Categories
ଅପରାଧ ଆଜିର ଖବର ଆଞ୍ଚଳିକ

ଫାଲକନ କଂପାନୀର ଚୋରୀ ହୋଇଥିବା ୨ଟି ଚିଙ୍ଗୁଡି ଦାନା ଟ୍ରକକୁ ଜବତ କଲା ପୋଲିସ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଫାଲକନ ଫିଡ୍ସ ରୁ ୨ ଟି ଚିଙ୍ଗୁଡି ଦାନା ବୋଝେଇ ଟ୍ରକ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ। ଘଟଣାରେ ୨ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରକ ଦୁଇଟି ଜବତ କରାଯାଇଛି। ଏହା ସହ ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଲୁଟେରା ଦ୍ୱୟ ହେଲେ କେନ୍ଦ୍ରାପଡା ରାଜନଗରର ଆଲୋକ ପ୍ରଧାନ ଓ ଭଦ୍ରକ ସାନକୃଷ୍ଣପୁରର ଗଣେଷ ଭଂଜ।

୭ ଦିନ ତଳେ ଫାଲକନ ଫିଡ୍ସରୁ ନେଟ୍ ୱାର୍କ କଂପାନୀର ୨ ଟି ଟ୍ରକ୍ ଯୋଗେଁ ଚିଙ୍ଗୁଡି ଦାନା ପଶ୍ଚିମ ଵଙ୍ଗକୁ ଚାଲାଣ କରାଯାଉଥିଲା। ଏହି ୨ ଟି ଟ୍ରକ୍ ରେ ୬୦ ଟନ୍ ଚିଙ୍ଗୁଡି ଦାନା ଥିଲା। ତେବେ ଏହି ଟ୍ରକ୍ ୨ ଟି ଠିକଣା ସ୍ଥାନରେ ନପହଂଚିବାରୁ ଫାଲକନ ଫିଡ୍ସ ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ କରାଯାଇଥିଲା।

ଏ ନେଇ ଖୋରଧା ଏସପିଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ନେତ୍ରୁତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ଟ୍ରକ୍ ଜବତ କରିବା ସହ ୧୭୧୭ ଚିଙ୍ଗୁଡି ଦାନା ବ୍ୟାଗ ଜବତ କରିଛି। ଏ ନେଇ ଟାଙ୍ଗୀ ଥାନା ପରିସରରେ ଗତକାଲି ସଂଧ୍ୟାରେ ଏକ ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଏସ୍ ପି ସୁରେଶ କୁମାର ଦାସ।