ବାଣପୁର ହସପିଟାଲ ଫର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା, ଦୁଇ ଗିରଫ

Published: Feb 5, 2023, 10:49 am IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ହସପିଟାଲ ଫର୍ମାସିଷ୍ଟ ଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା। ବନ୍ଧା ହେଲେ ଦୁଇ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ପୋଲିସ ସୂଚନା ମୁତାବକ ଗତକାଲି ରାତିରେ ଆୟୁଷ୍ମାନ ବେହେରା ଓ ସିଦ୍ଧାନ୍ତ ପରିଡ଼ା ନାମକ ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବାଣପୁର ମେଡିକାଲ କୁ ଚିକିତ୍ସା ନିମନ୍ତେ ଯାଇଥିଲେ।

ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ଏବଂ ଫାର୍ମାସିଷ୍ଟ ଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳିଗୁଲଜ କରିଥିଲେ, ଏପରିକି ପରବର୍ତ୍ତୀ ସମୟରେ ଫର୍ମାସିଷ୍ଟ ପ୍ରମୋଦ ଦେହୁରୀ ଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ଶ୍ରୀ ଦେହୁରୀ ଆହତ ହୋଇ ମେଡିକାଲ ଅଧିକାରୀ ଙ୍କ ପରାମର୍ଶ କ୍ରମେ ବାଣପୁର ଥାନାରେ ଏତଲା ଦେଇଥିଲେ।

ଏହାକୁ ଆଇଆଇସି ଜୟପ୍ରକାଶ ପରିଡ଼ା ଗୁରୁତର ସହ ନେଇ ସଙ୍ଗେସଙ୍ଗେ ଫୋର୍ସ ନେଇ ବାଣପୁର ମେଡିକାଲ ରେ ପହଞ୍ଚି ଯୁବକ ଦ୍ବୟ ଙ୍କୁ ଗିରଫ କରିଥିଲେ l ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର 62/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଇପିସିର ଧାରା 294,307,323,332,341,353,506 ଏବଂ 34 ଆଦି ଲାଗିଥିବାର ଜଣାପଡିଛି।

ତେବେ ଆଜି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନା ଥାଉକି ବାଣପୁର ମେଡିକାଲ ପରିସରରେ ବହୁ ଥର ଏପରି ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପକ୍ଷରୁ ଦୟା ମନୋଭାବ ଦେଖାଇ ଏତଲା ଦିଆଯାଉନଥିଲା। ତେବେ ଉକ୍ତ କାର୍ଯ୍ୟ ସମାଜରେ କେବେବି ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି। ଆଇଆଇସି ଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Related posts