Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକତା ଓ ଗଣଯୋଗାଯୋଗର ପ୍ରଫେସର ସୁନୀଲ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲ କାନ୍ତ ବେହେରାଙ୍କ ଆଜି ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲା।

ଏହି ଦୁଃଖଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିଥିଲେ।

ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ 2015 ମସିହାରେ ଅବସର ଗ୍ରହଣ କରିଥିଲେ ଓ ଆସାମ୍‌ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡ଼ିନ୍‌ ଭାବରେ ଯୋଗ ଦେଇଥିଲେ। ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ।

ଦୁଇମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡ଼ାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗକୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବାଙ୍ଗାଲୋରଠାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ୍‌ର ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।