Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ: ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇ ଲୁଟ କରାଯାଉଛି। ତେବେ ବିଗତ ଦିନରେ ମଧ୍ୟ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକାଧିକ ଲୁଟ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତଦନ୍ତ ପରେ କେତେକ ମାମଲା ଖୋଦ କର୍ମଚାରୀଙ୍କ ଦ୍ୱାରା ପୂର୍ବ ପ୍ରାୟୋଜିତ ବୋଲି ଜଣାପଡିଥିଲା। ଏଥି ନିମନ୍ତେ ଏପରି ଧରଣର ଲୁଟ ଅଭିଯୋଗକୁ ପୋଲିସ ସହଜରେ ଭରଷାକୁ ନେଉନାହିଁ।

ନିକଟରେ ବାଲୁଗାଁ ଏବଂ ବାଣପୁରରେ ଏହିପରି ଦୁଇ ଦୁଇଟି ଲୁଟ ହୋଇଥିବା ବେଳେ ଅଦ୍ୟାବଧି ପୋଲିସ ତାହାର ନିଷ୍କର୍ଷକୁ ପହଂଚିପାରିନି। ତେବେ ଆଜି ଏକ ଘରୋଇ ଅର୍ଥଲଗାଣ କାରି ସଂସ୍ଥାର କର୍ମଚାରୀଙ୍କ ନିକଟରୁ ବନ୍ଧୁକ ମୁନରେ ସମାନ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବାଣପୁର ଥାନା କୋଷରଡ଼ା ଗ୍ରାମରେ ଏହି ଲୁଟ ହୋଇଛି।

ଖବର ମୁତାବକ ବାଲୁଗାଁ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀ ଆନନ୍ଦ ଜେନା ଏବଂ ମାମା ସାହୁ ଏକ ସ୍କୁଟି ଦ୍ୱାରା ଆଜି ପୂର୍ବାହ୍ନରେ କୋଷରଡ଼ା ଗ୍ରାମକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ। କିନ୍ତୁ ମିଟିଙ୍ଗ ସାରି ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରି ଅପରାହ୍ନ ୩ ଘଟିକାରେ ଭବାନୀପୁର ପଞ୍ଚାୟତ ମିଟିଙ୍ଗ ପାଇଁ ଯାଉଥିବା ବେଳେ କୋଷରଡ଼ା ଗ୍ରାମରୁ ୨୦୦ ମିଟର ଆଗରେ ଚାରି ଜଣ ଯୁବକ ପୁର୍ବରୁ ରୋଡ଼ର ଉଭୟ ପାର୍ଶ୍ୱରେ ସାଧାରଣ ଲୋକଙ୍କ ପରି ବାଇକ ସାଇଡ କରି ଠିଆ ହୋଇଥିଲେ।

ହଠାତ ସେମାନେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଥିବା ବ୍ୟାଗ ଏବଂ ମହିଳା କର୍ମଚାରୀଙ୍କ ମୋବାଇଲ ଲୁଟି କୋଷରଡ଼ା ଗ୍ରାମ ଅଭିମୁଖେ ବାଇକରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉକ୍ତ ଖବର ପାଇ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କ ଟେର ପାଇନଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଭାରତ ଫାଇନାନ୍ସ ମ୍ୟାନେଜର ପହଞ୍ଚିଥିବା ବେଳେ ପୋଲିସ ଏଯାବତ ପହଞ୍ଚି ନଥିବା ଜଣାପଡିଛି। ତେବେ ବାରମ୍ବାର ବାଣପୁର ବାଲୁଗାଁ ଅଞ୍ଚଳରେ ଏପରି ଲୁଟ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଘରୋଇ ଅର୍ଥଲଗାଣକାରି ସଂସ୍ଥା ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଲକ ଡ଼ାଉନରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।

ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ ବିଲ ସଂଗ୍ରହ ପଇସା ଜମା କରିବା ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ।

ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ିଦେଇଥିଲେ।  ପରବର୍ତ୍ତୀ ସମୟରେ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିଥିଲେ।  ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ। ବ୍ୟାଗ ମଧ୍ୟରୁ ଦୁର୍ବୁତ୍ତମାନେ ୬ ଲକ୍ଷ ୧୬ ହଜାର ୭୮୦ ଟଙ୍କା ଲୁଟିନେଇ ବାଣପୁର ଅଭିମୁଖେ ଫେରାର ହୋଇଯାଇଛନ୍ତି। ତେବେ ଏ ନେଇ ସଂଜିତ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି।