ବାଣପୁର ମେଡିକାଲରେ ଲଜ୍ୟାଜନକ ଘଟଣା: ସ୍ପଷ୍ଟ ଦିବାଲୋକରେ ରୋଗୀ ୱାର୍ଡରୁ ୨୦ ହଜାର ଲୁଟ୍

Published: Aug 28, 2021, 11:24 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ମେଡିକାଲ ପରିସରରୁ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି।

ହସ୍ତଗତ ତଥ୍ୟ ମୁତାବକ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ଗୁଆଲଡିହ ଗ୍ରାମର ଶିବରାମ ଦାସ ଓ ଜୟନ୍ତୀ ଦାସଙ୍କ ପୁତ୍ର ବାଦଲ ଦାସଙ୍କ (୨୨) ଝାଡାବାନ୍ତି ହେବାରୁ ପରିବାର ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ତେବେ ବାଦଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ, ତାଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଆଜି ସକାଳ ୭ ଘଟିକାରେ ବାଦଲଙ୍କ ମାତା ପିତା ୨୦ ହଜାର ଟଙ୍କା ନେଇ ମେଡିକାଲକୁ ଆସିଥିଲେ। ଟଙ୍କା ଏବଂ ଅନ୍ୟାନ ଜିନିଷ ଏକ ବ୍ୟାଗରେ ରଖିଥିବାବେଳେ ପୁଅ ବାଦଲର ଲୁଗାପଟା ଧୋଇବା ପାଇଁ ତାଙ୍କ ମା ଜୟନ୍ତୀ ଟଙ୍କା ବ୍ୟାଗକୁ ନିକଟସ୍ଥ ଶଜ୍ଜ୍ୟା ଉପରେ ଥୋଇ ମେଡିକାଲ ଶୌଚାଳୟକୁ ଯାଇଥିଲେ।

ହେଲେ ମା’ ଲୁଗା ସଫା କରି ଆସିବା ପରେ ବ୍ୟାଗରୁ ଟଙ୍କା ନଥିବାର ଦେଖିବାକୁ ପାଇଥିଲେ। ଦମ୍ପତି ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାବେଳେ ବହୁ କଷ୍ଟରେ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ତେବେ ଜୟନ୍ତୀ ଟଙ୍କା ଗଣିବା ସମୟରେ ନିକଟତମ ଶଜ୍ଜ୍ୟାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ  ଦେଖିଥିବାର ଗଣମାଧ୍ୟମକୁ କହିଛନ୍ତି ଶିବରାମ। କିନ୍ତୁ ସମ୍ପୃକ୍ତ ରୋଗୀ ବର୍ତ୍ତମାନ ମେଡିକାଲରେ ନାହାନ୍ତି।

ଏ ନେଇ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଥିବାର କହିଛନ୍ତି। ଅନୁରୂପ ଭାବେ ବାଦଲଙ୍କ ପରିବାର ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାକୁ ଉଦ୍ୟତ ହେଉଥିବାର ଦେଖିବାକୁ ମିଳିଛି। ତେବେ ମେଡିକାଲ ପରିସର ଭିତରୁ ଚୋରି ହେବା ନିହାତି ନିନ୍ଦନୀୟ ବିଷୟ ଏବଂ ଗରିବ ରୋଗୀଙ୍କୁ ଯଥାଶୀଘ୍ର ବାଣପୁର ପୋଲିସ ନ୍ୟାୟ ଦେଉ ବୋଲି ସାଧାରଣରେ ଦାବି ହେଉଛି।

Related posts