Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

 ପ୍ରଦୀପ ସେନାପତି

ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ।

ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ ଦର୍ଶନ କରିବାର ଆଶିର୍ବାଦ ଅର୍ଜନ କରିଥିଲେ। ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାଦେବଙ୍କ ନାମରେ ଅଧିଷ୍ଠିତ କରିବା ପାଇଁ ଏକ ବିଶ୍ୱପ୍ରସିଦ୍ଧ ଉଚ୍ଚତମ ମନ୍ଦିର ନିର୍ମାଣ କରିବାକୁ ଆଶିର୍ବାଦ କାମନା କରି ସ୍ୱପ୍ନକୁ ସାକାର କରିଥିଲେ। ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଏ କଳ୍‌କୀ ଯୁଗରେ ଓଡ଼ିଶାର ଏକମାତ୍ର ମହାଶିବ ଲିଙ୍ଗକ୍ଷେତ୍ର ବା ଶୈବପୀଠ ଏକାମ୍ର କାନନରେ ବିରାଜମାନ ଅଟନ୍ତି। ଯଯାତି କେଶରୀଙ୍କର ଏହି ମନ୍ଦିରକୁ ଅଧିଷ୍ଠିତ, ନିର୍ମିତ କରିବା ବିଶ୍ୱର ସର୍ବଶ୍ରେଷ୍ଠ ଉଚ୍ଚତମ ଏବଂ ପ୍ରଥମ ଓ ବହୁ ପୁରାତନ ଅଟେ। ତାଙ୍କର ଜୀବନ ଦର୍ଶନ ଶୈଳୀ ଇତିହାସକୁ ତର୍ଜମା କଲେ, ତାଙ୍କର ସ୍ୱପ୍ନ କ’ଣ ଥିଲା ଓ ଲିଙ୍ଗରାଜ ମହାପ୍ରଭୁ କ’ଣ କହିଥିଲେ? ସେ ସଂପର୍କରେ ମୁଁ ସଂକ୍ଷିପ୍ତରେ ବର୍ଣ୍ଣନା କରିବା ପାଇଁ ଆଜିର ପବିତ୍ର ରୂକୁଣା ରଥଯାତ୍ରା ଅବସରରେ ସ୍ମରଣ କରୁଛି।

କେବଳ ମହାପ୍ରଭୁ “ଲିଙ୍ଗରାଜ”ଙ୍କ ଠାରୁ ଆରମ୍ଭ କରି ତାଙ୍କର ଚତୁପାଶ୍ୱର୍ରେ ଥିବା ଅନେକ ଶୈବପୀଠର ଆସ୍ଥାନ, ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଭାବରେ ଯେତିକି ଚର୍ଚ୍ଚିତ, ବିଶ୍ୱବିଖ୍ୟାତ ସେତିକି ମଧ୍ୟ ତା’ର ଶୋଭାରାଜି। ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଭୁବନେଶ୍ୱର ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଏହି ପୀଠର ପରମ୍ପରା ଯେତିକି ପୁରୁଣା ସେତିକି ଐତିହ୍ୟପୂର୍ଣ୍ଣ। ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ବିରାଜମାନ ଏହି କ୍ଷେତ୍ରର ମର୍ଯ୍ୟାଦାକୁ ଆହୁରି ବହୁଗୁଣିତ କରିପାରିଛି।

ପ୍ରଭୁଙ୍କର ରଥଯାତ୍ରା ପ୍ରତିବର୍ଷ ଚୈତ୍ର ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥିରେ ଦୋଳ ଗୋବିନ୍ଦ ଓ ଭଉଣୀ ରୁକୁଣୀଙ୍କୁ ସାଙ୍ଗରେ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର, ମାଉସୀମା ମନ୍ଦିରକୁ ରଥରେ ଯାତ୍ରା କରିଥାନ୍ତି। ତେବେ, ଏହି ଯାତ୍ରା ପାଂଚଦିନ ବ୍ୟାପି ଚାଲିଥିବାବେଳେ, ଏହି ରଥର ବିଶେଷତ୍ୱ ହେଉଛି ଏହା ପଛକୁ ବୁଲିନଥାଏ। ଯେଉଁଭଳି ଭାବରେ ରଥଟି ଯାତ୍ରା କରିଥାଏ, ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ସେଥିପାଇଁ କୁହାଯାଏ ରୁକୁଣା ରଥ ଅଣଲେଉଟା।

ମୋର ପ୍ରକାଶିତ ଲେଖା ସ୍ୱଳ୍ପ ଯାଗା ମଧ୍ୟରେ ସିମୀତ ଥିବାରୁ ଯଯାତି କେଶରୀଙ୍କର କିମ୍ବଦନ୍ତୀ ବିଷୟରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ତେବେ ପ୍ରତ୍ୟେକ ବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଓ ଏହି ପବିତ୍ର ଦିବସରେ ସମସ୍ତ ବିବରଣୀ ପ୍ରକାଶିତ କରିବା ପାଇଁ ଶତଚେଷ୍ଟା କରିବି।

ଯଯାତି କେଶରୀଙ୍କର କିମ୍ବଦନ୍ତୀ ଅନୁସାରେ ମୋର କଳ୍‌କୀ ପୁରାଣରେ ଲେଖିଥିବା ପ୍ରାମାଣିକ ଲେଖା ଲିପିବଦ୍ଧ ହୋଇ ରହିଛି। ତେବେ ମୁଖ୍ୟ ବିଷୟଟି ହେଉଛି, ଏହି ରଥଯାତ୍ରା ଆଜକୁ କେତେବର୍ଷ ତଳେ ଆରମ୍ଭ ହୋଇଥିଲା, ଏହାର ପ୍ରାମାଣିକ ତଥ୍ୟ ସର୍ବ ସାଧାରଣରେ ସମସ୍ତଙ୍କୁ ଅଗୋଚର। ଉତ୍ତରଟି ଆସନ୍ତା ବର୍ଷ ଏହି ପବିତ୍ର ଦିବସରେ ପ୍ରକାଶ କରାଯିବ।

ତେବେ, ସଂକ୍ଷିପ୍ତରେ କିମ୍ବଦନ୍ତୀ ଅନୁସାରେ, ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ‘ରଥଯାତ୍ରା’ ସବୁଠାରୁ ଅନନ୍ୟ ଓ ଭିନ୍ନ। ରାମାୟଣରେ ବଳିଷ୍ଠ ବ୍ୟକ୍ତିତ୍ୱ ଓ ଚରିତ୍ର ଭାବରେ ପ୍ରତିପାଦିତ୍ୟ କରାଯାଇଥିବା ମହାବଳୀ, ମହାଜ୍ଞାନୀ ପଣ୍ଡିତ ରାବଣଙ୍କୁ ହତ୍ୟା କରିଥିଲେ ରାମଚନ୍ଦ୍ର। ଜଘନ୍ୟ ପାପ କରି ରାବଣ ଜଣେ ନୈଷ୍ଟିକ ବ୍ରାହ୍ମଣ ଏବଂ ଶିବଲିଙ୍ଗ ତପସ୍ୱୀ ବିଶିଷ୍ଟ ସାଧକ ହୋଇଥିବାରୁ ଏଭଳି ପାପରୁ ମୁକ୍ତି ପାଇବା ପାଇଁ (ରାମଚନ୍ଦ୍ର)ଙ୍କ କୂଳଗୁରୁ ମହର୍ଷି ବୈଶିଷ୍ଟଙ୍କ ପାଖକୁ ଯାଇଥିଲେ। ବୈଶିଷ୍ଠଙ୍କ ମହତ୍ୱ ଉପଦେଶ ଅନୁସାରେ ଏହି କ୍ଷେତ୍ରକୁ ଆସି ରାମେଶ୍ୱର ଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାର୍ଚ୍ଚନା କରିଥିଲେ।

ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ମହାଦେବ ସନ୍ତୁଷ୍ଟ ହୋଇ କ’ଣ ବରପ୍ରଦାନ ଚାହୁଁ ବୋଲି ରାମଚନ୍ଦ୍ରଙ୍କୁ ପଚାରିଥିଲେ। ସେହିପରିପ୍ରେକ୍ଷୀରେ ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ମହାଦେବ ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଠାରେ ହିଁ ରାମ ଓ ମହେଶ୍ୱର (ଈଶ୍ୱର)ଙ୍କର ମହାମିଳନ ହୋଇଥିବାରୁ ସେହି ମନ୍ଦିରର ନାମ ରାମେଶ୍ୱର ବୋଲି କୁହାଯାଏ। ସେହି ଦିନଠାରୁ ରାମଚନ୍ଦ୍ରଙ୍କୁ ଦର୍ଶନଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଂଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି।

ଉକ୍ତ ପ୍ରଥା ପରମ୍ପରା ଅନୁସାରେ ଏ କଳ୍‌କୀ ଯୁଗରେ ମହାପାପୀ ଏବଂ ଭକ୍ତସମୂହ ଏହି ମନ୍ଦିରକୁ ଆସି ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ, ଜଘନ୍ୟ ପାପରୁ ମୁକ୍ତି ମିଳିପାରିବ ବୋଲି ଗଭୀର ବିଶ୍ୱାସ ରହିଛି। ଉକ୍ତ ପ୍ରଥା ପରମ୍ପରା ଅନୁସାରେ ଏହି ରଥଯାତ୍ରା ପ୍ରତ୍ୟେକବର୍ଷ ହୋଇଆସୁଅଛି।

ଏତଦ୍‌ବ୍ୟତୀତ ଏହି ରଥଯାତ୍ରାରେ ଆଉଏକ ବିଶେଷତ୍ୱ ମଧ୍ୟ ରହିଛି ଯେ, ମା ଭୁବନେଶ୍ୱରୀ ଏହି ଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ “ସୁରାସୁର”କୁ ବଦ୍ଧ କରିବା ପାଇଁ ଯାତ୍ରା କରିଥାନ୍ତି। ଭୁବନେଶ୍ୱରୀଙ୍କ ନାମରେ ରାଜଧାନୀର ନାମ ଭୁବନେଶ୍ୱର ବୋଲି କୁହାଯାଇଛି। କୌଣସି ସରକାର ଏହି ନାମକୁ ଘୋଷଣା କରିନାହାନ୍ତି।

ତେବେ ଏହି ରଥଯାତ୍ରା ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣା ଲାଗିର ବିଧି ବ୍ୟବସ୍ଥା ରହିଛି। ଲିଙ୍ଗରାଜ ମହାପ୍ରଭୁଙ୍କର ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି। ରାମଚନ୍ଦ୍ରଙ୍କ କଥାକୁ ରକ୍ଷାକରି ଏହି ତିଥିରେ ପ୍ରତ୍ୟକବର୍ଷ ଦୋଳଗୋବିନ୍ଦ ଓ ରୂକୁଣୀ ତାଙ୍କୁ ସାଙ୍ଗରେ ଧରି ଲିଙ୍ଗରାଜ ମହାଦେବ ରାମେଶ୍ୱର ମନ୍ଦିରକୁ ଯିବା ବିଦ୍ଧିବ୍ୟବସ୍ଥା ରହିଥିବାବେଳେ, ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ରଥକୁ ଟଣା ଯାଇଥାଏ।

