ସ୍ପଷ୍ଟ ଦିବାଲୋକରେ ଯୁବକକୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ୍

Published: Jun 7, 2023, 11:15 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ହର୍ଷବିହାର ମୁଖ୍ୟ ରାସ୍ତାରେ ତ୍ରିଲୋଚନ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ୪ ଜଣ ଯୁବକ ଆକ୍ରମଣ କରି ନିର୍ଧୁମ ପିଟିବା ସହ ଦୁଇ ହାତକୁ ବ୍ଲେଡ୍ ରେ କାଟି ଦେଇଥିଲେ ଓ ତା’ର ପକେଟ୍ ରେ ଥିବା ନଗଦ ଏକ ହଜାର ଟଙ୍କା ସହିତ ଗୋଟିଏ ଦାମିକିଆ ମୋବାଇଲ ଫୋନ ଲୁଟି ନେଇ ସେଠାରୁ ପଳାୟନ କରିଥିବା ଜଣାପଡିଛି।

ସୁଚନା ପ୍ରକାରେ ଆହତ ତ୍ରିଲୋଚନର ଘର ଶୁଭମ୍ ବିହାର ଓ ସେ ଅପରାହ୍ନ ସମୟରେ ହର୍ଷବିହାର ରାସ୍ତାରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଯୁବକ ମୁହଁରେ ରୁମାଲ୍ ବାନ୍ଧି ତା ପାଖରେ ପହଞ୍ଚି ପକେଟ୍ ରେ ଯାହା ଅଛି ଦେ ବୋଲି ମାଗିଥିଲେ। ସେ ମନା କରିବାରୁ ନିର୍ଦ୍ଧୁମ ମାଡ଼ ମାରିବା ସହ ସେ ଧରିଥିବା ମୋବାଇଲ ଫୋନ ଓ ନଗଦ ଏକ ହଜାର ଟଙ୍କା ଲୁଟି ନେଇଥିଲେ। ଯାହା ଫଳରେ ସେ ପାଟି କରିବାରୁ ଧାରୁଆ ବ୍ଲେଡ୍ ରେ ତା’ର ଦୁଇ ହାତକୁ ୪୦ ଟି ସ୍ଥାନରେ କାଟି ଦେଇଥିଲେ। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ଏହି ଭଳି ପରିସ୍ଥିତିରେ ତ୍ରିଲୋଚନ ଚିତ୍କାର କରିବାରୁ ଆକ୍ରମଣକାରୀ ଯୁବକ ମାନେ ସେଠାରୁ ପଳାଇ ଥିଲେ। ଆହତ ଯୁବକ ଏ ନେଇ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ କରୁଛି।

Related posts