Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଏହି ପହିଲି ଭୋଗ ନୀତି କରାଯିବ।

କିମ୍ବଦନ୍ତୀ ଅନୁସାରେ ଆଜି ଠାରୁ ଏକ ମାସ ପାଇଁ ମା ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି। ଏଣୁ ଏହି ସମୟରେ ଯଶୋଦା ମା ଶ୍ରୀଜୀଉ ମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ସ୍ୱତନ୍ତ୍ର ଭାବେ ମହାପ୍ରଭୁଙ୍କୁ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ।

ଚଳିତ ବର୍ଷ ପହିଲି ଭୋଗ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଅଛି। ବିଶ୍ୱାସ ରହିଅଛି ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କର ପହିଲି ଭୋଗକୁ ମା ଯଶୋଦା ପ୍ରସ୍ତୁତ କରିଥିବାରୁ ସଅଳ ଭୋଗ ଲାଗି ହୋଇଥାଏ। ଏଣୁ ଏହି ସ୍ୱତନ୍ତ୍ର ଭୋଗ ପାଇବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆବିଳତା ମଧ୍ୟ ପରିଲକ୍ଷିତ ହୋଇଅଛି।

Categories
ଆଜିର ଖବର ଜାତୀୟ ଖବର

ଭାରତ ମଣ୍ଡପମରେ ଥିବା ନଟରାଜ ପ୍ରତିମୂର୍ତ୍ତି ଭାରତର ପ୍ରାଚୀନ କଳା ଓ ପରମ୍ପରାର ପ୍ରମାଣ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମଣ୍ଡପମଠାରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି।

ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ମଣ୍ଡପମରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଆମ ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି। ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱ ଏକତ୍ରିତ ହେଉଥିବାବେଳେ ଏହା ଭାରତର ପ୍ରାଚୀନ କଳା ଏବଂ ପରମ୍ପରାର ପ୍ରମାଣ ହେବ।’

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଗୁରୁଙ୍କ ପ୍ରତି ସମ୍ମାନ ସ୍ୱରୂପ ଏନ୍‌ଏମ୍‌ଏସିସିର ସ୍ୱତନ୍ତ୍ର ଉତ୍ସବ “ପରମ୍ପରା’  ଆୟୋଜିତ

ମୁମ୍ବାଇଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ର ସ୍ୱତନ୍ତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ “ପରମ୍ପରା’ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ନୀତା ଅମ୍ବାନି ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କୁ ନିଜର ଗୁରୁ କହିଛନ୍ତି। ଗୁରୁମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ପରମ୍ପରା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ଅବସରରେ ନୀତା ଅମ୍ବାନି ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ପ୍ରଦର୍ଶନୀର ଉଦ୍‌୍‌ଘାଟନୀ ସମାରୋହରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କିମ୍ବଦନ୍ତୀ ପଦ୍ମ ବିଭୂଷଣ ହରିପ୍ରସାଦ ଚୌରସିଆ ଓ ପଣ୍ଡିତ କାର୍ତିକ କୁମାର ନିଜ ଶିଷ୍ୟ ରାକେଶ ଚୌରସିଆ ଓ ନୀଳାଦ୍ରୀ କୁମାରଙ୍କ ସହିତ ଉତ୍ସବର ଶୋଭା ବଢ଼ାଇଥିଲେ।

ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର୍‌ରେ ଉପସ୍ଥିତ ପ୍ରାୟ ୨୦୦୦ ଦର୍ଶକଙ୍କୁ ସମ୍ବୋଧିତ କରି ନୀତା ଅମ୍ବାନି ନିଜ ଶ୍ୱଶୂରଙ୍କୁ ଧୀରୁଭାଇ ଅମ୍ବାନିଙ୍କୁ ଜଣେ ସରଳ ହୃଦୟର ଗୁରୁ ଭାବେ ମନେ ପକାଇଥିଲେ। ନୀତା କହିଛନ୍ତି ଯେ, “ପାପା (ଧୀରୁଭାଇ ଅମ୍ବାନି) ନିଜ ସରଳ ସ୍ୱଭାବ ଢଙ୍ଗରେ ପ୍ରଶ୍ନ କରୁଥିଲେ। ବେଳେ ବେଳେ ସେହି ପ୍ରଶ୍ନ ଶୁଣି ମୋତେ ଭୟ ଲାଗୁ ଥିଲା, କିନ୍ତୁ ଆଜି ମୁଁ ଜାଣିପାରୁଛି ଯେ ସେହି ପ୍ରଶ୍ନଗୁଡ଼ିକ ହିଁ ମୋତେ ଜୀବନର ରୀତିନୀତି ଶିଖାଇଥିଲା। ଧୀରୁଭାଇ ମୋତେ ବଡ଼ ଲକ୍ଷ୍ୟ ଦେଇଥିଲେ । ମୋତେ ଶିଖାଇଥିଲେ କିଭଳି ଶୃଙ୍ଖଳା ଜ୍ଞାନ ଓ କଠୋର ପରିଶ୍ରମ ବଦଳରେ ସବୁ ସ୍ୱପ୍ନ ପୂରଣ କରାଯାଇପାରିବ। ସମ୍ପର୍କକୁ ମହତ୍ୱ ଦେବା ମଧ୍ୟ ମୋତେ ସେ ଶିଖାଇଥିଲେ ବୋଲି ନୀତା ଅମ୍ବାନି କହିଥିଲେ।

ଶନିବାର ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ୮୫ତମ ଜନ୍ମଦିନ ଥିଲା ଓ ସେ ବଂଶୀରେ ହାପି ବାର୍ଥଡେ ସ୍ୱର ଶୁଣାଇ ତାହାକୁ ସ୍ମରଣୀୟ କରିଦେଇଥିଲେ। ଦର୍ଶକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। “ତିିନି ପିଢ଼ି-ଗୋଟିଏ ପରମ୍ପରା ‘ (ଥ୍ରି ଜେନେରେସନ୍‌, ୱାନ୍ ଲିଗାସି)କୁ ନେଇ ଆୟୋଜିତ ପରମ୍ପରା ଉତ୍ସବରେ ରବିବାର ଉସ୍ତାଦ ଅମଜଦ୍ ଅଲ୍ଲୀ ଖାନ୍ ଓ ତାଙ୍କ ପୁଅ ଅମାନ ଅଲ୍ଲୀ ବଂଗଶ ଏବଂ ଅୟାନ ଅଲ୍ଲୀ ବଂଗଶ ଏବଂ ତାଙ୍କ ସହିତ ଉସ୍ତାଦଙ୍କ ନାତି-୧୦ ବର୍ଷୀୟ ଯମଜ ସନ୍ତାନ ଜୋହାନ ଓ ଅବୀର ଅଲ୍ଲୀ ବଂଗଶଙ୍କୁ ଏକସଙ୍ଗେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ଧର୍ମ ସଂସ୍କୃତି

ଅନେକ ବ୍ୟକ୍ତି କପାଳରେ ତିଳକ ଲଗାଇଥାନ୍ତି, ଏହାର କାରଣ କଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ କପାଳରେ ତିଳକ ପ୍ରୟୋଗ କରିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ଧାର୍ମିକ ଶାସ୍ତ୍ର ବ୍ୟତୀତ ତିଳକ ପ୍ରୟୋଗ କରିବା ମଧ୍ୟ ମାନସିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। କୁହାଯାଏ ଯେ କପାଳରେ ତିଳକ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ ଏବଂ ମନ ମଧ୍ୟ ମସ୍ତିଷ୍କକୁ ଥଣ୍ଡା କରିଥାଏ। ଏହା ସହିତ ତିଳକ ମଧ୍ୟ ଶରୀରର ଶୁଦ୍ଧତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଯେ ବିନା ସ୍ନାନ ଏବଂ ଇଶ୍ବରଙ୍କୁ ଧ୍ୟାନ ନ କରି ତିଳକ ପ୍ରୟୋଗ କରାଯାଏ ନାହିଁ। ଏହା କଲେ ଆମର ଶକ୍ତି କେନ୍ଦ୍ର ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ।

ହିନ୍ଦୁ ଧର୍ମରେ ତିଳକର ପ୍ରୟୋଗ ବିଷୟରେ ଏକ ବିଶ୍ୱାସ ଅଛି ଯେ ଆମ ଶରୀରରେ ସାତଟି ସୂକ୍ଷ୍ମ ଶକ୍ତି କେନ୍ଦ୍ର ଅଛି ଯାହାର ଅପାର ଶକ୍ତି ଅଛି। ଏମାନଙ୍କୁ ଚକ୍ର କୁହାଯାଏ। କପାଳ ମଝିରେ, ଯେଉଁଠାରେ ତିଲକ ପ୍ରୟୋଗ କରାଯାଏ, ସେଠାରେ ଏକ ନିର୍ଦ୍ଦେଷ୍ଟ ଚକ୍ର ଅଛି। ଏହା ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ସହିତ ଶରୀରର ତିନୋଟି ପ୍ରମୁଖ ଅଙ୍ଗ ଏହି ସ୍ଥାନରେ ଏକାଠି ହୁଅନ୍ତି ଯାହାକୁ ସଙ୍ଗମ୍  କୁହାଯାଏ। ତେଣୁ ସେହି ସଂଗମରେ ଏହି ତିଳକ ଲାଗିଲେ ଶରୀରେ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ।

Categories
DurgaPuja2021 ଆଜିର ଖବର ଧର୍ମ ବିଶେଷ ଖବର ସଂସ୍କୃତି

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ କରାଯାଏ।

ବିଶ୍ୱରେ ଐକ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚମ ଦିନ “ସ୍କନ୍ଦମାତା”ବେଶରେ ବେଶ କରାଯାଇ ମହାପୂଜା ଏବଂ ହୋମ କରାଯାଏ। ଭକ୍ତ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଷଷ୍ଠ ଦିନ ଦେବୀଙ୍କୁ “କାତ୍ୟାୟନି”ରୂପରେ ବେଶ କରାଯାଇ ତ୍ରିକାଳ ପୂଜା କରାଯାଏ। ଭକ୍ତ ମାନଙ୍କର ପରିବାର ମଙ୍ଗଳ ପାଇଁ ସପ୍ତମ ଦିନ ଦେବୀଙ୍କୁ “କାଳରାତ୍ରୀ”ବେଶରେ ସଜ୍ଜାଯାଇ ଦ୍ରବ୍ୟପୂଜା ଓ ହୋମ କରାଯାଏ। ଭକ୍ତ ମାନଙ୍କର ହୃଦୟରୁ ସଡ଼ରିପୁ ନାଶନ ପାଇଁ ଅଷ୍ଟମ ଦିନ ଦେବୀଙ୍କୁ “ଗୌରୀ”ବେଶରେ ବେଶ କରାଯାଇ ଫଳ ପୂଜା ଏବଂ ହୋମ କରାଯାଏ।

ଶେଷରେ ବିଶ୍ୱର ପ୍ରତ୍ୟେକ ଜୀବର ମଙ୍ଗଳ କାମନା ପାଇଁ ନବମ ଦିବସରେ ଦେବୀଙ୍କୁ “ମହାମାୟା” ବେଶରେ ସଜ୍ଜାଯାଇ ମତ୍ସ୍ୟ, ମାଂସ, ମଦ, ମୁଦ୍ରା ଓ ମୈଥୁନ ଆଦି ପଞ୍ଚ ‘ମ’ କାରରେ ପୂଜା କରାଯାଏ।

Categories
DurgaPuja2021 ଧର୍ମ ବିଶେଷ ଖବର

ଜାଣନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ବିଷୟରେ କଣ ରହିଛି ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କୁ ନେଇ ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ସହସ୍ରକୁମ୍ଭାଭିଷେକ ହୋଇ ଆରମ୍ଭ ହୋଇଥିବା ପାର୍ବଣର ପ୍ରଥମାର୍ଦ୍ଧ ପୂଜା ବା ଭିତର ପୂଜା ଅମାବାସ୍ୟା ଯାଏ ହୋଇଥାଏ। ଏହି ଦିନ ଗୁଡିକରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ତାଙ୍କର ପ୍ରଥମ ସେବକ ବଳିଜେନାଙ୍କ ସହିତ ବିରାଟ ଆଟୋପରେ ଶ୍ରୀଦକ୍ଷେଶ୍ୱରଙ୍କ ମନ୍ଦିରରୁ ବାହାରି ପାର୍ବଣ ପୂଜାଗୃହକୁ ଯାତ୍ରା କରିଥାନ୍ତି। ଏହି ସମୟରେ ବଳିଜେନାଙ୍କୁ ନେଇ ଦିନେ ଛଡା ଦିନେ ଏକ ସ୍ୱତନ୍ତ୍ର ବିଧାନ କରାଯାଇଥାଏ, ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ବଳିନାଟ’ କୁହାଯାଏ।

ଏହି ପ୍ରଥମାର୍ଦ୍ଧ ପୂଜା ମହାଳୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଭେଟ ଉତ୍ସବ ପରେ ଦେବି ବିରଜାଇ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବା ବେଳେ କାଠି ଠାକୁରାଣୀ ମା’ ଭଗବତୀ ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହିପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।

ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜାରେ ଦେବୀ କନକ ଦୁର୍ଗାଙ୍କ ସହିତ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ଓ ପୂର୍ବରୁ ନିମନ୍ତ୍ରିତ ହୋଇ ଆସିଥିବା ବାଣପୁର ପଶ୍ଚିମ ଦିଗ ରକ୍ଷାକାରିଣୀ ଦେବୀ ବିରଜାଇ, ପୂର୍ବ ଦିଗ ଅଧିଶ୍ୱେରୀ ଚିଲିକା ବିହାରିଣୀ ମା’ କାଳିଜାଇ,  ଉତ୍ତର ସୀମା ରକ୍ଷାକାରିଣୀ ସୋଲରି ପାହାଡ ବାସିନୀ ମା’ ସିଦ୍ଧାମ୍ବରି, ଦକ୍ଷିଣ ସୀମା ଅଧିଶ୍ୱେରୀ ଭାଲେରୀ ପାହାଡ଼ ସ୍ଥିତ ମା’ ନାରାୟଣୀ ଓ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରେ ଥିବା ଦେବୀ କନକ ଦୁର୍ଗାଙ୍କୁ ଆବାହନ କରାଯାଇ ଚକ୍ରପୂଜା ଅନୁଷ୍ଠିତ ହୋଇଥାଏ।

ଏହି ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀ ବା ମହାଷ୍ଟମୀ ଯାଏ ଚାଲିଥାଏ।ମହାନବମୀ ତିଥିରେ ମା’ ଭଗବତୀଙ୍କ ମୂଳ ପୀଠ ମନ୍ଦିରରେ ଉକ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ଶାରଦୀୟ ଦୁର୍ଗେ।ତ୍ସବର ଷୋଡଶ ଦିବସାତ୍ମକ ପୂଜା ସମାପନ ପରେ ଦଶହରା ବା ବିଜୟା ଦଶମୀ ଦିନ ନିମନ୍ତ୍ରିତ ହୋଇଥିବା ସମସ୍ତ ଦେବୀ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ପରିଶେଷରେ ମା’ ଭଗବତୀ ଓ ନରବଳୀର ପ୍ରତୀକ ବଳିଜେନା ମଧ୍ୟରେ କଉଡ଼ିଖେଳ ହୁଏ।ବଳିଜେନା ହାରିଯାଇ ପୁନର୍ବାର ଆସନ୍ତା ବର୍ଷ ମା’ ଙ୍କ ସେବା ପାଇଁ ପ୍ରତିଶ୍ରୁତି ଦେଇ ପାଳିଆ ସେବକମାନଙ୍କୁ ଭୋଜିରେ ଆପ୍ୟାୟିତ କରି ସ୍ବ-ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି।ଏଥିସହିତ ଏପରି ନିଆରା ପରମ୍ପରା ସହ ମା’ ଭଗବତୀଙ୍କ ପର୍ବ ସମ୍ପର୍ଣ୍ଣ ହୋଇଥାଏ।