୩୩କୋଟି ଦେବାଦେବୀ ଗଣ, ରାକ୍ଷସଗଣ, ମାନବଗଣ ତାଙ୍କ ପାଦତଳେ ପ୍ରଣୀତ ଓ ନତମସ୍ତକହୋଇ ଆଶ୍ରୟ ନିଅନ୍ତି। ଜୀବନ ଓ ମୃତ୍ୟୁର ନିର୍ଣ୍ଣାୟକ ଦେବତା ସେ “ପ୍ରଭୁ ଲିଙ୍ଗରାଜ ମହାଦେବ ଶିବ”। ସ୍ୱୟଂ ଭୁ ସେ ଅଟନ୍ତି। ବିଭିନ୍ନ ନାମରେ ପ୍ରତିଷ୍ଠିତ ଥିଲେ ମଧ୍ୟ ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ଆକାର ନାହିଁ କି ଅବତାର ନାହିଁ। ଦରକାର ପଡ଼ିଲେ ଦେବାଦେବୀ ଅସୁର ପ୍ରବୃତି ବହୁମୁଖୀ ସମସ୍ୟା ଓ ବିପଦରୁ ଉଦ୍ଧାର ପାଇବା ପାଇଁ ଡ଼ାକିଲେ ଅଦୃଶ୍ୟ ରୂପରେ ଆସିବା ପାଇଁ ବାଧ୍ୟ ହୁଅନ୍ତି। ଭକ୍ତର ଈଶ୍ୱର ସେ କେବଳ ଭକ୍ତମାନଙ୍କୁ ହିଁ ଭୟ କରନ୍ତି। ରାକ୍ଷାସ ମାନଙ୍କୁ ମଧ୍ୟ ‘ଅମରବର’ ଦେବାରେ ମଧ୍ୟ ବହୁ ପ୍ରମାଣିକ ତଥ୍ୟ ସମ୍ବଳିତ ଶାସ୍ତ୍ର ଓ ଲିଙ୍ଗ ପୁରାଣରେ ଲିପିବଦ୍ଧ ଅଛି।

କାହାକୁ କେଉଁବର ପ୍ରଦାନ କରନ୍ତି ସେ “ଭୋଳାଶଙ୍କର” ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ। କୁହାଯାଇଛି “ଶିବ” ବସ୍ତ୍ର ପରକୁ ଦେଇ , ଶିବ ପଳାଇଲେ ଲଙ୍ଗଳା ହୋଇ। ଗୋଟିଏ ଅସୁରକୁ ଅମରବର ପ୍ରଦାନ କରିଦେଳେ। ଅସୁର ଏହାକୁ ମିଛ ଭାବି ମହାଦେବ ଶିବଙ୍କୁ ପରୀକ୍ଷା କରିବା ପାଇଁ ପ୍ରମାଣ ମାଗିଲା। ମହାଦେବ ଉତ୍‌କ୍ଷିପ୍ତ ହୋଇ ଅମରବର ଦେଇଥିବା ଅସୁରକୁ ଭଷ୍ମ କରିଦେଲେ। ସେବେଠାରୁ ସେ ଭଷ୍ମାସୁର ନାମରେ ପରିଚିତ ହୋଇଥିଲା। ତାଙ୍କର ଜନ୍ମ ନାହିଁ କି ମୁତ୍ୟୁ ନାହିଁ । ତାଙ୍କର ମାତା ନାହାନ୍ତି କି ପିତା ନାହାନ୍ତି। ଚାରି ଯୁଗରେ ସେ ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ, ସର୍ବଶ୍ୱଦାନ ସ୍ୱରୂପ ସେ। କଳ୍‌କୀ ପୁରାଣ ଶାସ୍ତ୍ରରେ ମହାଦେବ ଶିବଙ୍କର ଗହନତତ୍ତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ୩୩କୋଟି ଦେବାଦେବୀଙ୍କୁ ଆମ୍ଭେ ପୂଜା କରୁଛେ କାହିଁକି? ଏହାର ଗହନ ତତ୍ତ୍ୱକୁ ଗଭୀରଭାବେ ଆମ୍ଭେ ହୃଦୟଙ୍ଗମ କରିପାରିନାହୁଁ। ସେଥିପାଇଁ ଆମର ଅଧୋପତନ ଘଟିଚାଲିଛି। ଆମର ମନଷ୍କାମନା ପୂର୍ଣ୍ଣ କରିବା ପାଇଁ କୌଣସି ଦେବାଦେବୀ ସେ ଅଧିକାର ପାଇନାହାନ୍ତି। ତେଣୁ, କେହି ବରପ୍ରଦାନ କରିବାର କ୍ଷମତା ନାହିଁ।

ତେଣୁ ଆମର ଭିତରେ ହିଁ ଅନନ୍ତ ସତ୍ତା ବିଦ୍ୟମାନ। ସକଳ ପ୍ରତିଦ୍ୱନ୍ଦତା ସତ୍ତ୍ୱେ ଆମର ସମସ୍ତ ଶକ୍ତି , ଜ୍ଞାନ ଓ ଆନନ୍ଦର ମାର୍ଗ ବିକଶିତ ହୋଇ ଅନନ୍ତ ସ୍ୱରୂପ ଧାରଣ କରିଛି। ନିଜ ଅନ୍ତ ନିର୍ହିତ ଭାବକୁ ପରିପ୍ରକାଶ ପାଇଁ ନିଷ୍ଠାପର ସାଧନା, ଆରଧନା, ପ୍ରାର୍ଥନା, ପୂଜାର୍ଚ୍ଚନା ଉଦ୍ୟମର ଆବଶ୍ୟକତା ଅଛି। ଏହି ପରିପ୍ରେକ୍ଷୀରେ ଭକ୍ତ ସମାଜ ନିଜ ଆଭ୍ୟନ୍ତରୀଣ ମନର ଭାବ ସାକାର ପାଇଁ ଆନ୍ତରିକ ଉଦ୍ୟମ କଲେ ବାକି ସବୁ କିଛି ଆପେ ଆପେ ଶୃଙ୍ଖଳିତ ହୋଇଯିବ ବୋଲି ବିଶ୍ୱାସର ସହିତ ହୃଦୟଙ୍ଗମ କରିବାକୁ ପଡ଼ିବ।

ଏହି ରଥଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁ ମା ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଅଭିମାନ କରିଥିଲେ। ମହାପ୍ରଭୁଙ୍କ ରଥ ପଥୁରିଆ ବଡ଼ୁ ସାହିଠାରେ ପହଂଚିବା ବେଳକୁ ମା ପାର୍ବତୀ ପାଲିଙ୍କିରେ ଆସି ରଥ ଚତୁପାଶ୍ୱର୍ରେ ବୁଲିଥାନ୍ତି। ଏବଂ ପରେ ରଥରୁ ଖଣ୍ଡିଏ ପଟ୍ଟା ଚୋରିକରି ନିଅନ୍ତି। ଏହି ପରମ୍ପରାରେ ସେହି ପଟ୍ଟା ଶ୍ରୀ ଜଗନ୍ନାଥଙ୍କ ରଥରେ ଲାଗିହୁଏ। ତେବେ ମା ପାର୍ବତୀ ମନ୍ଦିରକୁ ପ୍ରତ୍ୟାବର୍ତନ କରି ମନ୍ଦିର ପରିସରରେ ପୂର୍ବ-ଉତ୍ତର କୋଣରେ ଥିବା ଚାହାଣି ମଣ୍ଡପରେ ବସି ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରି ବିଜେକୁ ଅପେକ୍ଷା କରନ୍ତି।

ସେହିଭଳି ପରଂପରା ଅନୁଯାଇ ମହାପ୍ରଭୁ ମା’ଙ୍କୁ ଚାପରେ ୨୧ଦିନ ଚନ୍ଦନଯାତ୍ରା ପାଇଁ ପ୍ରତିଶ୍ରୁତି ଦେବାପରେ ମା’ ପାର୍ବତୀ କବାଟ ଖୋଲିବେ। ସ୍ୱର୍ଣ୍ଣାଦ୍ରୀ ବିଜେଦିନ ଏହି କବାଟ କିଳା ପରମ୍ପରା ପାଳନ କରାଯାଏ। ଏକ ବିରାଟ ଶୋଭାଯାତ୍ରାରେ ସ୍ୱର୍ଣ୍ଣାଦ୍ରୀ ବିଜେ କାର୍ଯ୍ୟକ୍ରମ ପାଳନ କରାଯାଇ ରଥ ଉପରେ ରସଗୋଲା ଭୋଗ ହୋଇ ବଂଟା ହେବାପରେ ଏହି ଶୋଭାଯାତ୍ରାରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରନ୍ତି।

କିମ୍ବଦନ୍ତୀରୁ ଜଣାଯାଏ ଏହି ଅଶୋକାଷ୍ଟମୀ ଦିନ ଆଠଟି ଅଶୋକ କଢି ପକାଇ ସେଇ ଜଳକୁ ପାନକଲେ ସକଳ ଦୁଃଖଶୋକ ଲାଘବ ହେବାର ବିଶ୍ୱାସ କରାଯାଏ। ସେଥିପାଇଁ ସୀତାଙ୍କୁ ଅଶୋକ ବନରେ ରଖାଯାଇଥିଲା ବୋଲି ଶାସ୍ତ୍ରକାରମାନେ ମତ ଦିଅନ୍ତି।

ଲେଖକ ଜଣେ ଲିଙ୍ଗରାଜ ସଂସ୍କତି ଗବେଷକ, ତଥା ସଭାପତି ପୁରୁଣା ଭୁବନେଶ୍ୱର ଯୁବ ସଂଗଠନ, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ- ୭୮୪୮୮୯୮୪୫୬

Categories
ବିଶେଷ ଖବର ସଂସ୍କୃତି

ଉତ୍କୃଷ୍ଟ କଳାର ରାଜ୍ୟ ‘ଉତ୍କଳ’

ପ୍ରଦୀପ ସେନାପତି

‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା।

୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୨ ଦୀର୍ଘ ୮୬ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି।

ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧାହୋଇ ମଧ୍ୟ ଓଡ଼ିଶାବାସୀ ଜାବୁଡ଼ି ଧରିଛନ୍ତି ନିଜର ଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାକୁ। ଯେତେ ଗରିବ ହେଲେ ମଧ୍ୟ ଉତ୍କଳର ଗୌରବୋଜ୍ଜ୍ୱଳ ଏøତିହ୍ୟ ଏ ଜାତିର ଆତ୍ମ ଉପ୍‌ଲବ୍ôଧ ଓ ଆତ୍ମ ପରିଚୟର ସଂଜ୍ଞା ବହନ କରିଆସୁଛି। ଉତ୍କଳ ଦିବସର ମହାନତା ଆଜି ଓଡ଼ିଆ ଜାତିର ଇତିହାସ ଓ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଆଭିଜାତ୍ୟକୁ ମନେପକାଇ ଦେବା ସଂଗେ ସଂଗେ ଆମର ସ୍ୱାଭିମାନ ଜାଗ୍ରତ କରିବା ପାଇଁ ଅଜସ୍ର ପ୍ରେରଣା ଯୋଗାଇଥାଏ।

ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡ଼ିଆର ଆତ୍ମବିଶ୍ୱାସର ମାପକାଠି। ଯେଉଁ ମହାନ ଓଡ଼ିଆମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୂତ ପ୍ରଣାମ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପରେ ଭାରତବର୍ଷ ସ୍ୱାଧୀନ ହୋଇଛି। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଛି ଏହି ଉତ୍କୃଷ୍ଟ ରାଜ୍ୟ ଉତ୍କଳ। ଆଜି ଅବଶ୍ୟ ଅନେକବର୍ଷ ବିତିଗଲାଣି।

ଓଡ଼ିଶାରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି। ଗରୀବଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଆହୁରି ଅନେକ ସମସ୍ୟା ମଧ୍ୟ ରହିଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ତଥା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅନେକ ବାଟ ଆଗେଇ ଯାଇଛି। ତଥାପି ଓଡ଼ିଶା ଏକ ଗରୀବ ରାଜ୍ୟର ପରିଚୟ ବହନ କରିଆସୁଛି। ଛିନ୍ନ ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣ ପାଇଁ ଗଠନ କରାଯାଇଥିଲା ଉତ୍କଳ ସମ୍ମିଳନୀ। ଏତିକି ବେଳେ ମଧୁସୂଦନ ଦାସ ଲେଖିଥିଲେ –

