Categories
ଆଞ୍ଚଳିକ

ବାଣପୁରରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଲିଜେଣ୍ଡ ଇଲେଭେନ,ବାଲୁଗାଁ ବିଜୟୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୫ ତମ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଲିଜେଣ୍ଡ ଇଲେଭେନ (ବାଲୁଗାଁ) ଓ ନିୟୁ ଷ୍ଟାର କ୍ଲବ (ବାଣପୁର)ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଲିଜେଣ୍ଡ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲିଜେଣ୍ଡ ଟିମ ନିର୍ଦ୍ଧାରିତ ୧୭ ଓଭରରେ ୧୭୮ ରନ ସଂଗ୍ରହ କରିଥିବା ବେଳେ ନିୟୁ ଷ୍ଟାର କ୍ଲବ ୧୧.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୪ ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଲିଜେଣ୍ଡ ଟିମ ୧୦୪ ରନର ବଡ ବ୍ୟବଧାନରେ ଏହି ମ୍ୟାଚଟିକୁ ଜିତି ନେଇଛି।

ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚୟାତର ସରପଞ୍ଚ ଦୀପକ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ କମିଟିର ସଭାପତି ବିଭୁତି ଭୂଷଣ ପରିଡା ଏବଂ ଉପସଭାପତି ହଜାରୀ ଦାଶ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଟି ସନ ସାଇନ କ୍ରିକେଟ କ୍ଲବ ଏବଂ ଓଡଗାଁ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି। ମୋଟ ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଏହାର ପରିଚାଳନା ଦାୟିତ୍ବରେ ମ୍ୟାନେଜର ସନ୍ତୋଷ ପ୍ରଧାନ, ସଭାପତି ପୂର୍ଣ୍ଣଚନ୍ଦ୍ର ପରିଡା ଏବଂ ଉପସଭାପତି ପ୍ରିୟବ୍ରତ ପ୍ରଧାନ ଅଛନ୍ତି। ଆଜିର ମ୍ୟାଚଟିକୁ ରଞ୍ଜିତ କୁମାର ପରିଡ଼ା ଏବଂ ପ୍ରଦୀପ କୁମାର ପ୍ରଧାନ ପରିଚାଳିତ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ଦୀର୍ଘ ୨୫ ବର୍ଷ ଧରି ସନ ସାଇନ ଗ୍ରାଉଣ୍ଡରେ ଆୟୋଜିତ ହେଉଅଛି। ଏହି ଟୁର୍ଣ୍ଣାମେଣ୍ଟଟି ବାଣପୁର ଅଞ୍ଚଳର ଏକ ବଡ ଟୁର୍ଣ୍ଣାମେଣ୍ଟ ଭାବେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଦର୍ଶକ ଦୂର ଦୁରାନ୍ତରୁ ଖେଳ ଦେଖିବା ପାଇଁ ଆସିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଖ୍ୟାତିସମ୍ପର୍ଣ୍ଣ ଖେଳାଳିମାନେ ଭାଗ ନେଉଥିବାରୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଆୟୋଜକ ଦଳ ପକ୍ଷରୁ ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କାର ପୁରଷ୍କୃତ ରାଶି ଏବଂ ଉପବିଜେତା ଦଳକୁ  ଟ୍ରଫି ସହ ୨୦ ହଜାର ଟଙ୍କାର ପୁରଷ୍କୃତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି।