Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ

ବାଣପୁର (ସୀତାରାମ ଅଗ୍ରୱାଲ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ।

ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ। ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମହେନ୍ଦ୍ର ରଣସିଂହ, ପ୍ରଶାନ୍ତ କୁମାର କାଣ୍ଡି, ସୁରେଶ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ ଏବଂ ଲୋକନାଥ ପ୍ରଧାନଙ୍କ ଭଳି କିଛି ଉଦୀୟମାନ ବ୍ୟକ୍ତିମାନେ ୨୦୦୯ ମସିହାରେ ଐତିହାସିକ ପଲଟଣ ପଡିଆରେ ଦଣ୍ଡ ଠାକୁରଙ୍କୁ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡ ମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି।

ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ ରାଜା ରାଜେଶ୍ଵରୀଦେବ, ସାନହନ୍ତୁଆଡ଼ ଭକ୍ତ ରାଜେଶ୍ଵରୀଦେବ, ମାଟିଆପୋଖରୀ କପିଳେଶ୍ୱର ଦେବ, ଭେଟେଶ୍ୱର ଭେଟିନାଥ ଦେବ, ଗାଲୁଆ ଗୁପ୍ତେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ, ବଡସିରେଇପୁର ଗୁପ୍ତେଶ୍ୱର ଦେବ, ବେଣୁଆଁବାଡି ଗାଦିଶ୍ୱରଦେବ, ଅରାଙ୍ଗ ନୀଳକଣ୍ଠେଶ୍ଵର ଦେବ, ବୋରିଗାଁ ନାଗରାଜ ଦେବ, ଭୀମପୁର ଝାଡ଼େଶ୍ୱର ଦେବ ଏବଂ ଖାରିଆ ପଲ୍ଲୀର ପଞ୍ଚମହାଦେବ ଦଣ୍ଡ ଠାକୁରଙ୍କ ପଞ୍ଚୁଦଳ ପଡିଆରେ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା।

ଠାକୁର ମାନେ ମେଳଣ ପଡିଆକୁ ପ୍ରବେଶ ସମୟରେ ସମସ୍ତ ଉଦ୍ୟୋଗୀ ବନ୍ଧୁମାନଙ୍କ ଦ୍ୱାରା ଠାକୁର ମାନଙ୍କୁ ନୂଆ ଥାଳିରେ ଗୁଆ, ଚନ୍ଦନ, ଫୁଲ, ଦୀପ, ଦିଆଯାଇ ଅଭ୍ୟର୍ଥନା କରା ଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ସହିତ ଝୁଣା ଖେଳରେ ଫାଟି ପଡୁଥିଲା ପଲଟଣ ପଡିଆ। ହଜାର ହଜାର ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା।

ଠାକୁର ମାନଙ୍କର ଆଗମନ ଉପଲକ୍ଷେ ଉକ୍ତ ସ୍ଥାନରେ ଯଂଜ୍ଞ, ସଂକୀର୍ତ୍ତନ ଓ ଭଜନ ସମାରୋହ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ।  ପରିଶେଷରେ ଭୋଗ ନୈବେଦ୍ୟ ଲାଗି ପରେ ସମସ୍ତ ଠାକୁର ମାନଙ୍କର ମେଳଣ ପର୍ବ ଅନୁଷ୍ଠିତ ହେବାପରେ ଠାକୁର ମାନେ ସ୍ଵ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Categories
ଆଞ୍ଚଳିକ

ପଲଟଣ ପଡିଆରେ ଚଢାଉ କରି ଗଞ୍ଜେଇ ଜବତ କଲା ବାଣପୁର ପୋଲିସ, ଅଭିଯୁକ୍ତ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ବାଣପୁର ପୋଲିସ ଏକାଧିକ ପଦକ୍ଷେପ ହାତକୁ ନେଇଛି। ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଶା ବେପାରିଙ୍କୁ ଧରିବା ପାଇଁ ପଇଁତରା ମାରୁଥିବା ବେଳେ ଆଜି ବାଣପୁରର ଛାତି କୁହାଯାଉଥିବା ପଲଟନ ପଡିଆରୁ ପୋଲିସ ଗଞ୍ଜେଇ ଜବତ କରିଛି।

ପଲଟନ ପଡିଆରେ ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ବିଶ୍ୱନାଥ ବେହେରା (୪୫) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ଉକ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୫୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଥାଉକି ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ଗୁରୁତର ସହ ନେଇଛି ପୋଲିସ।  ଆଗକୁ ଯେପରି ପୁନଶ୍ଚ ଏପରି ମାମଲା ବାଣପୁରରେ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରୁ ଏସଡିପିଓ ଏବଂ ଟାଟା ପାୱାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ଜୋରଦାର ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଥିବା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନଳିନୀକାନ୍ତ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ମିଟୁ ନାୟକ, ରବି ନାୟକ, ଉପ ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ମୁରଲୀ ସାମନ୍ତସିଂହାର, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମ, ବୀରଭଦ୍ର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଦୀର୍ଘ ଚାରି ଦଶନ୍ଧି ଧରି ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବା ଲାଗି ବାଣପୁର ଜନ ସାଧାରଣ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା କେଉଁ ଆଧାରରେ ଏବଂ କାହା ସ୍ୱାର୍ଥରେ ବାଲୁଗାଁରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ଉକ୍ତ ଖବର ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ କ୍ଷୁବ୍ଧ କରିବା ସହ ଏହାଦ୍ୱାରା ବାଣପୁର ବାଲୁଗାଁ ଅଂଚଳର ଶତକଡା ୮୦ ଭାଗ ଲୋକ କ୍ଷତିଗ୍ରସ୍ତ ହେବେ।

ବାଣପୁର ବ୍ଲକରେ ନୀଳାଦ୍ରି ପ୍ରସାଦ ଓ ଦାମିଆ ବରବରା ଭଳି ଦୁଇ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଥିବା ସତ୍ତ୍ୱେ ସରକାର ମସୁଧା କରି ଉପରୋକ୍ତ ଦୁଇଟି କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରିବାକୁ ସ୍ଥିର କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ଜଣାଇଥିଲେ। ତେଣୁ ଆଗାମୀ ଦିନରେ ଯଦି ସରକାର ବାଣପୁର ଅଞ୍ଚଳର ବାସିନ୍ଦାଙ୍କୁ ପ୍ରାଧାନ୍ୟ ନଦେଇ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବାରେ ପାତର ଅନ୍ତର କରନ୍ତି, ତେବେ ଚିଲିକା ନିର୍ବାଚନମଣ୍ଡଳୀରେ ଚକଅଖ ବନ୍ଦ ସହ ଜନସାଧାରଣଙ୍କ ସହଯୋଗରେ ଆଇନ ଅମାନ୍ୟ ଆନ୍ଦୋଳନ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛି।

ଅନୁରୂପ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ତୁରନ୍ତ ବାତିଲ କରାଯାଉ ବୋଲି ଦାବି କରିଛି କ୍ରିୟାନୁଷ୍ଠାନ କମିଟି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।