Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା: ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଉନ୍ନୟନ କମିଶନର-ତଥା-ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁବାର ରାଜୀବ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା କରିଥିଲେ। ନାବାର୍ଡର ଜେନେରାଲ ମ୍ୟାନେଜରଙ୍କ ସମେତ କୃଷି ଓ କୃଷି ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଓଆଇଆଇପିସିଆରଏର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ଗଞ୍ଜାମ ଓ ମୟୂରଭଞ୍ଜ, ସହଯୋଗୀ ସଂଗଠନ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ଥିଲେ।

ସମୀକ୍ଷା ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରମୁଖ କ୍ଷେତ୍ରରେ ସଫଳତା, ଆହ୍ୱାନ ଏବଂ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରାଯାଇଥିଲା। ଉତ୍ତମ ଅଭ୍ୟାସ ତଥା ସଫଳ କାହାଣୀଗୁଡ଼ିକର ପ୍ରାମାଣିକ ତଥ୍ୟ ରଖିବା ସହିତ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଦୃଢ ସମନ୍ୱୟ ଏବଂ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ଯାହାର ଉଦ୍ଦେଶ୍ୟ ହେଉଛି କୃଷି ଉତ୍ପାଦନର ବ୍ୟାପକତା ଓ ଫସଲ ବିବିଧିକରଣ, ଜଳସେଚନର ଉପଲବ୍ଧତା ଏବଂ ଜଳ ଉପଯୋଗିତାରେ ଉନ୍ନତି, ସଂସ୍ଥାଗତ ଦକ୍ଷତା ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ଆଦି ୪ ଟି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦେଇ କୃଷି ଉତ୍ପାଦନକୁ ତ୍ୱରାନ୍ୱିତ ଓ ବିବିଧିକରଣ ଏବଂ ଜଳବାୟୁ ସହନଶୀଳତା ବୃଦ୍ଧି କରିବା। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପୋଖରୀ ବା ଜଳାଶୟଗୁଡିକର ଉପଲବ୍ଧତା ଏବଂ ଜଳସେଚନରେ ଉନ୍ନତି ଆଣିବା ସହିତ ଜଳସେଚନ ସେବାର ଗୁଣବତ୍ତା ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ଉପକୃତ କରିବା ପାଇଁ ଏହି ପ୍ରକଳ୍ପ ଜଳ, କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଚାଷ କ୍ଷେତ୍ରର ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ଗ୍ରହଣ କରୁଛି ଯଦ୍ଦ୍ୱାରା ହାରାହାରି ଅମଳ, ବଜାରଯୋଗ୍ୟ ଉତ୍ପାଦନ, ବିବିଧ ଆୟ ଓ ଜଳବାୟୁ ସ୍ଥିରତା ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକାରୀ କରାଯାଉଛି।

ସେହିଭଳି “ସବୁଜ ଜଳବାୟୁ ପାଣ୍ଠି” ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ନଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଢାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳସେଚନ ପାଇଁ ସୌର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି। ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ଅନୁକୂଳନ, ଗୋଷ୍ଠୀ ପୋଖରୀର ନବୀକରଣ, ଜଳସେଚନ ପାଇଁ ସୌର ପମ୍ପର ଏକୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଇତ୍ୟାଦି ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ।

ଉଭୟ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରମୁଖ ବିଭାଗକୁ ପ୍ରକଳ୍ପ ଉଦ୍ଦେଶ୍ୟ ସାକାର କରିବା ଏବଂ ସଂପୃକ୍ତ ଗୋଷ୍ଠୀ ସମୁଦାୟଙ୍କ ଲାଭକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱୟକୁ ସୁଦୃଢ କରି କାର୍ଯ୍ୟ କରିବାକୁ କହିଥିଲେ। ପ୍ରକଳ୍ପଗୁଡ଼ିକର ସମସ୍ତ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନ, ଜଳବାୟୁ ସ୍ମାର୍ଟ ଭିଲେଜ୍ ନିର୍ମାଣ ଏବଂ ପ୍ରଭାବଶାଳୀ ତଦାରଖ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

“ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର” ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ବ୍ୟକ୍ତିଗତ କିମ୍ବା ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ହେବ। ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକ/ ବୈଷୟିକ ଜ୍ଞାନକୌଶଳ/ଉଦ୍ଭାବକ କିମ୍ବା କୌଣସି ସଂସ୍ଥା ବାହାରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି, ଯେଉଁମାନେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କିମ୍ବା ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କ୍ଷେତ୍ରରେ ଗବେଷଣା କିମ୍ବା ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଦେଇ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ନିମ୍ନଲିଖିତ ଚାରିଟି ବର୍ଗରେ ପ୍ରଦାନ କରାଯିବ:-

୧- ବିଜ୍ଞାନ ରତ୍ନ (ଭିଆର) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ଏବଂ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବ।

୨- ବିଜ୍ଞାନ ଶ୍ରୀ (ଭିଏସ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

୩- ବିଜ୍ଞାନ ଯୁବଶାନ୍ତି ସ୍ୱରୂପ ଭଟ୍ଟନାଗର (ଭିୱାଇଏସଏସବି) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବ।

୪- ବିଜ୍ଞାନ ଟିମ୍ (ଭିଟି)  ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଏକ ଦଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନି କିମ୍ବା ଅଧିକ ବୈଜ୍ଞାନିକ/ଗବେଷକ/ଉଦ୍ଭାବକଙ୍କୁ ନେଇ ଗଠିତ ଏକ ଟିମକୁ ପ୍ରଦାନ କରାଯିବ।

ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ବିଜ୍ଞାନର ଯେ କୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଏବଂ ଉଦ୍ଭାବକମାନେ ଯେଉଁମାନେ ବିଜ୍ଞାନର କୌଣସି କ୍ଷେତ୍ରରେ ଗବେଷଣା, ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କିମ୍ବା ଆବିଷ୍କାର କିମ୍ବା ଉଲ୍ଲେଖନୀୟ ସାମାଜିକ ପ୍ରଭାବ ଥିବା ଅଭିନବ ଜ୍ଞାନକୌଶଳ/ଉତ୍ପାଦର ବିକାଶରେ ଯୋଗଦାନ କରିଛନ୍ତି କିମ୍ବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେବେ।

ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବକମାନେ ମଧ୍ୟ ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ପାଇଁ ଯୋଗ୍ୟ ବିବେଚିତ ହେବେ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ, ଭୂ ବିଜ୍ଞାନ, ମେଡିସିନ୍, ଇଞ୍ଜିନିୟରିଂ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ୧୩ଟି କ୍ଷେତ୍ରରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରାଯିବ। ଲିଙ୍ଗଗତ ସମାନତା ସମେତ ପ୍ରତ୍ୟେକ ଡୋମେନ୍ /କ୍ଷେତ୍ରରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଁ ମିଳିଥିବା ସମସ୍ତ ନାମାଙ୍କନକୁ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମଶୋଦାତା (ପିଏସଏ)ଙ୍କ ଅଧ୍ୟକ୍ଷତାରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର କମିଟି (ଆରଭିପିସି) ନିକଟରେ ଉପସ୍ଥାପିତ କରାଯିବ, ଯେଉଁଥିରେ ବିଜ୍ଞାନ ବିଭାଗର ସଚିବ, ବିଜ୍ଞାନ ଓ ଇଞ୍ଜିନିୟରିଂ ଏକାଡେମିର ସଦସ୍ୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବୈଜ୍ଞାନିକ ଓ ବୈଷୟିକ ବିଜ୍ଞାନୀ ରହିବେ।

ପ୍ରତିବର୍ଷ ଜାନୁଆରି ୧୪ ରେ ଏହି ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ କରାଯିବ, ଯାହା ପ୍ରତିବର୍ଷ ଫେବ୍ରୁଆରି ୨୮ (ଜାତୀୟ ବିଜ୍ଞାନ ଦିବସ) ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିବର୍ଷ ମଇ୧୧(ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ)ରେ ଏହି ପୁରସ୍କାର ଘୋଷଣା କରାଯିବ। ଅଗଷ୍ଟ ୨୩ (ଜାତୀୟ ମହାକାଶ ଦିବସ)ରେ ସମସ୍ତ ବର୍ଗର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ସମସ୍ତ ପୁରସ୍କାରରେ ଗୋଟିଏ ମାନପତ୍ର ଓ ପଦକ ରହିବ।

