ମହାପାତ୍ର ଓ କବି ରମେଶ ମହାପାତ୍ରଙ୍କ ପରିଚାଳନା ଏବଂ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ସୁନ୍ଦର ସଂଯୋଜନା ରେ ଏକ ମନୋଜ୍ଞ କବିତା ପାଠୋତ୍ସବ ସାହିତ୍ୟଆସର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ କବି ଗାଳ୍ପିକ ଯୋଗ ଦେଇ ସ୍ଵରଚିତ କବିତା ଆବୃତ୍ତି କରିଥିଲେ।

ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ବେଦପାଠ କରିଥିଲା ବେଳେ ସାହିତ୍ୟ ସମାଜର ସଂପାଦକ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ନେହେରୁ ସେବା ସଂଘର ଛାତ୍ରଛାତୀମାନଙ୍କଦ୍ୱାରା ଉଦ୍‌ବୋଧନୀ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି

ସିତରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ବହୁଦିନ ପୂର୍ବରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଘନ ଘନ ବୈଠକ ଡାକି କର୍ମକର୍ତ୍ତା ଚୟନ କାର୍ଯ୍ୟ ସାରିଥିଲେ।  ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ଏବଂ ପୁରାତନ ଛାତ୍ରସଂଘର ବୈଠକରେ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ପାଳିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କିନ୍ତୁ ଚଳିତ ଉତ୍ସବ ଶ୍ରୀ ମାନସିଂହଙ୍କ ସଭାପତିତ୍ୱରେ ନିର୍ବାହ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନସି ଅଧ୍ୟକ୍ଷ ମିଟୁ ନାୟକ, ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର, କଲେଜ ପରିଚାଳନା କମିଟି ସଭାପତି ବିଜୟା ବନ୍ଦନା ରାଉତରାୟ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାହୀନ ନାଜ, ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରାଧନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ସତୁରି ପ୍ରତିଶତ ଅତିଥି ମାନେ ଉକ୍ତ ଉତ୍ସବକୁ ଆସିନଥିବା ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ମହାବିଦ୍ୟାଳୟ ପକ୍ଷରୁ ସଠିକ ନିମନ୍ତ୍ରଣ ପହଞ୍ଚିନଥିବାରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ଦୁଃଖର ସହ କହିଛନ୍ତି।

ଏପରିକି ମହାବିଦ୍ୟାଳୟ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ର ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ଛପାଯାଇଥିବା ବେଳେ ଏକାଧିକ ବ୍ୟକ୍ତି ବିଶେଷଙ୍କ ପାଖେ ତାହା ପହଞ୍ଚିନଥିବା ଆଲୋଚନା ହେଉଛି।

ତେବେ ଆଜିର ଉକ୍ତ ସମାରୋହ ବହୁ ଅବ୍ୟବସ୍ଥା ଦେଇ ଗତି କରିଥିବା ବେଳେ ମହାବିଦ୍ୟାଳୟ ଆଲୁମିନି କମିଟି ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପାଦନ କରିଛି। ତେବେ ମହାବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏହିଭଳି ଅବସ୍ଥାରେ ଉକ୍ତ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବାର ଚର୍ଚ୍ଚା ହେଉଛି।