Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ ଦଳକୁ ପ୍ରଶଂସା: ପାକିସ୍ଥାନକୁ ଭର୍ତ୍ସନା କଲେ ଏହି ପାକିସ୍ଥାନୀ ଖେଳାଳି

ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଖେଳରେ ରହିବାକୁ ହେଲେ କେବଳ ଖେଳାଳିଙ୍କ ପ୍ରତିଭା ପର୍ଯ୍ୟାପ୍ତ ନୁହେଁ। ଯୁବ ଖେଳାଳିଙ୍କ କୌଶଳକୁ ଠିକ ଭାବରେ ପରିମାର୍ଜିତ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।ପାକିସ୍ତାନରେ ପ୍ରତିଭାଶାଳୀ ଖେଳାଳିଙ୍କୁ ପରିମାର୍ଜିତ କରିବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ୪୦ ବର୍ଷୀୟ ହାଫିଜ ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ମୁଁ ଏହି ସିରିଜର ସଂପୂର୍ଣ୍ଣ ଆନନ୍ଦ ନେଇଥିଲି। ପ୍ରଥମ ଟେଷ୍ଟରେ ୩୬ ରନରେ ଅଲ ଆଉଟ ହୋଇଥିବା ଭାରତୀୟ ଦଳର ମନୋବଳ ସଂପୂର୍ଣ୍ଣ ଦୁର୍ବଳ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଉଁପରି ଭାବରେ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିଥିଲେ, ତାହା ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ଅଧିନାୟକ ବିରାଟ କୋହିଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ବିଜୟ ଲାଭ କରିବା ଏକ ଚମତ୍କାର ଘଟଣା। ଏହା କେବଳ ଯୁବ ଖେଳାଳିଙ୍କ ଦ୍ଵାରା ସମ୍ଭବ ହୋଇପାରିଲା। ଏହାର କାରଣ ହେଉଛି, ଭାରତ ସବୁବେଳେ ଭବିଷ୍ୟତ ଲାଗି ଯୁବ ଖେଳାଳିଙ୍କୁ ଭଲ ଭାବରେ ପ୍ରସ୍ତୁତ କରୁଛି। ଯାହା ଏହି ସିରିଜରେ ଭାରତକୁ ସଫଳତା ମିଳିଛି। କିନ୍ତୁ ପାକିସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ।

ସେ ଆହୁରି କହିଥିଲେ ଯେ, ପାକିସ୍ଥାନରେ କେବଳ ବ୍ୟାଟିଂ ଏବଂ ବୋଲିଂ ଉପରେ ଧ୍ୟାନ ଦେଉଛି। ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ ଖେଳ ପାଇଁ ଠିକ ଭାବେ ପ୍ରସ୍ତୁତ କରିପାରୁ ନାହିଁ। ଦୁଃର୍ଭାଗ୍ୟ ହେଉଛି ଆମ ପାଖରେ ଏଭଳି ବ୍ୟବସ୍ଥା ନାହିଁ, ଯାହା ଆଧୁନିକ କ୍ରିକେଟରେ ଆବଶ୍ୟକ ଅନୁଯାୟୀ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇପାରିବ। ଯାହା ଫଳରେ ଆମର ବହୁ ଯୁବ ଖେଳାଳି ଅନ୍ତରାଷ୍ଟ୍ରୀୟ ଖେଳରେ ବିଫଳ ହୋଇଥାନ୍ତି।

ଭାରତର ଏହି ବିରାଟ ବିଜୟ ପରେ ପାକିସ୍ଥାନର ପୂର୍ବତନ ମହାନ କ୍ରିକେଟର ୱାଶିମ ଆକ୍ରମ, ସୋଏବ ଅଖତର, ୱାକର ୟୁନୁସ, ଇଞ୍ଜାମମ ଉଲ ହକ, ରଶିଦ ଲତିଫ ଏବଂ ମୋଇନ ଖାଁ ପ୍ରମୁଖ ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।