ଖୋଲିଲା ବାଣପୁର ମା’ ଭଗବତୀଙ୍କ ହୁଣ୍ଡି, ଜାଣନ୍ତୁ ଏଥର କେତେ ରହିଛି ଦାନ ପରିମାଣ

Published: Mar 31, 2022, 7:31 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀଙ୍କ ହୁଣ୍ଡି ଖୋଲାଯାଇଛି। ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା କରାଯାଇଛି। ଗତକାଲି ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩ ଲକ୍ଷ ୭୧ ହଜାର ୩୯୫ ଟଙ୍କା ସହିତ ୭ଟି ରୂପା ଆଖି, ୧ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବାବେଳେ ଆଜି ମନ୍ଦିର ଭିତର ହୁଣ୍ଡିରୁ ୧ ଲକ୍ଷ ୬୩ ହଜାର ୯୬୮ ଟଙ୍କା ସହିତ ୨ଟି ରୂପାର ଆଖି ଏହିପରି ସର୍ବମୋଟ ୫ ଲକ୍ଷ ୩୫ ହଜାର ୩୬୩ ଟଙ୍କା ସଂଗ୍ରହ କରାଯାଇଥିବାର ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି।

କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, କମିଟିର ସଭ୍ୟ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ଥାନା ପୋଲିସ୍‌ ଶାନ୍ତନୁ ପଟ୍ଟନାୟକ, ପୂଜକ ବିନାୟକ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, ଫଟୋଗ୍ରାଫର ବ୍ରଜ କିଶୋର ଜେନା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ଶ୍ରୀଯୁକ୍ତ ବଡ଼ଜେନା ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଉକ୍ତ ହୁଣ୍ଡି ଦୁଇଟିକୁ ଖୋଲି ଥିଲେ।

ହୁଣ୍ଡିରୁ ସଂଗୃହୀତ ଅର୍ଥ ଓ ଅଳଙ୍କାର ମା’ ଙ୍କ ନୀତିକାନ୍ତି ଓ ସେବାରେ ବିନିଯୋଗ ହେବ। ଏଥିପାଇଁ ଦାତାମାନଙ୍କ ମଙ୍ଗଳ କାମନା କରି କମିଟି ତରଫରୁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ।

Related posts