ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ତାଲିକାଭୁକ୍ତ ଅନୁବାଦକ ଓ ସମ୍ପାଦକମାନଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସରକାରୀ ସୂଚନାକୁ ଦ୍ରୁତ, ସଠିକ୍ ଏବଂ ପ୍ରଭାବୀ ଢଙ୍ଗରେ ଆଞ୍ଚଳିକ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଅନୁବାଦ ଓ ସମ୍ପାଦନ କାର୍ଯ୍ୟର ଗୁଣାତ୍ମକ ମାନ ବୃଦ୍ଧି କରିବା ଏହି ବୈଠକର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
କର୍ମଶାଳାରେ ଅଧ୍ୟକ୍ଷତା କରି ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଯେ ଅନୁବାଦ କେବଳ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଶବ୍ଦର ରୂପାନ୍ତର ନୁହେଁ, ବରଂ ଏହା ଜ୍ଞାନ, ଚିନ୍ତାଧାରା ଓ ସଂସ୍କୃତିକୁ ସଂଯୋଗ କରୁଥିବା ଏକ ସେତୁ। ସେ କହିଥିଲେ ଯେ, ଭାଷାଗତ ଓ ସାଂସ୍କୃତିକ ପ୍ରସଙ୍ଗ, ପାରିଭାଷିକ ଶବ୍ଦାବଳୀ, ବ୍ୟାକରଣ ଏବଂ ପାଠକଙ୍କ ବୁଝିବା କ୍ଷମତାକୁ ଦୃଷ୍ଟିରେ ରଖି ଅନୁବାଦ କରାଯିବା ଉଚିତ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତି ଅନୁବାଦକୁ ସହଜ କରିଥିଲେ ମଧ୍ୟ ମାନବୀୟ ବିଚାରବୋଧ, ଭାଷାର ସମ୍ବେଦନଶୀଳତା ଓ ପ୍ରାସଙ୍ଗିକତାର କୌଣସି ବିକଳ୍ପ ନାହିଁ। ଅନୁବାଦକମାନଙ୍କ ମଧ୍ୟରେ ନିୟମିତ ମତବିନିମୟ ଏବଂ ସକ୍ରିୟ ପେସାଦାରମାନଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ସଭାକୁ ସମ୍ବୋଧିତ କରି ବରିଷ୍ଠ ସାମ୍ବାଦିକ ଡ. ଅଶୋକ ପଣ୍ଡା କହିଥିଲେ ଯେ, ଅନୁବାଦ କେବଳ ଏକ ବୃତ୍ତି ନୁହେଁ, ବରଂ ସମାଜକୁ ଜ୍ଞାନ ଓ ସୂଚନା ସହ ଯୋଡ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ। ଅନୁବାଦକମାନେ କେବଳ ଫଳାଫଳ କିମ୍ବା ପାରିଶ୍ରମିକ ଉପରେ ନୁହେଁ, ବରଂ କାର୍ଯ୍ୟର ଉଦ୍ଦେଶ୍ୟ, ଗୁଣବତ୍ତା ଏବଂ ସମାଜ ପ୍ରତି ଏହାର ପ୍ରଭାବ ଉପରେ ଗୁରୁତ୍ୱ ଦେବା ଉଚିତ। ‘Cultural Agility’ ବା ସାଂସ୍କୃତିକ ଅନୁକୂଳନ କ୍ଷମତାର ବିକାଶ ମାଧ୍ୟମରେ ବିଭିନ୍ନ ଭାଷା ଓ ସଂସ୍କୃତି ମଧ୍ୟରେ ସେତୁବନ୍ଧ ସୃଷ୍ଟି କରିବା ସହ ଶିଖିବା ଏବଂ ଶିଖାଇବାର ମନୋଭାବ ଗଢ଼ି ତୋଳିବାକୁ ସେ ଅନୁବାଦକମାନଙ୍କୁ ଆହ୍ୱାନ ଦେଇଥିଲେ।
ଆରଆଇଇ, ଭୁବନେଶ୍ୱରର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପକ ଦେବାଶିଷ ମହାପାତ୍ର କହିଥିଲେ ଯେ, ଅନୁବାଦ କେବଳ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଶବ୍ଦର ରୂପାନ୍ତର ନୁହେଁ, ବରଂ ମୂଳ ଭାଷାର ଭାବ, ପ୍ରସଙ୍ଗ ଓ ସାଂସ୍କୃତିକ ଚେତନାକୁ ଲକ୍ଷ୍ୟ ଭାଷାରେ ସଠିକ୍ ଭାବେ ଉପସ୍ଥାପନ କରିବାର ଏକ ସୃଜନଶୀଳ ପ୍ରକ୍ରିୟା। ଉତ୍କୃଷ୍ଟ ଅନୁବାଦ ପାଇଁ ଭାଷାଗତ ଦକ୍ଷତା ସହ ଭାଷା, ସାଂସ୍କୃତିକ ପ୍ରସଙ୍ଗ ଓ ଭାଷାର ଭାବଗତ ମାଧୁର୍ଯ୍ୟ ସମ୍ପର୍କରେ ସମ୍ୟକ୍ ଜ୍ଞାନ ଅପରିହାର୍ଯ୍ୟ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଅନୁବାଦ କାର୍ଯ୍ୟକୁ ସହଜ କରୁଥିଲେ ମଧ୍ୟ ଭାବାନୁବାଦ, ପ୍ରାସଙ୍ଗିକତା ଏବଂ ମାନବୀୟ ବିଚାରଶକ୍ତିର କୌଣସି ବିକଳ୍ପ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ମତବିନିମୟ କାର୍ଯ୍ୟକ୍ରମରେ ସରକାରୀ ସୂଚନାର ଗୁଣାତ୍ମକ ଅନୁବାଦ, ପାରିଭାଷିକ ଶବ୍ଦାବଳୀର ସଠିକ୍ ବ୍ୟବହାର, ସମୟୋପଯୋଗୀ ଅନୁବାଦ ଓ ସମ୍ପାଦନ, ଏବଂ ଡିଜିଟାଲ୍ ମାଧ୍ୟମ ପାଇଁ ବିଷୟବସ୍ତୁ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ତାଲିକାଭୁକ୍ତ ଅନୁବାଦକ ଓ ସମ୍ପାଦକମାନେ ମଧ୍ୟ ନିଜ ଅଭିଜ୍ଞତା ବାଣ୍ଟିବା ସହ ଅନୁବାଦ କାର୍ଯ୍ୟକୁ ଆହୁରି ଫଳପ୍ରଦ କରିବା ପାଇଁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ରଖିଥିଲେ। ସରକାରୀ ସୂଚନାକୁ ଅଧିକ ପ୍ରଭାବଶାଳୀ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପିଆଇବି ଓ ତାଲିକାଭୁକ୍ତ ଅନୁବାଦକ-ସମ୍ପାଦକମାନଙ୍କ ମଧ୍ୟରେ ନିରନ୍ତର ସମନ୍ୱୟ, ମତବିନିମୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ପିଆଇବିର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉଦ୍ଘାଟନୀ ଅଭିଭାଷଣ ରଖି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।