ଏହି ସମ୍ମିଳନୀ ଜାତି ପ୍ରାଣ ବିନ୍ଦୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡ଼େଇଁ ପଡ଼ି ସିନ୍ଧୁ ନୀରେ
ସେହିପରି ଗୋପବଂଧୁ ମଧ୍ୟ କବିତାରେ ଲେଖିଥିଲେ-
ମିଶୁମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଳି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।

ପ୍ରତି ରକ୍ତବିନ୍ଦୁରେ ଦେଶ ପ୍ରେମର ଭାବ ଜାଗ୍ରତ କରାଏ। ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ଗୋପବଂଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀଶଙ୍କର, ସ୍ୱଭାବ କବି ଗଙ୍ଗାଧର ମେହେର ତଥା ଉତ୍କଳ କେଶରୀ ମହତାବଙ୍କର ନିଷ୍ଠାପର ସାଧନା ତଥା ଉଦ୍ୟମରେ ଉତ୍କଳ ଆଜି ତା’ର ଏକ ସ୍ମିତି ପାଇପାରିଛି। ଆଜି ବି ଆମକୁ ଉଦ୍‌ବୁଦ୍ଧ କରାଏ ସେହି କାଳଜୟୀ ପଦ-

ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନି ଗୁଣିରେ ଗଣିବା
ଓଡ଼ିଆ ରହିବେ ନାହିଁ ( ଗଙ୍ଗାଧର ମେହେର)

ଆଜି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟରେ ମିଶି ରହିଛି। ଯାହାକୁ ଏକତ୍ରିକରଣ କରାଯାଇପାରୁ ନାହିଁ। ଫଳରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସତେ ଯେପରି ଆଜି ଅଧୁରା ରହିଯାଇଛି। ତଥାପି ଆଜି ପ୍ରବାସୀ ଓଡ଼ିଆମାନେ ଓଡ଼ିଆଭାଷା ଓ ସଂସ୍କୃତିକୁ ନିଜର ବୋଲି ଭାବିବା ସଂଗେସଂଗେ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ କରନ୍ତି।

ସାରା ବିଶ୍ୱର ମାନଚିତ୍ରରେ ଉତ୍କଳ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ। ଇତିହାସର ଉତ୍କଳ, କଳିଙ୍ଗ, କଙ୍ଗୋଦ, ତୋଷଳ, କାନ୍ତାର, ଉଡ଼୍ର, ଓଡ଼୍ର ରାଜ୍ୟ ହିଁ ଆଜିର ଓଡ଼ିଶା। ଓଡ଼ିଶାର ମାଟିତଳେ ଭରି ରହିଛି ପ୍ରଚୁର ଖଣିଜ ସମ୍ପଦ। ଓଡ଼ିଆମାନେ ଉନ୍ନତ ବୁଦ୍ଧି, କୌଶଳ, ମନପ୍ରାଣ ଓ ସାହସ ଦେଇ ଏହି ଖଣିଜ ସମ୍ପଦର ସୁବିନିଯୋଗ କରିପାରିଲେ ବିଶ୍ୱ ଦରବାରରେ ଓଡ଼ିଶା ଏକ ଉନ୍ନତ ରାଜ୍ୟଭାବେ ପରିଗଣିତ ହୋଇପାରିବ।

ଆଜି ଓଡ଼ିଶାରେ ଯେଉଁ ସମସ୍ୟା ଉପୁଜିଛି ସେଥିରେ ଭାଷା ସମସ୍ୟା ହେଉଛି ମୁଖ୍ୟ । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ସତ, ହେଲେ ଭାଷା ପ୍ରତି ଓଡ଼ିଆମାନଙ୍କର ଆନ୍ତରିକତାର ଅଭାବବୋଧ ପରିଲକ୍ଷିତ ହେଉଛି। ଦିନକୁ ଦିନ ଓଡ଼ିଆ ଭାଷାର ବ୍ୟବହାର ସଂଙ୍କୁଚିତ ହେବାରେ ଲାଗିଛି। ଆମ ଖାଦ୍ୟପ୍ରେୟ ତଥା ସାମାଜିକ ଚଳଣିରେ ମଧ୍ୟ ପରିବର୍ତ୍ତନ ଆସିଛି।

ଆମେ ସମସ୍ତେ ଯେପରି ଓଡ଼ିଆର ପରିଚୟ ଦେଇ ବଂଚିବାକୁ ଆଉ ଚାହୁଁ ନାହୁଁ। ଆମର ଭାଷା, ସଂସ୍କୃତି ଓ ପରମ୍ପରା ସବୁ ଯେପରି କାଳର କରାଳ ଗତିରେ ଲୀନ ହେବାକୁ ବସିଲାଣି। ଆମ ପିଲାମାନଙ୍କର ମୁହଁରୁ ଇଂରେଜ ଭାଷା ଦ୍ୱିପଦ ଶୁଣି ଆମେ ଯେପରି କୃତ୍ୟକୃତ୍ୟ ହେଉଛୁ ଓଡ଼ିଆ ଭାଷାର ଅନ୍ଧାରୀ ଭବିଷ୍ୟତ ବିଷୟରେ ଥରେ ବି ଚିନ୍ତା କରିବାକୁ ସୁଯୋଗ ପାଉନାହୁଁ। ହେଲେ ବିଳପି ଉଠୁଛି ଆଜି ମା ଉତ୍କଳର ଆତ୍ମା। ଅଶ୍ରୁଳ ଆଖିରେ ସେ ଚାହିଁ ରହିଛି ଉତ୍କଳୀୟମାନଙ୍କର ଦୟା ଆଉ ଅନୁକମ୍ପାକୁ।

ଆଜି ସମୟ ଆସିଛି ଚିନ୍ତା କରିବାକୁ। ଉତ୍କଳର ଭାଷା ସଂସ୍କୃତି ଓ ପରମ୍ପରାକୁ। କିଭଳି ସବୁଦିନ ବଞ୍ଚାଇ ରଖିବାକୁ। ହେଲେ ଚିନ୍ତା କରିବାକୁ ହେବ ପ୍ରତ୍ୟକ ଓଡ଼ିଆଙ୍କୁ। ମନ ଓ ହୃଦୟ ଭିତରେ ପରିବର୍ତ୍ତନ ଆଣିବାକୁ। ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଆନ୍ତରିକତା ତଥା ଶ୍ରଦ୍ଧା ରଖିବାକୁ। ସ୍ୱାର୍ଥ, ମୋହ, ଲୋଭ ଠାରୁ ଦୂରରେ ରହି ଉତ୍କଳ ମାଆର ସେବାରେ ଜୀବନକୁ ଉତ୍ସର୍ଗ କରିବାକୁ ହେବ।

ଆମେ ଆମର ବାପାକୁ ବାପ ବୋଲି ନଡ଼ାକି ମଉସାକୁ ବାପବୋଲି ସମ୍ବୋଧନ କରି ଗର୍ବ ଅନୁଭବ କରୁଛେ। ପଦେ ଇଂରେଜି କହିଦେଲେ ଗର୍ବରେ ଫାଟି ପଡ଼ୁଛେ । ତେଣୁ ଏହି ପରିପ୍ରେକ୍ଷୀରେ ଆଜିର ଏହି ପବିତ୍ର ଦିବସରେ ପ୍ରତ୍ୟକ ଓଡ଼ିଆର ହୋଇଉଠୁ ଏକ ଆଦର୍ଶ ଅନୁଚିନ୍ତା, ଯେଉଁ ଅନୁଚିନ୍ତା ଗଢିତୋଳୁ ଏକ ଉତ୍କୃଷ୍ଟ ରାଜ୍ୟ ନବ ଉତ୍କଳ। ଜୟ ମା ଉତ୍କଳଜନନୀ, ତୁମ ଚରଣେ ଶତ ପ୍ରଣାମ।

ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ମୋ- ୭୮୪୮୮୯୮୪୫୬।