Categories
ଆଜିର ଖବର ରାଜ୍ୟ ଖବର

ରୂପାନ୍ତରିକରଣ ହେବ ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ: ନୂଆ ରୂପ ପାଇବ ମା’ ଭଗବତୀ ମନ୍ଦିର

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିରର ହେବ ରୂପାନ୍ତରିକରଣ। ନୂଆ ରୂପ ପାଇବ ବାଣପୁରର ଆରାଧ୍ୟ ଦେବୀ ମା ‘ ଭଗବତୀଙ୍କ ମନ୍ଦିର।

ଶନିବାର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀଯୁକ୍ତ ମଙ୍ଗରାଜ ଆଜି ଅପରାହ୍ନରେ ମନ୍ଦିରରେ ପହଞ୍ଚି ପୂଜକ ଓ ପାଳିଆ ମାଳିଙ୍କ ମାଧ୍ୟମରେ ମା’ଙ୍କର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ମନ୍ଦିରର ଉନ୍ନୟନ କାର୍ଯ୍ୟରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମସ୍ତ କାଉନସିଲର ଏବଂ ବିଜେଡିର ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଗତ ଡିସେମ୍ବରରେ ତତ୍କାଳୀନ ୫ଟି ସଚିବ ଏବଂ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମନ୍ଦିର ଗସ୍ତ କରି ତାହାର ରୂପରେଖ ବଦଳାଇବା ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ମନ୍ଦିରର ଉନ୍ନତି ପାଇଁ ୫ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରି ୨୫ କୋଟି ୯୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ।

ଏହି ଉନ୍ନୟନ କାର୍ଯ୍ୟ ସମ୍ପାଦନ ପାଇଁ ଓବିସିସି ପୁର୍ବରୁ ଏକାଧିକ ଥର ଟେଣ୍ଡର ଆହ୍ୱାନ କରିଥିବା ସତ୍ବେ ତାହା ବାତିଲ ହୋଇଯାଉଥିଲା ଏବଂ ପରିଶେଷରେ ଠିକାଦାର ବଳଦେବ ପଣ୍ଡା ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରାଙ୍ଗଣର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ,ଶ୍ରୀ ଜଗନ୍ନାଥ, ମା’ ପୋଲକାଶୁଣି, ମା’ ବିରଜାଈ, ମା’ ଭୈରବୀ ଓ ଶ୍ରୀରାମ ମନ୍ଦିର ନିର୍ମାଣ,ତୀର୍ଥଯାତ୍ରୀ ନିବାସ,ନୂତନ ଭାବେ ସିଂହଦ୍ୱାର ଓ ଦୋଳବେଦୀ ନିର୍ମାଣ,ଶାଳିଆ ନଦୀ ଘାଟର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ଶୌଚାଳୟ ଓ ପାର୍କିଂ ସ୍ଥଳର ବିକାଶ ସହ ପ୍ରମୋଦ କେନ୍ଦ୍ର ନିର୍ମାଣ ହେବ।  ଯାହାଫଳରେ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳିଯିବ ବୋଲି ଶ୍ରୀଯୁକ୍ତ ମଙ୍ଗରାଜ ମତ ଦେଇଥିଲେ। ଯାହାଦ୍ୱାରା ଓଡ଼ିଶାର କୋଣ ଅନୁକୋଣରୁ ବହୁ ଭକ୍ତ ଉକ୍ତ ମନ୍ଦିରର ଦର୍ଶନ ନିମନ୍ତେ ଆଗ୍ରହ ପ୍ରକାଶ କରିବେ। ତେବେ ଯାହା ହେଉ ଦୀର୍ଘ ଦିନ ପରେ ମନ୍ଦିରର ଉନ୍ନତ୍ତି ନେଇ ଶୁଭ ଦିଆଯାଇଥିବାରୁ ସାଧାରଣରେ ଆନନ୍ଦ ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀଙ୍କ ଦର୍ଶନ କଲେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି

ବାଣପୁର: ଆଜି ସଂନ୍ଧ୍ୟାରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନକୁ ଆସିଥିଲେ।  ଏହି ପରିପ୍ରେକ୍ଷୀରେ ମନ୍ଦିର ଦ୍ୱାରଦେଶରେ ତାଙ୍କୁ ବାଣପୁର ଓକିଲ ସଂଘ, ଦେବୋତ୍ତର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ ଜ୍ଞାପନ କରାଯାଇଥିଲା।

