Categories
ଆଜିର ଖବର ଜାତୀୟ ଖବର

ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦୦ ରିଲାଏନ୍‌ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ନିମେନ୍ତ ଆବେଦନ ଆହ୍ୱାନ

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ହେଉଛି ଉଚ୍ଚ ଶିକ୍ଷା ପାଇଁ ଭାରତର ଅନ୍ୟତମ ସର୍ବବୃହତ ସ୍କଲାରସିପ୍। ୨୦୨୩-୨୪ ଶିକ୍ଷାବର୍ଷରେ ୫୦୦୦ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ସେଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସବୁ ବିଷୟରେ ପାଠପଢ଼ା ପାଇଁ ନିୟମିତ ସ୍ନାତକ ପ୍ରଥମ ବର୍ଷ (ଅଣ୍ଡର ଗ୍ରାଜୁଏଟ୍‌) ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ଆବେଦନ କରିପାରିବେ।

ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ଦୃଢ଼ ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚ ଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରିଥିଲେ ଯାହା ହେଉଛି ଏକ ଉତ୍ତମ ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ତାଙ୍କର ରହିଥିବା ସ୍ୱପ୍ନର ଏକ ଅଂଶ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକ (ଅଣ୍ଡର ଗ୍ରାଜୁଏଟ) କଲେଜ ପାଠପଢ଼ା ପାଇଁ ମେରିଟ୍‌-କମ୍‌-ମିନ୍‌ସ ଆଧାରରେ ଶିକ୍ଷାବୃତ୍ତି ପ୍ରଦାନ କରାଯାଉଛି ଯାହା ଫଳରେ ଛାତ୍ରଛାତ୍ରୀମାନେ କୌଣସି ଆର୍ôଥକ ବୋଝ ବିନା ନିଜ ପାଠପଢ଼ା ଜାରି ରଖିପାରିବେ। ଜଣେ ସଫଳ ପେସାଦାରରେ ପରିଣତ ହେବା ଏବଂ ନିଜ ସ୍ୱପ୍ନ ପୂରଣ କରିବା ସହ ନିଜର ଓ ସମାଜରେ ଉନ୍ନତି ଆଣିବା ଲାଗି ରହିଥିବା ସମ୍ଭାବନାକୁ ଜାଗ୍ରତ କରିବା ଏବଂ ଭାରତର ଭବିଷ୍ୟତ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଯୋଗଦାନ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ହେଉଛି ଏହି ଶିକ୍ଷାବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, “ବିଶ୍ୱର ସର୍ବାଧିକ ଯୁବବର୍ଗ ଭାରତରେ ରହିଛନ୍ତି ଏବଂ ଦେଶକୁ ନୂତନ ଶିଖରରେ ପହଞ୍ଚାଇବାର ବିପୁଳ ସମ୍ଭାବନା ଯୁବବର୍ଗଙ୍କ ପାଖରେ ରହିଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ସୁଯୋଗ ପ୍ରଦାନ କରିବା ଏବଂ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛୁ। ଯୁବବର୍ଗଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହଯୋଗ ପ୍ରଦାନ କରିବା ଏବଂ ଭାରତର ଅଭିବୃଦ୍ଧି ପାଇଁ ଯୋଗଦାନ କରିବା ଦିଗରେ ସେମାନଙ୍କୁ ସକ୍ଷମ କରିବା ପାଇଁ ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ।’’

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠ୍ୟକ୍ରମ ଅବଧିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବ। ସେମାନେ ଏକ ସାମଗ୍ରିକ ବିକାଶ ବ୍ୟବସ୍ଥାରେ ସାମିଲ ହେବା ସହ ଏକ ଚମତ୍କାର ଆଲୁମିନି ନେଟ୍‌ୱର୍କ ସହ ଯୋଡ଼ିହେବେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଏବଂ ଦିବ୍ୟାଙ୍ଗମାନଙ୍କଠାରୁ ଆବେଦନକୁ ଉତ୍ସାହିତ କରାଯାଉଛି। ଆପ୍‌ଟିଚ୍ୟୁଡ୍ ପରୀକ୍ଷା, ଦ୍ୱାଦଶ ଶ୍ରେଣୀ ମାର୍କ, ପରିବାର ଆୟ ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଆଧାରରେ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପାଇଁ ଚୟନ କରାଯିବ।

୧୯୯୬ ରୁ ଧିରୁଭାଇ ଅମ୍ବାନି ସ୍କଲାରସିପ ଓ ରିଲାଏନ୍ସ ଫାଉଣ୍ଡେସନ ସ୍କଲାରସିପ ଜରିଆରେ ରିଲାଏନ୍ସ ୧୮୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଅଣ୍ଡର ଗ୍ରାଜୁଏଟ ସ୍କଲାରସିପ ସହାୟତା ପ୍ରଦାନ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରୀ ହୋଇଥିବା ବେଳେ ପ୍ରାୟ ୨୮୦୦ ଜଣ ଦିବ୍ୟାଙ୍ଗ ରହିଥିଲେ। ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ସ୍କଲାରସିପ ପାଇଁ ୨୦୨୨-୨୩ ବର୍ଷରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରି ପଞ୍ଜିକରଣ କରିଥିବା ବେଳେ ଦେଶର ସମସ୍ତ ରାଜ୍ୟରୁ ଆସିଥିବା ୪୦୦୦୦ ଆବେଦନପତ୍ର ମଧ୍ୟରୁ ୫୦୦୦ ମେଧାବୀଙ୍କୁ ଆପ୍‌ଟିଚ୍ୟୁଡ୍ ପରୀକ୍ଷା ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଆଧାରରେ ମେଧାବୃତ୍ତି ପାଇଁ ଚୟନ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ୫୧ ପ୍ରତିଶତ ଛାତ୍ରୀ ରହିଥିବାବେଳେ ୯୭ ଜଣ ମେଧାବୀ ଦିବ୍ୟାଙ୍ଗ ରହିଥିଲେ। ଚୟନ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ୧୬୩୦ ଟି ଶିକ୍ଷାନୁଷ୍ଠାନରେ ବିବିଧ ବିଷୟରେ ସ୍ନାତକ ପାଠପଢା ଜାରି ରଖିଛନ୍ତି।
www.scholarships.reliancefoundation.org ରୁ ସ୍କଲାରସିପ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ ଏବଂ ଆବେଦନ କରାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।

ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ଉତ୍ସବରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି.କେ ନନ୍ଦ ଯୋଗ ଦେଇ ସମଗ୍ର ଭାରତବର୍ଷରେ ସୋଆ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନେ ଶିକ୍ଷା ମନସ୍କ ହେବାପାଇଁ ଉପଦେଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ ପ୍ରଫେସର ନନ୍ଦ।

ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଗୋଟାଏ ଜାତିର ଉନ୍ନତିର ମାନଦଣ୍ଡ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମତପୋଷଣ କରିଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ଭାରତୀୟ କୃଷି ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏ ଉତ୍ସବରେ ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏ କାର୍ଯ୍ୟକ୍ରମର ପ୍ରଥମ ଉତ୍ସବରେ ଡଃ ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ପରେ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଅକ୍ଷୟ କୁମାର ବେହୁରା, ଡଃ ଅଜୟ ପଟ୍ଟନାୟକ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବିଜୟ କୁମାର ମିଶ୍ର, ଡଃ ସୁରେନ୍ଦ୍ର ନାୟକ, ଡଃ ନନ୍ଦିତା ଜେନା, ଡଃ ଆର୍‌. କେ. ରାଜ, ଓ ଡଃ ଏଚ୍‌.ଏନ୍‌. ଅତିବୁଦ୍ଧି ପ୍ରମୁଖ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଅଧିବେଶନକୁ ଡଃ ବିଶ୍ୱଜିତ ଲେଙ୍କା, ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ସୁଶ୍ରୀ ସୁପୂର୍ଣ୍ଣା, ଡକ୍ଟର ସୌମ୍ୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କାଜଲ ଶ୍ରୀଚନ୍ଦନ, ଡକ୍ଟର ସ୍ୱୟମ ସିଂହ, ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଓ ଛତାବର ସ୍ଥିତ ଗବେଷଣା କ୍ଷେତ୍ର ପରିଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି।