Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରଧାପୁର ଗ୍ରାମରେ ବାଘ ଶିକାର ଅଭିଯୋଗରେ ୨ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞର ସରଧାପୁର ଗ୍ରାମରେ ବାଘ ଶୀକାର ଅଭିଯୋଗରେ ସରଧାପୁର ଗ୍ରାମର ଅଜିତ୍ ନାଏକ ଓ ଚୈତନ୍ୟ କୁଜୁରକୁ ବନବିଭାଗ ଗିରଫ କରିଛି। ଏହା ସହିତ ବାଘ ଚମଡାକୁ ପୋଡିଥିବା ପାଉଁଶକୁ ଜବତ କରିବା ସହ ବାଘ ମୁଣ୍ଡ ଖପୁରି, ହାଡକୁ ଜବତ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଡଇଁଚା ସେକସନ୍ ସରଧାପୁର ଗ୍ରାମର ୬ ଜଣ ବ୍ୟକ୍ତି ଖୋଲଗଡ ସଂରକ୍ଷିତ ଜଙ୍ଗଲକୁ ଜନ୍ତୁ ଶୀକାର କରିବାକୁ ଯାଇଥିଲେ। ହଠାତ୍ ଏକ କଲରା ପତରିଆ ବାଘ ହାବୁଡରେ ପଡ଼ି ଯାଇଥିଲେ। ସେମାନେ ଏକ ବାଘ ଛୁଆକୁ ଗୁଳିକରି ତାର ମୁଣ୍ଡ ଓ ଚମଡାକୁ ଘରକୁ ଆଣିଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଆସୁଥିବାର ଜାଣି ସେମାନେ ମୁଣ୍ଡକୁ ଜଙ୍ଗଲରେ ଫୋପାଡି ଦେବା ସହ ଚମଡାକୁ ନିଆଁରେ ପୋଡ଼ି ଦେଇଥିଲେ। ବନବିଭାଗ ଚମଡା ପୋଡୁଥିବା ସ୍ଥାନରେ ପହଂଚି ପୋଡି ଯାଇଥିବା ପାଉଁଶକୁ ଜବତ କରିଛି। ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ୍ କରିଥିବା ବେଳେ ୪ ଜଣ ଫେରାର୍ ହୋଉଯାଇଥିଲେ।

ବନବିଭାଗ କହିଛି ଯେ, ଏହି ବାଣୁଆମାନେ ସପ୍ତାହେ ଆଗରୁ ଜନ୍ତୁ ଶୀକାର ପାଇଁ ଖୋଲଗଡ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଦିନକୁ ଦିନ ସରଧାପୁର ଅଂଚଳରେ ଜନ୍ତୁ ଶୀକାର ବୃଦ୍ଧି ପାଇବାରେ ଲାଗିଛି। ବନବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି। ଅଭିଯୁକ୍ତ ଦ୍ବୟଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଛି।

ତେବେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉରେ ବନ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।