ଡ଼. ଷଡ଼ଙ୍ଗୀ ମା’ ଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଅତିବାହିତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ବିଚାରପତିଙ୍କ ଗସ୍ତ ସମୟରେ ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର, ଜେଏମଏଫସି ସ୍ନାତକୀ ଦାସ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି, ଆଇନଜୀବୀ ରଞ୍ଜନ କୁମାର ବେଦମତା, ସୁନୀଲ ମହାପାତ୍ର, ଜଗଦୀଶ ପଟ୍ଟନାୟକ, ସଚିତ ମିଶ୍ର, ରମେଶ ବିଷୋୟୀ, ସନ୍ତୋଷ ପାତ୍ର, ସୀତାରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

Categories
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରର ନିୟମ ଭାଙ୍ଗୁଛନ୍ତି ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀ: ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଆସିଥାନ୍ତି।  ନିକଟରେ ଉକ୍ତ ମନ୍ଦିରକୁ ୫-ଟି ରେ ସାମିଲ କରାଯାଇଥିବା ବେଳେ ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଛି। ସାଧାରଣତଃ ମା’ ଭଗବତୀ ମନ୍ଦିରଟି ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଓମେଣ୍ଟ ଦ୍ୱାରା ପରିଚାଳିତ ହୋଇଥିବାବେଳେ ଉକ୍ତ ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ସମସ୍ତ ଦାଇତ୍ୱ ନ୍ୟସ୍ତ।

ତେବେ ଆଜି ଉକ୍ତ ମନ୍ଦିର ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନସିକତାକୁ ପଦାରେ ପକାଇଛି। ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଧିକ ଚପଲ ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଭକ୍ତଙ୍କ ପାଇଁ ଗୋଟେ ନିୟମ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଅଲଗା ନିୟମ କି? କାରଣ ଯେହେତୁ ମା’ ଭଗବତୀ ମନ୍ଦିର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ତେଣୁ ଏଠାରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ଏକାଧିକ ନିୟମ ଦେବୋତ୍ତର ବିଭାଗ ଜାରି କରିଛି।

ମନ୍ଦିର ମଧ୍ୟକୁ ଭକ୍ତଙ୍କ ଚପଲ ନିଷେଧ ଥିବାବେଳେ ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଯାହାକି ମନ୍ଦିର ପରିସରରେ ଅଛି ସେଠାରେ ଚପଲ ପ୍ରବେଶକୁ କିପରି ଅନୁମତି ମିଳିଛି? ଏ ଦୃଶ୍ୟ ସେଠାରେ ଦିନ ତମାମ ଦେଖିବାକୁ ମିଳୁଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ତିଳେ ହେଲେ ଖାତିର ନକରିବା ପରି ମନେ ହେଉଛି। ଯେଉଁ ମନ୍ଦିରକୁ ଭକ୍ତ ମାନେ ଖାଲି ପାଦରେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି ଉକ୍ତ ସମୟରେ ଦେବୋତ୍ତର ବିଭାଗ ଦ୍ୱାରା ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶକୁ ଭକ୍ତ ମାନେ ନାପସନ୍ଦ କରିଛନ୍ତି। ଏ ନେଇ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବା ସହ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏଣ୍ଡାଓମେଣ୍ଟ ସଭାପତି ତଥା ସ୍ଥାନୀୟ ତହସିଲଦାର ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ଖୋର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନରଙ୍କ ସମେତ ୫-ଟି ସଚିବଙ୍କୁ ବିଭିନ୍ନ ପ୍ରମାଣ ସହ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଗସ୍ତ ପରେ ସରକାରଙ୍କ ତତ୍ପରତା: ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସିଲା ଓବିସିସି ଟିମ୍

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନ କରି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ଉନ୍ନତିକୁ ନେଇ ତତ୍ପରତା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ଼ (ଓବିସିସି) ର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ଏକ ଟିମ ସହ ଆଜି ମନ୍ଦିର ଏବଂ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଯାଇଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରସ୍ତାବର ବ୍ଲୁ ପ୍ରିଣ୍ଟକୁ ପରଖିଛି ଏହି ଟିମ। ଭଗବତୀ ମନ୍ଦିର, ବସ ଷ୍ଟାଣ୍ଡ ପାଇଁ ଅପ୍ରୋଚ ରୋଡ ସ୍ଥାନ ଆଦି ନିରୀକ୍ଷଣ କରିଛନ୍ତି ଏହି ଟିମ।

ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କ କହିବା ମୁତାବକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୁବଶୀଘ୍ର ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ। ସାଧାରଣତଃ ୫-ଟି ଅଧୀନରେ ରୁପାନ୍ତର ହୋଇଥିବା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକର ଦାଇତ୍ୱ ଓବିସିସି ନେଇଥାଏ। ଏହି ପରିପ୍ରେକ୍ଷୀରେ ମା’ ଭଗବତୀ ମନ୍ଦିର ପାଇଁ ଦିଆଯାଇଥିବା ଉନ୍ନୟନ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ କୁ ପରଖି ୫-ଟି ସଚିବଙ୍କୁ ଓବିସିସି ଏହାର ଏକ ରିପୋର୍ଟ ଦେବ। ଏହା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଣପୁର ନାଗରିକଙ୍କ ଏକ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ୫-ଟି ସଚିବଙ୍କୁ ହସ୍ତାନ୍ତର କରାଯିବ। ଉଭୟ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀ ମନ୍ଦିର ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା:

୧. ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ।

୨. ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ।

୩.ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା।

୪. ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର)

୫. ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ।

୬. ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ।

୭. ରୋଷ ଘର ଉନ୍ନତିକରଣ।

୮. ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ।

୯. ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ।

୧୦. ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ।

ତେବେ ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ ଥିବାରୁ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣ୍ଡିଆନଙ୍କ ଗସ୍ତ ଉପଲକ୍ଷେ ସମଗ୍ର ବାଣପୁର ସହରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଭଗବତୀ ମନ୍ଦିର ଗସ୍ତ ସାରି ପାଣ୍ଡିଆନ ଭୁଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ପରିଦର୍ଶନକୁ ଯାଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଖୋଲିଲା ବାଣପୁର ମା’ଭଗବତୀ ମନ୍ଦିର ହୁଣ୍ଡି

ସୀତାରାମ ଅଗ୍ରୱାଲ
ବାଣପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ଭିତର ହୁଣ୍ଡି ଆଜି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି କୁଞ୍ଜବିହାରୀ ବଡ଼ଜେନା ଙ୍କ ଉପସ୍ଥିତିରେ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ।

ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୫୬ ହଜାର ୭ ଶହ ୧୫ ଟଙ୍କା ଏବଂ ଗୋଟାଏ ହନୁମାନଙ୍କ ରୁପାର ଲକେଟ ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି।

ଉକ୍ତ ସମୟରେ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ସେବାୟତଗଣ ଏବଂ ଏଣ୍ଡାଓମେଣ୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ

ଖୋଲିଲା ବାଣପୁର ମା’ ଭଗବତୀଙ୍କ ହୁଣ୍ଡି, ଜାଣନ୍ତୁ ଏଥର କେତେ ରହିଛି ଦାନ ପରିମାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀଙ୍କ ହୁଣ୍ଡି ଖୋଲାଯାଇଛି। ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା କରାଯାଇଛି। ଗତକାଲି ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩ ଲକ୍ଷ ୭୧ ହଜାର ୩୯୫ ଟଙ୍କା ସହିତ ୭ଟି ରୂପା ଆଖି, ୧ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବାବେଳେ ଆଜି ମନ୍ଦିର ଭିତର ହୁଣ୍ଡିରୁ ୧ ଲକ୍ଷ ୬୩ ହଜାର ୯୬୮ ଟଙ୍କା ସହିତ ୨ଟି ରୂପାର ଆଖି ଏହିପରି ସର୍ବମୋଟ ୫ ଲକ୍ଷ ୩୫ ହଜାର ୩୬୩ ଟଙ୍କା ସଂଗ୍ରହ କରାଯାଇଥିବାର ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି।

କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, କମିଟିର ସଭ୍ୟ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ଥାନା ପୋଲିସ୍‌ ଶାନ୍ତନୁ ପଟ୍ଟନାୟକ, ପୂଜକ ବିନାୟକ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, ଫଟୋଗ୍ରାଫର ବ୍ରଜ କିଶୋର ଜେନା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ଶ୍ରୀଯୁକ୍ତ ବଡ଼ଜେନା ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଉକ୍ତ ହୁଣ୍ଡି ଦୁଇଟିକୁ ଖୋଲି ଥିଲେ।

ହୁଣ୍ଡିରୁ ସଂଗୃହୀତ ଅର୍ଥ ଓ ଅଳଙ୍କାର ମା’ ଙ୍କ ନୀତିକାନ୍ତି ଓ ସେବାରେ ବିନିଯୋଗ ହେବ। ଏଥିପାଇଁ ଦାତାମାନଙ୍କ ମଙ୍ଗଳ କାମନା କରି କମିଟି ତରଫରୁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ।