Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ପଷ୍ଟ ଦିବାଲୋକରେ ଯୁବକକୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ହର୍ଷବିହାର ମୁଖ୍ୟ ରାସ୍ତାରେ ତ୍ରିଲୋଚନ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ୪ ଜଣ ଯୁବକ ଆକ୍ରମଣ କରି ନିର୍ଧୁମ ପିଟିବା ସହ ଦୁଇ ହାତକୁ ବ୍ଲେଡ୍ ରେ କାଟି ଦେଇଥିଲେ ଓ ତା’ର ପକେଟ୍ ରେ ଥିବା ନଗଦ ଏକ ହଜାର ଟଙ୍କା ସହିତ ଗୋଟିଏ ଦାମିକିଆ ମୋବାଇଲ ଫୋନ ଲୁଟି ନେଇ ସେଠାରୁ ପଳାୟନ କରିଥିବା ଜଣାପଡିଛି।

ସୁଚନା ପ୍ରକାରେ ଆହତ ତ୍ରିଲୋଚନର ଘର ଶୁଭମ୍ ବିହାର ଓ ସେ ଅପରାହ୍ନ ସମୟରେ ହର୍ଷବିହାର ରାସ୍ତାରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଯୁବକ ମୁହଁରେ ରୁମାଲ୍ ବାନ୍ଧି ତା ପାଖରେ ପହଞ୍ଚି ପକେଟ୍ ରେ ଯାହା ଅଛି ଦେ ବୋଲି ମାଗିଥିଲେ। ସେ ମନା କରିବାରୁ ନିର୍ଦ୍ଧୁମ ମାଡ଼ ମାରିବା ସହ ସେ ଧରିଥିବା ମୋବାଇଲ ଫୋନ ଓ ନଗଦ ଏକ ହଜାର ଟଙ୍କା ଲୁଟି ନେଇଥିଲେ। ଯାହା ଫଳରେ ସେ ପାଟି କରିବାରୁ ଧାରୁଆ ବ୍ଲେଡ୍ ରେ ତା’ର ଦୁଇ ହାତକୁ ୪୦ ଟି ସ୍ଥାନରେ କାଟି ଦେଇଥିଲେ। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ଏହି ଭଳି ପରିସ୍ଥିତିରେ ତ୍ରିଲୋଚନ ଚିତ୍କାର କରିବାରୁ ଆକ୍ରମଣକାରୀ ଯୁବକ ମାନେ ସେଠାରୁ ପଳାଇ ଥିଲେ। ଆହତ ଯୁବକ ଏ ନେଇ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କଠାରୁ ଲୁଟ୍, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପାରିନୂଆଗାଁ ଛକରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେଲପଡା ଗ୍ରାମ କବିରାଜ ଲେଙ୍କାଙ୍କ ଝିଅ ସୁନିତା ଲେଙ୍କା ବାଣପୁର ପଲଟନ ପଡିଆରୁ କାମ ସାରି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଠିକ ସେହି ସମୟରେ ପାରିନୁଆଗାଁ କେନାଲ ଛକରେ ହଠାତ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସୁନିତାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ।

ଉକ୍ତ ଭ୍ୟାନିଟି ବ୍ୟାଗରେ ଦୁଇ ଗୋଟି ମୋବାଇଲ, ୧ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିବା ସୁନିତା କହିଛନ୍ତି। ଏ ନେଇ ସୁନିତା ବାଣପୁର ଥାନାରେ ଜଣାଇବାରୁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ସୂଚନା ଥାଉକି ଗତ ବର୍ଷ ନଭେମ୍ବର ୨୯ ତାରିଖ ଦିନ ସମାନ ସ୍ଥାନରୁ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ମଧ୍ୟ ଲୁଟି ନେଇଥିଲେ। ତେବେ ସ୍ପଷ୍ଟ ଦିବାଲୋକରେ ଲୁଟେରା ମାନେ ବେଫିକର ଲୁଟ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ ବୃଦ୍ଧି ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ମେଡିକାଲରେ ଲଜ୍ୟାଜନକ ଘଟଣା: ସ୍ପଷ୍ଟ ଦିବାଲୋକରେ ରୋଗୀ ୱାର୍ଡରୁ ୨୦ ହଜାର ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ମେଡିକାଲ ପରିସରରୁ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି।

ହସ୍ତଗତ ତଥ୍ୟ ମୁତାବକ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ଗୁଆଲଡିହ ଗ୍ରାମର ଶିବରାମ ଦାସ ଓ ଜୟନ୍ତୀ ଦାସଙ୍କ ପୁତ୍ର ବାଦଲ ଦାସଙ୍କ (୨୨) ଝାଡାବାନ୍ତି ହେବାରୁ ପରିବାର ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ତେବେ ବାଦଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ, ତାଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଆଜି ସକାଳ ୭ ଘଟିକାରେ ବାଦଲଙ୍କ ମାତା ପିତା ୨୦ ହଜାର ଟଙ୍କା ନେଇ ମେଡିକାଲକୁ ଆସିଥିଲେ। ଟଙ୍କା ଏବଂ ଅନ୍ୟାନ ଜିନିଷ ଏକ ବ୍ୟାଗରେ ରଖିଥିବାବେଳେ ପୁଅ ବାଦଲର ଲୁଗାପଟା ଧୋଇବା ପାଇଁ ତାଙ୍କ ମା ଜୟନ୍ତୀ ଟଙ୍କା ବ୍ୟାଗକୁ ନିକଟସ୍ଥ ଶଜ୍ଜ୍ୟା ଉପରେ ଥୋଇ ମେଡିକାଲ ଶୌଚାଳୟକୁ ଯାଇଥିଲେ।

ହେଲେ ମା’ ଲୁଗା ସଫା କରି ଆସିବା ପରେ ବ୍ୟାଗରୁ ଟଙ୍କା ନଥିବାର ଦେଖିବାକୁ ପାଇଥିଲେ। ଦମ୍ପତି ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାବେଳେ ବହୁ କଷ୍ଟରେ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ତେବେ ଜୟନ୍ତୀ ଟଙ୍କା ଗଣିବା ସମୟରେ ନିକଟତମ ଶଜ୍ଜ୍ୟାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ  ଦେଖିଥିବାର ଗଣମାଧ୍ୟମକୁ କହିଛନ୍ତି ଶିବରାମ। କିନ୍ତୁ ସମ୍ପୃକ୍ତ ରୋଗୀ ବର୍ତ୍ତମାନ ମେଡିକାଲରେ ନାହାନ୍ତି।

ଏ ନେଇ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଥିବାର କହିଛନ୍ତି। ଅନୁରୂପ ଭାବେ ବାଦଲଙ୍କ ପରିବାର ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାକୁ ଉଦ୍ୟତ ହେଉଥିବାର ଦେଖିବାକୁ ମିଳିଛି। ତେବେ ମେଡିକାଲ ପରିସର ଭିତରୁ ଚୋରି ହେବା ନିହାତି ନିନ୍ଦନୀୟ ବିଷୟ ଏବଂ ଗରିବ ରୋଗୀଙ୍କୁ ଯଥାଶୀଘ୍ର ବାଣପୁର ପୋଲିସ ନ୍ୟାୟ ଦେଉ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଲକ ଡ଼ାଉନରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।

ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ ବିଲ ସଂଗ୍ରହ ପଇସା ଜମା କରିବା ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ।

ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ିଦେଇଥିଲେ।  ପରବର୍ତ୍ତୀ ସମୟରେ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିଥିଲେ।  ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ। ବ୍ୟାଗ ମଧ୍ୟରୁ ଦୁର୍ବୁତ୍ତମାନେ ୬ ଲକ୍ଷ ୧୬ ହଜାର ୭୮୦ ଟଙ୍କା ଲୁଟିନେଇ ବାଣପୁର ଅଭିମୁଖେ ଫେରାର ହୋଇଯାଇଛନ୍ତି। ତେବେ ଏ ନେଇ ସଂଜିତ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି।