Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯୟ ପାଇଁ ପ୍ରସ୍ତୁତି,ଖୋଲିଲା ନିୟନ୍ତ୍ରଣ କକ୍ଷ, ଜାରୀ ହେଲା ଟୋଲଫ୍ରି ନମ୍ବର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ସାଫଲ୍ୟ ମଣ୍ଡିତ ପ୍ରଧାନ ବୈଠକରେ ସ୍ୱାଗତ ଭାଷଣ ରଖିବା ସହ ବୈଠକ ପରିଚାଳନା ମଧ୍ୟ କରିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ପୂର୍ବ ଏଜେଣ୍ଡା ଅନୁସାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରଥମେ ବନ୍ୟା ବାତ୍ୟାର ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ମେ ମାସ ପ୍ରଥମ ଦିବସ ଠାରୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ସ୍ଥିର କରାଇଥିବାର ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ ନମ୍ବର ୦୬୭୫୫ ୨୨୦୦୦୨ ଏବଂ ଜରୁରୀ କାଳୀନ ଉପ -ବିଭାଗର ଟୋଲ ଫ୍ରି ନମ୍ବର ୧୦୭୭ ଙ୍କୁ ଜରୁରୀ କାଳୀନ ବାର୍ତ୍ତା ପ୍ରଦାନ କରାଯାଇପାରିବ ବୋଲି ତଥ୍ୟ ପ୍ରଦାନ କରାଯାଇଥିଲା।

ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ନିର୍ଦ୍ଦିଷ୍ଟ ସମୟରେ ବୃଷ୍ଟିପାତ ବିବରଣୀ ପ୍ରେରଣ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ସେହିପରି ବିଧାୟକ ମାନେ ରାଜୁଆ ଏବଂ ଶାଳିଆ ନଦୀ ବନ୍ଧ ବିଷୟରେ ବିଭିନ୍ନ ଯନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ। ପୋତି ହୋଇ ଯାଇଥିବା ଡ୍ରେନେଜ ଗୁଡିକର ଖୋଳେଇ କରି ପରିଷ୍କାର କରାଯିବାକୁ ଗୁରୁତ୍ୱ ଦିଆଯାଇ ଥିଲା। ଚେକ ଡ୍ୟାମ ଗୁଡିକର ମରାମତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧ ର ଯୁଗ୍ମ ତଦନ୍ତ ଓ ଜଳସେଚନ ବିଭାଗର ଅଧିକାରୀମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ନେଇଥିବା ଆଗୁଆ ପଦକ୍ଷେପ ତଥା ଏଥି ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନର ଆକଳନ କରାଯାଇଥିଲା। ବନ୍ୟା ଓ ବାତ୍ୟା ପ୍ରବଣ ଅଂଚଳରେ ୩୮୦ ଟି ଆଶ୍ରୟ ସ୍ଥଳ ଏବଂ ୫୦ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଥିବା ଏବଂ ଆଶ୍ରୟ ସ୍ଥଳୀ ଗୁଡିକୁ ଦିଆ ଯାଇଥିବା ଉପକରଣ ଗୁଡିକ ଯଥା ଆସ୍କାଲାଇଟ, ଚେନ ସ୍ୱ ଗୁଡିକ ନିକଟସ୍ଥ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର, ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଏବଂ ରନ୍ଧା ଖାଦ୍ୟ ଓ ପିଇବା ପାଣି ର ବ୍ୟବସ୍ଥା ପାଇଁ , ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହାଛଡା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ୮ଟି ପାୱାର ବୋଟ ମଧ୍ୟରୁ ୩ଟି ବାଲିପାଟଣା, ୨ଟି ବାଲିଅନ୍ତା, ୨ଟି ଖୋର୍ଦ୍ଧା ଏବଂ ୧ଟି ଜଟଣୀ ବ୍ଲକରେ କାର୍ଯ୍ୟକ୍ଷମ ଅବସ୍ଥାରେ ରଖାଯାଇଛି । ବନ୍ୟାଞ୍ଚଳରେ କୃଷି କାର୍ଯ୍ୟ ପାଇଁ ନିଆଯାଇଥିବା ଆଗୁ୍ଆ ପଦକ୍ଷେପ, ସ୍ୱାସ୍ଥ୍ୟ ବିଭାଗ, ପଶୁ ଚିକିତ୍ସା ବିଭାଗଙ୍କୁ ସତର୍କ ପଦକ୍ଷେପ, ରିଲିଫର ସୁପରିଚାଳନା ପାଇଁ ତାଲିମ ବ୍ୟବସ୍ଥା, ରିଲିଫ ଦଳଗଠନ, ସ୍ବେଛାସେବୀ ସଂଗଠନ ମାନଙ୍କର ଭୂମିକା, ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମକୁ ବିଡ଼ିଓମାନେ ଡିଜେଲ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଥିଲା ।

ଉକ୍ତ ବୈଠକରେ ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ , ଡ଼ିଏସଡବ୍ଲୁଓ, ଡିସିପିଓ ଵାଣିଶ୍ରୀ ପଟ୍ଟନାୟକ, ଏଆରଟିଓ ଅରବିନ୍ଦ ଚୌଧୁରୀ,ବିଡ଼ିଓ ଖିରାବ୍ଧି ତନୟା ସାହୁ, ଡ଼ିଆଇପିଆରଓ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ବିଭିନ୍ନ ବିଭାଗ ର ଅଧକାରୀ, କ୍ଷେତ୍ର ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ମମତା ସାହୁ ବୈଠକ ପରିଚାଳନାରେ ସାହାଯ୍ୟ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ବେଗୁନିଆରୁ କିଏ ହେବ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ନା ପ୍ରଦୀପ ସାହୁ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକିଥିଲେ ମଧ୍ୟ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତି ବେଶ୍ ଉଷୁମ ହେବାରେ ଲାଗିଛି। ତେବେ ଏହା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଟିକିଏ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ତିନୋଟି ହେଭି ୱେଟ ନେତା ବିଜେଡି ଟିକେଟ ପାଇବେ ବୋଲି ଅନାଇ ବସିଛନ୍ତି। ଯାହାକୁ ନେଇ ସେଠାକାର ବିଜେଡି କର୍ମିମାନେ କୈଣସି ସ୍ପଷ୍ଟ ଚିତ୍ର ପାଇପାରୁ ନାହାଁନ୍ତି।

ବେଗୁନିଆରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ରାଜେନ୍ଦ୍ର ସାହୁ। ସେ ଖୋର୍ଦ୍ଧାରେ ଦୁଇଥର ବିଧାୟକ ହେବା ପରେ ବିଜେଡି ତାଙ୍କୁ ଗତ ନିର୍ବାଚନରେ ବେଗୁନିଆ ଠେଲି ଦେଇଥିଲା। ତାଙ୍କର ଅନିଚ୍ଛା ସତ୍ବେ ସେ ସେଠାରେ ଲଢେଇ କଲେ ଆଉ ଜିତିଲେ ମଧ୍ୟ। ହେଲେ ଗତ କିଛି ମାସ ଧରି ସେ ଆଉ ବେଗୁନିଆରୁ ପ୍ରାର୍ଥୀ ନ ହୋଇ ଖୋର୍ଦ୍ଧାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏପରି ଚର୍ଚ୍ଚା ଦେଖି ରାଜେନ୍ଦ୍ର କୁଆଡେ କର୍ମିମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ବେଗୁନିଆରୁ ହିଁ ଛିଡା ହେବେ। ବେଗୁନିଆବାସୀ ତାଙ୍କୁ କୁଆଡେ ଭଲ ପାଇବା ଦେଇଛନ୍ତି, ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସେ ବେଶ କିଛି କାମ କରିଛନ୍ତି। ସେଥିପାଇଁ ସେ ବେଗୁନିଆ ଛାଡିବେ ନାହିଁ ବୋଲି ଏକ କର୍ମି ସମ୍ମିଳନୀରେ ରାଜେନ୍ଦ୍ର ଘୋଷଣା କରିଛନ୍ତି। ଏପରି ଘୋଷଣା ସତ୍ବେ କର୍ମିମାନଙ୍କ ମନରୁ କିନ୍ତୁ ସନ୍ଦେହ ଦୂର ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ବେଗୁନିଆ ଆସନ ଉପରେ ଆଖି ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେହି ଆସନଟି ହେଉଛି ତାଙ୍କର ପୁରୁଣା ଆସନ। ଚିଲିକାରେ ପ୍ରଶାନ୍ତଙ୍କ ଉପରେ ମରଣାତ୍ମକ ଆକ୍ରମଣ ଏବଂ ଗିରଫ ହେବା ସହ ଦଳରୁ ବହିସ୍କାର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଅନ୍ୟପକ୍ଷରେ କୋର୍ଟ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯିବାକୁ ବାରଣ କରି ଥିବାରୁ ସେ ବର୍ତ୍ତମାନ ସୁଦ୍ଧା କିଛି କରିପାରୁ ନାହାଁନ୍ତି। ଫଳରେ ତାଙ୍କ ପାଇଁ ବେଗୁନିଆ ଏକ ସୁରକ୍ଷିତ ଆସନ ବୋଲି ପ୍ରଶାନ୍ତ ଚିନ୍ତା କରିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଅନୁସାରେ ସେ କୁଆଡେ ଜୁନ ମାସରୁ ବେଗୁନିଆ ସଂଗଠନକୁ ସୁଦୃଢ କରିବେ ବୋଲି ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ବେଗୁନିଆର କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ସାହୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି। ସେ ମଧ୍ୟ ବେଗୁନିଆ ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ଫଳରେ ବେଗୁନିଆରୁ ରାଜେନ୍ଦ୍ର ନା ପ୍ରଶାନ୍ତ ନା ପ୍ରଦୀପ କିଏ ପ୍ରାର୍ଥୀ ହେବ ସେ ନେଇ କର୍ମିମାନେ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ଚିଲିକା ବିଧାନସଭା ଆସନକୁ ନେଇ ବର୍ତ୍ତମାନ ବିଜେଡି କର୍ମିମାନେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି। ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବାରୁ ସେଠାରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡି ନାହିଁ। ସେହିପରି ଚିଲିକାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ରାଜେନ୍ଦ୍ର ସାହୁଙ୍କ ବେଗୁନିଆରେ ମନ ଲାଗୁ ନ ଥିବାରୁ ସେ ଖୋର୍ଦ୍ଧା ଆସିପାରନ୍ତି ବୋଲି କୁହାଯାଉଛି। ଫଳରେ ଖୋର୍ଦ୍ଧା ଜିଲ୍ଲାର ଏହି ତିନୋଟି ଆସନ କେବଳ ଆଶାୟୀଙ୍କ ପାଇଁ ନୁହେଁ ଖୋଦ ବିଜେଡି ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବିରୋଧରେ ବିସ୍ପୋରକ ମନ୍ତବ୍ୟ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲା

ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି।

ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଛନ୍ତି। ସେହିପରି ମାନସ ପ୍ରଧାନ ମଧ୍ୟ କୋଟିକୋଟି ଟଙ୍କାର କାମ ନେଇଛନ୍ତି। ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି। ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏହି ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନିତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗୀବେ। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି ରଘୁନାଥ କହିଛନ୍ତି। ଏ ନେଇ ସେ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ଚିଲିକା ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି। ହଠାତ ରଘୁନାଥଙ୍କ ଜୟ ବିଜେଡି କହି ସାମ୍ବାଦିକ ସମ୍ମିଳନୀ କରିବା ନେଇ ଅନେକ ସନ୍ଦେହ କରିଛନ୍ତି। ତେବେ ଉଭୟ ରଘୁ ସାହୁ ଏବଂ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଚା ଚାଲିଛି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

କ୍ଷମା ମାଗିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଦଳର ସଭାପତିଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି।

ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି ମଡାଇ ଦେଲି ତାହା ସଂପୂର୍ଣ୍ଣ ଭୁଲ କଥା।

ପ୍ରକୃତ କଥା ହେଲା ପୂର୍ବରୁ ଚିଲିକା ବିଜେପିର ଏକ ଗଡ ଥିଲା। ଗତ ନିର୍ବାଚନରେ ବିଜେଡି ତରଫରୁ ମୁଁ ଏଗାର ହଜାର ଭୋଟରେ ଜିତିବା ପରେ ବିଜେପିର ରାଗ ପଞ୍ଚମ ହୋଇଯାଇଛି। ସେମାନେ ମୋତେ ବିଭିନ୍ନ ସମୟରେ ହଇରାଣ କରିବାକୁ ଯୋଜନା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି।

ମୋତେ ମାଡ ମାରିବା ପରେ ସେମାନେ ଗାଡିର ନମ୍ବର ପ୍ଲେଟକୁ ବାଡାଇ ଭାଙ୍ଗି ଦେଲେ। ସେଥିରେ ଆଉ ଏକ ନମ୍ବର ପ୍ଲେଟ ଯୋଡି ମୋତେ ବଦନାମ କରିବାକୁ ଚେଷ୍ଠା କରିଥିଲେ। ସେଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି। ଏହି ଗୋଟିଏ ଘଟଣା ନୁହେଁ ସେମାନେ ବିଭିନ୍ନ ସମୟରେ ମୋତେ ବଦନାମ କରିବାକୁ ଚେଷ୍ଠା କରିଛନ୍ତି।

ତେବେ ଏ ସବୁ ଘଟଣା ନେଇ ମୁଁ ଦୁଃଖ ପ୍ରକାଶ କରି ମୋର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ସେ ଯାହା ବିଚାର କରିବେ। ମୁଁ ଶଙ୍ଖ ଚିହ୍ନରେ ଛିଡା ହୋଇ ଜିତିଛି। ମୁଁ ବିଜେଡିରେ ରହିଛି। ହେଲେ ସଭାପତି ତଥା ଦଳ ଯାହା ବିଚାର କରିବେ ସେଥିରେ ମୁଁ ସମ୍ମତି ପ୍ରଦାନ କରିବି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର କୋର୍ଟରୁ ମିଳିଲା ନିୟମିତ ଜାମିନ

ବାଣପୁର, ( ସୀତାରାମ ଅଗ୍ରୱାଲା) : ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ପୁର୍ବରୁ ତାଙ୍କୁ ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇସାରିଥିବା ବେଳେ ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ନିୟମିତ ଜାମିନ ପାଇପାରି ନ ଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବିଧାୟକ ପିଆର ବଣ୍ଡ ରେ ବାଣପୁର ଜେଲରୁ ପାଇଥିଲେ ଜାମିନ।

ତେବେ ବର୍ତ୍ତମାନ ଓକିଲଙ୍କ ଧର୍ମଘଟ ସ୍ଥଗିତ ହୋଇଥିବାସ୍ଥଳେ ଆଜି ମଧ୍ୟାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଛନ୍ତି। ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଛନ୍ତି ବିଧାୟକ।

ତେବେ ଉକ୍ତ ମାମଲା ଆଜି ବାଣପୁର ଜେଏମଏଫସି କୋର୍ଟରୁ ଭୁବନେଶ୍ୱର ଏଡ଼ିଜେ-୩ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବାର ବାଣପୁର ଜେଏମଏଫସି କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ କୋର୍ଟ ପରିସର ଏବଂ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ଜଗନ୍ନାଥ ଭୋଳ ଏବଂ ସୁଧୀର କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ସରିଲା ରାଷ୍ଟ୍ରପତି ପଦ ପାଇଁ ଭୋଟ, ଜଣଙ୍କ ବ୍ୟତିତ ସବୁ ବିଧାୟକ କଲେ ମତଦାନ

ଭୁବନେଶ୍ବର: ଓଡିଶାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଏହି ମତଦାନ ପକ୍ରିୟା ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କରାଇଥିଲା। ଆଜି ଦିନ ଦଶଟାରୁ ଆରମ୍ଭ ହୋଇଥିଲା ମତଦାନ। ଏଥିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ବିଭିନ୍ନ ସମୟରେ ଆସି ନିଜର ଭୋଟ ପ୍ରଦାନ କରିଥିଲେ।

ଏହି ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଧାୟକମାନଙ୍କୁ ସ୍ବତନ୍ତ୍ର ବାଲଟ ପେପର ଯୋଗାଇ ଦିଆଯାଇଥିଲା। ଏଥିରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶବନ୍ତ ସିହ୍ନାଙ୍କ ନାମ ରହିଥିଲା। ଯେଉଁମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଏହି ପ୍ରାର୍ଥୀଙ୍କ ନାମ ପାଖରେ ଏକ ନମ୍ବର ବୋଲି ଲେଖିଛନ୍ତି। ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସ୍ବତନ୍ତ୍ର ପେନ ଯୋଗାଇ ଦିଆଯାଇଥିଲା।

ଅପରାହ୍ନ ଗୋଟାଏ ବେଳେ ଓଡିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୧ ଜଣ ଭୋଟ ଦେଇଥିଲେ। ଏହାପରେ ଅପରାହ୍ନ ପାଞ୍ଚଟା ସୁଦ୍ଧା ୧୪୫ ଜଣ ଭୋଟ ଦେଇଛନ୍ତି। ଆଉ ଦୁଇଜଣଙ୍କ ମଧ୍ୟରୁ ଜଣେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସଂସଦରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିବାରୁ ସେଠାରେ ଭୋଟ ଦେବା ପାଇଁ ଆବେଦନ କରି ଭୋଟ ଦେଇଥିଲେ।

ତେବେ ଭୋଟ ଦାନରୁ ବିରତ ରହିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ ବର୍ତ୍ତମାନ ଜେଲରେ ଥିବାରୁ ଏହି ଭୋଟରେ ଅଂଶ ଗ୍ରହଣ କରିପାରି ନାହାଁନ୍ତି। ସେ ବିଜେଡି ଦଳରୁ ବହିସ୍କୃତ ହୋଇଥିବାରୁ ଭୋଟ ଦେବା ପାଇଁ ଦଳ ତରଫରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିଜେ ବିଧାୟକ ଚାହିଁଥିଲେ କୋର୍ଟରେ ଆବେଦନ କରି ଦିନିକିଆ ଜାମିନୀରେ ଆସିପାରି ଥାଆନ୍ତେ। ହେଲେ ନା ପ୍ରଶାନ୍ତ ଜଗଦେବ ନା ବିଜେଡି, କେହି ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ସେ ଏକମାତ୍ର ବିଧାୟକ ଭାବେ ଏହି ସର୍ବୋଚ୍ଚ ଗଣତନ୍ତ୍ର ପକ୍ରିୟାରୁ ବାଦ ପଡିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ଭରସାକୁ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଶ୍ବାସକୁ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାରଣ ତାଙ୍କୁ ଦଳରୁ ନିଳମ୍ବିତ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଟିକେଟ ପ୍ରଦାନ କରିବା ପାଇଁ ତାଙ୍କୁ ଦାୟିତ୍ବ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ନବୀନଙ୍କ ପୁଣି ଭରସା ଯୋଗ୍ୟ ହୋଇପାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

ବିଜେପିର ଜଣେ କର୍ମିଙ୍କୁ ମାଡମାରିବା ଘଟଣାରେ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ନିଳମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନ ଥିବା ବେଳେ ତାଙ୍କ ମନୋନିତ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଇଛି। ତେବେ ନବୀନଙ୍କ ଦସ୍ତଖତ ଥିବା ଏହି ଟିକେଟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ସେ ସିଧା ନ ଦେଇ ତାଙ୍କ ଧର୍ମପତ୍ନୀଙ୍କ ମାଧ୍ୟମରେ ପ୍ରଦାନ କରାଇଛନ୍ତି। କାରଣ ହେଲା ଯେ, ସେ ସିଧା ଟିକେଟ ଦେଇଥିଲେ ପ୍ରସଂଗଟି ଭିନ୍ନ ମୋଡ ନେଇ ଥାଆନ୍ତା। ବିରୋଧୀ ଏହାକୁ  ନିର୍ବାଚନ ପ୍ରସଂଗ କରି ତୁମ୍ବି ତୋଫାନ କରିଥାଆନ୍ତେ। ସେଥିପାଇଁ ନବୀନ ନିବାସରୁ ଜଗଦେବଙ୍କୁ କଡା ନିର୍ଦ୍ଦେଶ ଥିଲା ଯେ ତୁମେ ପ୍ରାର୍ଥୀମାନଙ୍କୁ ସିଧା ଟିକେଟ ଦେବ ନାହିଁ।

