୨୦୨୪ ନିର୍ବାଚନରେ ‘ଏନଡିଏ’ ଓ ‘ଇଣ୍ଡିଆ’ର ଖେଳକୁ ଏହି ୯ଟି ଦଳ ଖରାପ କରିବେ

Published: Jul 20, 2023, 7:20 am IST

ଭୁବନେଶ୍ବର: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ରଣକୌଶଳ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୮ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୩୯ଟି ଦଳ ଯୋଗ ଦେଇଥିଲେ। ସେହିପରି ଦିଲ୍ଲୀ କ୍ଷମତା ହାସଲ ପାଇଁ ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକ ବୈଠକ ବସିଥିଲା।

ଏହି ବୈଠକରେ ବିରୋଧୀ ଦଳଗୁଡ଼ିକର ନୂଆ ମେଣ୍ଟର ନାମ ଚୂଡ଼ାନ୍ତ କରାଯାଇ ଏହାର ନାମ ଆଇ.ଏନ.ଡି.ଆଇ.ଏ (ଇଣ୍ଡିଆ) ରଖାଯାଇଛି। ୟୁପିଏ ବଦଳରେ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଆଲାଏନ୍ସ (ଇଣ୍ଡିଆ) ନାମକ ଏକ ନୂଆ ମେଣ୍ଟ ଗଠନ କରାଯାଇଥିଲା, ଯାହା ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟକ୍କର ଦେବ। ଏବେ ମୁଖ୍ୟ ମୁକାବିଲା ଏନଡିଏ ବନାମ ଇଣ୍ଡିଆ ହେବ ବୋଲି ସ୍ଥିର ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ନିର୍ବାଚନ ଲଢ଼ିବାକୁ ଯାଉଥିବା ସମସ୍ତ ଦଳ ଏହି ଦୁଇ ଶିବିରରେ ବିଭାଜିତ ହୋଇଛନ୍ତି କି ? ଏହା ନୁହେଁ ଯେ ୨୦୨୪ର ଲଢ଼େଇରେ ଏବେବି ଅନେକ ଦଳ ଅଛନ୍ତି ଯେଉଁମାନେ ଏହି ଦୁଇ ମେଣ୍ଟରେ ଅନ୍ତର୍ଭୁକ୍ତ ନୁହଁନ୍ତି। ସେମାନଙ୍କ ଶକ୍ତି ମଧ୍ୟ କମ ନୁହେଁ। ଏଭଳି ସ୍ଥିତିରେ ସେମାନେ ମଧ୍ୟ ୨୦୨୪ର ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।

ଉପରୋକ୍ତ ଦୁଇ ମେଣ୍ଟରେ ସାମିଲ ହୋଇନଥିବା ୯ରୁ ଅଧିକ ଦଳ ଅଛନ୍ତି, ଯେଉଁମାନଙ୍କ ଶକ୍ତିକୁ ଅଣଦେଖା କରି ହେବ ନାହିଁ। ଯଦି ଆମେ ୨୦୧୯ ଲୋକସଭା ବିଜୟ ସଂଖ୍ୟାକୁ ଦେଖୁ, ତେବେ ସେମାନଙ୍କ ସାଂସଦ ସଂଖ୍ୟା ହେଉଛି ୬୨। ୬୨ ଜଣ ସାଂସଦ କିଛି କମ ନୁହନ୍ତି। ଏନଡିଏ ଏବଂ ଇଣ୍ଡିଆରେ ଅନେକ ଦଳ ଅଛନ୍ତି ଯେଉଁମାନଙ୍କର ଲୋକସଭାରେ ଗୋଟିଏ ବି ଆସନ ନାହିଁ । ଅଧିକାଂଶ କ୍ଷୁଦ୍ର ଦଳ ଏଥର ଏନଡିଏରେ ସାମିଲ ହୋଇଛନ୍ତି। ଏନଡିଏର ୩୯ଟି ଦଳ ମଧ୍ୟରୁ ୨୫ଟି ଦଳର ଲୋକସଭାରେ ଜଣେ ବି ସାଂସଦ ନାହାନ୍ତି। ଅପରପକ୍ଷରେ ବିରୋଧୀ ମେଣ୍ଟର ଇଣ୍ଡିଆ ରହିଛି ଯେଉଁଥିରେ ଦଳଗୁଡ଼ିକ ଅନେକ ବଡ଼ କିନ୍ତୁ ୨୬ଟି ଦଳ ମଧ୍ୟରୁ ୧୦ଟିର କୌଣସି ସାଂସଦ ନାହାନ୍ତି। ଏଭଳି ସ୍ଥିତିରେ ଯେଉଁ ଦଳର ଲୋକସଭା ସଦସ୍ୟ ଅଛନ୍ତି, ସେହି ଦଳଗୁଡ଼ିକ ଉପରେ ଆଲୋଚନା କରିବା ଜରୁରୀ।

ଉଭୟ ମେଣ୍ଟରୁ ସମଦୂରତା ବଜାୟ ରଖିଥିବା ମାୟାବତୀ, କେ ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ଜଗନମୋହନ ରେଡ୍ଡୀ, ପ୍ରକାଶ ସିଂହ ବାଦଲ, ଦେବେଗୌଡ଼ା, ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ବରିଷ୍ଠ ନେତାଙ୍କ ଦଳ ସାମିଲ ଅଛନ୍ତି।

ଏନଡିଏ ଏବଂ ଆଇଏନଡିଆଇଏଠାରୁ ନିଜକୁ ଦୂରେଇ ରଖିଥିବା ଦଳଗୁଡ଼ିକ ହେଲା:

ଏହି ଦଳଗୁଡଡ଼ିକର ୨୦୧୯ରେ ଲୋକସଭା ଆସନ ସଂଖ୍ୟା ହେଲା, ବହୁଜନ ସମାଜ ପାର୍ଟି (ବିଏସପି)-୧୦, ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍)-୧, ବିଜୁ ଜନତା ଦଳ (ବିଜେଡି)-୧୨, ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ)-୯, ୱାଇଏସଆର କଂଗ୍ରେସ (ୱାଇଏସଆରସିପି)-୨୨, ତେଲୁଗୁ ଦେଶମ ପାର୍ଟି (ଟିଡିପି)-୩, ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)-୨, ଶିରୋମଣି ଅକାଳୀ ଦଳ (ଏସଏଡି)-୨, ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍)-୧।

ଏହି ଦଳଗୁଡ଼ିକର ମୋଟ ୬୨ ଜଣ ସାଂସଦ ଅଛନ୍ତି, ଯାହା କି ମୋଟ ସାଂସଦଙ୍କ ୧୧ ପ୍ରତିଶତରୁ ଅଧିକ। ୨୦୧୯ରେ ଏହି ଦଳଗୁଡ଼ିକ ମିଳିତଭାବେ ୧୦.୭୧%ରୁ ଅଧିକ ଭୋଟ ପାଇଥିଲେ। ଏଭଳି ପରିସ୍ଥିତିରେ ଏହି ଦଳଗୁଡ଼ିକର ଗୁରୁତ୍ୱ କିଛି କମ ନୁହେଁ। ଅନେକ ରାଜ୍ୟରେ ଏନଡିଏ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ସିଧାସଳଖ ଲଢ଼େଇ ହେବ ନାହିଁ। ଅନେକ ରାଜ୍ୟରେ ଉପର୍ରକ୍ତ ଦଳଗୁଡ଼ିକର ସରକାର ରହିଛି। ଏଭଳି ସ୍ଥିତିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ବେଶ୍ ରୋଚକ ହେବାକୁ ଯାଉଛି।

Related posts