Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ ରେ ଏକାଧିକ ମତ ଦେଇ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ଯେଉଁ ସବୁ ଉଦ୍ୟମ କରୁଛନ୍ତି ତାହା ଦ୍ୱାରା ଜୈବ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ବଢିବ ଏବଂ ଏହା ଫଳରେ ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ବିଶ୍ୱ ଊର୍ଜା କ୍ଷେତ୍ରରେ ଇତିହାସ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଗତକାଲି ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ଗଠନ କଥା ଘୋଷଣା କରିଛନ୍ତି। ଏହି ମେଣ୍ଟରେ ୧୯ଟି ଦେଶ ଓ ୧୨ଟି ଆନ୍ତର୍ଜାତିକ ସଂଗଠନ ସାମିଲ ହେବାକୁ ସମ୍ମତି ଦେଇଛନ୍ତି।

ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ (ଜିବିଏ) ଭାରତର ନେତୃତ୍ୱରେ ଗଠିତ ଏକ ଉଦ୍ୟମ ଯେଉଁଥିରେ ବିଭିନ୍ନ ଦେଶର ସରକାର, ଆନ୍ତର୍ଜାତିକ ସଂଗଠନ ଓ ଉଦ୍ୟୋଗପତି ସଦସ୍ୟ ରହିବା ସହିତ ଜୈବ ଇନ୍ଧନର ବ୍ୟବହାରକୁ ଅଗ୍ରାଧିକାର ଦେବେ। ଏହି ମେଣ୍ଟ ମାଧ୍ୟମରେ ଜୈବ ଇନ୍ଧନର ସର୍ବବୃହତ୍ ଉତ୍ପାଦକ ଓ ଖାଉଟି(ବ୍ୟବହାରକାରୀ)ଙ୍କୁ ଏକାଠି କରି ଏହି ବିକଳ୍ପ ଇନ୍ଧନର ବିକାଶ ଓ ବ୍ୟବହାର ବଢାଇବାକୁ ସବୁ ସଦସ୍ୟ କାମ କରିବେ। ଏହା ଫଳରେ ବିଶ୍ୱର ଊର୍ଜା ବ୍ୟବହାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ ଏବଂ ଏହା ଅର୍ଥନୀତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିରେ ବିଶେଷ ସହାୟକ ହେବ।

ମନ୍ତ୍ରୀ ଶ୍ରୀ ପୁରୀ ଆହୁରି କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଗଠନ କରାଯାଇଥିବା ବିଶ୍ୱ ଜୈବିକ ମେଣ୍ଟ ସ୍ୱଚ୍ଛ ଓ ସବୁଜ ଊର୍ଜା ସନ୍ଧାନରେ ଥିବା ପୃଥିବୀକୁ ଏକ ଐତିହାସିକ ଅବଦାନ ଯୋଗାଇବ। ଏହି ମେଣ୍ଟ ଗଠନରେ ସହଯୋଗ ଯୋଗାଇଥିବା ଆମେରିକାର ଊର୍ଜା ବିଭାଗ ସଚିବ ଜେନିଫର ଗ୍ରାନ୍‌ହୋମ, ବ୍ରାଜିଲର ଊର୍ଜା ମନ୍ତ୍ରୀ ଆଲେକଜାଣ୍ଡାର ସିଲ୍‌ଭେରା, ୟୁନିକା ବ୍ରାଜିଲର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ଅଧିକାରୀ (ସିଇଓ) ଇଭାନ୍ଦ୍ରୋ ଗୁସିଙ୍କୁ ମନ୍ତ୍ରୀ ଶ୍ରୀ ପୁରୀ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି।

ମନ୍ତ୍ରୀ ଶ୍ରୀ ପୁରୀ ଆହୁରି କହିଛନ୍ତି ଯେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଦୂରଦୃଷ୍ଟି ସମ୍ପନ୍ନ ସହଯୋଗ। ଏହା ପଛରେ ଜି-୨୦ ଏବଂ ଆନ୍ତର୍ଜାତିକ ଊର୍ଜା ସଂସ୍ଥା (ଆଇଇଏ) ଆନ୍ତର୍ଜାଜିକ ବେସାମରିକ ଉଡାଣ ପ୍ରତିଷ୍ଠାନ (ଆଇସିଏଓ), ବିଶ୍ୱ ଅର୍ଥନୀତିକ ଫୋରମ୍ ଓ ବିଶ୍ୱ ଏଲପିଜି  ମହାସଂଘର ସମର୍ଥନ ରହିଛି। ଏବେ ବିଶ୍ୱରେ ଯେଉଁ ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲିୟମ ଓ ଗ୍ୟାସର ସଙ୍କଟ ଦେଖାଦେଇଛି ତାହାର ବିକଳ୍ପ ଭାବେ ଜୈବିକ ଇନ୍ଧନ ଏକ ଗ୍ରହଣଯୋଗ୍ୟ ବିକଳ୍ପ ରୂପେ  କାମରେ ଲାଗି ପାରିବ। ଏହା ଦ୍ୱାରା ମେଣ୍ଟର ସଦସ୍ୟ ରାଷ୍ଟ୍ରମାନେ ସହଜରେ ଏହି ଇନ୍ଧନ ପାଇ ପାରିବେ। ଆମ ଚାଷୀମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲରୁ ସୁରାସାର ବା ଇଥାନେଲ ବାହାର କରି ତାହାକୁ ଜୈବ ଇନ୍ଧନ ଭାବେ ବ୍ୟବହାର କରିହେବ। ଏହା ଫଳରେ ଆମର ଚାଷୀକୂଳ ଅନ୍ନଦାତାରୁ ଊର୍ଜାଦାତାରେ ପରିଣତ ହେବେ। ସେମାନେ ଖାଦ୍ୟଶସ୍ୟ ଉତ୍ପାଦନ ସହିତ ଜେବୌ ଇନ୍ଧନ ଉତ୍ପାଦନ କରି ନିଜର ଅତିରିକ୍ତ ରୋଜଗାର ଉତ୍ସ ତିଆରି କରିପାରିବେ।

ସେ କହିଛନ୍ତି ଯେ ବିଗତ ନ’ ବର୍ଷ ମଧ୍ୟରେ ଇ-୨୦ (ପେଟ୍ରୋଲିୟମରେ ୨୦ ଭାଗ ଇଥାନଲ ମିଶ୍ରଣ) ଯୋଜନାର ଆମ ସରକାର ଦେଶର ଚାଷୀଙ୍କୁ ଇଥାନଲ କ୍ରୟ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଦେଇ ସାରିଲାଣିି। ୨୦୨୫ ସୁଦ୍ଧା ଆମେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ଫଳରେ ଭାରତ ତୈଳ ଆମଦାନୀ ବାବଦରେ ବାର୍ଷିକ ୪୫, ୦୦୦ କୋଟି ଟଙ୍କା ଓ ୬୩ ମେଟ୍ରିକ ଟନ ତୈଳ ବଞ୍ଚାଇ ପାରିବ।

ଜିବିଏ ବିଶ୍ୱବ୍ୟାପୀ ବିକାଶ କାର୍ଯ୍ୟ ଓ ଊର୍ଜା ପରିବର୍ତ୍ତନ ପ୍ରକ୍ରିୟାକୁ ସହାୟତା ଯୋଗାଇବ। ସବୁ ଦେଶ ଯେପରି ଜୈବ ଇନ୍ଧନ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇ ଶସ୍ତାରେ ଇନ୍ଧନ ପାଇପାରିବେ ସେଥିପାଇଁ ଏହି ମେଣ୍ଟ ସାହାଯ୍ୟ ସହଯୋଗ ଯୋଗାଇବ। ଦକ୍ଷତା ନିର୍ମାଣ, ମୂଲ୍ୟ ମିଶ୍ରିତ ଯୋଗାଣ ବ୍ୟବସ୍ଥା ସୃଷ୍ଟି, ବୈଷୟିକ ସହାୟତ ଯୋଗାଣ ଓ ନୂଆ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ସଭ୍ୟ ରାଷ୍ଟ୍ରଙ୍କୁ ସାହାଯ୍ୟ ସହଯୋଗ କରିବ। ଏହି ସଂସ୍ଥା ମଧ୍ୟ ବାସ୍ତବ ବଜାର ସୃଷ୍ଟି କରି ଏ କ୍ଷେତ୍ରରେ ଉଦ୍ୟୋଗ ଜଗତକୁ ସାହାଯ୍ୟ ସହଯୋଗ ଯୋଗାଇବ। ସବୁଠୁ ବଡ କଥା ହେଲା ଜୈବ ଇନ୍ଧନର ମାନ ନିର୍ଦ୍ଧାରଣ ନିମନ୍ତେ ଏହି ସଂଗଠନ  ଆନ୍ତର୍ଜାତିକ ନୀତି ନିୟମ ଓ କୋଡ୍ ପ୍ରବର୍ତ୍ତନ କରିବ। ଏହାର ଉତ୍ପାଦନ, ବିକ୍ରି ବଟା  ଆଦି କ୍ଷେତ୍ରରେ ମଧ୍ୟ ଏହା ବିଶ୍ୱ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇବ।