ଏହି ନୂତନ ଜାତୀୟ ପୁରସ୍କାର ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ସ୍ତରରେ ବୈଜ୍ଞାନିକ ସମୁଦାୟର ସଫଳତାକୁ ସ୍ୱୀକୃତି ଦେବା ଦିଗରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସମଗ୍ର ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହିତ, ବୈଜ୍ଞାନିକ ଉଦ୍ଭାବକ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମସ୍ତ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଅନ୍ୟ ଜାତୀୟ ପୁରସ୍କାର ସହିତ ସମାନ ମାନ୍ୟତା ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନ, ଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। “ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଉଦ୍ ଘାଟନ କରିଥିଲେ।

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଯୌନ ଉତ୍ପୀଡନ ମାମଲା ଗୁଡ଼ିକ ଅତ୍ୟନ୍ତ ସମ୍ବଦନଶୀଳ। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ ନିର୍ଭୁଲ ଏବଂ ନିରପେକ୍ଷ ହେବା ଉଚିତ୍। ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି DGP ଶ୍ରୀ ବଂସଲ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାଗୁଡ଼ିକର ସମାଧାନ ପାଇଁ ଏହି ତାଲିମ୍ ପୋଲିସ ଥାନାରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ଅପରାଧ ତଦନ୍ତରେ ସହାୟତା କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ରେ ୧୫୦ ଥାନାର ଆଇଆଇସି ଏବଂ ଏସଡିପିଓ ରାଙ୍କର ଅଧିକାରୀମାନେ ଯୋଗ ଦେବେ। ପ୍ରତିଦିନ ୫୦ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେବେ।

ଏହି କର୍ମଶାଳାରେ କେଶବ କୁମାର, ଅବସରପ୍ରାପ୍ତ ପୂର୍ବତନ ଡିଜିପି ଗୁଜରାଟ ଏବଂ ହେମନ୍ଥ୍ ସାଇ ରେଡ୍ଡୀ, ସିନିୟର୍ ଭିଜିଲାନ୍ସ ମ୍ୟାନେଜର ରିସୋର୍ସ ପର୍ସନ୍ସ ଭାବେ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଫୋରେନସିକ୍ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ତାଲିମ୍ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସଫିନ୍ ଅହମଦ୍ କେ, ଆଇପିଏସ୍, ଆଇ.ଜି.ପି, କ୍ରାଇମବ୍ରାଞ୍ଚ ପୈରାହିତ୍ୟ କରିଥିଲେ। ଆର. କେ. ମିଶ୍ର, ଏସ୍ ପି, କ୍ରାଇମବ୍ରାଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ମାନ୍ନା ବିଶ୍ୱାସ, ( ସଦସ୍ୟ, ୟୁନିସେଫ୍, ଓଡିଶା) ପ୍ରମୁଖ ଉପସ୍ଥିତ ରହି ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। CAW & CW ର DSP ଇମାନ କଲ୍ୟାଣ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଜରୁରୀ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରଯୁକ୍ତି ବିଦ୍ୟାରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଶିଳ୍ପ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ଜ୍ଞାନର ଆଦାନପ୍ରଦାନର ଆବଶ୍ୟକତା ରହିଛି ବୋଲି ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚ୍ୟୁଟ୍ ଇଂଟରଆକସନ୍ କନ୍‌କ୍ଲେଭ୍‌ରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହେଉଥିବା ଗବେଷଣା ଶିଳ୍ପର ଆବଶ୍ୟକତାକୁ ଆଖିରେ ରଖିବା ଆବଶ୍ୟକ। ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ସେମାନଙ୍କର ବାସ୍ତବ କ୍ଷେତ୍ରର ଅଭିଜ୍ଞତାକୁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ରଖିବା ଦରକାର ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଜେନେରାଲ୍ ମ୍ୟାନେଜର ଡକ୍ଟର ମଳୟ କୁମାର ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପ୍ରଧାନ କହିଥିଲେ ଯେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟମିତ ଭାବେ ଶିଳ୍ପଗୁଡ଼ିକୁ ଯାଇ ସେଠିକାର ବାସ୍ତବ ଜ୍ଞାନ ଆହରଣ କରିବା ଜରୁରୀ। ସେହିପରି ଗବେଷକମାନେ ଶିଳ୍ପରେ କାର୍ଯ୍ୟ କରୁଥିବା ବୈଷୟିକ କାର୍ଯ୍ୟକାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଅହରହ ଘଟୁଥିବା ବିଭିନ୍ନ ପରିବର୍ତନ ଓ ଉନ୍ନତି ବିଷୟରେ ଜଣାଇବା ଆବଶ୍ୟକ। ଏହା ସଂଗେ ସଂଗେ ଗବେଷଣା ନିମନ୍ତେ ଶିଳ୍ପଗୁଡ଼ିକ ବଛାବଛା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆର୍ଥିକ ସହାୟତା ଯୋଗାଇବା ଦରକାର ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷ, ଶିକ୍ଷାବିତ୍ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଯୋଗ ଦେଇଥିଲେ।

ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୂର୍ବତନ କୁଳପତି ତଥା ବର୍ତ୍ତମାନର ମୁଖ୍ୟ ପରାମର୍ଶଦାତା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ରଞ୍ଜିତ୍ ସିଂ ଚୁଗ୍ ଏବଂ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମହାନ୍ତି କହିଥିଲେ ଯେ, ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଉଭୟଙ୍କ ନିମନ୍ତେ ଲାଭଦାୟକ ହୋଇଥିବା ବେଳେ ସାମାଜିକ ପରିବର୍ତନ ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ପ୍ରଫେସର ମହାପାତ୍ର ପାଠ୍ୟକ୍ରମରେ ପରିବର୍ତନ କରାଯିବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଶିଳ୍ପାନୁଷ୍ଠାନରେ ଇନ୍‌ଟର୍ଣ୍ଣସିପ୍ କରିବା ଆବଶ୍ୟକ ବୋଲି କହିଥିଲେ।

ଶିଳ୍ପାନୁଷ୍ଠାନକୁ ପ୍ରଶିକ୍ଷିତ ମାନବସମ୍ବଳ ଯୋଗାଇବା ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାଥମିକ ଦାୟିତ୍ୱ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ। ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିଳ୍ପାନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପାଇପାରି ନଥିବା ପ୍ରଶିକ୍ଷଣ କିଭଳି ଶିଳ୍ପାନୁଷ୍ଠାନରେ ପାଇପାରିବେ ସେ ଦାୟିତ୍ୱ ଶିଳ୍ପ ନେବା ଉଚିତ୍ ବୋଲି ସେ କହିଥିଲେ। ଶ୍ରୀ ଚୁଗ୍ ଅନ୍ୟ ବକ୍ତାମାନଙ୍କର ବକ୍ତବ୍ୟରେ ସହମତି ପ୍ରଦାନ କରିବା ସହ ଭବିଷ୍ୟତ ପୀଢ଼ିଙ୍କୁ ଗଢ଼ି ତୋଳିବା ଉଭୟ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ଦାୟିତ୍ୱ ବୋଲି କହିଥିଲେ।

ମେକାନିକାଲ୍ ବିଭାଗର ମୁଖ୍ୟ ଡଃ ଡି.ଏନ୍ ଥାଟୋଇ କହିଥିଲେ ଯେ ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ପରସ୍ପର ନିଜ ମଧ୍ୟରେ ବୁଝାମଣା ରଖିବା ଜରୁରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ ଟେକ୍ନୋଲୋଜି ଓ ଇଞ୍ଜିନିୟରିଂ ପ୍ରକ୍ରିୟାଗୁଡ଼ିକ ସହ ଜଡିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ଆଣ୍ଡ ମାନୁଫ୍ୟାକ୍‌ଚରିଂ, ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରୀ ଏବଂ ସେଫ୍ଟି ଆଣ୍ଡ ବଏଲର୍ ଡିଭିଜନ୍ ସହ ଜଡିତ ରାଜ୍ୟର ୫୦ଟି ଶିଳ୍ପାନୁଷ୍ଠାନ ସାମିଲ୍ ହୋଇଥିଲେ ବୋଲି ସମ୍ମିଳନୀର ଆବାହକ ଡଃ ଏସ.ଏସ୍ ମହାପାତ୍ର ସୂଚନା ଦେଇଥିଲେ।