Categories
ଆଞ୍ଚଳିକ

ବାଣପୁର ହସପିଟାଲ ଫର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ହସପିଟାଲ ଫର୍ମାସିଷ୍ଟ ଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା। ବନ୍ଧା ହେଲେ ଦୁଇ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ପୋଲିସ ସୂଚନା ମୁତାବକ ଗତକାଲି ରାତିରେ ଆୟୁଷ୍ମାନ ବେହେରା ଓ ସିଦ୍ଧାନ୍ତ ପରିଡ଼ା ନାମକ ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବାଣପୁର ମେଡିକାଲ କୁ ଚିକିତ୍ସା ନିମନ୍ତେ ଯାଇଥିଲେ।

ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ଏବଂ ଫାର୍ମାସିଷ୍ଟ ଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳିଗୁଲଜ କରିଥିଲେ, ଏପରିକି ପରବର୍ତ୍ତୀ ସମୟରେ ଫର୍ମାସିଷ୍ଟ ପ୍ରମୋଦ ଦେହୁରୀ ଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ଶ୍ରୀ ଦେହୁରୀ ଆହତ ହୋଇ ମେଡିକାଲ ଅଧିକାରୀ ଙ୍କ ପରାମର୍ଶ କ୍ରମେ ବାଣପୁର ଥାନାରେ ଏତଲା ଦେଇଥିଲେ।

ଏହାକୁ ଆଇଆଇସି ଜୟପ୍ରକାଶ ପରିଡ଼ା ଗୁରୁତର ସହ ନେଇ ସଙ୍ଗେସଙ୍ଗେ ଫୋର୍ସ ନେଇ ବାଣପୁର ମେଡିକାଲ ରେ ପହଞ୍ଚି ଯୁବକ ଦ୍ବୟ ଙ୍କୁ ଗିରଫ କରିଥିଲେ l ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର 62/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଇପିସିର ଧାରା 294,307,323,332,341,353,506 ଏବଂ 34 ଆଦି ଲାଗିଥିବାର ଜଣାପଡିଛି।

ତେବେ ଆଜି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନା ଥାଉକି ବାଣପୁର ମେଡିକାଲ ପରିସରରେ ବହୁ ଥର ଏପରି ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପକ୍ଷରୁ ଦୟା ମନୋଭାବ ଦେଖାଇ ଏତଲା ଦିଆଯାଉନଥିଲା। ତେବେ ଉକ୍ତ କାର୍ଯ୍ୟ ସମାଜରେ କେବେବି ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି। ଆଇଆଇସି ଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ସିଡ଼ିଏମଓଙ୍କ ତ୍ୱରିତ ପଦକ୍ଷେପ, ବାଣପୁର ମେଡିକାଲରେ ଯୋଗ ଦେବେ ଦୁଇ ନୂତନ ଡାକ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟା ନେଇ ଏକାଧିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆକ୍ଟିଭ ମୋଡ଼କୁ ଆସିଛନ୍ତି।

ଶ୍ରୀ ନାୟକ ଆଜି ବାଣପୁର ମେଡିକାଲ ପାଇଁ ଦୁଇ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଡ଼ା ଆଶୁତୋଷ ବିଶୋଇ ଏବଂ ଡ଼ା ପ୍ରିତିଶ ଧଳ ମେଣ୍ଢାଶାଳ ସିଏଚସିରୁ ବାଣପୁର ସିଏଚସିକୁ ବଦଳି ହୋଇଛନ୍ତି। ବାଣପୁର ଡାକ୍ତରଖାନାରେ ଏକାଧିକ ସମସ୍ୟା ଥିବାବେଳେ ଡାକ୍ତର ନିଯୁକ୍ତି ପ୍ରମୁଖ ଦାବି ଥିଲା।

ତେବେ ଖୁବଶୀଘ୍ର ଉକ୍ତ ମେଡିକାଲକୁ ଖାଲି ପଡ଼ିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ମେଡିକାଲରେ ଲଜ୍ୟାଜନକ ଘଟଣା: ସ୍ପଷ୍ଟ ଦିବାଲୋକରେ ରୋଗୀ ୱାର୍ଡରୁ ୨୦ ହଜାର ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ମେଡିକାଲ ପରିସରରୁ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି।

ହସ୍ତଗତ ତଥ୍ୟ ମୁତାବକ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ଗୁଆଲଡିହ ଗ୍ରାମର ଶିବରାମ ଦାସ ଓ ଜୟନ୍ତୀ ଦାସଙ୍କ ପୁତ୍ର ବାଦଲ ଦାସଙ୍କ (୨୨) ଝାଡାବାନ୍ତି ହେବାରୁ ପରିବାର ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ତେବେ ବାଦଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ, ତାଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଆଜି ସକାଳ ୭ ଘଟିକାରେ ବାଦଲଙ୍କ ମାତା ପିତା ୨୦ ହଜାର ଟଙ୍କା ନେଇ ମେଡିକାଲକୁ ଆସିଥିଲେ। ଟଙ୍କା ଏବଂ ଅନ୍ୟାନ ଜିନିଷ ଏକ ବ୍ୟାଗରେ ରଖିଥିବାବେଳେ ପୁଅ ବାଦଲର ଲୁଗାପଟା ଧୋଇବା ପାଇଁ ତାଙ୍କ ମା ଜୟନ୍ତୀ ଟଙ୍କା ବ୍ୟାଗକୁ ନିକଟସ୍ଥ ଶଜ୍ଜ୍ୟା ଉପରେ ଥୋଇ ମେଡିକାଲ ଶୌଚାଳୟକୁ ଯାଇଥିଲେ।

ହେଲେ ମା’ ଲୁଗା ସଫା କରି ଆସିବା ପରେ ବ୍ୟାଗରୁ ଟଙ୍କା ନଥିବାର ଦେଖିବାକୁ ପାଇଥିଲେ। ଦମ୍ପତି ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାବେଳେ ବହୁ କଷ୍ଟରେ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ତେବେ ଜୟନ୍ତୀ ଟଙ୍କା ଗଣିବା ସମୟରେ ନିକଟତମ ଶଜ୍ଜ୍ୟାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ  ଦେଖିଥିବାର ଗଣମାଧ୍ୟମକୁ କହିଛନ୍ତି ଶିବରାମ। କିନ୍ତୁ ସମ୍ପୃକ୍ତ ରୋଗୀ ବର୍ତ୍ତମାନ ମେଡିକାଲରେ ନାହାନ୍ତି।

ଏ ନେଇ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଥିବାର କହିଛନ୍ତି। ଅନୁରୂପ ଭାବେ ବାଦଲଙ୍କ ପରିବାର ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାକୁ ଉଦ୍ୟତ ହେଉଥିବାର ଦେଖିବାକୁ ମିଳିଛି। ତେବେ ମେଡିକାଲ ପରିସର ଭିତରୁ ଚୋରି ହେବା ନିହାତି ନିନ୍ଦନୀୟ ବିଷୟ ଏବଂ ଗରିବ ରୋଗୀଙ୍କୁ ଯଥାଶୀଘ୍ର ବାଣପୁର ପୋଲିସ ନ୍ୟାୟ ଦେଉ ବୋଲି ସାଧାରଣରେ ଦାବି ହେଉଛି।