କ୍ଷମା ମାଗିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଦଳର ସଭାପତିଙ୍କୁ ଲେଖିଲେ ଚିଠି

Published: Aug 19, 2022, 11:05 am IST

ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି।

ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି ମଡାଇ ଦେଲି ତାହା ସଂପୂର୍ଣ୍ଣ ଭୁଲ କଥା।

ପ୍ରକୃତ କଥା ହେଲା ପୂର୍ବରୁ ଚିଲିକା ବିଜେପିର ଏକ ଗଡ ଥିଲା। ଗତ ନିର୍ବାଚନରେ ବିଜେଡି ତରଫରୁ ମୁଁ ଏଗାର ହଜାର ଭୋଟରେ ଜିତିବା ପରେ ବିଜେପିର ରାଗ ପଞ୍ଚମ ହୋଇଯାଇଛି। ସେମାନେ ମୋତେ ବିଭିନ୍ନ ସମୟରେ ହଇରାଣ କରିବାକୁ ଯୋଜନା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି।

ମୋତେ ମାଡ ମାରିବା ପରେ ସେମାନେ ଗାଡିର ନମ୍ବର ପ୍ଲେଟକୁ ବାଡାଇ ଭାଙ୍ଗି ଦେଲେ। ସେଥିରେ ଆଉ ଏକ ନମ୍ବର ପ୍ଲେଟ ଯୋଡି ମୋତେ ବଦନାମ କରିବାକୁ ଚେଷ୍ଠା କରିଥିଲେ। ସେଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି। ଏହି ଗୋଟିଏ ଘଟଣା ନୁହେଁ ସେମାନେ ବିଭିନ୍ନ ସମୟରେ ମୋତେ ବଦନାମ କରିବାକୁ ଚେଷ୍ଠା କରିଛନ୍ତି।

ତେବେ ଏ ସବୁ ଘଟଣା ନେଇ ମୁଁ ଦୁଃଖ ପ୍ରକାଶ କରି ମୋର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ସେ ଯାହା ବିଚାର କରିବେ। ମୁଁ ଶଙ୍ଖ ଚିହ୍ନରେ ଛିଡା ହୋଇ ଜିତିଛି। ମୁଁ ବିଜେଡିରେ ରହିଛି। ହେଲେ ସଭାପତି ତଥା ଦଳ ଯାହା ବିଚାର କରିବେ ସେଥିରେ ମୁଁ ସମ୍ମତି ପ୍ରଦାନ କରିବି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

Related posts