Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଶବକୁ ଘରେ ଛାଡ଼ି ପରିବାର ଲୋକେ ଫେରାର୍

ଭଦ୍ରକ: ବିବାହର ୩ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏସମ୍ପର୍କରେ ମୃତକଙ୍କ ଭାଇ ଏହି ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ କାଶିମପୁର ଗ୍ରାମର ପ୍ରମୋଦ ନାୟକଙ୍କ ପୁତ୍ର ନିହାର କୁମାର ନାୟକ ଭଦ୍ରକ  ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହା ଜୁନ ମାସ ୭ତାରିଖ ଭଦ୍ରକ ବ୍ଳକ ରାହାଞ୍ଜ ଜହ୍ନିଆ ଗ୍ରାମର ବିଦ୍ୟାଧର ନାୟକଙ୍କ ସହିତ ତାଙ୍କ ସାନ ଭଉଣୀ ନିହାରିକାଙ୍କ ସହ ବୈଦିକ ରିତୀରେ ବିବାହ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରଘରର ଦାବି ମୁତାବକ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା, ୧୦ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ଗଡରେଜ ଆଲମିରା, ଫ୍ରିଜ, ଟିଭି ସମେତ ସମସ୍ତ ଆସବାବପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ବିବାହର ୬ମାସ ପରେ ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୂ ଜୟନ୍ତୀ ନାୟକ ଓ ମଉସା ଶ୍ୱଶୂର କମ୍ବୁ ତାଙ୍କୁ ନିୟମିତ ଭାବେ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।

ତେବେ ତାଙ୍କ ଭଉଣୀ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଓ ଯୌତୁକ ପାଇଁ ନିୟମିତ ନିର୍ଯ୍ୟାତନା ଦିଆଯାଉଥିବା ଏପରିକି ତା’ ଜୀବନ ବିପଦାପନ୍ନ ବୋଲି ସେ ପୂର୍ବରୁ ବାପାଙ୍କୁ ଜଣାଇ ଆସୁଥିଲେ ବୋଲି ଶ୍ରୀ ନାୟକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ ଭଉଣୀ ନିହାରିକାଙ୍କ ମୃତଦେହ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିଲେ।

ତେବେ ଉକ୍ତ ଗ୍ରାମର ଯେଉଁ ବ୍ୟକ୍ତି ମୃତ ଦେହ ଧରି ଜିଲ୍ଲା ଚିକିତ୍ସାଳୟକୁ ଆସିଥିଲେ, ତାଙ୍କୁ ପଚରାଉଚୁରା କରିବାରୁ, ନିହାରିକାଙ୍କ ଶ୍ୱଶୁର ଘରେ କେହି ନଥିବା ଓ ସ୍ୱାମୀ ସମେତ ଶାଶୂ ଓ ମଉସା ଫେରାର ଥିବା ସେ କହିଥିଲେ। ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକାଙ୍କ ପଞ୍ଚନାମା କରିବା ସହ ଶବକୁ ମେଡିକାଲକୁ ଆଣିଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରେମ ବିବାହର ଦୁଃଖଦ ଅନ୍ତ: ଯୌତୁକ ନିମନ୍ତେ ବଧୂହତ୍ୟା ଅଭିଯୋଗ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେବେ ସମାଜ ବୁଝିବ। କେତେଦିନ ଏମିତି ଯୌତୁକ ଜୁଇରେ ନବବଧୂଙ୍କୁ ହତ୍ୟା କରାଯିବ। ଝିଅ ଜନ୍ମ ହେଲେ ମାନସିକ ଯନ୍ତ୍ରଣା ଦିଆଯିବ। ଶେଷରେ ଯୌତୁକ ନ ପାଇବାରୁ ହତ୍ୟା ମଧ୍ୟ କରାଯିବ। ଏଭଳି ଏକ ସ୍ପର୍ଶକତାର ଏବଂ ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ସହର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ।

ଯୌତୁକ ଏବଂ ଝିଅ ଜନ୍ମ ହୋଇଥିବାରୁ ପ୍ରେମବିବାହ କରିଥିବା ଜଣେ ନବବଧୂକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଆଜି ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ରହୁଥିବା ନବବିବାହିତା ଇତିଶ୍ୱତା ପାତ୍ରଙ୍କ ମୃତ୍ୟୁ ହୋଇଥିବାନେଇ ପୋଲିସ୍ ଖବର ପାଇଥିଲା। ସଂଗେ ସଂଗେ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରକୁ ପୋଲିସ୍ ଅଟକ ରଖିଥିଲା।

ସୂଚନାଯୋଗ୍ୟ ଗତ ୨୦୧୯ ଜୁଲାଇ ୫ ତାରିଖରେ ବ୍ରହ୍ମପୁର ମହାରଣା ସାହିର ଇତିଶ୍ୱତା ପାତ୍ର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ୭ମ ଗଳିର ଏ. ସରୋଜ ପାତ୍ରଙ୍କୁ ପରିବାରର ସମ୍ମତିକ୍ରମେ ପ୍ରେମବିବାହ କରିଥିଲେ। ବିବାହର କିଛି ଦିନ ଠିକ୍‌ରେ ଚାଲିବା ପରେ ପରିବାରର ଶାଶୁ, ନଣନ୍ଦ, ସ୍ୱାମୀ, ଶ୍ୱଶୁର ଯୌତୁକ ଆଣିବା ପାଇଁ ଇତିସ୍ୱିତାକୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଝିଅଟିଏ ଜନ୍ମ ହେବା ପରେ ଶ୍ୱଶୁର ଘରର ନିର୍ଯ୍ୟାତନା ଅତ୍ୟଧିକ ବଢ଼ିଯାଇଥିଲା। ପରେ ଇତିଶ୍ୱତାଙ୍କ ବାପା ବିଜୟ କୁମାର ପାତ୍ର କୁଳସଭା କରିଥିଲେ। ଆଗକୁ ଏଭଳି ଭୁଲ ହେବ ନାହିଁ ବୋଲି ସରୋଜଙ୍କ ପରିବାର ଲୋକ ଉକ୍ତ ସଭାରେ କହିଥିଲେ।

କିଛିଦିନ ପାଇଁ ନିର୍ଯ୍ୟାତନା ବନ୍ଦ ରହିଥିଲା। କିନ୍ତୁ ଆଜି ପୂର୍ବାହ୍ନରେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ବାପା ଖବର ପାଇଥିଲେ। ଏନେଇ ବାପା ବିଜୟ ବଡ଼ବଜାର ଥାନାରେ ଝିଅକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ। ବଡ଼ବଜାର ଥାନାଧିକାରୀ ଶ୍ରୀ ଭୂପତି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ଶ୍ୱଶୁର ଏ. ପ୍ରମୋଦ କୁମାର ପାତ୍ର (୬୦) ଏବଂ ପୁଅ ଏ. ସରୋଜ ପାତ୍ରକୁ ଥାନାରେ ଅଟକ ରଖିଛନ୍ତି।

ଏଠାରେ ସୂଚନାଥାଉକି ଇତିଶ୍ୱତା ଗତକାଲି ରାତ୍ର ବାପାଘର ସହ ଫୋନ୍‌ରେ କଥା ହୋଇଥିବାବେଳେ ଆଜି ସକାଳ ପର୍ଯ୍ୟନ୍ତ ଭଲ ଥିଲେ। ହଠାତ୍ କିଭଳି ତାଙ୍କର ମୃତ୍ୟୁ ହେଲା ତାହା ଆଶ୍ଚର୍ଯ୍ୟପ୍ରକଟ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ କହିଛନ୍ତି। ଥାନା କେସ ନଂ ୫୪/୨୧ରେ ଅନୁସନ୍ଧାନ ଜାରି ରହିଛି।