ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି

Published: Jul 26, 2023, 8:14 pm IST

ସିତରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ବହୁଦିନ ପୂର୍ବରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଘନ ଘନ ବୈଠକ ଡାକି କର୍ମକର୍ତ୍ତା ଚୟନ କାର୍ଯ୍ୟ ସାରିଥିଲେ।  ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ଏବଂ ପୁରାତନ ଛାତ୍ରସଂଘର ବୈଠକରେ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ପାଳିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କିନ୍ତୁ ଚଳିତ ଉତ୍ସବ ଶ୍ରୀ ମାନସିଂହଙ୍କ ସଭାପତିତ୍ୱରେ ନିର୍ବାହ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନସି ଅଧ୍ୟକ୍ଷ ମିଟୁ ନାୟକ, ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର, କଲେଜ ପରିଚାଳନା କମିଟି ସଭାପତି ବିଜୟା ବନ୍ଦନା ରାଉତରାୟ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାହୀନ ନାଜ, ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରାଧନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ସତୁରି ପ୍ରତିଶତ ଅତିଥି ମାନେ ଉକ୍ତ ଉତ୍ସବକୁ ଆସିନଥିବା ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ମହାବିଦ୍ୟାଳୟ ପକ୍ଷରୁ ସଠିକ ନିମନ୍ତ୍ରଣ ପହଞ୍ଚିନଥିବାରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ଦୁଃଖର ସହ କହିଛନ୍ତି।

ଏପରିକି ମହାବିଦ୍ୟାଳୟ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ର ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ଛପାଯାଇଥିବା ବେଳେ ଏକାଧିକ ବ୍ୟକ୍ତି ବିଶେଷଙ୍କ ପାଖେ ତାହା ପହଞ୍ଚିନଥିବା ଆଲୋଚନା ହେଉଛି।

ତେବେ ଆଜିର ଉକ୍ତ ସମାରୋହ ବହୁ ଅବ୍ୟବସ୍ଥା ଦେଇ ଗତି କରିଥିବା ବେଳେ ମହାବିଦ୍ୟାଳୟ ଆଲୁମିନି କମିଟି ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପାଦନ କରିଛି। ତେବେ ମହାବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏହିଭଳି ଅବସ୍ଥାରେ ଉକ୍ତ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବାର ଚର୍ଚ୍ଚା ହେଉଛି।

Related posts