ବର୍ତ୍ତମାନ ପ୍ରଶାନ୍ତ ଜଗଦେବଙ୍କୁ ନବୀନ ପୁଣି ଦାୟିତ୍ବ ଦେବା ପରେ ତାଙ୍କ ଶିବିରରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି। କାରଣ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚିଲିକା ବିଜେଡିରେ ଏକ ପ୍ରକାରର ଦୋଦୁଲ୍ୟମାନ ପରିସ୍ଥିତି ଉପୁଜି ଯାଇଥିଲା। ପଞ୍ଚାୟତ ନିର୍ବାଚନ ଲଢେଇରେ କିଏ ବିଜେଡି ମଙ୍ଗ ଧରିବ ତାଙ୍କୁ ନେଇ କର୍ମିମାନେ ସନ୍ଦେହ ମଧ୍ୟରେ ଥିଲେ। ସମସ୍ତେ ଭାବି ନେଇଥିଲେ ଯେ, ପ୍ରଶାନ୍ତଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ନାହିଁ।

ଏପରି ପରିସ୍ଥିତି ଦେଖି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ ନିଜେ ଭାବି ନେଲେ ଯେ, ନବୀନ ତାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ଦେବେ। ସେଥିପାଇଁ ସେ ନବୀନ ନିବାସରୁ କୌଣସି ଆଦେଶ ନ ପାଇ ମଧ୍ୟ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇ ଥିଲେ। ରଘୁ ସାହୁଙ୍କ ଏପରି ସକ୍ରିୟତା ଦେଖି ପ୍ରଶାନ୍ତ ଜଗଦେବଙ୍କ ଶିବିରରେ ଛନକା ପଶିଯାଇ ଥିଲା। ସେମାନେ ଭାବି ନେଲେ ଯେ, ହୁଏତ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ କଣଠୋସା କରି ରଘୁ ସାହୁଙ୍କୁ ଦାୟିତ୍ବ ଦେଇ ଦେବ।

ସେତେବେଳେ ବିଜେଡି କର୍ମିମାନେ ନା ରଘୁ ନା ପ୍ରଶାନ୍ତଙ୍କ ପାଖରେ ରହିବେ କିଛି ନିଷ୍ପତି କରିପାରୁ ନ ଥିଲେ। ଅନ୍ୟପଟେ ପ୍ରଶାନ୍ତ ଜଗଦେବ ମଧ୍ୟ ବାଉଳା ହୋଇଯାଇ ଥିଲେ। କାରଣ ସେ ଭାବିଥିଲେ ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ଦଳ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ। ହେଲେ ନବୀନ ତାଙ୍କୁ ସଂଗଠନ ଦାୟିତ୍ବରୁ ନ ହଟେଇ ପୂର୍ବପରି କାମ କରିବା ପାଇଁ ଭରସା ଦେଲେ। ଯାହାଫଳରେ ପ୍ରଶାନ୍ତଙ୍କ ପାଇଁ ଏହା ଏକ ଆଶ୍ବସ୍ଥି ଆଣି ଦେଇଛି। ସେପଟେ ବିଜେଡି ତାଙ୍କୁ ଗୁରୁତ୍ବ ଦେଉ ନାହିଁ ବୋଲି ଅନୁଭବ କରି ରଘୁ ସାହୁ ହତାସ ହେବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ସେ କଣ କରିବେ କୌଣସି ନିଷ୍ପତି ନେଇପାରୁ ନାହାଁନ୍ତି।

Categories
Uncategorized

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ବାଦ୍ୟଯନ୍ତ୍ର ବିଭାଗରେ ବଂଶୀ, ହାରମୋନିୟମ୍‌, ମୃଦଙ୍ଗ ଆଦିରେ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ହିନ୍ଦୁସ୍ତାନୀ ଲୋକାଲ୍‌ ଓ କର୍ଣ୍ଣାଟକୀ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା। ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ଓଡ଼ିଶୀ, କୁଚୁପଡ଼ି, ଭାରତନାଟ୍ୟମ୍‌ ଆଦି ସାମିଲ୍‌ ରହିଥିଲା।

ଏହି ପ୍ରତିଯୋଗିତାରେ ୧୩ ବର୍ଷଠାରୁ ୩୫ ବର୍ଷ ବୟସ ମଧ୍ୟରେ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶିର ପୁରସ୍କାର ମଧ୍ୟ ଦିଆଯାଇଛି।

ଏହି ମହୋତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧା , ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)