Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତ: ୯୭ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ବରିଷ୍ଠ ଓକିଲ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ଆଜି ଦିଲ୍ଲୀର ନିଜ ବାସ ଭବନରେ ସନ୍ଧ୍ୟା ୭ ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶାନ୍ତି ଭୂଷଣଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ମୋରାଜୀ ଦେଶାଇ ମନ୍ତ୍ରଣାଳୟରେ ଭାରତର ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ସେ ଆହ୍ଲାବାଦ ହାଇକୋର୍ଟରେ ପ୍ରସିଦ୍ଧ ମାମଲାରେ ରାଜନାରାୟଣଙ୍କ ପ୍ରତିନିଧିତ୍ୱ କରିଥିଲେ, ଯାହାଫଳରେ ୧୯୭୪ ରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେ ଜନସାଧାରଣଙ୍କ ସ୍ୱାର୍ଥର ଅନେକ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

୧୯୮୦ ରେ, ସେ ଏନଜିଓ ‘ସେଣ୍ଟର ଫର ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ’ ପ୍ରତିଷ୍ଠା କରିଥିଲେ, ଯାହା ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ମାମଲା ଦାୟର କରିଥିଲା। ୨୦୧୮ ରେ ସେ ‘ମାଷ୍ଟର ଅଫ୍ ରୋଷ୍ଟର’ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଜଣାଶୁଣା ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ପୁଅ।

ଶାନ୍ତି ଭୂଷଣ କଂଗ୍ରେସ (ଓ) ଏବଂ ପରେ ଜନତା ଦଳର ସଦସ୍ୟ ଥିଲେ। ସେ ରାଜନୈତିକ କ୍ୟାରିୟର ସମୟରେ ମଧ୍ୟ ରାଜ୍ୟସଭା ସାଂସଦ ଥିଲେ। ସେ ୧୯୮୦ ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ୧୯୮୬ ରେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣଙ୍କ ସହ ୨୦୧୨ ରେ ଆମ୍ ଆଦମୀ ପାର୍ଟିର ସଂସ୍ଥାପକ ସଦସ୍ୟ ଥିଲେ। ପରେ ସେ ପାର୍ଟୀରୁ ଅଲଗା ହୋଇଥିଲେ।