ଏହି ଉଦ୍ୟମ ଦ୍ୱାରା ଭାରତ ବିଭିନ୍ନ ଭାବେ ଉପକୃତ ହେବେ। ଜିବିଏ ଭାରତର ଅଧ୍ୟକ୍ଷତା କାଳରେ ଜି-୨୦ର ଏକ ବଡ ସଫଳ ପଦକ୍ଷେପ। ଏହା ଫଳରେ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଭାବ ଓ ପ୍ରତିଷ୍ଠା ବଢିବ। ଭାରତୀୟ ଉଦ୍ୟୋଗ ମଧ୍ୟ ଏହାର ସୁଯୋଗ ନେଇ ଜୈବ ଇନ୍ଧନ ଟେକ୍‌ନୋଲୋଜି ବିଭିନ୍ନ ଦେଶକୁ ଯୋଗାଇ ଲାଭବାନ ହେବ। ଏହା ମଧ୍ୟ ଭାରତର ବର୍ତ୍ତମାନ ର ଜୈବ ଇନ୍ଧନ କାର୍ଯ୍ୟକ୍ରମ ଯଥା ପିଏମ୍ -ଜୀବନ ଯୋଜନା, ସତତ୍ ଓ ଗୋବର୍ଦ୍ଧନକୁ ପ୍ରୋତ୍ସାହିତ କରିବ। ଏହା ଫଳରେ ଭାରତରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି  ହେବା ସହିତ ଦେଶର ଆର୍ଥିକ ସ୍ଥିତିର ଉନ୍ନତି ଆସିବ। ଭାରତର ଚାଷୀ ଅତିରକ୍ତ ଆୟ ଉତ୍ସ ପାଇବେ।

୨୦୨୨ରେ ବିଶ୍ୱର  ଇଥାନଲ ବଜାରର ଆକାର ଥିଲା ୯୯.୦୬ ବିଲିୟନ ଡଲାର। ୨୦୩୨ ସୁଦ୍ଧା ଏହା ୫.୧% ସିଏଜିଆର୍ ହାରରେ ବଢିବ ବୋଲି ଆକଳନ କରାଯାଇଛି ଏବଂ ୨୦୩୨ ସୁଦ୍ଧା ୧୬୨.୧୬ ବିଲିୟନ ଡଲାରକୁ ଅତିକ୍ରମ କରିବାର ସମ୍ଭାବନା ଅଛି। ଆନ୍ତର୍ଜାତିକ ଊର୍ଜା ସଂସ୍ଥାର ତଥ୍ୟ ଅନୁସାରେ ୨୦୫୦ ସୁଦ୍ଧା ବିଶ୍ୱର ଜୈବ ଇନ୍ଧନ ଅଭିବୃଦ୍ଧି ୩.୫ରୁ ୩.୯ରେ ପହଂଚିବ ବୋଲି ଆଶା କରାଯାଉଛି। ଏହା ଫଳରେ ଭାରତ ନିମନ୍ତେ ଏକ ବିରାଟ ସୁଯୋଗ ସୃଷ୍ଟି ହେବ।