ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଶବକୁ ଘରେ ଛାଡ଼ି ପରିବାର ଲୋକେ ଫେରାର୍

Published: Mar 5, 2021, 10:37 am IST

ଭଦ୍ରକ: ବିବାହର ୩ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏସମ୍ପର୍କରେ ମୃତକଙ୍କ ଭାଇ ଏହି ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ କାଶିମପୁର ଗ୍ରାମର ପ୍ରମୋଦ ନାୟକଙ୍କ ପୁତ୍ର ନିହାର କୁମାର ନାୟକ ଭଦ୍ରକ  ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହା ଜୁନ ମାସ ୭ତାରିଖ ଭଦ୍ରକ ବ୍ଳକ ରାହାଞ୍ଜ ଜହ୍ନିଆ ଗ୍ରାମର ବିଦ୍ୟାଧର ନାୟକଙ୍କ ସହିତ ତାଙ୍କ ସାନ ଭଉଣୀ ନିହାରିକାଙ୍କ ସହ ବୈଦିକ ରିତୀରେ ବିବାହ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରଘରର ଦାବି ମୁତାବକ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା, ୧୦ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ଗଡରେଜ ଆଲମିରା, ଫ୍ରିଜ, ଟିଭି ସମେତ ସମସ୍ତ ଆସବାବପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ବିବାହର ୬ମାସ ପରେ ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୂ ଜୟନ୍ତୀ ନାୟକ ଓ ମଉସା ଶ୍ୱଶୂର କମ୍ବୁ ତାଙ୍କୁ ନିୟମିତ ଭାବେ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।

ତେବେ ତାଙ୍କ ଭଉଣୀ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଓ ଯୌତୁକ ପାଇଁ ନିୟମିତ ନିର୍ଯ୍ୟାତନା ଦିଆଯାଉଥିବା ଏପରିକି ତା’ ଜୀବନ ବିପଦାପନ୍ନ ବୋଲି ସେ ପୂର୍ବରୁ ବାପାଙ୍କୁ ଜଣାଇ ଆସୁଥିଲେ ବୋଲି ଶ୍ରୀ ନାୟକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ ଭଉଣୀ ନିହାରିକାଙ୍କ ମୃତଦେହ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିଲେ।

ତେବେ ଉକ୍ତ ଗ୍ରାମର ଯେଉଁ ବ୍ୟକ୍ତି ମୃତ ଦେହ ଧରି ଜିଲ୍ଲା ଚିକିତ୍ସାଳୟକୁ ଆସିଥିଲେ, ତାଙ୍କୁ ପଚରାଉଚୁରା କରିବାରୁ, ନିହାରିକାଙ୍କ ଶ୍ୱଶୁର ଘରେ କେହି ନଥିବା ଓ ସ୍ୱାମୀ ସମେତ ଶାଶୂ ଓ ମଉସା ଫେରାର ଥିବା ସେ କହିଥିଲେ। ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକାଙ୍କ ପଞ୍ଚନାମା କରିବା ସହ ଶବକୁ ମେଡିକାଲକୁ ଆଣିଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Related posts