Categories
ଆଜିର ଖବର ରାଜ୍ୟ ଖବର

ସୁବର୍ଣ୍ଣପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦ୍ରୁତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ। ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମନରେଗା, ପିଏମ ଆବାସ ଯୋଜନା, ପିଏମଇଜିପି ଓ ଡିଡିୟୁଜିକେୱାଇ ଆଦି ଯୋଜନା ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, ଏହାର ଲାଭ ଏବଂ କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ସ୍ୱୟମ୍ଭୁନାଥ ଖଣ୍ଡଗିରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘‘ପିଆଇବିର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ।
ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ।

ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ମତ ବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ନୂଆଦିଲ୍ଲୀ: ମନୀଷ ଦେଶାଇ ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି।

ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ସରକାରୀ ବିଜ୍ଞାପନ ଏବଂ ଯୋଗାଯୋଗ କାର୍ଯ୍ୟକଳାପର ତଦାରଖ କରୁଥିଲେ।

ତିନି ଦଶନ୍ଧି ଧରି ତାଙ୍କର ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଶ୍ରୀ ଦେଶାଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ଡିଭିଜନର ମହାନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶାସନ ଓ ପ୍ରଶିକ୍ଷଣ), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଚଳଚ୍ଚିତ୍ର ଡିଭିଜନରେ ଥିବା ସମୟରେ ସେ ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା ସହିତ ଜଡିତ ଥିଲେ।

ସେ ପିଆଇବି ମୁମ୍ବାଇରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହିତ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଗଣମାଧ୍ୟମ କାର୍ଯ୍ୟକଳାପକୁ ପରିଚାଳନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ମାଲହୋତ୍ରା

ଭୁବନେଶ୍ଵର: ରାଜେଶ ମାଲହୋତ୍ରା ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ସତ୍ୟେନ୍ଦ୍ର ପ୍ରକାଶ ଅବସର ଗ୍ରହଣ କରିବା ପରେ ଶ୍ରୀ ମାଲହୋତ୍ରା ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି।

୧୯୮୯ ବ୍ୟାଚର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀ ରାଜେଶ ମାଲହୋତ୍ରା ଏଥିପୂର୍ବରୁ ଜାନୁଆରୀ ୨୦୧୮ ଠାରୁ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ। କୋଭିଡ ୧୯ ମହାମାରୀ ସମୟରେ ଦେଖା ଦେଇଥିବା ଆର୍ଥିକ ଅସନ୍ତୁଳନରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ସକାଶେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ସମୟରେ ଶ୍ରୀ ମାଲହୋତ୍ରା ଅର୍ଥ ମନ୍ତ୍ରଣାଳୟର ଗଣମାଧ୍ୟମ ଏବଂ ଯୋଗାଯୋଗ ନୀତିର ନେତୃତ୍ୱ ନେଇ ଦେଶବାସୀଙ୍କ ନିକଟରେ ଏସବୁ ଯୋଜନାର ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରୀ ମାଲହୋତ୍ରାଙ୍କର ୩୨ ବର୍ଷରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଅର୍ଥ, କମ୍ପାନୀ ବ୍ୟାପାର, କୃଷି, ଶକ୍ତି, କୋଇଲା, ଖଣି, ସଞ୍ଚାର ଓ ଆଇଟି, ବୟନ, ଶ୍ରମ, ନୂତନ ଓ ଅକ୍ଷୟ ଶକ୍ତି ଆଦି ମନ୍ତ୍ରଣାଳୟ ତଥା ବିଭାଗରେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି। ଆହୁରି ସେ ଭାରତର ନିର୍ବାଚନ ଆୟୋଗରେ ୨୧ ବର୍ଷ (୧୯୯୬ରୁ ୨୦୧୭ ପର୍ଯ୍ୟନ୍ତ) ଗଣମାଧ୍ୟମ ଓ ଯୋଗାଯୋଗ ଦାୟିତ୍ୱରେ ଥିଲେ। ସେଠାରେ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପରିଚାଳନା କରାଯାଇଥିବା ଛଅଟି ଲୋକସଭା (ସଂସଦର ନିମ୍ନ ସଦନ) ସାଧାରଣ ନିର୍ବାଚନ, ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ କରିଥିଲେ। ନିଜର କାର୍ଯ୍ୟକାଳ ସମୟରେ, ଶ୍ରୀ ମାଲହୋତ୍ରା ୧୨ ଜଣ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହିତ କାର୍ଯ୍ୟ କରିଛନ୍ତି।

ଶ୍ରୀ ମାଲହୋତ୍ରା ଗାଜିଆବାଦ ଆଇଏମଟିରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ଏବଂ ହାଇଦ୍ରାବାଦର ନାଲସାରରୁ ଗଣମାଧ୍ୟମ ଆଇନରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି। ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଏନାଲିସିସରେ ଏକ ସ୍ବଳ୍ପ ଅବଧି ବିଶିଷ୍ଠ ପାଠ୍ୟକ୍ରମ ଶେଷ କରିଛନ୍ତି। ସେହିପରି ବ୍ରିଟେନର ଥୋମାସ ଫାଉଣ୍ଡେସନରୁ ଗଣମାଧ୍ୟମ ପରିଚାଳନା ଓ ରଣନୀତି ପାଠ୍ୟକ୍ରମରେ ମଧ୍ୟ ଶିକ୍ଷା ହାସଲ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆଇଆଇଏମ ଲକ୍ଷ୍ନୌ ପକ୍ଷରୁ ଆୟୋଜିତ ‘ମାର୍କେଟିଂ : ଦ ୱିନିଂ କନସେପ୍ଟ ଏଣ୍ଡ ପ୍ରାକ୍ଟିସେସ’ରେ ମଧ୍ୟ ଭାଗ ନେଇଥିଲେ। ଶ୍ରୀ ମାଲହୋତ୍ରା ଇନଷ୍ଟିଚ୍ୟୁଟ୍‌ ଅଫ କମ୍ପାନୀ ସେକ୍ରେଟାରିଜ୍‌ର ଜଣେ ସଦସ୍ୟ ହୋଇଥିବା ବେଳେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।

ମୁଖପାତ୍ର ଭାବେ ଶ୍ରୀ ମାଲହୋତ୍ରାଙ୍କର ‘ଦ୍ୱି-ପାକ୍ଷିକ’ ଯୋଗାଯୋଗ ମାଧ୍ୟମ ପ୍ରତିଷ୍ଠା କରିବାରେ ଅଭିଜ୍ଞତା ରହିଛି ଯେଉଁଥିରେ ଗୋଟିଏ ପକ୍ଷରେ ସରକାର ଏବଂ ଅନ୍ୟ ପକ୍ଷରେ ଗଣମାଧ୍ୟମ ରହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟରେ ନିଜର ଜାଜ୍ଜୁଲ୍ୟମାନ କ୍ୟାରିଅରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ସମୟରେ ସଙ୍କଟପୂର୍ଣ୍ଣ ପରିସ୍ଥିତିର ସଫଳ ମୁକାବିଲା କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଗଣମାଧ୍ୟମକୁ କେବଳ ସଠିକ ସୂଚନା ପ୍ରସାରଣ କରାଯିବା ଉଚିତ ବୋଲି ସେ ସୁନିଶ୍ଚିତ କରିଛନ୍ତି। ନିଜର କ୍ୟର୍ଯ୍ୟକାଳ ସମୟରେ ଭାରତରୁ ଯାଉଥିବା ବିଭିନ୍ନ ମନ୍ତ୍ରିସ୍ତରୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଅନ୍ତର୍ଜାତୀୟ ସମ୍ମିଳନୀ/କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗଣମାଧ୍ୟମ ପ୍ରସାର କାର୍ଯ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦର୍ଶନରୁ ପ୍ରେରଣା ନେଇ ଭାରତ ସରକାର ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ବ୍ୟବହାର କରିବା ପାଇଁ ଅନେକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ବୈଦ୍ୟୁତିକ କାରଗୁଡିକର ଚାହିଦାକୁ ଆହୁରି ବୃଦ୍ଧି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଦ୍ୱାରା ଖରିଦ ହେଉଥିବା କିମ୍ବା ଭଡାରେ ଆସୁଥିବା କାର ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ବୈଦ୍ୟୁତିକ କାର ହେବ। ସେହି ଲକ୍ଷ୍ୟ ଅନୁଯାୟୀ ଆଜି ୧୪ ଟି କାର ବଦଳାଇଥିବାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟକୁ ପ୍ରଶଂସା କରିଥିଲେ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସତ୍ୟେନ୍ଦ୍ର ପ୍ରକାଶ

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଲାଭ କରିଥିଲା।

ଶ୍ରୀ ପ୍ରକାଶ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର‌୍ୟ୍ୟାନ୍ୱୟନରେ ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: କୋଭିଡ ଭୂମିକାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥଭାରତ ଏବଂ ଏକ ସୁସ୍ଥ ଭାରତ ନିମନ୍ତେ ଆମେ ସ୍ୱସ୍ଥ ନାଗରିକ ଆବଶ୍ୟକ କରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସ୍ୱାସ୍ଥ୍ୟକୁ ନିଜ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଛନ୍ତି ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଭାରତ ମଧ୍ୟ “ ହିଲ୍ ଇନ୍ ଇଣ୍ଡିଆ” ଓ “ହିଲ ବାଏ ଇଣ୍ଡିଆ” ପ୍ରୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଶ୍ୱରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି।

ଗତକାଲି ପିଆଇବି, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱମାନଙ୍କ ସହ କଥୋପକଥନ ସମୟରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଅଧିକାରୀ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ବିଷୟକ ସାମ୍ବାଦିକ ସବୁ ରାଜ୍ୟରୁ ଭାଗ ନେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କୋଭିଡ ମହାମାରୀ ସଂକ୍ରମଣ କାଳରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ, ସେଥିପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏଭଳି ଏକ ପରୀକ୍ଷାର ଘଡିରେ ସାମ୍ବାଦିକମାନେ ଆଶାନୁରୁପ କାର୍ଯ୍ୟ କରି ପ୍ରକୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। କରୋନା ଘେନି ଯେଉଁ ବିଭ୍ରାନ୍ତିକାର ଖବର ଓ ଭୁଲ ତଥ୍ୟ ପ୍ରଚାରିତ ହେଉଥିଲା ତାହାକୁ ନିର୍ଭୁଲ ତଥ୍ୟ ଭିତ୍ତିକ ଖବର ଦେଇ ସେମାନେ ଏହାର ପ୍ରତିହତ କରିଥିଲେ। ଏହା ଫଳରେ କରୋନା ଘେନି ରହିଥିôବା ଭ୍ରାନ୍ତି, କାଳ୍ପନିକ କଥା ଓ ଭୟ ଦୂର ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ବଢିଥିଲା ଏବଂ ଏଥିପ୍ରତି ଥିବା ବିରୋଧ ହ୍ରାସ ପାଇଥିଲା।

ଏହି ମହାମାରୀ କାଳରେ ପିଆଇବି, ଦୂରଦର୍ଶନ ସମାଚାର, ଆକାଶବାଣୀ ସମାଚାରର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ଏହା କେବଳ ସରକାରୀ ଉଦ୍ୟମ ନ ଥିଲା, “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ”ମାଧ୍ୟମରେ  ଆମେ ବିଶ୍ୱର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆରମ୍ଭ କରିପାରିଥିଲୁ। ଏହି ମହାମାରୀ କାଳରେ ଯେଉଁ ସାମ୍ବାଦିକମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତି ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେ ଆହୁରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ -ଗଣମାଧ୍ୟମ ମହାମାରୀ କାଳରେ ନିଜର ସାମର୍ଥ୍ୟର ଏକ ଅତି ଉଚ୍ଚ ମାନ ପ୍ରଦର୍ଶନ କରିଥିଲା। ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥ ଭାରତ ଆବଶ୍ୟକ କରୁ ଏବଂ ଏକ ସୁସ୍ଥ ଭାରତ ପାଇଁ ସ୍ୱସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି -ଏହି ବାର୍ତ୍ତାକୁ ଗଣମାଧ୍ୟମ ଅଧିକରୁ ଅଧିକ ଲୋକଙ୍କ  ପାଖରେ ପହଞ୍ଚାଇବା ଉଚିତ। ଆମେ ଇତି ମଧ୍ୟରେ ହର୍ ଘର୍ ଦସ୍ତକ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ। ଲୋକଙ୍କୁ ଟିକାନେବାକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା ଡୋଜ ଦେବା ଏହି  ଅଭିଯାନର ଲକ୍ଷ୍ୟ। ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଅଧିକରୁ ଅଧିକ ପହଂଚାଇବାରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି ବୋଲି ସେ କହିଥିଲେ। ସେହିଭଳି ଟିବି ନିରାକରଣ, ଟେଲି ମେଡିସିନ, ମୋତିଆବିନ୍ଦୁ,  ଇ-ସଂଜୀବନୀ ଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକରୁ ଅଧିକ ଖବର ଆଞ୍ଚଳିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।

ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଭାରତ ସ୍ୱାସ୍ଥ୍ୟକୁ ଏକ ସେବା ଭାବେ ବିବେଚନା କରେ। ନିଜର ତାଲିମପ୍ରାପ୍ତ ଓ ସମର୍ଥ ଲୋକଶକ୍ତି ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟସେବା ଯୋଗାଇ ପୃଥିବୀରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଭାରତ ଏବେ କେବଳ “ହିଲ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମର ଏକ ନୂଆ ମୋଡରେ ପହଞ୍ଚି ନାହିଁ,  ‘ହିଲ ବାଏ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସ୍ୱାସ୍ଥ୍ୟ  ପେସାଦାର /ଚିକିତ୍ସକମାନେ ବିଶ୍ୱସ୍ତରରେ ଚିକିତ୍ସାସେବା ଓ ପରାମର୍ଶ ଦେବାକୁ ପ୍ରସ୍ତୁତ। ଆମର ଉନ୍ନତ ଚିକିତ୍ସା  ବ୍ୟବସ୍ଥା ସ୍ୱାସ୍ଥ୍ୟ  ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କୋଭିଡ ପରିଚାଳନା, ଟିକାଦାନ, ହର୍ ଘର୍ ଦସ୍ତକ ଅଭିଯାନ, ବୈଶ୍ୱିକ ଟିକାଦାନ କ୍ଷେତ୍ରରେ ଭାରତର ଭ୍ୟାକ୍ସିନ ମୈତ୍ରୀର ଭୂମିକା, କୋ-ୱିନର ବିଶ୍ୱସ୍ତରୀୟ ଗୁରୁତ୍ୱ, କୋଭିଡ କାଳରେ ଗଣମାଧ୍ୟମର ଭୂମିକା ଆଦି ପ୍ରସଙ୍ଗରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ଅନୁଭୂତି, ସମ୍ମୁଖୀନ ହୋଇଥିବା ଆହ୍ୱାନ ଆଦି ସମ୍ପର୍କରେ  କହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନେକ ଅଭିନବ ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଯୋଗ ଶିବିର ଆୟୋଜିତ

ଭୁବନେଶ୍ବର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ଯ୍ୟଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଆସନ୍ତା ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଯୋଗ ଦିବସ ପାଇଁ ୭୫ ଦିନ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି। ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଶିବିର ସମେତ ଯୋଗର ପ୍ରଚାରପ୍ରସାର ପାଇଁ କାର‌୍ୟ୍ୟକ୍ରମମାନ ଆୟୋଜନ କରାଯାଉଛି।

Categories
ବିଶେଷ ଖବର

ଆଗାମୀ 7 ଦିନ ପାଇଁ ଭାରତ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି!, ଜାଣନ୍ତୁ ପୁରା ସତ୍ୟତା?

ନୂଆଦିଲ୍ଲୀ: ଆଗାମୀ ସାତ ଦିନ ପାଇଁ ଭାରତ ବନ୍ଦ ରହିବ କି? ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି କି? ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଆଇବି ଏହି ବାର୍ତ୍ତା ଯାଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ବାର୍ତ୍ତାର ସତ୍ୟତା କ’ଣ-

ପିଆଇବି ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ, ଏକ ନକଲି ବାର୍ତ୍ତାରେ ଏହା ଦାବି କରାଯାଉଛି ଯେ ମାର୍ଚ୍ଚ 21 ତାରିଖରୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭରତ ବନ୍ଦର ନିଷ୍ପତ୍ତି ନିଆଯାଇଛି।

ଯେତେବେଳେ ପିଆଇବି ଏହି ନକଲି ବାର୍ତ୍ତା ଯାଞ୍ଚ କଲା, ସେତେବେଳେ ଜାଣିବାକୁ ପାଇଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି। ଭାରତ ବନ୍ଦ କରିବାକୁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ସତ୍ୟତା ଯାଞ୍ଚ ପରେ ପିଆଇବି ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି। ଲୋକଙ୍କୁ ଏପରି ବାର୍ତ୍ତା ପଠାଇବା ଲାଗି ପିଆଇବି ବାରଣ କରିଛି।

ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ ପିଆଇବି ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: [email protected] କୁ ପଠାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଭାରତୀୟ ସୂଚନା ସେବା ଅଧିକାରୀ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।

ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ ଉମାକାନ୍ତ ମିଶ୍ର ହେଲେ ‘ସକାଳ’ର ସଂପାଦକ

ଭୁବନେଶ୍ବର, 1973 ମସିହାର ଭାରତୀୟ ସୂଚନା ସେବା ଅଧିକାରୀ ଉମାକାନ୍ତ ମିଶ୍ର ଦୈନିକ ‘ସକାଳ’ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ସେ ଭାରତୀୟ ସୂଚନା ସେବାରୁ ଅବସର ନେବା ପରେ ଇଣ୍ଡିଆ ନ୍ୟୁଜ ଗ୍ରୁପର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। 26 ବର୍ଷ ସରକାରୀ ଚାକିରୀ କାଳରେ ଉମାକାନ୍ତ ପିଆବିର ନିର୍ଦ୍ଦେଶକ, ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, ରେଳବାଇର ମିଡିଆ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ସକାଳ ଦୈନିକ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି।

ଆସନ୍ତା ଡିସେମ୍ବର 1 ତାରିଖରେ ‘ସକାଳ’ ଖବର କାଗଜ  ନବକଳେବର ହୋଇ ପ୍ରକାଶିତ ହେବାକୁ ଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ସଂକ୍ଷେପରେ ଜାଣନ୍ତୁ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପ ଓ ଘୋଷଣା

1-ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କଲେ ଭାରତ ସରକାର

ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭାରତ ସରକାର। ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ  ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ ।

2-କୋଭିଡ-19 ମୁକାବିଲା ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପଦକ୍ଷେପ ସମୀକ୍ଷା କଲା ମନ୍ତ୍ରୀଗୋଷ୍ଠୀ

କୋଭିଡ-19 ମୁକାବିଲା ଓ ପ୍ରତିହତ କରିବା ନିମନ୍ତେ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଆଜି ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ଗୋଷ୍ଠୀ ବର୍ତ୍ତମାନସୁଦ୍ଧା ନିଆଯାଇଥିବା ପଦକ୍ଷେପ, ନିରାକରଣ ରଣନୀତି ସ୍ଵରୂପ ସାମାଜିକ ଦୂରତା ପଦକ୍ଷେପ ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

3-ଭାରତଆମେରିକା ସମ୍ପର୍କ ପୂର୍ବାପେକ୍ଷା ଆହୁରି ସୁଦୃଢ଼ ହୋଇଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ-ଆମେରିକା ଭାଗିଦାରୀ ପୂର୍ବାପେକ୍ଷା ଆହୁରି ସୁଦୃଢ଼ ହୋଇଛି। କୋଭିଡ-19 ମୁକାବିଲା ଲାଗି ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ଯୋଗାଣ ନିମନ୍ତେ ଭାରତର ନିଷ୍ପତ୍ତି ଉପରେ କୃତଜ୍ଞତା ବ୍ୟକ୍ତ କରି ଆମେରିକା ରାଷ୍ଟ୍ରପତି ମହାମହିମ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଜବାବରେ ଶ୍ରୀ ମୋଦୀ ଏହା କହିଛନ୍ତି।

4-ରିଲିଫ କାର୍ଯ୍ୟ ନିମନ୍ତେ ଏଫସିଆଇ ଠାରୁ ସିଧାସଳଖ ଖାଦ୍ୟଶସ୍ୟ ଯୋଗାଣ ନିମନ୍ତେ ଏନଜିଓଗୁଡ଼ିକୁ ଅନୁମତି

ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ସମୟରେ ହଜାର ହଜାର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ନିମନ୍ତେ ଏନଜିଓ ଏବଂ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏସବୁ ଅନୁଷ୍ଠାନଗୁଡ଼ିକୁ ବାଧାମୁକ୍ତ ଭାବେ ଖାଦ୍ୟଶସ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏସବୁ ଅନୁଷ୍ଠାନଗୁଡ଼ିକ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ନକରି ଖୋଲା ବଜାର ଦରରେ ଏଫସିଆଇ ଠାରୁ ଗହମ ଓ ଚାଉଳ କିଣିପାରିବେ।

