Categories
ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ନୂଆଦିଲ୍ଲୀ: ମନୀଷ ଦେଶାଇ ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି।

ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ସରକାରୀ ବିଜ୍ଞାପନ ଏବଂ ଯୋଗାଯୋଗ କାର୍ଯ୍ୟକଳାପର ତଦାରଖ କରୁଥିଲେ।

ତିନି ଦଶନ୍ଧି ଧରି ତାଙ୍କର ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଶ୍ରୀ ଦେଶାଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ଡିଭିଜନର ମହାନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶାସନ ଓ ପ୍ରଶିକ୍ଷଣ), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଚଳଚ୍ଚିତ୍ର ଡିଭିଜନରେ ଥିବା ସମୟରେ ସେ ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା ସହିତ ଜଡିତ ଥିଲେ।

ସେ ପିଆଇବି ମୁମ୍ବାଇରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହିତ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଗଣମାଧ୍ୟମ କାର୍ଯ୍ୟକଳାପକୁ ପରିଚାଳନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ମାଲହୋତ୍ରା

ଭୁବନେଶ୍ଵର: ରାଜେଶ ମାଲହୋତ୍ରା ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ସତ୍ୟେନ୍ଦ୍ର ପ୍ରକାଶ ଅବସର ଗ୍ରହଣ କରିବା ପରେ ଶ୍ରୀ ମାଲହୋତ୍ରା ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି।

୧୯୮୯ ବ୍ୟାଚର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀ ରାଜେଶ ମାଲହୋତ୍ରା ଏଥିପୂର୍ବରୁ ଜାନୁଆରୀ ୨୦୧୮ ଠାରୁ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ। କୋଭିଡ ୧୯ ମହାମାରୀ ସମୟରେ ଦେଖା ଦେଇଥିବା ଆର୍ଥିକ ଅସନ୍ତୁଳନରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ସକାଶେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ସମୟରେ ଶ୍ରୀ ମାଲହୋତ୍ରା ଅର୍ଥ ମନ୍ତ୍ରଣାଳୟର ଗଣମାଧ୍ୟମ ଏବଂ ଯୋଗାଯୋଗ ନୀତିର ନେତୃତ୍ୱ ନେଇ ଦେଶବାସୀଙ୍କ ନିକଟରେ ଏସବୁ ଯୋଜନାର ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରୀ ମାଲହୋତ୍ରାଙ୍କର ୩୨ ବର୍ଷରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଅର୍ଥ, କମ୍ପାନୀ ବ୍ୟାପାର, କୃଷି, ଶକ୍ତି, କୋଇଲା, ଖଣି, ସଞ୍ଚାର ଓ ଆଇଟି, ବୟନ, ଶ୍ରମ, ନୂତନ ଓ ଅକ୍ଷୟ ଶକ୍ତି ଆଦି ମନ୍ତ୍ରଣାଳୟ ତଥା ବିଭାଗରେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି। ଆହୁରି ସେ ଭାରତର ନିର୍ବାଚନ ଆୟୋଗରେ ୨୧ ବର୍ଷ (୧୯୯୬ରୁ ୨୦୧୭ ପର୍ଯ୍ୟନ୍ତ) ଗଣମାଧ୍ୟମ ଓ ଯୋଗାଯୋଗ ଦାୟିତ୍ୱରେ ଥିଲେ। ସେଠାରେ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପରିଚାଳନା କରାଯାଇଥିବା ଛଅଟି ଲୋକସଭା (ସଂସଦର ନିମ୍ନ ସଦନ) ସାଧାରଣ ନିର୍ବାଚନ, ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ କରିଥିଲେ। ନିଜର କାର୍ଯ୍ୟକାଳ ସମୟରେ, ଶ୍ରୀ ମାଲହୋତ୍ରା ୧୨ ଜଣ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହିତ କାର୍ଯ୍ୟ କରିଛନ୍ତି।

ଶ୍ରୀ ମାଲହୋତ୍ରା ଗାଜିଆବାଦ ଆଇଏମଟିରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ଏବଂ ହାଇଦ୍ରାବାଦର ନାଲସାରରୁ ଗଣମାଧ୍ୟମ ଆଇନରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି। ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଏନାଲିସିସରେ ଏକ ସ୍ବଳ୍ପ ଅବଧି ବିଶିଷ୍ଠ ପାଠ୍ୟକ୍ରମ ଶେଷ କରିଛନ୍ତି। ସେହିପରି ବ୍ରିଟେନର ଥୋମାସ ଫାଉଣ୍ଡେସନରୁ ଗଣମାଧ୍ୟମ ପରିଚାଳନା ଓ ରଣନୀତି ପାଠ୍ୟକ୍ରମରେ ମଧ୍ୟ ଶିକ୍ଷା ହାସଲ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆଇଆଇଏମ ଲକ୍ଷ୍ନୌ ପକ୍ଷରୁ ଆୟୋଜିତ ‘ମାର୍କେଟିଂ : ଦ ୱିନିଂ କନସେପ୍ଟ ଏଣ୍ଡ ପ୍ରାକ୍ଟିସେସ’ରେ ମଧ୍ୟ ଭାଗ ନେଇଥିଲେ। ଶ୍ରୀ ମାଲହୋତ୍ରା ଇନଷ୍ଟିଚ୍ୟୁଟ୍‌ ଅଫ କମ୍ପାନୀ ସେକ୍ରେଟାରିଜ୍‌ର ଜଣେ ସଦସ୍ୟ ହୋଇଥିବା ବେଳେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।

ମୁଖପାତ୍ର ଭାବେ ଶ୍ରୀ ମାଲହୋତ୍ରାଙ୍କର ‘ଦ୍ୱି-ପାକ୍ଷିକ’ ଯୋଗାଯୋଗ ମାଧ୍ୟମ ପ୍ରତିଷ୍ଠା କରିବାରେ ଅଭିଜ୍ଞତା ରହିଛି ଯେଉଁଥିରେ ଗୋଟିଏ ପକ୍ଷରେ ସରକାର ଏବଂ ଅନ୍ୟ ପକ୍ଷରେ ଗଣମାଧ୍ୟମ ରହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟରେ ନିଜର ଜାଜ୍ଜୁଲ୍ୟମାନ କ୍ୟାରିଅରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ସମୟରେ ସଙ୍କଟପୂର୍ଣ୍ଣ ପରିସ୍ଥିତିର ସଫଳ ମୁକାବିଲା କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଗଣମାଧ୍ୟମକୁ କେବଳ ସଠିକ ସୂଚନା ପ୍ରସାରଣ କରାଯିବା ଉଚିତ ବୋଲି ସେ ସୁନିଶ୍ଚିତ କରିଛନ୍ତି। ନିଜର କ୍ୟର୍ଯ୍ୟକାଳ ସମୟରେ ଭାରତରୁ ଯାଉଥିବା ବିଭିନ୍ନ ମନ୍ତ୍ରିସ୍ତରୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଅନ୍ତର୍ଜାତୀୟ ସମ୍ମିଳନୀ/କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗଣମାଧ୍ୟମ ପ୍ରସାର କାର୍ଯ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି।