ବାଣପୁର: ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

Published: May 10, 2021, 2:21 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଲକ ଡ଼ାଉନରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।

ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ ବିଲ ସଂଗ୍ରହ ପଇସା ଜମା କରିବା ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ।

ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ିଦେଇଥିଲେ।  ପରବର୍ତ୍ତୀ ସମୟରେ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିଥିଲେ।  ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ। ବ୍ୟାଗ ମଧ୍ୟରୁ ଦୁର୍ବୁତ୍ତମାନେ ୬ ଲକ୍ଷ ୧୬ ହଜାର ୭୮୦ ଟଙ୍କା ଲୁଟିନେଇ ବାଣପୁର ଅଭିମୁଖେ ଫେରାର ହୋଇଯାଇଛନ୍ତି। ତେବେ ଏ ନେଇ ସଂଜିତ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି।

Related posts