5-ଭବିଷ୍ୟତ ପାଇଁ ଚିନ୍ତା କରିବା ଏବଂ କୋଭିଡ ପରବର୍ତ୍ତୀ ସମୟରେ ରହିଥିବା ସମ୍ଭାବନା ପାଇଁ ପ୍ରସ୍ତୁତ ରହିବା ଲାଗି ରପ୍ତାନିକାରୀମାନଙ୍କୁ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଆହ୍ଵାନ

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ରପ୍ତାନି ପ୍ରୋତ୍ସାହନ ପରିଷଦର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। କୋଭିଡ-19 ଏବଂ ଏହାପରେ ଲକଡାଉନ କାରଣରୁ ସେମାନେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କ୍ଷେତ୍ରୀୟ ସମସ୍ୟା ବିଷୟରେ ସେ ଅବଗତ ହୋଇଥିଲେ।

 

6-ଇଭୋଟିଂ ସୁବିଧା ସହିତ ଭିସି କିମ୍ବା ଓଏଭିଏମ ଜରିଆରେ ଅଥବା ପଞ୍ଜିକୃତ ଇମେଲ ଜରିଆରେ ଇଜିଏମ ଆୟୋଜନ ନିମନ୍ତେ କମ୍ପାନୀଗୁଡ଼ିକୁ ଏସିଏର ଅନୁମତି

କମ୍ପାନୀ ଆଇନ 2013 ଅନ୍ତର୍ଗତ ଭିସି/ଓଏଭିଏମ ଏବଂ ଇ ଭୋଟିଂ ଜରିଆରେ ଇଜିଏମ ଆୟୋଜନ ଲାଗି  ଇଭୋଟିଂ ସୁବିଧା ଯୋଗାଇ ଦେବା ନିମନ୍ତେ 1ହଜାରରୁ ଅଧିକ ଅଂଶୀଦାର ଥିବା ପଞ୍ଜିକୃତ କମ୍ପାନୀଗୁଡ଼ିକୁ ଅନୁମତି ଦେଲା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳ। ଏ ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ ସାଧାରଣ ବିଜ୍ଞପତି 14/2020 ତା’ 08.04.2020 ଜାରି । ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ପଞ୍ଜିକୃତ ଇମେଲ ଜରିଆରେ ଭୋଟିଂର ଅଧିକ ସହଜ ସୁବିଧା ଅନୁପାଳନ ନିମନ୍ତେ ଏମସିଏର ମଞ୍ଜୁରି।

7-କୃଷକମାନଙ୍କୁ ସହାୟତା କରିବା ଲାଗି ପଦକ୍ଷେପ ଗ୍ରହର ନିମନ୍ତେ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କକ ଅଧ୍ୟକ୍ଷତାରେ ରାଜ୍ୟ କୃଷିମନ୍ତ୍ରୀମାନଙ୍କ ବୈଠକ

କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ଆହ୍ଵାନପୂର୍ଣ୍ଣ ସମୟରେ କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ ଜାରି ରଖିବା ନିମନ୍ତେ ରାଜ୍ୟଗୁଡ଼ିକର ପ୍ରୟାସକୁ କେନ୍ଦ୍ର କୃଷି ମନ୍ତ୍ରୀ ପ୍ରଶଂସା କରିଥିଲେ। କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ, ଫସଲ, କୃଷି ଉତ୍ପାଦ, ସାର ଏବଂ କୃଷି ଯନ୍ତ୍ରପାତିର ସହଜ ପରିବହନକୁ ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରୀୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦଶେ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ।

8-ବିଭିନ୍ନ ଶିଳ୍ପ ବାଣିଜ୍ୟ ମହାସଂଘ ସହ ଆଲୋଚନା କଲେ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ; ସେମାନଙ୍କ ସମସ୍ୟା ସମାଧାନ ଲାଗି ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା ନେଇ ଦେଲେ ଆଶ୍ଵାସନା

ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ମହାସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କୋଭିଡ-19 ସଂକ୍ରମଣ ଏବଂ ଏହାପରେ ଲକଡାଉନ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କ୍ଷେତ୍ରୀୟସ୍ତରର ସ୍ଥିତି ସମ୍ପର୍କରେ ସମୀକ୍ଷଶ କରିଥିଲେ। ସେ କହିଥିଲେ ଯେ ଲଜିଷ୍ଟିକ୍ସ ଏବଂ ଆମଦାନୀ-ରପ୍ତାନି ସଂକ୍ରାନ୍ତ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଉଛି ଏବଂ ଶିଳ୍ପ ଏବଂ ବାଣିଜ୍ୟ ଜଗତର ଚିନ୍ତା ଅନ୍ୟ ମନ୍ତ୍ରଣାଳୟ ସମ୍ମୁଖରେ ଉପସ୍ଥାପନ କରାଯାଇଛି।

9-କୋଭିଡ-19 ସଂକ୍ରାନ୍ତ ପ୍ରଶ୍ନର ସମାଧାନ ପାଇଁ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷଣୁ ସ୍ଵଚ୍ଛତା ଆପର ନୂଆ ସଂସ୍କରଣର ଉନ୍ମୋଚନ

ସ୍ଵଚ୍ଛ ଭାରତ ମିଶନ (ସହରାଞ୍ଚଳ) ଅଧୀନରେ ନାଗରିକମାନଙ୍କ ଅଭିଯୋଗର ସମାଧାନ ପାଇଁ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ଵଚ୍ଛତା ଆପ ବିଶେଷ ଲୋକପ୍ରିୟ ହୋଇପାରିଛି। ସାରା ଦେଶରେ ଏହାର 1.7 କୋଟିରୁ ଅଧିକ ସହରାଞ୍ଚଳ ଉପଯୋଗକାରୀ ରହିଛନ୍ତି। ଏହି ଆପକୁ ବର୍ତ୍ତମାନ ଅଧିକ ବିକଶିତ ଓ ସୁଦୃଢ଼ କରାଯାଇଛି। ଏଣିକି ସମ୍ପୃକ୍ତ ସହରାଞ୍ଚଳ ପ୍ରଶାସନିକ କ୍ଷେତ୍ରରେ ନାଗରିକମାନେ ଏଥିରେ କୋଭିଡ ସଂକ୍ରାନ୍ତ ଅଭିଯୋଗ  କରିପାରିବେ।

10- ଛଅ ଲକ୍ଷ ପୁନଃ ବ୍ୟବହାର ଯୋଗ୍ୟ ମାସ୍କ ଏବଂ 40 ହଜାର ଲିଟରରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କଲା ଭାରତୀୟ ରେଳପଥ

ଭାରତୀୟ ରେଳପଥ କୋଭିଡ-19 ସଂକ୍ରମଣ ମୁକାବିଲା ଦିଗରେ ପଦକ୍ଷେପ ଜାରି ରଖି ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ପ୍ରୟାସରେ ସହଯୋଗ କରିବା ନିମନ୍ତେ ସବୁପ୍ରକାର ଯୋଗଦାନ ଦେଇଚାଲିଛି। ଏ ଦିଗରେ ନିଜର ସମସ୍ତ କ୍ଷେତ୍ରୀୟ ରେଳପଥ, ଉତ୍ପାଦନ ୟୁନିଟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜରିଆରେ ନିଜସ୍ଵ ଉଦ୍ୟମରେ ଭାରତୀୟ ରେଳପଥ ପକ୍ଷରୁ ପୁନଃବ୍ୟହବାର ଯୋଗ୍ୟ ଫେସ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ କରାଯାଉଛି।

11-ସାମାଜିକ ସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପୂରଣ କରି 28 ମାର୍ଚ୍ଚ ପରଠାରୁ ଭାରତୀୟ ରେଳପଥ ପକ୍ଷରୁ 8.5 ଲକ୍ଷ ଥାଳି ରନ୍ଧା ଖାଦ୍ୟ ବିତରଣ

କୋଭିଡ-19 ପରଠାରୁ ଅସହାୟ ଲୋକମାନଙ୍କୁ ଭାରତୀୟ ରେଳପଥ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ ଜାରି ରହିଛି। ସାମାଜିକ ସେବାର ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ରେଳପଥ ପକ୍ଷରୁ ଆଇଆରସିଟିସି ଆଧାରିତ ରୋଷେଇଶାଳ, ଆରପିଏଫ ସମ୍ବଳ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ଜରିଆରେ କାଗଜ ପ୍ଲେଟରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଭୋଜନ ପାଇଁ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି। ଗରିବ, ଅସହାୟ, ଭିକ୍ଷୁକ, ଶିଶୁ, କୁଲି, ପ୍ରବାସୀ ଶ୍ରମିକ, ଅଟକି ରହିଥିବା ଯାତ୍ରୀ ଏବଂ ଖାଦ୍ୟ ସନ୍ଧାନରେ ନିକଟସ୍ଥ ରେଳ ଷ୍ଟେସନକୁ ଆସୁଥିବା ଲୋକ ଏବଂ ରେଳ ଷ୍ଟେସନ ଠାରେ ଦୂରରେ ରହୁଥିବା ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।

12-କୋଭିଡ-19 ମୁକାବିଲା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦୀକ୍ଷା ଆପ ଜରିଆରେ ସମନ୍ବିତ ସରକାରୀ ଅନଲାଇନ ଟ୍ରେନିଂ (ଆଇଜିଓଟି) ପୋର୍ଟାଲ ନାମକ ଟ୍ରେନିଂ ମଡ୍ୟୁଲର ଶୁଭାରମ୍ଭ

ଚିକିତ୍ସକ, ନର୍ସ, ଏଏନ୍ଏମ, ରାଜ୍ୟ ସରକାରଙ୍କ ଅଧିକାରୀ, ଏନସିସି, ନେହେରୁ ଯୁବ କେନ୍ଦ୍ରର ସଦସ୍ୟ, ପୁଲିସ, ବେସାମରିକ ପ୍ରତିରକ୍ଷା ଅଧିକାରୀ, ଜାତୀୟ ସେବା ସଂସ୍ଥା, ରେଡକ୍ରସ, ସ୍କାଉଟ୍ସ ଓ ଗାଇଡ୍ସ ଏବଂ  ବିଭିନ୍ନ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଆଇଜିଓଟିରେ ପାଠ୍ୟକ୍ରମ ସୁବିଧା ରହିଛି।

