ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା: ନବୀନ ପଟ୍ଟନାୟକ

Published: Mar 11, 2022, 8:19 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ। ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି। ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି। ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି। ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।

ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ। ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ।”

ଫାଇବ-ଟି ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Related posts