Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତିନିଦିନ ଧରି ଚାଲିଥିବା ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କର କର୍ମଶାଳା ଆଜି ସମାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗସ୍ତ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ହିଞ୍ଜିଳି ଓ ପାତ୍ରପୁର ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସମୁଦାୟ ୨୨ ଜଣ ପ୍ରତିନିଧି ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।

ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ପଂଚାୟତରେ ପହଂଚିବା ପରେ ସରପଞ୍ଚ ପ୍ରେମାଞ୍ଜଳି ପଟ୍ଟନାୟକ ଓ ସମିତି ସଭ୍ୟା ମିନାକ୍ଷୀ ପ୍ରଧାନ, ବିଡିଓ ବୁଲବୁଲ ବେହେରା, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟମାନେ ଉପସ୍ଥିତ ରହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ପରେ ପ୍ରତିନିଧି ମଣ୍ଡଳୀ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ ଏବଂ ବୁଲି ଦେଖିଥିଲେ। ପ୍ରତିନିଧି ମଣ୍ଡଳୀ ପଙ୍କାଳ ସ୍ଥିତ ସଂଗ୍ରାମ ରଣାଙ୍କର ସମ୍ମିଳିତ କୃଷି ଉଦ୍ୟାନ ଯଥା ମତ୍ସ୍ୟ ଚାଷ, ଛତୁ ଚାଷ, କୁକୁଡ଼ା ଚାଷକୁ ବୁଲି ଦେଖିଥିଲେ।

ସେଠାରେ ମଧ୍ୟାହ୍ନ ଭୋଜନ କରି ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଅଭିମୁଖେ ଯାଇଥିବା ବେଳେ ସେଠାରେ ସରପଞ୍ଚ ସାବିତ୍ରୀ ଭୋଳ, ସମିତି ସଭ୍ୟା ରଶ୍ମିତା ପ୍ରଧାନ ଓ ଗାଲୁଆ ସରପଞ୍ଚ ସୁରେଶ ବାରିକି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ପଞ୍ଚାୟତର ବାଂଳେଇ ଗ୍ରାମରେ ଥିବା ଆଦର୍ଶ ପୋଖରୀକୁ ବୁଲି ଦେଖିଥିଲେ।

ସମସ୍ତ କାର୍ଯ୍ୟକୁ ଦେଖିବା ପରେ ପ୍ରତିନିଧି ମଣ୍ଡଳୀ ଖୁସିବ୍ୟକ୍ତ କରି ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ ପରେ ଗଞ୍ଜାମ ଫେରିଯାଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ତରଫରୁ ବିଡ଼ିଓ ବୁଲବୁଲ ବେହେରା, ଜେଇ ଭଞ୍ଜ କିଶୋର ପାଣି, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିପିଏମ ଶିବ ନାରାୟଣ ଜାଲି, ପିଇଓ ନୃସିଂହ ଜେନା ପ୍ରମୁଖ ତ୍ୱରାନ୍ୱିତ କରିଥିଲେ।

Categories
ବିଶେଷ ଖବର

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା: ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ। ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି। ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି। ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି। ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।

ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ। ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ।”

ଫାଇବ-ଟି ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।