13-ନୂଆ ଆଇଜିଓଟି ଇଲର୍ଣ୍ଣିଂ ପ୍ଲାଟଫର୍ମ ଜରିଆରେ କୋଭିଡ-19 ଅଗ୍ରଣୀ କର୍ମୀଙ୍କୁ ସଶକ୍ତ କରିବ ଡିଓପିଟ

କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କୋଭିଡ-19 ମୁକାବିଲା ଲାଗି ସମସ୍ତ ଅଗ୍ରଣୀ କର୍ମୀଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଏକ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ (https://igot.gov.in)  ବିକଶିତ କରାଯାଇଛି। ଏଥିରେ ସେମାନଙ୍କ ପାଇଁ ଟ୍ରେନିଂ ଓ ଅପଡେଟ ରହିଛି ଯାହା ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟକ ହେବ। ଦ୍ବିତୀୟ ଶ୍ରେଣୀର କର୍ମଶକ୍ତିକୁ କୋଭିଡ-19 ମୁକାବିଲା ନିମନ୍ତେ ତାଲିମ ଦେବା ଫଳରେ ଭାରତ ଆହ୍ଵାନପୂର୍ଣ୍ଣ ପରିସ୍ଥିତିକୁ ଭଲ ଭାବେ ମୁକାବିଲା କରିବାରେ ସହାୟକ ହେବ।

14-ସମସ୍ତ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ରକୁ ସଂଯୁକ୍ତ କରୁଥିବା 58ଟି ମାର୍ଗ ପାଇଁ 109ଟି ଟାଇମ ଟେବୁଲ ପାର୍ସଲ ଟ୍ରେନ ଚଳାଚଳ ଆରମ୍ଭ କଲା ଭାରତୀୟ ରେଳପଥ

ଦେଶର ବିଭିନ୍ନ ପ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ବସ୍ତୁ ଯୋଗାଣ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳପଥ ପକ୍ଷରୁ ବାଧାମୁକ୍ତ ଟାଇମ ଟେବୁଲ ପାର୍ସଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ଦେଶରେ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ଦିଗରେ ବ୍ୟାପକ ଭାବେ ସହାୟକ ହୋଇପାରିବ। ସାଧାରଣ ନାଗରିକ, ଶିଳ୍ପ ଓ କୃଷି ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଏହା ସହାୟକ ହୋଇପାରିବ।

15-ଜନଜାତି ସଂଗ୍ରହକାରୀମାନେ ସେମାନଙ୍କ କାର୍ଯ୍ୟ ନିରାପଦ ଭାବେ ସମ୍ପାଦନ କରିବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୟୁନିସେଫ ସହଯୋଗରେ ଏକ ଡିଜିଟାଲ କ୍ୟାମ୍ପେନର ଶୁଭାରମ୍ଭ କଲା ଟ୍ରାଇଫେଡ

ଜନଜାତି ସଂଗ୍ରହକାରୀମାନେ ସେମାନଙ୍କ କାର୍ଯ୍ୟ ନିରାପଦ ଭାବେ ସମ୍ପାଦନ କରିବା ନିମନ୍ତେ ଏହି କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୟୁନିସେଫ ସହଯୋଗରେ ଟ୍ରାଇଫେଡ ପକ୍ଷରୁ ଏକ ଡିଜିଟାଲ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ଏଥିରେ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଇଛି।

 

16-ପିଏଲଆଇ ଓ ଆରପିଏଲଆଇ ପ୍ରିମିୟମ ଦାଖଲ ଅବଧି 30 ଜୁନ 2020 ପର୍ଯ୍ୟନ୍ତ ବଢ଼ିଲା

ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ଡାକ ବିଭାଗ ଅଧୀନ ଡାକ ଜୀବନ ବୀମା ମହାନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ, ଏପ୍ରିଲ ଓ ମେ 2020 ପାଇଁ ସେମାନଙ୍କ ପ୍ରିମିୟମ ପଇଠ ଅବଧି 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ କୌଣସି ଜୋରିମାନା କିମ୍ବା ବିଳମ୍ବିତ ଶୁଳ୍କ ଲାଗୁ କରାଯିବ ନାହିଁ।

 17-କୋଭିଡ-19 ମୁକାବିଲାର ମିଳିତ ପ୍ରୟାସରେ ଘରୋଇ ଏବଂ ସରକାରୀ ବିମାନ ଚଳାଚଳ କମ୍ପାନୀ ଓ ସହଯୋଗୀ ସଂସ୍ଥାଗୁଡ଼ିକର ଅବିରାମ ପ୍ରୟାସ

କୋଭିଡ-19 ଲକଡାଉନ ଅବଧି ସମୟରେ ଆଇସିଏମଆର, ଏଚଏଲଏଲ ଏବଂ ଅନ୍ୟ ଜରୁରି ମେଡ଼ିକାଲ ସରଞ୍ଜାମ ସାରା ଦେଶରେ ଯୋଗାଣ ହେଉଛି। ଏୟାର ଇଣ୍ଡିଆ, ଆଇଏଏଫ, ପୱନ ହଂସ, ଇଣ୍ଡିଗୋ ଏବଂ ବ୍ଲୁଡାର୍ଟ ଆଦି ଦେଶ ଭିତରେ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଔଷଧ, ଆଇସିଏମଆର ମାଲ, ଏଚଏଲଏଲର ବିଭିନ୍ନ ସାମଗ୍ରୀ ତଥା ଜରୁରି ସାମଗ୍ରୀକୁ ୮ ଏପ୍ରିଲ 2020ରେ ଶ୍ରୀନଗର, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଭୁବନେଶ୍ଵର ଏବଂ ଦେଶର ଅନ୍ୟ ଅଞ୍ଚଳକୁ ପରିବହନ କରିଛନ୍ତି।

18-କୋଭିଡ– 19 ସ୍ମାର୍ଟ ସିଟିଗୁଡ଼ିକର ସର୍ବସାଧାରଣ ସ୍ଥାନ ବିଶୋଧନ

କୋଭିଡ-19କୁ ବିଶ୍ଵ ମହାମାରୀ ଘୋଷଣା ହେବା ପରଠାରୁ ଭାରତୀୟ ସହରଗୁଡ଼ିକର ବିଭିନ୍ନ ସ୍ଥାନ ବିଶେଷ କରି ସର୍ବସାଧାରଣ ସ୍ଥାନଗୁଡ଼ଇକୁ ନିୟମିତ ଭାବେ ବିଶୋଧନ କରାଯାଉଛି। ଭୂତାଣୁର ସ୍ଥାନୀୟ ସଂକ୍ରମଣ ଆଶଙ୍କା ଏଠାରେ ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଉଛି। ମାର୍ଚ୍ଚ 25, 2020 ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରଠାରୁ ବସ/ରେଳ ଷ୍ଟେସନ, ରାସ୍ତାଘାଟ, ବଜାର, ହସ୍ପିଟାଲ ପରିସର, ବ୍ୟାଙ୍କ ଆଦି ସ୍ଥାନକୁ ବିଶୋଧନ କରିବା ଲାଗି ସହରାଞ୍ଚଳ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

19-କୋଭିଡ-19 ଲକଡାଉନ ଅବଧିରେ ଡିଜିଟାଲ ଶିକ୍ଷାଦାନରେ ବୃଦ୍ଧି ପରିଲକ୍ଷିତ

ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସେମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଯୋଗାଇ ଦେଉଛନ୍ତି। ସ୍କାଇ ପେ, ଜୁମ, ଗୁଗଲ କ୍ଲାସରୁମ, ଗୁଗଲ ହ୍ୟାଙ୍ଗଆଉଟ, ପିଆଜ୍ଜା ଆଦି ପ୍ଲାଟଫର୍ମ ଜରିଆରେ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି।  ଏହାଛଡ଼ା ଶିକମାନେ ୟୁଟ୍ୟୁବ, ହ୍ଵାଟ୍ସଆପ, ଜରିଆରେ ପାଠପଢ଼ାର ଭିଡି ଓ ଏବଂ କ୍ଲାସନୋଟ ଅପଲୋଡ କରୁଛନ୍ତି। ସେହିପରି ସ୍ଵୟମ, ଏନପିଟିଇଏଲ ଭଳି ଡିଜିଟାଲ ଲର୍ଣ୍ଣିଂ ସମ୍ବଳ ମାଧ୍ୟମରେ ଅନଲାଇନ ଜର୍ଣ୍ଣାଲ ମଧ୍ୟ ଯୋଗାଇ ଦିଆଯାଉଛି।

20-କୋଭିଡ-19 ମହାମାରୀ ସମୟରେ ଇଏସଆଇସି ପକ୍ଷରୁ ବିଭିନ୍ନ ରିହାତି ପଦକ୍ଷେପ ଘୋଷଣା

କୋଭିଡ-19 ମହାମାରୀ କାରଣରୁ ଦେଶ ଏକ ଆହ୍ଵାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ସାମାଜିକ ଦୂରତା ରକ୍ଷା ନିମନ୍ତେ ଦେଶର ଅଧିକାଂଶ ଭାଗରେ ଲକଡାଉନ ଲାଗୁ ହୋଇଛି। ଏହି ସଂକଟର ମୁକାବିଲା ନିମନ୍ତେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଏହାର ଅଂଶୀଦାର ଏବଂ ସାଧାରଣ ସଦସ୍ୟମାନଙ୍କୁ ରିହାତି ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

21-ସଂକ୍ରମିତ ଶ୍ଵାସକ୍ରିୟାର ନିରାପଦ ପରିଚାଳନା ନିମନ୍ତେ ପ୍ରଭାବୀ ଅବଶୋଷକ ଉପାଦାନ ପ୍ରସ୍ତୁତ କଲେ ଏସସିଟିଆଇଏମଏସଟିର ବୈଜ୍ଞାନିକ

‘ଚିତ୍ରା ଆକ୍ରିଲୋଜର୍ବ ସିକ୍ରେସନ ସଲିଡିଫିକେସନ ସିଷ୍ଟମ’ ନାମକ ଏହି ଉପାଦାନ ତରଳ ଶ୍ଵାସକ୍ରିୟା ଏବଂ ଅନ୍ୟ ଶାରୀରିକ ତରଳ ଉପାଦାନ ଜମାଟ ବାନ୍ଧିବା ଓ ସଂକ୍ରମିତ ହେବା କ୍ଷେତ୍ରରେ ଅଧିକ ପ୍ରଭାବୀ ଅବଶୋଷକ ଭାବେ କାମ କରିବ।