Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହ୍ରଦରେ ଅମୃତ ଧରୋହର କ୍ଷମତା ବୃଦ୍ଧି ଯୋଜନାରେ ପ୍ରଶିକ୍ଷଣ ପ୍ରଦାନ

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରଣାଳୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍ ଏବଂ ସିସି) ସହଯୋଗରେ ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଡ. ସାଗନିକ ଚୌଧୁରୀଙ୍କ ଉପସ୍ଥିତିରେ ଚିଲିକା ହ୍ରଦର ସ୍ଥାନୀୟ ସଦସ୍ୟ, ଡଙ୍ଗା ମାଲିକ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପାଇଁ ୬ ଜାନୁଆରୀ ୨୦୨୪ରେ ଅମୃତ ଧରୋହର କ୍ଷମତା ନିର୍ମାଣ ଯୋଜନା ଅଧୀନରେ ପଞ୍ଚମ ପ୍ରଶିକ୍ଷଣ ଆରମ୍ଭ କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ, ଏମ୍ ଓ ଇଏଫ୍ ଆଣ୍ଡ ସିସିର ବୈଜ୍ଞାନିକ ‘ଇ’, ଆଇଆଇଟିଟିଏମ୍ ଭୁବନେଶ୍ୱରର ନୋଡାଲ ଅଫିସର ତଥା ମୁଖ୍ୟ ଡ. ଏମ୍ ଡି ସାବିର ହୁସେନ୍, ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ର ଅତିରିକ୍ତ ସିଇଓ ଡ. ଅମ୍ଳାନ ନାୟକ ଏବଂ ଓଡ଼ିଶା ସରକାରଙ୍କ ସିଡିଏ ଓ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଅଧୀନରେ ୧୫ ଦିନ ଲେଖାଏଁ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥା ଅଲଟରନେଟିଭ ଲାଇଭଲିହୁଡ୍ ପ୍ରୋଗ୍ରାମ (ଏଏଲପି) ଏବଂ ପରିବେଶ ନାଭିକ ସାର୍ଟିଫିକେଟ (ପିଏନସି) ଆୟୋଜନ କରାଯିବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହାୟତାରେ ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ସମ୍ପ୍ରଦାୟରୁ ମୋଟ ୬୦ ଜଣ ପ୍ରତିଯୋଗୀ (ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ୩୦ ଜଣ) ଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରକୃତି-ମାର୍ଗଦର୍ଶକ ଭାବେ ସାର୍ଟିଫିକେଟ୍ ଦିଆଯାଇଥିଲା।

ଏମଓଇଏଫ୍ ଆଣ୍ଡ ସିସିର ଅମୃତ ଧରୋହର  ଇନିସିଏଟିଭ୍ ଅଧୀନରେ ସାରା ଦେଶରେ ରାମସାର ସ୍ଥଳୀଗୁଡ଼ିକର ପ୍ରକୃତି-ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ସମୁଦାୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସର ଏହା ଏକ ଅଂଶ । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି, ଯଶବନ୍ତ ସାଗର, ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଚିଲିକା ହ୍ରଦ ଭଳି ପାଞ୍ଚଟି ପ୍ରାଥମିକ ରାମସାର ସ୍ଥାନ ଚିହ୍ନଟ କରାଯାଇଥିଲା। ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି ଏବଂ ଯଶବନ୍ତ ସାଗର ପାଇଁ ପ୍ରଥମ ତିନୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିସେମ୍ବର ୨୦୨୩ ରେ ସଫଳତାର ସହ ଶେଷ ହୋଇଛି ଏବଂ ଚତୁର୍ଥ ପ୍ରଶିକ୍ଷଣ ଯାହା ୫ ଜାନୁଆରୀ ୨୦୨୪ ରେ ଉଦଘାଟିତ ହୋଇଥିଲା ତାହା ବର୍ତ୍ତମାନ ଚାଲିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି ସିଏମ୍‌ଇକୁ ଗୋଟିଏ ଦିନ ମଧ୍ୟରେ ସିମୀତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ବ୍ୟକ୍ତ କରିଥିଲେ।

ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନର୍ସମାନଙ୍କ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଇସିୟୁରେ ଭତି ର୍ ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ସୁଶୃଷା ଦିଗରେ ନର୍ସମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ।

ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ। ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତି ପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସମାନଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।