Categories
ବିଶେଷ ଖବର

ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ) ଅନ୍ତର୍ଗତ ଜୁନ ୬ରୁ ୧୧ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ବିଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଜୟଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଡିଜିଟାଲ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୁଦ୍ରା (କଏନ)ର ସ୍ୱତନ୍ତ୍ର ସିରିଜ୍‌ ଉନ୍ମୋଚନ କରିଥିଲେ। ଏହି ସ୍ୱତନ୍ତ୍ର ସିରିଜ୍‌ର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ କରିପାରିବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଲମ୍ବା ସଂଘର୍ଷରେ ଅଂଶଗ୍ରହଣ କରିଥିବା ଲୋକମାନେ ଏହି ଆନ୍ଦୋଳନକୁ ଏକ ନୂଆ ରୂପ ଦେଇଥିଲେ, ଆନ୍ଦୋଳନର ଊର୍ଜା ବଢ଼ାଇଥିଲେ। କିଛି ଲୋକ ସତ୍ୟାଗ୍ରହର ମାର୍ଗ ଆପଣାଇଥିଲେ, ଆଉ କିଛି ଲୋକ ଅସ୍ତ୍ରଶସ୍ତ୍ରର ମାର୍ଗ ଚୟନ କରିଥିଲେ, ପୁଣି କେଉଁମାନେ ଆଧ୍ୟାତ୍ମିକତା ଓ ଆସ୍ଥାକୁ ଆପଣାଇଥିଲେ ଏବଂ ଅନ୍ୟ କେତେ ଜଣ ବୌଦ୍ଧିକ ମାର୍ଗରେ ସ୍ୱାଧୀନତାର ବହ୍ନିକୁ ପ୍ରଜ୍ଜ୍ବଳିତ ରଖିବାରେ ସହାୟତା କରିଥିଲେ। ସେମାନଙ୍କର ବଳିଦାନକୁ ସମ୍ମାନିତ କରିବା ଲାଗି ଆଜି ଆମ ସମସ୍ତଙ୍କ ପାଇଁ ସମୟ ଆସିଛି।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ଆଜି ଆମେ ସମସ୍ତେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ତେଣୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ସ୍ତରରେ ଦେଶ ପାଇଁ କୌଣସି ବିଶେଷ ଯୋଗଦାନ ଦେବାର ଆବଶ୍ୟକତା ରହିଛି। ନୂଆ ଉତ୍ସାହ ସହିତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ସାକାର ପାଇଁ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରିବା ଲାଗି ଏବେ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବିଗତ ଆଠ ବର୍ଷ ମଧ୍ୟରେ ଭାରତ ଭିନ୍ନ ଭିନ୍ନ ଦିଗରେ କାର୍ଯ୍ୟ କରିବା ସହିତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ୱରାନ୍ୱିତ ହୋଇଛି ଏବଂ ଦରିଦ୍ରତମ ବ୍ୟକ୍ତିଙ୍କ ସଶକ୍ତିକରଣ ହୋଇପାରିଛି। ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ଗରିବମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବା ଲାଗି ଅବସର ମିଳିଛି। ପକ୍କା ଘର, ବିଦ୍ୟୁତ, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଗରିବଙ୍କ ଗରିମା ବଢ଼ାଇଛି, ସେମାନଙ୍କୁ ଅଧିକ ସୁବିଧା ଦେଇଛି। କରୋନା କାଳରେ ମାଗଣା ରାସନ ଯୋଜନା ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ କ୍ଷୁଧା ଆଶଙ୍କାରୁ ମୁକ୍ତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘‘ବଞ୍ଚିତ ମାନସିକତାରୁ ଊର୍ଦ୍ଧ୍ବକୁ ଉଠି ବଡ଼ ସ୍ୱପ୍ନ ଦେଖିବା ଲାଗି ନାଗରିକଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ଦେଖା ଦେଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ,’’ ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ସରକାର କୈନ୍ଦ୍ରିକ ପ୍ରଶାସନ କାରଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଆଜି ଜନକୈନ୍ଦ୍ରିକ ପ୍ରଶାସନ ଆଭିମୁଖ୍ୟ ନେଇ ଏକବିଂଶ ଶତାବ୍ଦୀର ଭାରତ ଆଗକୁ ବଢ଼ୁଛି। ସେ କହିଥିଲେ ଯେ, ପୂର୍ବରୁ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ସରକାରଙ୍କ ପାଖକୁ ଯିବାର ଦାୟିତ୍ୱ ଲୋକମାନଙ୍କ ଉପରେ ରହିଥିଲା। ଏବେ ପ୍ରଶାସନକୁ ଲୋକମାନଙ୍କ ପାଖକୁ ନେଇଯିବା ଉପରେ ଜୋର ଦିଆଯାଉଛି, ଫଳରେ ଦେଶର ଜନସାଧାରଣ ବିଳମ୍ବିତ ଓ ଜଟିଳ ପ୍ରକ୍ରିୟାରୁ ମୁକ୍ତି ପାଇପାରିଛନ୍ତି। ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରାଯିବା ଏ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପୋର୍ଟାଲ ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀ, ଏମଏସଏମଇ ଉଦ୍ୟୋଗୀଙ୍କ ଜୀବନରେ ସୁଧାର ଆଣିବ ଏବଂ ସେମାନଙ୍କର ସ୍ୱପ୍ନ ପୂରଣ ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ, ଗମ୍ଭୀରତାର କାର୍ଯ୍ୟକାରୀ କରାଯାଉଥିବା ଯେକୌଣସି ସଂସ୍କାର ନିଶ୍ଚିତ ଭାବେ ଭଲ ପରିଣାମ ଦେଇଥାଏ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଗତ ଆଠ ବର୍ଷ ମଧ୍ୟରେ ଦେଶରେ ଯେତେସବୁ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ତାହାର କେନ୍ଦ୍ରରେ ଆମ ଦେଶର ଯୁବକମାନଙ୍କୁ ରଖାଯାଇଛି। ଏହା ସେମାନଙ୍କୁ ସେମାନଙ୍କର ସମ୍ଭାବନା ଉଜାଗର କରିବାରେ ସହାୟକ ହେବ। ଆମର ଯୁବକମାନେ ନିଜ ପରିଶ୍ରମ ବଳରେ ନିଜର ଏକ କମ୍ପାନୀ ଖୋଲି ପାରିବେ, ସହଜରେ ନିଜ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ, ସହଜରେ ଉଦ୍ୟୋଗ ଚଳାଇପାରିବେ ସେଥିପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି କରାଯାଇ ପାରିଛି। ଏହି କାରଣରୁ ୩୦ ହଜାରରୁ ଅଧିକ ଅନୁପାଳନ ହ୍ରାସ, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ ଏବଂ କମ୍ପାନୀ ଆଇନର ବିଭିନ୍ନ ବ୍ୟବସ୍ଥାକୁ ନିରପରାଧୀକରଣ କରିବା ଫଳରେ ଆମେ କେବଳ ଭାରତୀୟ କମ୍ପାନୀଙ୍କ ପ୍ରଗତି ପାଇଁ ରାସ୍ତା ପ୍ରଶସ୍ତ କରିନାହୁଁ ବରଂ ସେମାନଙ୍କୁ ନୂଆ ଉଚ୍ଚତା ହାସଲ କରିବା ନିମନ୍ତେ ଆବଶ୍ୟକ ସୁଯୋଗ ଦେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ସରଳୀକରଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଜିଏସଟି ଆସିବା ଫଳରେ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଥିବା ସଂଖ୍ୟାଧିକ ଟିକସ ଜାଲ ଆଉ ନାହିଁ। ସାରା ଦେଶ ଆଜି ଏହି ସରଳୀକରଣର ପରିଣାମ ଦେଖିପାରୁଛି। ଏବେ ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଟପିବା ସାଧାରଣ କଥା ହୋଇଗଲାଣି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବ୍ୟବସାୟିକ ସୁଗମତା ଆଣୁଥିବା ପୋର୍ଟାଲଗୁଡ଼ିକ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଇନଭେଷ୍ଟ ଇଣ୍ଡିଆ ପୋର୍ଟାଲ, ନିବେଶ ସୁଯୋଗ ସମ୍ପର୍କରେ ସୂଚନା ଦେଉଛି। ଏଥିସହିତ ବ୍ୟବସାୟିକ ଔପଚାରିକତା ପୂରଣ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ବିଶେଷ ସହାୟକ ହୋଇଛି। ଏହି କ୍ରମରେ ଜନ ସମର୍ଥ ପୋର୍ଟାଲ ଦେଶର ଯୁବକ ଏବଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ବିଶେଷ ଭାବେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

‘‘ଆଜି ଆମେ ସଂସ୍କାର, ସରଳୀକରଣ ଏବଂ ସହଜତା ଶକ୍ତି ସହିତ ଆଗକୁ ବଢ଼ିଲେ, ସୁବିଧାର ଏକ ନୂତନ ସ୍ତର ଆମକୁ ପ୍ରାପ୍ତ ହେଉଛି। ବିଗତ ୮ ବର୍ଷ ମଧ୍ୟରେ ଆମେ ଏହା ପ୍ରମାଣିତ କରିଛୁ ଯେ ଭାରତ ମିଳିତ ଭାବେ କୌଣସି ନିଷ୍ପତ୍ତି ନେଲେ ସାରା ବିଶ୍ଵ ପାଇଁ ଭାରତ ଏକ ନୂଆ ଆଶା ପାଲଟି ଯାଇଥାଏ। ଆଜି ବିଶ୍ଵର ଆମକୁ ଏକ ବଡ଼ ଉପଭୋକ୍ତା ବଜାର ନୁହେଁ ବରଂ ଏକ ସମର୍ଥ, ମୋଡ଼ ପରିବର୍ତ୍ତନକାରୀ, ସୃଜନଶୀଳ, ଅଭିନବ ଇକୋସିଷ୍ଟମ ଭାବେ ନୂଆ ଆଶା ଏବଂ ଆତ୍ମବିଶ୍ୱାସର ସହିତ ଚାହିଁ ରହିଛି’’, ପ୍ରଧାନମନ୍ତ୍ରୀ କହିଥିଲେ।

ସମଗ୍ର ବିଶ୍ଵର ଏକ ବଡ଼ ଭାଗ ଆଜି ସମସ୍ୟା ସମାଧାନ ପାଇଁ ଭାରତ ଠାରୁ ଅନେକ ଆଶା କରୁଛି। ସାଧାରଣ ଭାରତୀୟଙ୍କ ବୁଦ୍ଧିମତା ପ୍ରତି ଆମେ ବିଶ୍ୱାସ ରଖିବା କାରଣରୁ ଏହା ସମ୍ଭବ ହୋଇପାରିଛି। ୟୁପିଆଇର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମେ ଜନସାଧାରଣଙ୍କୁ ଅଭିବୃଦ୍ଧିର ଏକ ବୁଦ୍ଧିମାନ ଅଂଶଗ୍ରହଣକାରୀ ଭାବେ ପ୍ରୋତ୍ସାହିତ କରିଛୁ। ଆମେ ସବୁବେଳେ ଦେଖିଛୁ ଯେ ଉତ୍ତମ ପ୍ରଶାସନ ପାଇଁ ଯେଉଁ ପ୍ରଯୁକ୍ତିର ପ୍ରୟୋଗ କରାଯାଇଛି, ତାହା କେବଳ ଜନସାଧାରଣଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ, ବରଂ ସେମାନେ ତାହାକୁ ପ୍ରଶଂସା ମଧ୍ୟ କରିଛନ୍ତି।’’

Categories
ବିଶେଷ ଖବର ବ୍ୟବସାୟ

ନୂଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ: ଯେକୌଣସି ଲୋକ କରିପାରିବେ ବ୍ୟବହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ନୂଆ ମୁଦ୍ରା ଉପସ୍ଥାପନ କରିଛନ୍ତି। ଦୃଷ୍ଟିହୀନମାନଙ୍କ ପାଇଁ ଏହା ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି। ଏଥିରେ ୧, ୨,୫,୧୦ ଏବଂ ୨୦ ଟଙ୍କାର ମୁଦ୍ରା ତିଆରି କରାଯାଇଛି। ଏହି ମୁଦ୍ରା ଉପରେ ଆଜାଦୀ କା ଅମୃତ ମହୋତ୍ସବ ର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏହି ମୁଦ୍ରାଗୁଡ଼ିକ ସାଧାରଣ ଚଳନ ପାଇଁ ବ୍ୟବହୃତ ହେବ।

ପ୍ରକାଶ ଯୋଗ୍ୟ ଯେ, ଏହି ମୁଦ୍ରାଗୁଡ଼ିକ ସ୍ଵତନ୍ତ୍ର ନୁହେଁ। ସେଗୁଡିକ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେବ। ଏହା ସହିତ ଅନ୍ଧ ଲୋକମାନେ ମଧ୍ୟ ମୁଦ୍ରାଗୁଡ଼ିକୁ ସହଜରେ ଚିହ୍ନିବାରେ ସକ୍ଷମ ହେବେ। ଏହି ମୁଦ୍ରାଗୁଡ଼ିକରେ ବିଶେଷ ଯତ୍ନ ନିଆଯାଇଛି, ଯାହାକୁ ସହଜରେ ଚିହ୍ନଟ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କହିଲେ ଏଭଳି କଥା

ଅହମ୍ମଦାବାଦ: ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମ୍ମଦାବାଦ ସ୍ଥିତ ବିଜେପି ମୁଖ୍ୟାଳୟର କମଲମରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଗୁଜୁରାଟର ରାଜ୍ୟ ସଭାପତି ସିଆର ପାଟିଲ, ବିଜେପି ନେତା ନିତିନ ପଟେଲଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ଦାବି କରିଛନ୍ତି ଯେ, କଂଗ୍ରେସରେ ଆଉ କିଛି ପାଟିଦାର ନେତା ଅଛନ୍ତି ଯେଉଁମାନେ ଆଗାମୀ ଦିନରେ ଦଳ ଛାଡିବେ।

ଏଥି ସହିତ, ଦଳରେ ଯୋଗଦେବା ପୂର୍ବରୁ ସେ କହିଥିଲେ ଯେ ମୁଁ ସମାଜ ତଥା ଦେଶର ସ୍ୱାର୍ଥରେ ମୋଦୀ ଜିଙ୍କ ସହ ଏକ ଛୋଟ ସୈନିକ ହୋଇ କାମ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱର ଗର୍ବ। ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସାମାଜିକ ସ୍ୱାର୍ଥର ଏହି ଉତ୍ତମ କାର୍ଯ୍ୟରେ ଆଗକୁ ବଢିବାକୁ ହେଲେ ନେତୃତ୍ୱ ଅଧୀନରେ ଚାଲିଥିବା ଜାତୀୟ ସେବା କାର୍ଯ୍ୟରେ ଏକ ଛୋଟ ସୈନିକ ଭାବରେ କାର୍ଯ୍ୟ କରି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବି ବୋଲି ପାଟିଦାର ନେତା କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଦେଶରେ ବର୍ଷବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ଏହା ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଗୁଡିକର ଏକ ବୃହତ ସଂଯୁକ୍ତ ଆୟୋଜନ ୩୧ ମେ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଆତିଥ୍ୟତାରେ ଅନୁଷ୍ଠିତ ହେବ। ଶ୍ରୀ ମୋଦୀ ଶିମଲା (ହିମାଚଳ ପ୍ରଦେଶ) ରେ “ଗରିବ କଲ୍ୟାଣ ସମ୍ମିଳନୀ” ନାମକ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ, ୯ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭାଗ ଗୁଡିକ ଦ୍ୱାରା ସଂଚାଳିତ ୧୬ଟି  ଯୋଜନା ଗୁଡିକର/ କାର୍ଯ୍ୟକ୍ରମ ଗୁଡିକର ହିତାଧିକାରୀ  ମାନଙ୍କ ସହିତ ଭିଡିଓ କନ୍‌ଫରେନସିଂ ଦ୍ୱାରା ବାର୍ତ୍ତାଳାପ କରିବେ ଏବଂ ସେ ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ମଧ୍ୟ ଜାରି କରିବେ।

ଏହା ସହିତ ବିଭିନ୍ନ ରାଜ୍ୟ ଗୁଡିକର ରାଜଧାନୀ ସମୂହ, ଜିଲ୍ଲା ମୁଖ୍ୟାଳୟ ଗୁଡିକ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ (କେଭିକେ)ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳା ଅନ୍ତର୍ଗତ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ସମୂହ (କେଭିକେ) ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳାର ଅଂଶ ଭାବେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପୁସା (ଦିଲ୍ଲୀ) ରେ କୃଷକ ମାନଙ୍କ ସହିତ ସାମିଲ୍ ହେବେ।

ଏହି ସମ୍ମିଳନୀ ଦେଶରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଏକକ କାର୍ଯ୍ୟକ୍ରମ ହେବ, ଯାହା ଅନ୍ତର୍ଗତ ସମସ୍ତ ଜିଲ୍ଲା ଗୁଡିକରେ ରାଷ୍ଟ୍ର ବ୍ୟାପୀ ବାର୍ତ୍ତାଳାପ ଅନୁଷ୍ଠିତ ହେବ ଏବଂ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସ୍ୱଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଏବଂ ସହରୀ), ଜଳ ଜୀବନ ମିଶନ ଏବଂ ଅମୃତ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ୍ – ୱାନ୍ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ପିଏମ୍ ଜନ ଆରୋଗ୍ୟ ଯୋଜନା,  ଆୟୁଷ୍ମାନ ଭାରତ ହେଲ୍‌ଥ ଆଣ୍ଡ ୱେଲନେସ୍ ସେଂଟର, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ  ମାନଙ୍କ ସହିତ ଯୋଜନା ଗୁଡିକ/ କାର୍ଯ୍ୟକ୍ରମ ଗୁଡିକର ସେମାନଙ୍କର ଜୀବନ ଉପରେ ଯେଉଁ ପ୍ରଭାବ ପଡିବ ସେଗୁଡିକ ସମ୍ପର୍କରେ ଆଲୋଚନା କରିବେ।

ଦୁଇ ପର୍ଯ୍ୟାୟ ସମ୍ପନ୍ନ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ/ ଜିଲ୍ଲା/ କେଭିକେ ସ୍ତରର ସମାରୋହ ସକାଳ ୯.୪୫ ସମୟରେ ଆରମ୍ଭ ହେବ ଏବଂ ପ୍ରାୟ ୧୧ଟା ବେଳକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହିତ ଜୋଡି ହୋଇଯିବ। ଜାତୀୟ କାର୍ଯ୍ୟକ୍ରମକୁ ଦୂରଦର୍ଶନର ଜାତୀୟ ଏବଂ ଆଂଚଳିକ ଚ୍ୟାନେଲ୍ ଗୁଡିକରେ ସିଧା ପ୍ରସାରଣ କରାଯିବ। ମାଇଁ ଗଭ୍ (MyGov) ମାଧ୍ୟମରେ ଜାତୀୟ କାର୍ଯ୍ୟକ୍ରମକୁ ୱେବ୍‌କାଷ୍ଟ ମଧ୍ୟ କରାଯିବ, ଯେଉଁଥିରେ ଲୋକ ମାନେ ପଞ୍ଜୀକୃତ  କରି ପାରିବେ। ଏହା ଅନ୍ୟ ସାମାଜିକ ଗଣ ମାଧ୍ୟମ ଚ୍ୟାନେଲ୍ ଗୁଡିକରେ, ଯଥା-: ୟୁଟ୍ୟୁବ୍‌, ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍ ଆଦି ମାଧ୍ୟମରେ ମଧ୍ୟ ଦେଖା ଯାଇ ପାରିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ନାନୋ ୟୁରିଆ କାରଖାନାକୁ କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ। ଏହାପରେ ଉକ୍ତ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେବେ। ପରେ ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ସମ୍ବୋଧନ କରିବେ। ଏଠାରେ ସେ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ।

ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ

ଗୁଜରାଟର ସମବାୟ କ୍ଷେତ୍ର ସମଗ୍ର ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ ହୋଇପାରିଛି। ରାଜ୍ୟ ସମବାୟ କ୍ଷେତ୍ରରେ ୮୪,୦୦୦ରୁ ଅଧିକ ସମିତି ରହିଛି। ଏହି ସମିତିଗୁଡ଼ିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।

ଚାଷୀଙ୍କ ଉତ୍ପାଦକତା ଆହୁରି ବଢ଼ାଇବା ଏବଂ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପସ୍ୱରୂପ, ପ୍ରଧାନମନ୍ତ୍ରୀ କାଲୋଲର ଇଫକୋଠାରେ ପ୍ରାୟ ୧୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ। ନାନୋ ୟୁରିଆର ଉପଯୋଗ ଦ୍ୱାରା ଯେମିତି ଅମଳ ବୃଦ୍ଧି ପାଇବ, ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ନାନୋ ସାର କାରଖାନା ସ୍ଥାପନ କରାଯାଇଛି। ଏହି କାରଖାନା ଦିନକୁ ୫୦୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧.୫ ଲକ୍ଷ ବୋତଲ ଉତ୍ପାଦନ କରିବ।

ରାଜକୋଟର ଆଟକୋଟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ, ଯାହା କି ଶ୍ରୀ ପଟେଲ ସେବା ସମାଜ ଦ୍ୱାରା ପରିଚାଳିତ ହେଉଛି। ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ ଏବଂ ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିଶ୍ୱଶ୍ରେଣୀୟ ଚିକିତ୍ସା ସୁବିଧା ଯୋଗାଇଦେବ। ଏହାପରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ।

Categories
ଆଜିର ଖବର ଜାତୀୟ ଖବର

ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ଗାଡି, ୮ ମୃତ: ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସମୁଦାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହା କୁହାଯାଉଛି ଯେ ସମସ୍ତେ ବରଯାତ୍ରୀରୁ ଘରକୁ ଫେରୁଥିଲେ। ଅନିୟନ୍ତ୍ରିତ ବୋଲେରୋ ଗାଡିଟି ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେବା କାରଣରୁ ଏହି ସଡକ ଦୁର୍ଘଟଣା ଘଟିଛି।

ଆଜି ୟୁପିର ସିଦ୍ଧାର୍ଥନଗରରେ ଜୋଗିଆ କୋତୱାଲିର ଜାତୀୟ ରାଜପଥ ୨୮ କାଲେ ନାମକ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀରୁ ଫେରୁଥିବା ଏକ ଅନିୟନ୍ତ୍ରିତ ବୋଲେରୋ ଟ୍ରକକୁ ଧକ୍କା ଦେଇଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ, ବୋଲେରୋରେ ୧୧ ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ଆହତ ତିନି ଜଣଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରୁ ଗୋରଖପୁରକୁ ପଠାଯାଇଛି। ଏଥିସହ ମୃତ ବ୍ୟକ୍ତିମାନେ ଶୋହରାତଗଢ ପୋଲିସ ଷ୍ଟେସନର ମହଲା ଗାଁର ବାସିନ୍ଦା। ଏହି ଦୁର୍ଘଟଣାରେ ଆହତ ତିନି ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି।

ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସଡକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ ଟୁଇଟରରେ ଲେଖିଛନ୍ତି ଯେ, “ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ସଡକ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ମୋର ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ ମୋର ସମବେଦନା ରହିଛି। ଏହି ଦୁଃଖ ମୂହୁର୍ତ୍ତରେ ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ। ଏହା ସହିତ ଆହତଙ୍କ ପାଇଁ ମୁଁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଆହତ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପିଏମଏନଆରଏଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏଥିସହ ପ୍ରତ୍ୟେକ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନଙ୍କ ଭଲ ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ଥୋମାସ କପ୍ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ୧ କୋଟି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ସେମାନେ ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆ ଦଳକୁ ୩-୦ ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ୍ କପ୍ ଟାଇଟଲ୍ ଜିତିଛନ୍ତି। ଏହି ବିଜୟ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁରୁଷ ବ୍ୟାଡମିଣ୍ଟନ ଦଳକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି।

ପୁରୁଷ ବ୍ୟାଡମିଣ୍ଟନ ଦଳର ଏହି ବିଜୟ ପରେ ପିଏମ ମୋଦୀ ପ୍ରଶଂସା କରି ଟ୍ୱିଟ କରି କହିଛନ୍ତି ଯେ, ଭାରତୀୟ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଭାରତ ଥୋମାସ କପ୍ ଜିତି ଥିବାରୁ ସମଗ୍ର ଦେଶ ଉତ୍ସାହିତ। ଆମର କୁଶଳୀ ଦଳକୁ ଅଭିନନ୍ଦନ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା। ଏହି ବିଜୟ
ଆଗାମୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ।

ଏଥିସହ ଥୋମାସ କପ ବିଜେତା ଦଳକୁ କ୍ରୀଡ଼ା ମନ୍ତ୍ରଣାଳୟ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।

ଆଜି ଏକପାଖିଆ ଫାଇନାଲରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତି ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସର ପୃଷ୍ଠାରେ ଏହାର ନାମ ସ୍ଥାନିତ କରିଛି। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଇତିହାସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଲକ୍ଷ୍ମୀ ସେନ୍ ଏବଂ କିଦାମ୍ବି ଶ୍ରୀକାନ୍ତଙ୍କ ବ୍ୟତୀତ ବିଶ୍ୱ ନମ୍ବରର ଆଠଟି ଯୋଡି ସାତ୍ୟିକସାଇରାଜ୍ ରଙ୍କିରେଡି ଏବଂ ଚିରାଗ ଶେଟ୍ଟୀ ଦଳ ପାଇଁ ଏକ ସ୍ମରଣୀୟ ବିଜୟ ପଞ୍ଜିକରଣ କରିଛନ୍ତି।

Categories
ବିଶେଷ ଖବର

ଦ୍ବିତୀୟ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ବିଶ୍ବ କୋଭିଡ୍‌ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ।

ମହାମାରୀ ମୁକାବିଲା ପାଇଁ ଭାରତ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭାରତ ଚଳିତ ବର୍ଷ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବଜେଟ୍‌ ଆବଣ୍ଟନ କରିଛି। ଭାରତ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରୁଛି ଏବଂ ପ୍ରାୟ ୯୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଓ ୫ କୋଟିରୁ ଅଧିକ ପିଲାଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିସାରିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଶ୍ବ ସମୁଦାୟର ଏକ ଉତ୍ତରଦାୟୀ ସଦସ୍ୟ ଭାବେ ଭାରତ ଏହାର ମିତବ୍ୟୟୀ ସ୍ବଦେଶୀ କୋଭିଡ ମୁକାବିଲା ପ୍ରଯୁକ୍ତି, ଟିକା ଏବଂ ଚିକିତ୍ସା ପଦ୍ଧତିକୁ ଅନ୍ୟ ଦେଶମାନଙ୍କୁ ବିତରଣ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିବ। ଭାରତ ନିଜର ଜିନ୍‌ ଅନୁଶୀଳନ ବ୍ୟବସ୍ଥା (ଜେନୋମିକ ସର୍ଭିଲେନ୍ସ କନସୋର୍ଟିଅମ)କୁ ଅନ୍ୟମାନଙ୍କୁ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି। ଭାରତ ବ୍ୟାପକ ଭାବେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆପଣାଇଛି ଏବଂ ଏହି ଜ୍ଞାନକୁ ସାରା ବିଶ୍ବରେ ପ୍ରସାରିତ କରିବା ଲାଗି ଡବ୍ଲୁଏଚଓ ପାରମ୍ପରିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର ପାଇଁ ଶିଳାନ୍ୟାସ କରିଛି।

ଏକ ଦୃଢ଼ ଏବଂ ଆହୁରି ସହନଶୀଳ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ଢାଞ୍ଚା ସୃଷ୍ଟି କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। କ୍ୟାରିକମ୍‌ର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରୁଥିବା ରାଷ୍ଟ୍ର ଭାବେ ବେଲିଜେ ରାଷ୍ଟ୍ର/ସରକାରୀ ମୁଖ୍ୟ, ଆଫ୍ରିକୀୟ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ସେନେଗାଲ, ଜି-୨୦ର ଅଧ୍ୟକ୍ଷ ଇଣ୍ଡୋନେସିଆ ଏବଂ ଜି7 ରାଷ୍ଟ୍ର ସମୂହର ଅଧ୍ୟକ୍ଷ ଭାବେ ଜର୍ମାନୀ ସହଆୟୋଜକ ଭାବେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ମିଳିତ ଜାତିସଂଘର ମହାସଚିବ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏଥିପୂର୍ବରୁ ୨୨ ସେପ୍ଟେମ୍ବର ୨୦୨୧ରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ପ୍ରଥମ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୦୮ ପୂର୍ବତନ ଅମଲାତନ୍ତ୍ରଙ୍କ ଚିଠି: ବନ୍ଦ କରନ୍ତୁ ଦେଶରେ ଘୃଣା ଏବଂ ହିଂସା ରାଜନୀତି

ନୂଆଦିଲ୍ଲୀ: ଶତାଧିକ ପୂର୍ବତନ ଅମଲାତନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆଶା କରିଛନ୍ତି ଯେ, ସେ “ଘୃଣାର ରାଜନୀତି” ର ସମାପ୍ତି ପାଇଁ ଆହ୍ଵାନ କରିବେ ଏବଂ ଭାରତୀୟ ଜନତା ପାର୍ଟି ନିୟନ୍ତ୍ରିତ ସରକାର ଏହା ଉପରେ ଜୋର ଦେବ।

ଚିଠିରେ କୁହାଯାଇଛି ଯେ “ପୂର୍ବତନ ସରକାରୀ କର୍ମଚାରୀ ଭାବରେ ଆମେ ସାଧାରଣତଃ ନିଜକୁ ଏପରି ତୀକ୍ଷ୍ଣ ଶବ୍ଦରେ ପ୍ରକାଶ କରିବାକୁ ଇଚ୍ଛା କରୁନାହୁଁ। କିନ୍ତୁ ଆମର ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ ସାମ୍ବିଧାନିକ ଭିତ୍ତିଭୂମି ନଷ୍ଟ ହୋଇଯାଉଛି।” ଏହା ଆମର କ୍ରୋଧ ଏବଂ ଯନ୍ତ୍ରଣା ପ୍ରକାଶ କରିବାକୁ ବାଧ୍ୟ କରୁଛି।

ଚିଠିରେ ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ଏବଂ ମାସ ମଧ୍ୟରେ ଆସାମ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଘୃଣା ଏବଂ ହିଂସା ବୃଦ୍ଧି ପାଇଛି। ଚିଠିରେ କୁହାଯାଇଛି ଯେ, ଦିଲ୍ଲୀ ବ୍ୟତୀତ ଏହି ରାଜ୍ୟରେ ବିଜେପି ସରକାର ଅଛି ଏବଂ ଦିଲ୍ଲୀରେ ପୋଲିସକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରୁଛନ୍ତି।

ପୂର୍ବତନ ଅଧିକାରୀମାନେ ଚିଠିରେ କହିଛନ୍ତି ଯେ, “ଆମେ ଆପଣଙ୍କର ବିବେକକୁ ନିବେଦନ କରୁଛୁ, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସଙ୍କ ପ୍ରତିଜ୍ଞାକୁ ଧ୍ୟାନରେ ରଖନ୍ତୁ। ଏହା ଆମର ଆଶା ଯେ, ଆଜାଦୀ କା ଅମୃତ ମହୋତ୍ସବର ବର୍ଷରେ, ପକ୍ଷପାତପୂର୍ଣ୍ଣ ବିଚାରରୁ ଉପରକୁ ଉଠି ଆପଣ ଘୃଣାର ରାଜନୀତିକୁ ବନ୍ଦ କରିବାକୁ ଏକ ଆହ୍ଵାନ ଦେବ।

Categories
ବିଶେଷ ଖବର

ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଜମ୍ମୁରେ ଅନେକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜମ୍ମୁ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟରେ ସ୍ଵତନ୍ତ୍ର ମାନ୍ୟତା ପାଇବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ। ତାଙ୍କ ସହ ମଞ୍ଚରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ବନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି, ଯାହା ଜାମ୍ମୁ କାଶ୍ମୀରର ଅଞ୍ଚଳକୁ ନିକଟତର କରିବାରେ ସାହାଯ୍ୟ କରିବ। ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ଏବଂ ରାତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଅଗଷ୍ଟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଟନ କରିଛନ୍ତି। ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ। ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ। ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

Categories
ବିଶେଷ ଖବର

WHO ମୁଖ୍ୟଙ୍କ ଗୁଜୁରାଟ ଗସ୍ତ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଭାରତକୁ କଲେ ପ୍ରଶଂସା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜୁରାଟର ଜାମନଗରରେ WHO ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ଉଦ୍ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ WHO ମହାନିର୍ଦ୍ଦେଶକ ଡ ଟେଡ୍ରୋସ୍ ଅଦନୋମ୍ ଗେବ୍ରେଏସ୍ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ସେ ଗୁଜରାଟୀରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। WHO ର ମହାନିର୍ଦ୍ଦେଶକ କହିଥିଲେ ଯେ, ପାରମ୍ପାରିକ ଔଷଧ ପାଇଁ WHO- ଗ୍ଲୋବାଲ୍ ସେଣ୍ଟରକୌଣସି ସମକକ୍ଷ ନୁହେଁ।

ସେ କହିଥିଲେ ଯେ, ମୋର ଭାରତୀୟ ଶିକ୍ଷକମାନେ ମୋତେ ପାରମ୍ପାରିକ ଔଷଧ ବିଷୟରେ ଭଲ ଶିକ୍ଷା ଦେଇଛନ୍ତି ଏବଂ ମୁଁ ବହୁତ କୃତଜ୍ଞ। ସେ କହିଥିଲେ ଯେ, ମୁଁ ମଧ୍ୟ ବଲିଉଡ ଚଳଚ୍ଚିତ୍ର ଦେଖି ବଡ ହୋଇଥିଲି ଏବଂ ମୁଁ ବୁଝିପାରୁଛି ଯେ ‘ବଲିଉଡ’ ପ୍ରଶଂସକଙ୍କ ପାଇଁ ସ୍ୱିସ୍ ଆଲପ୍ସ ଏକ ପ୍ରିୟ ସ୍ଥାନ।

WHO ମହାନିର୍ଦ୍ଦେଶକ କହିଥିଲେ ଯେ, “ଆମେ ଆରମ୍ଭ କରୁଥିବା WHO- ଗ୍ଲୋବାଲ୍ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ପ୍ରମାଣ ଭିତ୍ତିକ ପାରମ୍ପାରିକ ଔଷଧକୁ ମଜବୁତ କରିବା ପାଇଁ ବିଜ୍ଞାନର ଶକ୍ତି ବ୍ୟବହାର କରିବାରେ ସାହାଯ୍ୟ କରିବ। ନେତୃତ୍ୱ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କୁ କୃତଜ୍ଞ।

ସେ କହିଥିଲେ ଯେ, “ମଧ୍ୟବର୍ତ୍ତୀ କାର୍ଯ୍ୟାଳୟ ସହିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୫୦ ମିଲିୟନ୍ ଡଲାରର ପୁଞ୍ଜି ବିନିଯୋଗ ଏବଂ କାର୍ଯ୍ୟକ୍ଷମ ଖର୍ଚ୍ଚ ପ୍ରତି ୧୦ ବର୍ଷର ପ୍ରତିବଦ୍ଧତା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି। ଜାଣିଥିଲି ଏହି କେନ୍ଦ୍ର ଭଲ ହାତରେ ରହିବ। ”

ସୂଚନା ଯୋଗ୍ୟ ଯେ, WHO ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଅଦନୋମ୍ ଗେବ୍ରେଏସ୍ ଗୁଜୁରାଟକୁ ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାୱାର, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କ’ଣ ଘଟିଛି

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମ ଶରଦ ପାୱାର ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଖବର ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ହୋଇଛି। ସୂଚନାନୁସାରେ, ବାର୍ତ୍ତାଳାପ ସମୟରେ ମହାରାଷ୍ଟ୍ର ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବିଶେଷ କଥା ହେଉଛି ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଏକ ସମୟରେ ଘଟିଛି ଯେତେବେଳେ ଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର କୋଟି କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ପତ୍ରା ଚାଲ୍ ଲ୍ୟାଣ୍ଡ ସ୍କାମ ମାମଲାରେ ମଙ୍ଗଳବାର ଦିନ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହାୟକ ପ୍ରବୀଣ ରାଉତଙ୍କ ୯ କୋଟି ଟଙ୍କାର ସମ୍ପତି ଏବଂ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତି ଜବତ କରିଛି। ପତ୍ରା ଚାଲ୍ ଜମି ସ୍କାମର ମୂଲ୍ୟ ୧ ହଜାର ୩୪ କୋଟି ଟଙ୍କା।

ସେବେଠାରୁ ମହାରାଷ୍ଟ୍ରର ରାଜନୀତି ଉତ୍ତପ୍ତ ହୋଇପଡିଛି। ସଞ୍ଜୟ ରାଉତଙ୍କ ଉପରେ କେନ୍ଦ୍ର ସରକାର ଲଗାତାର ଆକ୍ରମଣ କରୁଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, ସରକାରୀ ଏଜେନ୍ସିଗୁଡିକର ଅପବ୍ୟବହାର କରି ବିରୋଧୀଙ୍କୁ ଦମନ କରିବାକୁ ଚେଷ୍ଟା କରାଯାଉଛି। ମଙ୍ଗଳବାର ଦିନ ସଞ୍ଜୟ ରାଉତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆଲିବାଗ୍ ର ଆଠଟି ପ୍ଲଟ୍ ଏବଂ ମୁମ୍ବାଇର ଦାଦରରେ ଗୋଟିଏ ଫ୍ଲାଟକୁ ଇଡି ସଂଲଗ୍ନ କରିଛି।

Categories
cbse10th CBSE12th ICSE10th ICSE12th ବିଶେଷ ଖବର

ଆଜି ସକାଳ ୧୧ ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’, ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ଆଜି ନୂଆଦିଲ୍ଲୀର ତାଳକଟୋରା ଷ୍ଟାଡିୟମରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଏନସିଆର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପାଇବେ। ଏହି ପ୍ରୋଗ୍ରାମ୍ ଦୂରଦର୍ଶନ ସମେତ ସମସ୍ତ ଚ୍ୟାନେଲରେ ପ୍ରସାରଣ ହେବ।

ଚାପରୁ ମୁକ୍ତି ହେବା ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ:

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଚାପରୁ କିପରି ମୁକ୍ତି ପାଇବେ ତାହା କହିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଫେବୃଆରୀ ୧୬ ତାରିଖ ୨୦୧୮ରେ ତାଳକଟୋରା ଷ୍ଟାଡିୟମରେ ମଧ୍ୟ ଆୟୋଜିତ ହୋଇଥିଲା।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗତ ଚାରି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପରୀକ୍ଷା ପେ ଚର୍ଚ୍ଚାର ପ୍ରଥମ ତିନୋଟି ସଂସ୍କରଣ ଦିଲ୍ଲୀର ଟାଉନ ହଲ ଫର୍ମାଟରେ କରାଯାଇଥିଲା। ଚତୁର୍ଥ ସଂସ୍କରଣ ଗତ ବର୍ଷ ଏପ୍ରିଲ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା।

Categories
cbse10th CBSE12th ICSE10th ICSE12th ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଥମ ଥର ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା ଦେଖିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ।  ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ।

କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି।

ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି। ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ। କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରାୟ ୨୬,୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକ-ଶିକ୍ଷୟିତ୍ରୀ, ୧୨୨୩ ଅଭିଭାବକ ଯୋଗଦେବେ।

ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଏକ ଅଭିନବ କାର୍ଯ୍ୟକ୍ରମ। ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ପରୀକ୍ଷାର ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ। ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ। ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ତଥା ସମାଜର ସବୁ ଶ୍ରେଣୀର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଗତ ବର୍ଷ ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ପରୀକ୍ଷା ପେ ଚର୍ଚ୍ଚାକୁ ଲୋକପ୍ରିୟ କରିବା ପାଇଁ, ବିଦ୍ୟାର୍ଥୀ ମାନଙ୍କ ପାଖରେ ପହଁଚାଇବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ MyGov.in  ପ୍ଲାଟଫର୍ମ ମାଧ୍ୟମରେ ୨୦୨୧ ଡ଼ିସେମ୍ବର ୨୮ରୁ ୨୦୨୨ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ବର୍ଷ ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସହ ଭାଗ ନେଇଥିଲେ। MyGov.in  ଦ୍ୱାରା ଆୟୋଜିତ ଏଗଜାମ ଷ୍ଟ୍ରେସ ମ୍ୟାନଜମେଂଟ୍‌, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ୨୦୫୦ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ‘ଏଗଜାମ ୱାରିୟର’ ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୬ ଜଣ ମନୋନୀତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡ଼ିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡ଼ିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡ଼ିଡି ନ୍ୟୁଜ୍‌, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ।

ଆଜି ପିଆଇବି ଭୁବନେଶ୍ଵର ଠାରେ ଆୟୋଜିତ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଉପ ନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଲୋଡିଥିଲେ।  ସମ୍ମିଳନୀରେ ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ସହାୟକ ସୂଚନା ଅଧିକାରୀ ସ୍ଵାଧୀନ ଶକ୍ତିପ୍ରସାଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବୀରଭୂମ ହିଂସାକୁ ନେଇ ମମତା ସରକାରଙ୍କୁ ପରାମର୍ଶ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣର ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ବିପ୍ଲବୀ ଭରତ ଗ୍ୟାଲେରୀ କିମ୍ବା ଭିକ୍ଟୋରିଆ ମେମୋରିଆଲ ହଲର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ବୀରଭୂମର ରାମପୁରହାଟରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା ପିଏମ ମୋଦୀଙ୍କ ଭାଷଣର ୧୦ ଟି ବଡ କଥା…

୧- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହିଂସା ଘଟଣାରେ ମୁଁ ସମବେଦନା ଜଣାଉଛି।

୨- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଯେଉଁମାନେ ଏପରି ଜଘନ୍ୟ ପାପ କରନ୍ତି ସେମାନଙ୍କୁ ବଙ୍ଗଳାର ମହାନ ଦେଶରେ ଦଣ୍ଡିତ କରାଯିବ।

୩- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ମଧ୍ୟ ବଙ୍ଗଳାବାସୀଙ୍କୁ ଅନୁରୋଧ କରିବି ଯେ ଏପରି ଘଟଣାର ଅପରାଧୀଙ୍କୁ, ଯେଉଁମାନେ ଏପରି ଅପରାଧୀଙ୍କୁ ଉତ୍ସାହିତ କରନ୍ତି, ସେମାନଙ୍କୁ କ୍ଷମା କରନ୍ତୁ ନାହିଁ।

୪- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ମୁଁ ରାଜ୍ୟକୁ ଆଶ୍ୱାସନା ଦେଉଛି ଯେ ଅପରାଧୀଙ୍କୁ ଶୀଘ୍ର ଦଣ୍ଡିତ କରାଯିବାରେ ସେ ଯାହା ସାହାଯ୍ୟ କରିବେ ତାହା ଯୋଗାଇ ଦିଆଯିବ।

୫- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅମର ସହିଦ ଭାଗବତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଲାଙ୍କ ଜିଭରେ ଅଛି। ଏହି ହିରୋମାନଙ୍କର କାହାଣୀ ଆମ ସମସ୍ତଙ୍କୁ ଦେଶ ପାଇଁ ଦିନରାତି କାମ କରିବାକୁ ପ୍ରେରଣା ଯୋଗାଏ।

୬- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ଅତୀତର ଉତ୍ତରାଧିକାରୀ ଆମର ବର୍ତ୍ତମାନକୁ ଦିଗଦର୍ଶନ ଦେଇଥାଏ, ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆମକୁ ପ୍ରେରଣା ଦେଇଥାଏ। ତେଣୁ, ଆଜି ଦେଶ ଏହାର ଇତିହାସ, ଅତୀତକୁ ଏକ ଜାଗ୍ରତ ଶକ୍ତି ଉତ୍ସ ଭାବରେ ଦେଖୁଛି।

୭- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ମହୋତ୍ସବର ଏହି ଐତିହାସିକ ଶହୀଦ ଦିବସ ଅବସରରେ ବିପ୍ଲବୀ ଭରତ ଗ୍ୟାଲେରୀ ଭିକ୍ଟୋରିଆ ମେମୋରିଆଲରେ ଉଦଘାଟନ କରାଯାଇଛି।

୮- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣ ସେହି ସମୟକୁ ମଧ୍ୟ ମନେ ରଖିଥିବେ ଯେଉଁ ଦିନ ଆମେ ଏଠାକୁ ଆସିବା ଦିନ ପ୍ରାଚୀନ ମନ୍ଦିରର ମୂର୍ତ୍ତି ଚୋରି ହେବାର ଖବର ଆସିଥିଲା। ଆମର କଳାକୃତି ନିର୍ଭୟରେ ବିଦେଶରେ ଚୋରା ଚାଲାଣ କରାଯାଉଥିଲା, ଯେପରି ସେଗୁଡ଼ିକ କୌଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ବର୍ତ୍ତମାନ ଭାରତର ସେହି ଐତିହ୍ୟକୁ ଫେରାଇ ଅଣାଯାଉଛି।

୯- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତିନିଟି ସ୍ରୋତର ମିଳିତ ପ୍ରୟାସ ଦ୍ୱାରା ଶହ ଶହ ବର୍ଷର ଦାସତ୍ୱରୁ ଭାରତ ସ୍ୱାଧୀନତା ପାଇଛି। ଗୋଟିଏ ସ୍ରୋତ ହେଉଛି ବିପ୍ଳବ, ଦ୍ୱିତୀୟ ସତ୍ୟଗ୍ରାହ ଏବଂ ତୃତୀୟ ହେଉଛି ଜନସଚେତନତା ଅଭିଯାନ ଥିଲା।

୧୦- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଦେଶର ଯୁବକମାନଙ୍କୁ କହିବାକୁ ଚାହେଁ – ମୁଁ ମୋର ଶକ୍ତି, ମୋର ସ୍ୱପ୍ନକୁ କଦାପି କମ ଆଙ୍କିବେ ନାହିଁ। ଏଭଳି କୌଣସି କାମ ନାହିଁ, ଯାହା ଭାରତର ଯୁବକମାନେ କରିପାରିବେ ନାହିଁ।

Categories
ବିଶେଷ ଖବର

ଆଗାମୀ 7 ଦିନ ପାଇଁ ଭାରତ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି!, ଜାଣନ୍ତୁ ପୁରା ସତ୍ୟତା?

ନୂଆଦିଲ୍ଲୀ: ଆଗାମୀ ସାତ ଦିନ ପାଇଁ ଭାରତ ବନ୍ଦ ରହିବ କି? ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି କି? ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଆଇବି ଏହି ବାର୍ତ୍ତା ଯାଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ବାର୍ତ୍ତାର ସତ୍ୟତା କ’ଣ-

ପିଆଇବି ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ, ଏକ ନକଲି ବାର୍ତ୍ତାରେ ଏହା ଦାବି କରାଯାଉଛି ଯେ ମାର୍ଚ୍ଚ 21 ତାରିଖରୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭରତ ବନ୍ଦର ନିଷ୍ପତ୍ତି ନିଆଯାଇଛି।

ଯେତେବେଳେ ପିଆଇବି ଏହି ନକଲି ବାର୍ତ୍ତା ଯାଞ୍ଚ କଲା, ସେତେବେଳେ ଜାଣିବାକୁ ପାଇଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି। ଭାରତ ବନ୍ଦ କରିବାକୁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ସତ୍ୟତା ଯାଞ୍ଚ ପରେ ପିଆଇବି ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି। ଲୋକଙ୍କୁ ଏପରି ବାର୍ତ୍ତା ପଠାଇବା ଲାଗି ପିଆଇବି ବାରଣ କରିଛି।

ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ ପିଆଇବି ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: [email protected] କୁ ପଠାଇ ପାରିବେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ରହିଛି ‘ଜବରଦସ୍ତ ଜୋସ୍’, ସେଥିପାଇଁ ନିର୍ବାଚନରେ ​​ଜିତିଲା ବିଜେପି: ଶଶି ଥରୁର

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ଶଶି ଥରୁର ପ୍ରଶଂସା କରିଛନ୍ତି ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି। ଜୟପୁର ସାହିତ୍ୟ ମହୋତ୍ସବରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କଂଗ୍ରେସ ନେତା ଶଶି ଥରୁର ୟୁପି ବିଧାନସଭା ନିର୍ବାଚନର ଫଳାଫଳ ଉପରେ କହିଛନ୍ତି ଯେ, ବିଜେପି ଏତେ ବଡ ବିଜୟ ପାଇବ ବୋଲି ଆମେ କେବେ ଆଶା କରିନଥିଲୁ। ଥରୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଅତ୍ୟଧିକ ଉତ୍ସାହ ଏବଂ ଗତିଶୀଳ ବ୍ୟକ୍ତି। ତାଙ୍କ ମଧ୍ୟରେ କିଛି ଜିନିଷ ଅଛି ଯାହା ବିଶେଷ ଭାବରେ ରାଜନୈତିକ ସ୍ତରରେ ବହୁତ ପ୍ରଭାବଶାଳୀ।

ଏଥିସହିତ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ପରେ କଂଗ୍ରେସ ନେତା ମଧ୍ୟ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସେ ସମାଜରେ ଏଭଳି ଶକ୍ତିକୁ ଆଣିଛନ୍ତି। ଯାହା ଆମ ଦେଶକୁ ସାମ୍ପ୍ରଦାୟିକ ତଥା ଧାର୍ମିକ ସ୍ତରରେ ବିଭକ୍ତ କରୁଛି। ଏହା ଦୁର୍ଭାଗ୍ୟଜନକ।

ୟୁପି ଏକଜିଟ୍ ପୋଲରେ ବିଜେପିର ବିଜୟ ପୂର୍ବାନୁମାନ କରାଯାଇଥିଲା। ଏକଜିଟ୍ ପୋଲର ଏହି ଆକଳନ ଉପରେ, ଥରୁର କହିଛନ୍ତି ଯେ, “ଏକଜିଟ୍ ପୋଲ୍ ଆସିବା ପର୍ଯ୍ୟନ୍ତ, ମୋ ମନରେ କୌଣସି ପ୍ରଶ୍ନ ନଥିଲା। ଅଧିକାଂଶ ଲୋକ ଏକ କଡା ଲଢେଇର ଆଶା କରୁଥିଲେ। କିଛି ଲୋକ କହୁଥିଲେ ଯେ ସମାଜବାଦୀ ପାର୍ଟି ଆଗରେ ଅଛି।” “ବହୁ ସଂଖ୍ୟାରେ ବିଜେପି କ୍ଷମତାକୁ ଆସିବ ବୋଲି ଅନେକେ ଆଶା କରି ନଥିଲେ। ସମାଜବାଦୀ ପାର୍ଟି (ଏସପି) ର ଆସନ ବୃଦ୍ଧି ପାଇଛି ଏବଂ ତେଣୁ ସେମାନେ ଏକ ଭଲ ବିରୋଧୀ ବୋଲି ପ୍ରମାଣିତ ହେବେ।”

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ସଙ୍କଟ ସମ୍ପର୍କରେ ଭାରତର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା, ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣର ଆଜି ହେଉଛି ୧୮ ତମ ଦିନ। ବିନାଶ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଋଷର ସେନା ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବର୍ତ୍ତମାନର ବିଶ୍ଵସ୍ତରୀୟ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ଏହି ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସଭାରେ ଭାଗ ନେଇଛନ୍ତି।

ଏହାପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯୁଦ୍ଧରେ ଫସି ରହିଥିବା ପଡ଼ୋଶୀ ତଥା ବିକାଶଶୀଳ ଦେଶବାସୀଙ୍କୁ ଭାରତ ସାହାଯ୍ୟ କରିବ। ଚାଲିଥିବା ରୁଷୋ-ୟୁକ୍ରେନ ଯୁଦ୍ଧ ହେତୁ ଭାରତର ନାଗରିକମାନେ ସେଠାରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ‘ଅପରେସନ୍ ଗଙ୍ଗା ଅଭିଆନ୍’ ଆରମ୍ଭ କରିଥିଲା। ‘ଅପରେସନ୍ ଗଙ୍ଗା’ ମିଶନ୍ ଅଧୀନରେ ଭାରତ ପ୍ରାୟ ୧୯ ହଜାର ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିଛି।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ପାକିସ୍ତାନୀ ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣର ୧୪ ତମ ଦିନ। ୧୪ ଦିନ ପରେ ମଧ୍ୟ ୟୁକ୍ରେନ ଉପରେ ଋଷର ଆକ୍ରମଣ କମିନାହିଁ। ରାଜଧାନୀ କିବ୍ ସମେତ ଅନେକ ସହରରେ ବର୍ତ୍ତମାନ ବିନାଶ ଦୃଶ୍ୟମାନ ହେଉଛି। ଏଥି ସହିତ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ନିଜ ଲୋକଙ୍କୁ ସେଠାରୁ ସୁରକ୍ଷିତ ଆଣିବାକୁ ଚେଷ୍ଟା କରୁଛନ୍ତି।

ଅପରେସନ ଗଙ୍ଗା ଅଧୀନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାର ୟୁକ୍ରେନରୁ ସ୍ଵଦେଶ ଫେରାଇ ଆଣିଛନ୍ତି। ଏଥି ସହିତ, ବର୍ତ୍ତମାନ ଜଣେ ପାକିସ୍ତାନୀ ମହିଳା ୟୁକ୍ରେନରୁ ନିରାପଦ ଉଦ୍ଧାର କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହିଳା ଜଣକ କହିଛନ୍ତି, ଆମକୁ ନିରାପଦରେ ବାହାରକୁ ନେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ମହିଳାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜକୁ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ସେ ଭିଡିଓରେ କହିଛନ୍ତି ମୋର ନାମ ଆସମା ସରିଫ। କିବରେ ଥିବା ଭାରତୀୟ ଦୂତାବାସ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଧନ୍ୟବାଦ ଦେଉଛି। କେୟାରନ ସେ ଆମକୁ ନିରାପଦରେ ସେଠାରୁ ବାହାରକୁ ଆଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଫସି ରହିଥିଲେ ଏବଂ ଭାରତୀୟ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ତାଙ୍କୁ ନିରାପଦରେ ସେଠାରୁ ବାହାର କରିଦେଇଥିଲେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଧନ୍ୟବାଦ। ସୂଚନାନୁସାରେ, ଆସମାଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ସୂଚନାନୁସାରେ, ଆସମା ଶୀଘ୍ର ତାଙ୍କ ଘରେ ପହଞ୍ଚିବେ।

ୟୁକ୍ରେନର ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଅପରେସନ୍ ଗଙ୍ଗା ଅଭିଯାନ ଆରମ୍ଭ କରିଛି। ଯାହା ଅଧୀନରେ ଏପର୍ଯ୍ୟନ୍ତ ୧୮ହଜାରରୁ ଅଧିକ ଭାରତୀୟଙ୍କୁ ନିଜ ଦେଶକୁ ଅଣାଯାଇଛି। ଗତକାଲି ରୋମାନିଆରୁ ଦୁଇଟି ବିମାନ ମାଧ୍ୟମରେ ୪୧୦ ଭାରତୀୟଙ୍କୁ ସରକାର ଫେରାଇ ଆଣିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇ କହିଛି ଯେ, ଅପରେସନ୍ ଗଙ୍ଗା ଅଧୀନରେ ୧୫ ହଜାର ୫୨୧ ଭାରତୀୟଙ୍କୁ ୭୫ ଟି ସ୍ୱତନ୍ତ୍ର ବେସାମରିକ ବିମାନ ଦ୍ୱାରା ସ୍ଵଦେଶ ଅଣାଯାଇଥିବାବେଳେ ୨ ହଜାର ୪୬୭ ଜଣଙ୍କୁ ଭାରତୀୟ ବାୟୁସେନାର ୧୨ ଟି ବିମାନ ଦ୍ୱାରା ସ୍ଵଦେଶ ଅଣାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପଡୋଶୀ ଦେଶ ୟୁକ୍ରେନକୁ ୩୨ ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି।

Categories
ବିଶେଷ ଖବର

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହିସବୁ ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାରତୀୟ ସରକାରୀ ସୂତ୍ର ଅନୁଯାୟୀ ଏହି ଫୋନ୍ କଲ୍ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ନାଗରିକଙ୍କୁ ସୁମିରୁ ବାହାର କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସରକାରଙ୍କ ନିରନ୍ତର ସମର୍ଥନ ଲୋଡିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଏବଂ ୟୁକ୍ରେନରୁ ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ।

ପିଏମଓ ଅନୁଯାୟୀ, ଉଭୟ ନେତା ୟୁକ୍ରେନର ସ୍ଥିତିର ସମୀକ୍ଷା କରିଥିଲେ, ବିଶେଷ କରି ଖାରକିଭରେ ଯେଉଁଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଅଟକି ରହିଛନ୍ତି। ସେହି ବିପଦଗ୍ରସ୍ତ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହିତ କଥା ହୋଇଛନ୍ତି।

ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନରେ ବର୍ତ୍ତମାନର ସଂକଟପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ। ହିଂସାର ତୁରନ୍ତ ପରିସମାପ୍ତି କରିବା ସହିତ ଆଲୋଚନା ମାର୍ଗକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ନିବେଦନକୁ ପୁଣିଥରେ ଦୋହରାଇଥିଲେ। ସେ କହିଥିଲେ ଯେ ଶାନ୍ତି ପ୍ରକ୍ରିୟାରେ ଭାରତ ଯେକୌଣସି ପ୍ରକାର ହସ୍ତକ୍ଷେପ କରିବା ଲାଗି ପ୍ରସ୍ତୁତ ରହିଛି।

ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ଚିନ୍ତା ବ୍ୟକ୍ତ କରିଥିଲେ। ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଏବଂ ନିରାପଦ ଭାବେ ଉଦ୍ଧାର କରିବା ଲାଗି ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ସେ ସହଯୋଗ ଲୋଡ଼ିଥିଲେ।